ଝାରସୁଗୁଡ଼ା ଉପ ନିର୍ବାଚନ : ୭୫.୬% ମତଦାନ

୧୩ରେ ଗଣତି, କାଁଭାଁ ହିଂସା,୨୮ଟି ବୁଥରେ ଇଭିଏମ, ଭିଭିପାଟ୍‌ରେ ତ୍ରୁଟି

ଭୁବନେଶ୍ବର/ଝାରସୁଗୁଡ଼ା :  ଝାରସୁଗୁଡ଼ା ବିଧାନସଭା ଆସନରେ ଉପ ନିର୍ବାଚନ ପାଇଁ ମତଦାନ କାଁ ଭାଁ ବିଶୃଙ୍ଖଳାକୁ ଛାଡ଼ି ଦେଲେ ପ୍ରାୟତଃ ସବୁ ମତଦାନ କେନ୍ଦ୍ରରେ ଶାନ୍ତିଶୃଙ୍ଖଳା‌େ‌ର ମତଦାନ ଶେଷ ହୋଇଛି। ବୁଧବାର ଝାରସୁଗୁଡ଼ା‌େ‌ର ୪୨.୯ଡିଗ୍ରୀ ଟାଣଖରାକୁ ଭ୍ରୂକ୍ଷେପ ନକରି ଝାରସୁଗୁଡ଼ା ନିର୍ବାଚନମଣ୍ଡଳୀର ଭୋଟର ନିଜର ମତଦାନ ସାବ୍ୟସ୍ତ କରିଛନ୍ତି। ଅପରାହ୍ଣ ୫ଟା ସୁଦ୍ଧା ମତଦାନ ହାର ମୋଟ ୬୮.୧୨ ପ୍ରତିଶତ ଥିବା ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ସୂଚନା ଦେଇଥିବା ବେଳେ ସନ୍ଧ୍ୟା ସୁଦ୍ଧା ଏହା ୭୫.୬ପ୍ରତିଶତ ରହିଥିବା ଜଣାପଡ଼ିଛି।
୯ ପ୍ରାର୍ଥୀଙ୍କ ଭାଗ୍ୟ ଏବେ ଇଭିଏମରେ ବନ୍ଦ ହୋଇଛି। ଆସନ୍ତା ୧୩ରେ ଭୋଟ ଗଣତି ହେବ। ନିର୍ଦ୍ଧାରିତ ସମୟରେ ଆଜି ସକାଳ ୭ରୁ ସମସ୍ତ ବୁଥ୍‌ରେ ଭୋଟ ଗ୍ରହଣ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୯ଟା ମଧ୍ୟରେ ୧୬ଟି ବୁଥ୍‌ରେ ଇଭିଏମ ଓ ଭିଭିପାଟ୍‌ରେ କିଛି ତ୍ରୁଟି ଦେଖାଦେଇଥିଲା। ଏହାକୁ ତୁରନ୍ତ ସଜଡ଼ା ଯିବା ପରେ ସେଠାରେ ମତଦାନ ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୯ରୁ ଦିନ ୧୧ଟା ମଧ୍ୟରେ ୬୨ନଂ ଓ ୧୨୮ନଂ ବୁଥ୍‌ର ଭିଭିପାଟ୍‌ରେ ତ୍ରୁଟି ଦେଖା ଦେଇଥିବାରୁ କିଛି ସମୟ ଭୋଟଗ୍ରହଣ ବାଧାପ୍ରାପ୍ତ ହୋଇଥିଲା। ତୁରନ୍ତ ଭିଭିପାଟ୍‌କୁ ସଜଡ଼ା ଯିବାରୁ ପୁନର୍ବାର ସେଠାରେ ମତଦାନ କରାଯାଇଥିଲା। ପୂର୍ବାହ୍ନ ୯ଟା ବେଳକୁ ମତଦାନ ହାର ୯.୭୫% ଥିବାବେଳେ ୧୧ଟା ସୁଦ୍ଧା ୨୦.୩୮% ଓ ମଧ୍ୟାହ୍ନ ୧ଟାରେ ମତଦାନ ହାର ୪୧.୨୬%ରେ ପହଞ୍ଚିଥିଲା। ଟାଣଖରା ଯୋଗୁଁ କିଛି ସମୟ ପାଇଁ ମତଦାନ କେନ୍ଦ୍ରରେ ଗହଳି କମି ଯାଇଥିଲା। ଅପରାହ୍ଣ ୩ଟା ସୁଦ୍ଧା ୫୫.୨୦% ଏବଂ ଅପରାହ୍ଣ ୫ଟା ବେଳକୁ ୬୮.୧୨% ମତଦାନ ହୋଇଥିଲା। ଏହି ନିର୍ବାଚନମଣ୍ଡଳୀର ମୋଟ ଭୋଟର ସଂଖ୍ୟା ୨ଲକ୍ଷ ୨୧ହଜାର ୭୧୯। ସେମାନଙ୍କ ମଧ୍ୟରୁ ୧ ଲକ୍ଷ ୫୧ ହଜାର ୩୫ ଭୋଟର ମତଦାନ ସାବ୍ୟସ୍ତ କରିଛନ୍ତି। ମୋଟ ପୁରୁଷ ଭୋଟର ୧ ଲକ୍ଷ ୧୦ ହଜାର ୬୧୯ଜଣଙ୍କ ମଧ୍ୟରୁ ୭୪ ହଜାର ୮ଜଣ ଭୋଟ ଦେଇଥିଲେ। ମୋଟ ମହିଳା ଭୋଟର ୧ ଲକ୍ଷ ୧୧ ହଜାର ୩୭ଜଣଙ୍କ ମଧ୍ୟରୁ ୭୭ହଜାର ୨୦ଜଣ ମତଦାନ ସାବ୍ୟସ୍ତ କରିଛନ୍ତି। ଅନ୍ୟାନ୍ୟ ୭ଜଣ ଭୋଟର ମତଦାନ ସାବ୍ୟସ୍ତ କରିଥିବା ମୁଖ୍ୟ ନିର୍ବାଚନ ଅଧିକାରୀ କହିଛନ୍ତି। ପୁରୁଷ ଭୋଟରଙ୍କ ତୁଳନାରେ ମହିଳା ମତଦାନ ହାର ଅଧିକ ରହିଥିଲା। ଭୋଟ ଗ୍ରହଣର ଶେଷ ସମୟ ସନ୍ଧ୍ୟା ୬ଟା ପରେ କିଛି ବୁଥ୍‌ରେ ୩ ହଜାର ୫୦୦ ଭୋଟର ମତଦାନ କରିବା ପାଇଁ କାଗଜ ଟୋକନ ଧରି ଧାଡ଼ିରେ ଠିଆ ହୋଇଥିଲେ ବୋଲି ସିଇଓ ଶ୍ରୀ ଧଳ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।
ବୁଥ୍‌ ନମ୍ବର ୪୯ ଓ ୫୦ରେ ଉତ୍ତେଜନା ଦେଖାଦେଇଥିଲା। ବିଜେଡି ଓ ବିଜେପି କର୍ମୀ ଧସ୍ତାଧସ୍ତି ହୋଇଥିଲେ। ଏହାପୂର୍ବରୁ ୨୩୬ ନମ୍ବର ବୁଥ୍‌ରେ ଭୋଟର ଜଣଙ୍କ ନିଜର ଅସୁସ୍ଥ ମା’ଙ୍କୁ ସାଙ୍ଗରେ ନେଇ ମତଦାନ କରିବାକୁ ଚାହୁଁଥିଲେ। ଏହାକୁ ନେଇ ପୁଲିସ ସହ ତାଙ୍କର ବଚସା ହୋଇଥିଲା। ୬୯ନମ୍ବର ବୁଥ୍‌ରେ ବିଜେପି ଓ ବିଜେଡି କର୍ମୀ ମୁହାଁମୁହିଁ ହୋଇଥିଲେ ଏବଂ ସେଠାରେ ଚାପା ଉତ୍ତେଜନା ଦେଖାଦେଇଥିଲା। ସିଇଓ ଶ୍ରୀ ଧଳ କହିଛନ୍ତି, ବୁଥ୍‌ ବାହାରେ କଁା ଭାଁ ବିଶୃଙ୍ଖଳା ହୋଇଥିବାରୁ ମତଦାନରେ କୌଣସି ପ୍ରଭାବ ପଡ଼ିନାହିଁ। ବିଜେଡି, ବିଜେପି ଓ କଂଗ୍ରେସ ସହ ମୋଟ ୯ ପ୍ରାର୍ଥୀ ଏହି ଉପନିର୍ବାଚନରେ ପ୍ରତିଯୋଗିତା କରୁଛନ୍ତି। ବିଜେଡିରୁ ଦୀପାଳି ଦାସ, ବିଜେପିରୁ ଟଙ୍କଧର ତ୍ରିପାଠୀ ଓ କଂଗ୍ରେସରୁ ତରୁଣ ପାଣ୍ଡେ ପ୍ରତିଦ୍ବନ୍ଦ୍ବିତା କରୁଛନ୍ତି। ବିଜେଡି ପ୍ରାର୍ଥୀ ଦୀପାଳି ୩୪ନଂ ବୁଥ୍‌ରେ ମତଦାନ କରିଥିଲେ। ଗୁଜୁରାଟୀ କଲୋନୀର ୭୦ନଂ ବୁଥ୍‌ରେ ବିଜେପି ପ୍ରାର୍ଥୀ ଶ୍ରୀ ତ୍ରିପାଠୀ ମତଦାନ କରିଥିବା ବେଳେ ୧୭ନଂ ବୁଥ୍‌ରେ କଂଗ୍ରେସ ପ୍ରାର୍ଥୀ ଶ୍ରୀ ପାଣ୍ଡେ ଭୋଟ ଦେଇଥିଲେ।
ପ୍ରତ୍ୟେକ ବୁଥ୍‌ରେ ଶୃଙ୍ଖଳାର ସହିତ ଭୋଟର ମତଦାନ କରିବା ପାଇଁ ଲମ୍ବା ଧାଡ଼ି‌େ‌ର ଠିଆ ହୋଇଥିଲେ। ଭୋଟରଙ୍କୁ ଫୁଲ ଚନ୍ଦନ ଲଗାଇ ମତଦାନ କେନ୍ଦ୍ରକୁ ସ୍ବାଗତ କରାଯାଇଥିଲା। ନୂଆ ଭୋଟର ମତଦାନ କରିବାକୁ ନେଇ ଖୁସି ଥିବା ପରିଲକ୍ଷିତ ହୋଇଥିଲା। ଦିବ୍ୟାଙ୍ଗଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିବାବେଳେ ମହିଳାଙ୍କ ପାଇଁ ୨୬ପିଙ୍କ ବୁଥ୍‌ ବ୍ୟବସ୍ଥା ହୋଇଥିଲା। ୪୦ଟି ଆଦର୍ଶ ମତଦାନ କେନ୍ଦ୍ର କରାଯାଇ ଥିବାବେଳେ ଭୋଟରଙ୍କ ପାଇଁ ପ୍ରଶାସନ ପକ୍ଷରୁ ଥଣ୍ଡା ପାନୀୟ ଜଳ, ପାଣି ସିଞ୍ଚନ, ଚୌକି, ଭିନ୍ନକ୍ଷମ ଭୋଟରଙ୍କ ପାଇଁ ହୁଇଲ ଚେୟାର ଏବଂ ଖାଇବା ପାଇଁ ତରଭୁଜ ବ୍ୟବସ୍ଥା କରାଯାଇଥିଲା।

Comments are closed.