ଆଦାନି-ହିଣ୍ଡେନବର୍ଗ ମାମଲାର ଶୁଣାଣି ୧୨ରେ

ନୂଆଦିଲ୍ଲୀ : ଆଦାନି ଗ୍ରୁପ୍ ସମ୍ପର୍କରେ ହିଣ୍ଡେନବର୍ଗ ସଂସ୍ଥା ତରଫରୁ ଏକ ରିପୋର୍ଟ ପ୍ରକାଶ ପାଇଥିଲା। ଆଦାନି ଗ୍ରୁପ୍‌ ନିଜ ସେୟାର ମୂଲ୍ୟ ଅଧିକ ଦର୍ଶାଇଥିବା ହିଣ୍ଡେନବର୍ଗ ନିଜ ରିପୋର୍ଟରେ ଦର୍ଶାଇଥିଲା। ଏହାଫଳରେ ନିବେଶକମାନେ ଆର୍ଥିକ କ୍ଷତିର ସମ୍ମୁଖୀନ ହୋଇଥିବା ଅଭିଯୋଗ ଆସିବା ପରେ ଏ ସମ୍ପର୍କରେ ତଦନ୍ତ ପାଇଁ ବର୍ତ୍ତମାନ ସୁଦ୍ଧା ୪ଟି ଜନସ୍ବାର୍ଥ ମାମଲା ଶୀର୍ଷ ନ୍ୟାୟାଳୟରେ ରୁଜୁ ହୋଇଛି। ଏହି ମାମଲାର ଶୁଣାଣି ଆସନ୍ତା ୧୨ରେ ହେବ ବୋଲି ଶୀର୍ଷ ନ୍ୟାୟାଳୟ ଦିନଧାର୍ଯ୍ୟ କରିଛନ୍ତି। ସୂଚନାଥାଉ କି ଗତ ୨ରେ ଆଦାନି ଗ୍ରୁପ୍‌ ନିଜ ସେୟାର ମୂଲ୍ୟ ଠିକ୍‌ ଭାବେ ଦର୍ଶାଇଛି କି ନାହିଁ ସେ ସମ୍ପର୍କରେ ଦୁଇମାସ ମଧ୍ୟରେ ତଦନ୍ତ କରିବାକୁ ସେବିକୁ ନିର୍ଦେଶ ଦିଆଯାଇଛି। ଏଥିସହ ଭାରତୀୟ ନିବେଶକଙ୍କ ସ୍ବାର୍ଥରକ୍ଷା ନିମନ୍ତେ ଏକ କମିଟି ଗଠନ କରିଛନ୍ତି ଶୀର୍ଷ ନ୍ୟାୟାଳୟ। ଏହି ମାମଲାର ଶୁଣାଣି ଆସନ୍ତା ୧୨ରେ ପ୍ରଧାନ ବିଚାରପତି ଡିୱାଇ ଚନ୍ଦ୍ରଚୂଡ଼ଙ୍କ ନେତୃତ୍ବାଧୀନ ୩ଜଣିଆ ପୀଠ କରିବେ। ଶୀର୍ଷ ନ୍ୟାୟାଳୟ ତରଫରୁ ଯେଉଁ କମିଟି ଗଠନ କରାଯାଇଛି ସେହି କମିଟି ନିଜ ରିପୋର୍ଟ ଦାଖଲ କରି ସାରିଥିବାରୁ ଆଗାମୀ ଶୁଣାଣିରେ ଏହି ରିପୋର୍ଟ ନେଇ ଚର୍ଚ୍ଚା ହେବାର ସମ୍ଭାବନା ରହିଛି।

Comments are closed.