ଚାଷ ଆମ ଅର୍ଥନୀତିର ଆତ୍ମା, ସଶକ୍ତ ଓଡିଶାର ସାରଥି-ମୁଖ୍ୟମନ୍ତ୍ରୀ

୩୫ ଲକ୍ଷରୁ ଅଧିକ ଚାଷୀ ପାଇଲେ ୪୪୧.୭୬ କୋଟି ଟଙ୍କା ସୁଧ ରିହାତି, ୨୦୨୨-୨୩ ପାଇଁ ଦୁଇଟି ପର୍ୟ୍ୟାୟରେ ସମୁଦାୟ ୮୫୬.୯୯ କୋଟି ଟଙ୍କାର ସୁଧ ରିହାତି

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଲୋକସେବା ଭବନର କନଭେନସନ ସେଣ୍ଟରରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ୨୦୨୨-୨୩ ବର୍ଷ ପାଇଁ ଦ୍ୱିତୀୟ ପର୍ୟ୍ୟାୟରେ ରାଜ୍ୟର ୩୫ ଲକ୍ଷ ଚାଷୀଙ୍କୁ ୪୪୧.୭୬ କୋଟି ଟଙ୍କାର ସୁଧ ରିହାତି ପ୍ରଦାନ କରିଛନ୍ତି। ରାଜ୍ୟର ସମସ୍ତ ସମବାୟ ବ୍ୟାଙ୍କ ଓ ୨୪୦୯ଟି ପ୍ରାଥମିକ କୃଷି ସମବାୟ ସମିତିକୁ ଏହି ରିହାତି ପରିମାଣ ପ୍ରଦାନ କରାଯାଇଛି।

ପ୍ରଥମ ପର୍ୟ୍ୟାୟରେ ୪୧୫.୧୭ କୋଟି ଟଙ୍କାର ସୁଧ ରିହାତି ଦିଆଯାଇଥିଲା । ସେହିପରି ୨୦୨୨-୨୩ ବର୍ଷରେ ଚାଷୀମାନେ ସମୁଦାୟ ୮୫୬.୯୯ କୋଟି ଟଙ୍କା ସୁଧ ରିହାତି ପାଇଲେ। ସୂଚନା ଯୋଗ୍ୟ ଯେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଫସଲ ଋଣ ପାଇଁ ଚାଷୀମାନଙ୍କୁ କୌଣସି ସୁଧ ଦେବାକୁ ପଡୁ ନାହିଁ। ୩୫ ଲକ୍ଷ ଚାଷୀଙ୍କ ମଧ୍ୟରୁ ୩୦ ଲକ୍ଷ ହେଉଛନ୍ତି କ୍ଷୁଦ୍ର ଓ ନାମମାତ୍ର ଚାଷୀ।
ଏହି ଅବସରରେ ଉପସ୍ଥିତ ଚାଷୀ ବନ୍ଧୁ ଏବଂ ଭିଡିଓ କନଫରେନସିଂ ଜରିଆରେ ଯୋଡି ହୋଇଥିବା ଚାଷୀମାନଙ୍କୁ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ଚାଷ ଆମ ଅର୍ଥନୀତିର ଆତ୍ମା। ବିକାଶର ଆଧାର। ଆମର ନୂଆ ଓଡିଶା, ସଶକ୍ତ ଓଡିଶାର ସାରଥି ହେଉଛନ୍ତି ଆମର ଚାଷୀମାନେ, ମା’ ମାନେ ଓ ଯୁବକଯୁବତୀମାନେ। ତେଣୁ ଆପଣମାନଙ୍କ ସଶକ୍ତିକରଣ ଉପରେ ମୁଁ ସବୁବେଳେ ଜୋର ଦେଇ ଆସିଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଚାଷୀକୁ ସଶକ୍ତ କରିବାପାଇଁ ସ୍ୱତନ୍ତ୍ର ବଜେଟ୍ କରାଯାଇଛି। ବିନା ସୁଧରେ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ କୃଷି ଋଣ ଦିଆଯାଉଛି। ଚାଷୀ ପରିବାରର କଲ୍ୟାଣ ପାଇଁ କାଳିଆ ଶିକ୍ଷା ବୃତ୍ତି ଦିଆଯାଉଛି। ଗଞ୍ଜାମର ଚାଷୀ ପରିବାରର ଜଣେ ପିଲା କିରଣ ସାହୁ କାଳିଆ ଶିକ୍ଷା ବୃତ୍ତି ପାଇ ବ୍ରହ୍ମପୁର ମଡିକାଲ କଲେଜରେ ପଢିବା କଥା ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥି ପାଇଁ ଖୁସି ବ୍ୟକ୍ତ କରିଥିଲେ।

ଚାଷୀକୁ ବିନା ସୁଧରେ ଋଣ ଦେବାରେ ଓଡିଶା ପ୍ରଥମ ରାଜ୍ୟ ଓ କାଳିଆ ପରି କଲ୍ୟାଣ ଯୋଜନା କରିବାରେ ମଧ୍ୟ ଓଡିଶା ପ୍ରଥମ ରାଜ୍ୟ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଆଜିର ସୁଧ ରିହାତି ଯୋଗୁ ଚାଷୀ ଭାଇମାନଙ୍କୁ ଟଙ୍କାଟିଏ ବି ସୁଧ ଦେବାକୁ ପଡିଲା ନାହିଁ ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ ଏଥିପାଇଁ ଖୁସି ବ୍ୟକ୍ତ କରିଥିଲେ।

prayash

ଆମର ସମବାୟ ଆନ୍ଦୋଳନ ଆଜି ଶକ୍ତିଶାଳୀ ହୋଇଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଫସଲ ଋଣର ୬୦ ପ୍ରତିଶତ କେବଳ ସମବାୟ କ୍ଷେତ୍ର ହିଁ ଯୋଗାଉଛି । ଆମର ଚାଷୀ ଭାଇ ଆମର ଗର୍ବ ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ ସେମାନଙ୍କ ପରିଶ୍ରମ ଓ ନିଷ୍ଠା ଯୋଗୁ କୃଷି କ୍ଷେତ୍ରରେ ଓଡିଶା ଦେଶର ଏକ ଆଗୁଆ ରାଜ୍ୟ ହୋଇପାରିଛି। ଚାଷୀଙ୍କ କଲ୍ୟାଣ ପାଇଁ ମୁଁ କାମ କରୁଛି ଓ କରି ଚାଲିବି।

କାର୍ଯ୍ୟକ୍ରମରେ ଯୋଗଦେଇ ସମବାୟ ମନ୍ତ୍ରୀ ଅତନୁ ସବ୍ୟସାଚୀ କହିଲେ ଯେ ରାଜ୍ୟର କୃଷକମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନେତୃତ୍ୱରେ ରାଜ୍ୟ ସରକାର ପ୍ରତିବଦ୍ଧତାର ସହ କାମ କରୁଛନ୍ତି। ବାରମ୍ବାର କୃଷି କର୍ମଣ ପୁରସ୍କାର ପାଇଁ ମନୋନିତ ହେବା ହେଉଛି ଆମ ପ୍ରତିବଦ୍ଧତାର ପ୍ରମାଣ। ସମବାୟ ବିଭାଗ, କୃଷି ବିଭାଗ ଓ ଖାଦ୍ୟ ଯୋଗାଣ ବିଭାଗର ମିଳିତ କାର୍ୟ୍ୟକ୍ରମ ଯୋଗୁ ରାଜ୍ୟ ଆଜି ଏକ ଅଭାବୀ ରାଜ୍ୟରୁ ଏକ ବଳକା ରାଜ୍ୟରେ ପରିଣତ ହୋଇଛି ବୋଲି ସେ କହିଥିଲେ।

କାର୍ଯ୍ୟକ୍ରମରେ ତିନି ଜଣ ହିତାଧିକାରୀ ରୀନା ସେଠୀ, ନିକୁଞ୍ଜ ବିହାରୀ କାପ ଓ ସବିତା ସାମନ୍ତରାୟ ପ୍ରମୁଖ ଋଣ ଉପରେ ସୁଧ ରିହାତି ଯୋଗୁ ସେମାନେ କିପରି ଚାଷ ଓ ବ୍ୟବସାୟ କରି ନିଜ ପରିବାରକୁ ସୁରଖୁରରେ ଚଳାଇ ପାରୁଛନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ। ସୁଧ ରିହାତି ଯୋଜନା ପାଇଁ ଅନେକ ପରିବାର ଆଜି ସ୍ୱାବଲମ୍ବୀ ହୋଇ ପାରିଛନ୍ତି ବୋଲି ପ୍ରକାଶ କରି ସେମାନେ ଏଥିପାଇଁ ମୁଖ୍ୟମନ୍ତ୍ରୀଙ୍କ ପ୍ରତି କୃତଜ୍ଞତା ପ୍ରକାଶ କରିଥିଲେ ।

ସମବାୟ ବିଭାଗ ପ୍ରମୁଖ ସଚିବ ସଞ୍ଜୀବ ଚୋପ୍ରା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ସମବାୟ ନିବନ୍ଧକ ଉଦ୍ଧବ ଚରଣ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ। ମୁଖ୍ୟ ଶାସନ ସଚିବ ପ୍ରଦୀପ କୁମାର ଜେନା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ ପ୍ରମୁଖ ଉପସ୍ଥିତ ଥିଲେ।

kalyan agarbati

Comments are closed.