ଚାଷୀଙ୍କୁ କାଳ ବୈଶାଖୀ ଭୟ, ଅଡ଼ୁଆରେ ଶ୍ରମିକ

ରେଙ୍ଗାଲିକ୍ୟାମ୍ପ;ଚଳିତ ରବି ଫସଲରେ ଚାଷୀଙ୍କ ଧାନ ଫସଲ ଉତ୍ପାଦନ ଏବଂ ବିକ୍ରି କୁ ନେଇ ଅତାବିରା ରେ ସୃଷ୍ଟି ହୋଇଛି ତ୍ରୀକୋଣୀୟ ଝଡ଼।ଗୋଟିଏ ପଟେ ପାଣିପାଗ ଓ ଜଳବାୟୁ ବିଭାଗ ପକ୍ଷରୁ ମିଳିଥିବା ଭାବି ସୂଚନା ଅନୁଯାୟୀ ଓଡ଼ିଶାରେ କାଳ ବୈଶାଖୀ ଜନିତ ବାତ୍ୟାର ପ୍ରଭାବ ପଡ଼ିବାର ସମ୍ଭାବନା ରହିଥିବା ନେଇ ଚାଷୀ ମନେ ନିଜର ଧାନ କାଟିବା ପାଇଁ ପ୍ରସ୍ତୁତ ହୋଇପାରୁ ନାହାନ୍ତି ।

କାରଣ ଅଳ୍ପ ବର୍ଷା ହେଲେ ମଧ୍ୟ କଟା ଧାନ ବିଲରେ ପଡ଼ିଥିଲେ ତାହା ଗଜା ହୋଇଯିବ । ଏଥିପାଇଁ ଅତାବିରାରେ ମଣ୍ଡି ଖୋଲିବାର ତାରିଖକୁ ମଧ୍ୟ ଘୁଞ୍ଚାଇ ଦିଆଯାଇଛି। କିନ୍ତୁ ଯେଉଁ ଚାଷୀ ତାଙ୍କର ଫସଲ ଅମଳ କରିସାରିଛନ୍ତି,ମଣ୍ଡି ଖୋଲି ନଥିବାରୁ ରାଜ ରାସ୍ତାରେ ଧାନକୁ ପକାଇ ରଖିଛନ୍ତି ସ୍ଥାନ ଅଭାବରେ। ଯାହା କି ଗୋଟିଏ ଅସରା ବର୍ଷାରେ ଧୋଇ ହୋଇଯିବ। ସେ ନେଇ ବି ଚାଷୀ ଚିନ୍ତାରେ। ଅନ୍ୟ ପଟରେ ବାହାର ଜିଲ୍ଲାରୁ ଆସୁଥିବା ଶ୍ରମିକ ମାନେ କାମ ନ ପାଇଁ ଦିନ ଦିନ ଧରି ଜାତୀୟ ରାଜପଥ କଡ଼ରେ ଆଶ୍ରୟ ନେଇଛନ୍ତି ଅସହ୍ୟ ଗ୍ରୀଷ୍ମ ତାତିରେ। କିଛି ପଇସା ଉପାର୍ଜନ କରି ପରିବାର ର ତେଲ ଲୁଣ ସଂସାରକୁ ଆଗେଇ ନେବାର ଲକ୍ଷ୍ୟ ନେଇ ଆସିଥିବା ଏହି ଶ୍ରମିକ ଖାଲି ହାତ ବାନ୍ଧି ବସିଛନ୍ତି।

କାମ ନ ମିଳିବା ଯୋଗୁଁ ନିଜ ହାତରୁ ଖର୍ଚ୍ଚ କରି ଚଲୁଛନ୍ତି। ବିଗତ ବର୍ଷ ମଧ୍ୟ ଏମିତି ପରିସ୍ଥିତି ଯୋଗୁ ସେମାନେ ଆଶା ଅନୁରୂପ ରୋଜଗାର କରିପାରିନଥିଲେ। ଅନେକ ଶ୍ରମିକ କାମ ନ ପାଇ ଗତ ବର୍ଷ ଫେରିଯାଇଥିବାର ମଧ୍ୟ ଦୃଷ୍ଟାନ୍ତ ରହିଛି। ଦିନ ଥିଲା ଚାଷୀ ମାନେ ଶ୍ରମିକ ସନ୍ଧାନରେ ଦୂର ଦୂର ସ୍ଥାନକୁ ଯାଇ ସେମାନଙ୍କ ଘରୁ ଗାଡ଼ିରେ ନେଇ ଆସୁଥିଲେ ସମସ୍ତ ଖର୍ଚ୍ଚ ବହନ କରି ଭଲ ଦି ପଇସା ରୋଜଗାର କରୁଥିଲେ। କିନ୍ତୁ ଏବେ କାଳ ବୈଶାଖୀ ର ବର୍ଷା ତାଙ୍କ ରୋଜଗାର କୁ କବଳିତ କରୁଛି। ବର୍ଷା ଭୟରେ ଶୀଘ୍ର ଉତ୍ପାଦନ କରିବା ପାଇଁ ସମସ୍ତ ଚାଷୀ ଧାନ କଟା ଯନ୍ତ୍ରର ବ୍ୟବହାର କୁ ଅଧିକ ଗୁରୁତ୍ବ ଦେଉଛନ୍ତି ।ଫଳରେ ବିଶେଷ କରି ଋତୁକାଳୀନ ଶ୍ରମିକ ମାନେ ବେ ରୋଜଗାର ହୋଇ ପଡ଼ୁଛନ୍ତି ।

prayash

ଅତାବିରା କୁ କଳାହାଣ୍ଡି,ବଲାଙ୍ଗୀର,ସୋନପୁର ଆଦି ବାହାର ଜିଲ୍ଲା ଗୁଡିକରୁ ମଧ୍ୟ ଶ୍ରମିକ ମାନେ ଆସିଥାନ୍ତି ଧାନ ଫସଲ ଉତ୍ପାଦନ ସମୟରେ । କିନ୍ତୁ ସେମାନେ ଯେଉଁଭଳି ପ୍ରଚଣ୍ଡ ଗ୍ରୀଷ୍ମ ରାତିରେ ରାସ୍ତା କଡ଼ରେ ଦିନ ଦିନ ଧରି ବସି ରହୁଛନ୍ତି, ପ୍ରକୃତରେ ବଡ଼ କ୍ଷୋଭ ର ବିଷୟ।ତାଙ୍କୁ ପଚାରିଲେ ସେମାନେ କହୁଛନ୍ତି,ଚାଷୀ ମାନେ ଆସି କାମର ମୂଲଚାଲ କରୁଛନ୍ତି। କମ୍ ଟଙ୍କାର ପାରିଶ୍ରମିକ ଦେଇ କାମ କରାଇବକୁ ଚାହୁଁଛନ୍ତି। ଯାହା ଆମ ପାଇଁ ଗ୍ରହଣ ହୋଇପାରୁ ନାହିଁ ।ଗୋଟିଏ ୫୦ କେଜି ବସ୍ତା ଧାନ କୁ ଅମଳ କରିବା ପାଇଁ ୧୫୦ ଟଙ୍କା ଦର ରେ ଆମେ କାମ କରିବାକୁ ସ୍ଥିର କରିଛୁ। କିନ୍ତୁ ଚାଷୀ ମାନେ ଆସି ୯୦ ରୁ ୧୦୦ ଟଙ୍କା ଭିତରେ ବୋଲି ମୂଲଚାଲ କରି ଚାଲିଛନ୍ତି। ଆହୁରି ମଧ୍ୟ ଏହି ଶ୍ରମିକ ମାନଙ୍କୁ କିଛି ଚାଷୀ ଶୋଷଣ କରୁଥିବା କଥା ମଧ୍ୟ ସେମାନେ ପ୍ରକାଶ କରିଛନ୍ତି।

ଅଧିକ ଜମି କୁ କମ୍ ବୋଲି କହିବା, ପାଖ ଜମିକୁ କୁ ଦେଖାଇ କାମ ଆରମ୍ଭ ପରେ ତଥା ମୂଳ ଚାଲ ସ୍ଥିର ହୋଇ ସରିବା ପରେ ଦୂର ଜମି ଦେଖାଇବା ଏମିତି ଅନେକ ପ୍ରକାର ରେ ଠକାମୀ ର ଶିକାର ହେଉଛନ୍ତି। କୌଣସି ଚାଷୀ ନେତା ଏହି ଶ୍ରମିକ ମାନଙ୍କ ପ୍ରତି ଦୃଷ୍ଟି ଦେଉ ନାହାନ୍ତି,ତାଙ୍କ ସମସ୍ୟା କୁ ଆଡେଇ ଦେଉଥିବା ନେଇ ଏହି ଶ୍ରମିକ ମାନେ ଦୁଃଖ ପ୍ରକାଶ କରିଛନ୍ତି।

ତେବେ ଏହି ଫସଲ ଉତ୍ପାଦନ ତଥା ବିକ୍ରି ସମସ୍ୟା ରେ ଉଭୟ ଚାଷୀ ଓ ଶ୍ରମିକ ଫସି ରହୁଛନ୍ତି।କେତେବେଳେ ପ୍ରକୃତିର କରାକ ବନ୍ୟା ବାତ୍ୟା ର ଆଶଙ୍କା ତ ଆଉ କେତେବେଳେ ସରକାରୀ ନିୟମର ବନ୍ଧନ ଏମାନଙ୍କ ଶାରୀରିକ,ମାନସିକ ଓ ଆର୍ଥିକ ସ୍ତରକୁ ପ୍ରଭାବିତ କରୁଛି। ଶ୍ରମିକ ମାନଙ୍କ ପାଇଁ କୌଣସି ସରକାରୀ ମୂଲ୍ୟ ସ୍ଥିର ହୋଇ ନଥିବାରୁ ଏମାନଙ୍କ ଅବସ୍ଥା ଆଜି ଏପରି ବୋଲି ଏହି ଶ୍ରମିକ ମାନେ ପ୍ରକାଶ କରିଛନ୍ତି।ତେବେ ଶ୍ରମିକଙ୍କ ସରକାରୀ ପାରିଶ୍ରମିକ ମୂଲ୍ୟ ସ୍ଥିର,ଚାଷୀଙ୍କ ଧାନ ବିକ୍ରି ପର୍ଯ୍ୟନ୍ତ ଧାନ ର ସୁରକ୍ଷା ବ୍ୟବସ୍ଥା ଓ ସାଧାରଣ ମଣ୍ଡି ବ୍ୟବସ୍ଥାର ପ୍ରଚଳନ ଦ୍ବାରା ହୁଏତ ଏହି ସବୁ ସମସ୍ୟାର ସମାଧାନ ହୋଇ ପାରିବ ବୋଲି ବୁଦ୍ଧିଜୀବୀ ମହଲରେ ପ୍ରକାଶ ପାଇଛି।

kalyan agarbati

Comments are closed.