୪ବର୍ଷରେ ୯ ସାମୁଦ୍ରିକ ଝଡ଼; ଗ୍ରୀଷ୍ମ ଋତୁରେ ୪
ଭୁବନେଶ୍ବର: ରାଜ୍ୟରେ ଗତ ୪ ବର୍ଷ ମଧ୍ୟରେ ୯ଟି ସାମୁଦ୍ରିକ ଝଡ଼ ସଂଘଟିତ ହୋଇଛି। ଗ୍ରୀଷ୍ମକାଳୀନ ବାତ୍ୟା ଋତୁ ମେ’ରୁ ଜୁନ ଥିବାବେଳେ ମୌସୁମୀ ପରବର୍ତ୍ତୀ ବାତ୍ୟା ଋତୁ ଅକ୍ଟୋବରରୁ ଡିସେମ୍ବର ରହିଛି। ଓଡ଼ିଶାରେ ଯେତେଗୁଡ଼ିକ ବାତ୍ୟା ସ୍ଥଳଭାଗ ଛୁଇଁଛି ସେସବୁ ମେ’ରୁ ଜୁନ ଏବଂ ସେପ୍ଟେମ୍ବରରୁ ଡିସେମ୍ବର ମଧ୍ୟରେ ହୋଇଛି। ୨୦୧୯ରୁ ୨୦୨୨ ମଧ୍ୟରେ ୯ଟି ସାମୁଦ୍ରିକ ଝଡ଼ ପ୍ରଭାବ ପକାଇଛି। ଏପ୍ରିଲ-ମେ ମାସରେ ଘଟିଥିବା ଫଣିର ପ୍ରଭାବ ଅଧିକ ଥିବାବେଳେ ଆଉ କିଛି ବାତ୍ୟାର ପ୍ରଭାବ ମଧ୍ୟମ ଏବଂ କମ୍ ରହିଥିଲା। ମେ ୭, ୨୦୨୨ରେ ବାତ୍ୟା ‘ଅସାନୀ’ ବିଶାଖାପାଟଣାରେ ସ୍ଥଳଭାଗ ଛୁଇଁଥିବାବେଳେ ଏହାର ପ୍ରଭାବ ଓଡ଼ିଶା, ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ଉପରେ ପଡ଼ିଥିଲା। ଓଡ଼ିଶାରୁ ୩ଜଣ ଲୋକଙ୍କ ମୃତ୍ୟୁ ଅଭିଯୋଗ ହୋଇଥିଲା।
ଦକ୍ଷିଣ ଆଣ୍ଡାମାନ ସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ସିତରଙ୍ଗ ଅକ୍ଟୋବର ୨୫, ୨୦୨୨ରେ ସ୍ଥଳଭାଗ ଛୁଇଁଥିଲା। ଏହି ବାତ୍ୟା ପଶ୍ଚିବଙ୍ଗ-ବାଂଲାଦେଶ ମୁହଁା ହୋଇଥିବାରୁ ଓଡ଼ିଶା ଉପର ଦେଇ ଯାଇଥିଲା। ଏହାର ପ୍ରଭାବ ଉପକୂଳବର୍ତ୍ତୀ ବାଲେଶ୍ବର, ଭଦ୍ରକ, ଜଗତସିଂହପୁର ଉପରେ ଆଂଶିକ ପ୍ରଭାବ ପଡ଼ିଥିଲା। ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ମାଣ୍ଡୋସ ଡିସେମ୍ବର ୮, ୨୦୨୨ରେ ଆସିଥିଲା। ଏହି ବାତ୍ୟା ଆନ୍ଧ୍ରପ୍ରଦେଶ ଏବଂ ତାମିଲନାଡୁ ମୁହଁା ହୋଇଥିଲେ ମଧ୍ୟ କୋରାପୁଟ, ମାଲକାନଗିରି, ରାୟଗଡ଼ା, ଗଜପତି, କନ୍ଧମାଳ ଆଦି ଜିଲାରେ ଆଂଶିକ ପ୍ରଭାବ ପକାଇଥିଲା। ୨୦୨୧, ମେ ୨୬ରେ ବାତ୍ୟା ୟସ୍ ବାଲେଶ୍ୱର ଜିଲା ବାହାନଗାରେ ସ୍ଥଳଭାଗ ଛୁଇଁଥିଲା।
ବାଲେଶ୍ୱର ଏବଂ ଭଦ୍ରକ ଜିଲାରେ ବ୍ୟାପକ କ୍ଷୟକ୍ଷତି ଘଟାଇଥିଲା। ଗଛ ପଡ଼ି ଦୁଇଜଣ ଲୋକଙ୍କ ମୃତ୍ୟୁ ହୋଇଥିଲା। ବାତ୍ୟା ସ୍ଥଳଭାଗ ଛୁଇଁବା ସମୟରେ ଘଣ୍ଟା ପ୍ରତି ପବନର ବେଗ ୧୩୦ରୁ ୧୪୦ କିମି ଥିଲା। ୧୧ ହଜାର ଗାଁର ୬୦ ଲକ୍ଷ ଲୋକ ପ୍ରଭାବିତ ହୋଇଥିବା ବେଳେ ପ୍ରାୟ ୬୧୦ କୋଟି ଟଙ୍କାର କ୍ଷତି ହୋଇଥିଲା। ବଙ୍ଗୋପସାଗରରେ ସୃଷ୍ଟ ସାମୁଦ୍ରିକ ଝଡ଼ ‘ଗୁଲାବ’ ସେପ୍ଟେମ୍ବର ୨୬, ୨୦୨୧ରେ ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମରେ ସ୍ଥଳଭାଗ ଛୁଇଁଥିଲା। ଓଡ଼ିଶାରେ ଏହାର ପ୍ରଭାବ ପଡ଼ି ନଥିଲା। ତା’ପରଦିନ ଦକ୍ଷିଣ ଓଡ଼ିଶାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ୨୧୨ମିମି ହେବା ଦ୍ବାରା କୋରାପୁଟ, ମାଲକାନଗିରି, ଗଜପତି ଏବଂ ରାୟଗଡ଼ା ଜିଲାରେ ପାହାଡ଼ରୁ ମାଟି ଅତଡ଼ା ଧସିଥିଲା। ଡିସେମ୍ବର ୪, ୨୦୨୧ରେ ବାତ୍ୟା ‘ଜୱାଦ’ ଓଡ଼ିଶାରେ ସ୍ଥଳଭାଗ ଛୁଇଁଥିବାରୁ ୧୩ଟି ଜିଲାରେ ଏହାର ପ୍ରଭାବ ପଡ଼ିଥିଲା।
୨୦୨୦, ମେ ୨୦ ବାତ୍ୟା ଅମ୍ଫନ ପଶ୍ଚିମବଙ୍ଗରେ ସ୍ଥଳଭାଗ ଛୁଇଁଥିବାବେଳେ ଓଡ଼ିଶା ଉପକୂଳ ଦେଇ ଗତି କରିଥିଲା। ପ୍ରଭାବରେ ବାଲେଶ୍ୱର ଏବଂ ମୟୂରଭଞ୍ଜ ଅଧିକ ପ୍ରଭାବିତ ହୋଇଥିଲା। ଘଣ୍ଟା ପ୍ରତି ପବନର ବେଗ ୧୫୦ କିମିରୁ ଊର୍ଦ୍ଧ୍ବ ରହିଥିଲା। ୧୦ ଜିଲାର ୯୮୩୩ ଗାଁ ଏବଂ ୨୨ ପୌରାଞ୍ଚଳରୁ ପ୍ରାୟ ୪୪.୪୫ ଲକ୍ଷ ଲୋକ ପ୍ରଭାବିତ ହୋଇଥିଲେ। ରାଜ୍ୟ ସରକାର ୧୬,୨୩୫ କୋଟି ଟଙ୍କାର କ୍ଷୟକ୍ଷତି ଆକଳନ କରି କେନ୍ଦ୍ରକୁ ଦେଇଥିଲେ। ୨୦୧୯ ମେ ୩ରେ ମହାବାତ୍ୟା ଫଣି ପୁରୀ ଜିଲାରେ ସ୍ଥଳଭାଗ ଛୁଇଁଥିଲା।
ଏହାର ପ୍ରଭାବରେ ବର୍ଷା ସହ ଘଣ୍ଟା ପ୍ରତି ୩୦୦ କିମି ବେଗରୁ ଊର୍ଦ୍ଧ୍ବ ପବନ ବହିଥିଲା। ପୁରୀ ଏବଂ ଭୁବନେଶ୍ୱର ସହରକୁ ଛାରଖାର କରି ଦେଇଥିଲା। ସରକାରଙ୍କ ଆକଳନ ଅନୁଯାୟୀ ୧୫୯ ବ୍ଲକ ଏବଂ ୫୨ ପୌରାଞ୍ଚଳ(ୟୁଏଲ୍ବି) କ୍ଷତିଗ୍ରସ୍ତ ହୋଇଥିଲା। ରାଜ୍ୟର ପ୍ରାୟ ୩୬ ପ୍ରତିଶତ ଲୋକ ପ୍ରଭାବିତ ହୋଇଥିଲେ। ସରକାର ୨୪, ୧୪୬ କୋଟି ବାତ୍ୟାଜନିତ କ୍ଷତି ଆକଳନ କରି କେନ୍ଦ୍ରକୁ ରିପୋର୍ଟ ଦେଇଥିଲେ। ବାତ୍ୟା ବୁଲ୍ବୁଲ୍ ୨୦୧୯ ନଭେମ୍ବର ୮ରେ ପଶ୍ଚିମବଙ୍ଗ ବାଂଲାଦେଶ ମଧ୍ୟବର୍ତ୍ତୀ ସୁନ୍ଦରବନରେ ସ୍ଥଳଭାଗ ଛୁଇଁଥିଲା। ଓଡ଼ିଶା ଉପକୂଳ ଦେଇ ଯାଇଥିବାରୁ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ, ବାଲେଶ୍ୱର ଏବଂ ମୟୂରଭଞ୍ଜ ଜିଲାରେ ବର୍ଷା ସହ ଘଣ୍ଟା ପ୍ରତି ୧୧୦ରୁ ୧୩୦ ବେଗରେ ପବନ ବହିଥିଲା।
୩ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିଲା। ୬ ଜିଲାରୁ ପ୍ରାୟ ୫୫୦୦ କଚ୍ଚାଘର ଭାଙ୍ଗି ଥିବାବେଳେ ୧୬ ଲକ୍ଷ ବିଦ୍ୟୁତ୍ ଉପଭୋକ୍ତ ପ୍ରଭାବିତ ହୋଇଥିଲେ। ପ୍ରାୟ ୩୭.୪୯ ଲକ୍ଷ ଲୋକ ବାତ୍ୟା ଦ୍ବାରା ପ୍ରଭାବିତ ହୋଇଥିବାବେଳେ ୫୫୨ କୋଟି ଟଙ୍କା କ୍ଷତି ହୋଇଥିଲା। ଗ୍ରୀଷ୍ମକାଳୀନ ବାତ୍ୟା ପାଇଁ ପାଗ ଅନୁକୂଳ ରହୁଥିବାରୁ ସରକାରୀ ଏବଂ ପାଣିପାଗ ବିଭାଗ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।
Comments are closed.