ଜଳୁନି ରାସ୍ତା କଡ ଆଲୋକ ବତୀ, ଅନ୍ଧାରରେ ଅମୁଣିଆସାହି ଗ୍ରାମ

ମରାମତିରେ ଅବହେଳା ଅଭିଯୋଗ

ତିଗିରିଆ : ତିଗିରିଆ ବ୍ଲକ ପୁରୁଣାତିଗିରିଆ ପଞ୍ଚାୟତ ଅନ୍ତର୍ଗତ ଅମୁଣିଆସାହି ଗ୍ରାମରେ ରାସ୍ତା ଆଲୋକୀକରଣ ପ୍ରହସନରେ ପରିଣତ ହୋଇଛି। ଗତ ପ୍ରାୟ ଦୁଇମାସ ତଳେ ଗ୍ରାମ ରାସ୍ତାରେ ଲଗାଯାଇଥିବା ଆଲୋକ ବତୀ ମାତ୍ର ଦଶ ଦିନ ଜଳିବା ପରେ ବିଭ୍ରାଟ ଦେଖାଦେଇଛି।
prayash
ଗ୍ରାମବାସୀଙ୍କ ଠାରୁ ମିଳିଥିବା ଅଭିଯୋଗ ମୁତାବକ ଆଲୋକବତୀ ଗୁଡ଼ିକ ଲଗାଯିବାର ୧୦ ଦିନ ପରେ ଖରାପ ହୋଇଯାଇଛି। ବିଡ଼ିଓଙ୍କ ଦୃଷ୍ଟି ଆକର୍ଷଣ କରିବା ପରେ ବିଭ୍ରାଟ ଦେଖାଦେବାର ୧୫ ଦିନ ପରେ ଅଲୋକବତୀ ଲଗାଇଥିବା ନିଭ୍ ଏନର୍ଜି ସଂସ୍ଥା  ପକ୍ଷରୁ ମରାମତି କରାଯାଇଥିଲା। ମରାମତି କରାଯିବାର ୧୦ ଦିନ ପରେ ପୁନର୍ବାର ଗ୍ରାମର ୭ ଟି ଆଲୋକବତୀରେ ବିଭ୍ରାଟ ଦେଖାଦେଇଛି । ଏ ସମ୍ପର୍କରେ ଗ୍ରାମ ସଭାପତିଙ୍କ ସହିତ ଗ୍ରାମବାସୀ ଉକ୍ତ ସଂସ୍ଥାକୁ ଅବଗତ କରାଇଥିଲେ। ସଂସ୍ଥା ତରଫରୁ ସାନି ମରାମତି ପାଇଁ ପ୍ରତିଶ୍ରୁତି ଦିଆଯାଇଥିଲା। କିନ୍ତୁ  ଇତି ମଧ୍ୟର ପ୍ରାୟ ଏକ ମାସ ବିତିଯାଇଥିଲେ ମଧ୍ୟ ସଂସ୍ଥା ତରଫରୁ ମରାମତି ପାଇଁ କୌଣସି କର୍ମଚାରୀ ଧରଛୁଆଁ ଦେଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ନେଇ ଗ୍ରାମ ସଭାପତି ଡ. ମନୋରଞ୍ଜନ ମହାନ୍ତି ପୁଣି ଥରେ ତିଗିରିଆ ବିଡ଼ିଓ ପ୍ରଣବ କୁମାର ବେହେରାଙ୍କୁ ଲିଖିତ ଅଭିଯୋଗ କରିଥିବା ଜଣାପଡିଛି।
ବ୍ଳକ ପ୍ରଶାସନ ପକ୍ଷରୁ ରାସ୍ତା ଆଲୋକୀକରଣ ପାଇଁ  ବିପୁଳ ଅର୍ଥ ଖର୍ଚ୍ଚ କରାଯାଇଥିଲେ ମଧ୍ୟ ଏହି କାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରାଂଶ ଓ ଏଲ୍ଇଡି ଲାଇଟ୍ ଗୁଡିକ ନିମ୍ନମାନର ଯୋଗୁଁ ତାହା ଖୁବ୍ କମ୍ ଦିନ ମଧ୍ୟରେ ଖରାପ ହୋଇଯାଉଥିବା ଲୋକେ ଅଭିଯୋଗ କରିଛନ୍ତି। ଏଣୁ ଏ ଦିଗରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ସହିତ ରାସ୍ତା ଆଲୋକୀକରଣକୁ ବ୍ୟବସ୍ଥିତ କରିବାକୁ ଗ୍ରାମବାସୀ ଦାବି କରିଛନ୍ତି ।

Comments are closed.