ଅକ୍ଷୟ ଆମ ଜୀବନର ଧାରା
ଶୈଳେନ୍ଦ୍ର ଦ୍ବିବେଦୀ
ପରିବେଶ ପ୍ରସଙ୍ଗରେ ୨୦୧୬ ଐତିହାସିକ ପ୍ୟାରିସ ରାଜିନାମାରେ ପ୍ରାୟ ୨୦୦ ଦେଶର ପ୍ରତିନିଧିଙ୍କ ସ୍ବାକ୍ଷର ଥିଲା। ସମସ୍ତେ ବୁଝି ସାରିଥିଲେ, ପୃଥିବୀ ଉପରେ ଆମ ଅତ୍ୟାଚାରର ସୀମା ଟପିସାରିଛି। ଯଦି ଉତ୍ତାପ ବୃଦ୍ଧି ପଛରେ ଥିବା ମାନବୀୟ କାରଣରେ ଅଂକୁଶ ଲଗାନଯାଏ ଏବଂ ଚଳିତ ଶତାବ୍ଦୀ ଶେଷଆଡ଼କୁ ତାପମାତ୍ରା ବୃଦ୍ଧି ସର୍ବାଧିକ ୧.୫ ଡିଗ୍ରୀ ସେଲସିୟସ୍ରେ ନିୟନ୍ତ୍ରିତ ନରହେ, ତେବେ ସମାଧାନର ବାଟ ସବୁଦିନ ପାଇଁ ବନ୍ଦ ହୋଇଯିବ। ଗବେଷକମାନେ ଦର୍ଶାଇଥିଲେ, ଯଦି ୨୧୦୦ ସୁଦ୍ଧା ତାପମାତ୍ରା ବୃଦ୍ଧି ୨ଡିଗ୍ରୀ ସେଲସିୟସ ହୁଏ ତେବେ ହିମବାହମାନେ ଚଳିତ ଶତାବ୍ଦୀ କଡ଼ ଲେଉଟାଇଲା ବେଳକୁ ପ୍ରାୟତଃ ନିଶ୍ଚିହ୍ନ ହୋଇସାରିଥିବେ, ସମୁଦ୍ରପତ୍ତନ ଯଦି ୧ମିଟର ବଢ଼େ ତେବେ ପୃଥିବୀର ୧୦ ପ୍ରତିଶତ ଜନସଂଖ୍ୟା (ଉପକୂଳବର୍ତ୍ତୀ) ସ୍ଥାନାନ୍ତରିତ ହୋଇସାରିଥିବେ। କିଛି ଦେଶ ସମ୍ପୂର୍ଣ୍ଣ ବୁଡି ସାରିଥିବେ; ପୃଥିବୀର ଜୈବ ବ୍ୟବସ୍ଥାମାନ ଭୁଶୁଡ଼ି ପଡିବ ଏବଂ ସେଇ ଧାରାରେ ବିଲୋପକୁ ସାମ୍ନା କରିବେ ଅନ୍ତତଃ ଏକତୃତୀୟାଂଶ ପ୍ରଜାତି (ଉଭୟ ଉଦ୍ଭିଦ ଏବଂ ପ୍ରାଣୀ)। ସେତିକି ନୁହେଁ, ଆଗାମୀ ୧୦୦ବର୍ଷ ଭିତରେ ପୃଥିବୀର ସବୁଠୁ ସକ୍ରିୟ ଏବଂ ସବୁଜ ଖାଦ୍ୟ ଉତ୍ପାଦନ କେନ୍ଦ୍ରମାନ ଜଳବାୟୁ ପରିବର୍ତ୍ତନ ଯୋଗୁ ରୂପାନ୍ତରିତ ହୋଇସାରିଥିବେ ଟାଙ୍ଗରା ଭୂଇଁରେ। ପର୍ଯ୍ୟାବରଣର ଅଭାବନୀୟ ଅସନ୍ତୁଳନ ସହିତ ଜଳବାୟୁ ପରିବର୍ତ୍ତନ କେବଳ ଅଧିକ ତଥା ଉଗ୍ର ପ୍ରାକୃତିକ ବିପର୍ଯ୍ୟୟ ଆଣିବ ନାହିଁ, ବରଂ ଖାଦ୍ୟାଭାବ, ଜଳାଭାବ, ସଂକ୍ରାମକ ରୋଗ ଏବଂ ସଂଘର୍ଷର କାରଣ ପାଲଟିବ। ଏ ସମସ୍ତ ଇଙ୍ଗିତ କରୁଛି ‘ହିଟ୍ଡେଥ ହାଇପୋଥେସିସ’କୁ। ଦୂର ଭବିଷ୍ୟତରେ ଆଉ ଇେଞ୍ଚ ବି ଜାଗା ପୃଥିବୀ କ’ଣ ହୁଏ ତ ବ୍ରହ୍ମାଣ୍ଡରେ ନ ଥିବ ଯାହା ଶୀତଳ ହୋଇ ତିଷ୍ଠି ଥିବ। ସମ୍ପୂର୍ଣ ମନୁଷ୍ୟକୃତ କାରଣରୁ ପୃଥିବୀ ଷଷ୍ଠ ଗଣବିଲୋପକୁ ଭେଟିବା ଆରମ୍ଭ କରିସାରିଛି, ତଥାପି କିଛି ବୈଜ୍ଞାନିକ ଏ କଥା ବି କୁହନ୍ତି, ସକଳ ବାଧାଵିଘ୍ନ ସତ୍ତ୍ବେ ପୃଥିବୀପୃଷ୍ଠରେ ଜୀବନ ରହିଥିବ ଅକ୍ଷୟ। ସେମାନେ କୁହନ୍ତି, ଥର୍ମୋଡାଇନୋମିକ୍ସ ବା ଉଷ୍ମଗତି ନିୟମ ଆଧାରରେ ଯେଉଁ ଅବସ୍ଥାକୁ ଇଙ୍ଗିତ କରାଯାଇଛି ତାହା ହୁଏତ ଠିକ୍ ସେଇଆ ନ ହୋଇପାରେ।
ଥର୍ମୋଡାଇନୋମିକ୍ସର ପ୍ରଥମ ନିୟମ ହେଉଛି ଶକ୍ତି ସଂରକ୍ଷଣ ନିୟମ ଯାହା ଅନୁସାରେ ଶକ୍ତି ଧ୍ୱଂସ ହୁଏନାହିଁ। ଏହା କେବଳ ରୂପାନ୍ତରଣକୁ ସାମ୍ନା କରିଥାଏ। ଉଦ୍ଭିଦମାନେ ସୂର୍ଯ୍ୟକିରଣରୁ ପ୍ରାପ୍ତଶକ୍ତିକୁ ଫଟୋ ସିନ୍ଥେସିସ (ଆଲୋକ ସଂଶ୍ଲେଷଣ) ମାଧ୍ୟମରେ ରାସାୟନିକ ଶକ୍ତିକୁ ପରିବର୍ତ୍ତିତ କରନ୍ତି। ଏହାର ଦ୍ବିତୀୟ ନିୟମ ହେଉଛି କୌଣସି ପଦାର୍ଥର ଉଷ୍ମ ଗତି ବା ତାପଜ ଅବସ୍ଥା ଏହାର ଆୟତନ, ଚାପ ଓ ତାପମାତ୍ରା ଦ୍ୱାରା ନିୟନ୍ତ୍ରିତ ହୋଇଥାଏ ଏବଂ ଏକ ସୀମିତ ବ୍ୟବସ୍ଥାରେ ‘ଏଣ୍ଟ୍ରୋପି’ର ପ୍ରଭାବ ତୀବ୍ର ହୁଏ। ଯଦି ଆମ ବ୍ରାହ୍ମଣ୍ଡକୁ ଏକ ସୀମିତ ବ୍ୟବସ୍ଥା ଭାବରେ ଧରିନିଆଯାଏ ତେବେ ଏହା ମଧ୍ୟ ଅବଧାରିତ ଯେ ବିନାଶ କେବଳ ପୃଥିବୀରେ ଆସିବ ନାହିଁ, ବ୍ରହ୍ମାଣ୍ଡ ମଧ୍ୟ ମହାବିଲୋପକୁ ଭେଟିବ।
ଅଥଚ ସମସ୍ତେ ଏଇ ଭବିଷ୍ୟବାଣୀ ସପକ୍ଷରେ ନୁହନ୍ତି। ସେମାନଙ୍କ ମତ : ବ୍ରହ୍ମାଣ୍ଡ ଏକ ସୀମିତ ବ୍ୟବସ୍ଥା ଆଦୌ ନୁହେଁ। ଜୁଲିଆନ ବାର୍ବରଙ୍କ ପରି ପଦାର୍ଥବିଜ୍ଞାନୀଙ୍କ ମତ, ଥର୍ମୋଡାଇନୋମିକ୍ସର ଦ୍ବିତୀୟ ନିୟମ ବ୍ରହ୍ମାଣ୍ଡ ପାଇଁ ଲାଗୁହେବ ନାହିଁ। ଆଉ କିଛି କୁହନ୍ତି, ବ୍ରହ୍ମାଣ୍ଡର ପ୍ରତିଟି ନକ୍ଷତ୍ରର ମୃତ୍ୟୁ ସହିତ ଯୋଡ଼ି ହୋଇ ରହିଛି ଏହାର ଜୈବ ବ୍ୟବସ୍ଥାର କ୍ରମ ଅବକ୍ଷୟ ଓ ମୃତ୍ୟୁ। ଚାର୍ଲ୍ସ ଡାରୱିନଙ୍କ ସମକାଳୀନ ଏବଂ ସମ୍ଭବତଃ ସେଇ ସମୟରେ ତାଙ୍କଠାରୁ ଅଧିକ ପ୍ରସିଦ୍ଧ ସ୍ପେନ୍ସର (୧୮୨୦-୧୯୦୩) ବିଶ୍ୱାସ କରୁଥିଲେ, ଜୈବ ବିବର୍ତ୍ତନ ବ୍ରହ୍ମାଣ୍ଡ ବିବର୍ତ୍ତନର ଅତି ବେଶିରେ ଏକ ବୃହତ୍ ଅଂଶ। ସେଇ କ୍ରମରେ ଜୀବନ ଓ ମନୁଷ୍ୟ ସଭ୍ୟତା ନିରନ୍ତର ପ୍ରଲମ୍ବିତ ବ୍ରହ୍ମାଣ୍ଡ ବିବର୍ତ୍ତନର ଉତ୍ପାଦ ମାତ୍ର।
୧୯୪୪ରେ ପ୍ରସିଦ୍ଧ କ୍ୱାଣ୍ଟମ ପଦାର୍ଥବିଜ୍ଞାନୀ ଏରୱିନଙ୍କ ମତଥିଲା ଯେ ପୃଥିବୀ ବ୍ୟବସ୍ଥା ଥର୍ମୋଡାଇନୋମିକ୍ସକୁ ବିନାଶର ରାସ୍ତା ନ ଦେଖାଇ ଏକ ଶୃଙ୍ଖଳିତ ତଥା ଜୀବନ୍ତ ବ୍ୟବସ୍ଥାର ସଂରଚନା ଜାରି ରହିଛି। ଆଉ ସେଥିପାଇଁ ‘ମୁକ୍ତଶକ୍ତି’ ସଂଗ୍ରହ ହେଉଛି ବାତାବରଣରୁ। ସୂର୍ଯ୍ୟଙ୍କ ନିକଟରୁ। ବ୍ରହ୍ମାଣ୍ଡର ସମ୍ପ୍ରସାରଣ ଡାର୍କଏନର୍ଜି ବା ଅଜ୍ଞାତ ଶକ୍ତି ସୌଜନ୍ୟରୁ ଘଟୁ ଥାଇପାରେ, ଏହା ଦୂର ଭବିଷ୍ୟରେ ଦିନେ ପ୍ରତ୍ୟାବର୍ତ୍ତୀ ହୋଇ ‘ବିଗ୍କ୍ରଞ୍ଚ୍’ର ରୂପ ବି ନେଇପାରେ। ଏସବୁ ବାଦ୍ ଗବେଷକମାନେ ଏକଥା କୁହନ୍ତି ଯେ ସବୁଠୁ ସବୁଜ ସ୍ଥିତିରେ ଜୀବନ ହୁଏତ ଅକ୍ଷୟ ହୋଇ ରହିବ ତେବେ ସେ ଜୀବନ ଏଯାବତ୍ ଆମେ ବଞ୍ଚି ଆସୁଥିବା ଜୀବନ ସଦୃଶ ହେବ ନାହିଁ । ଅଧିକ ତାପମାତ୍ରା ସହିତ ଖାପଖୁଆଇବା ପାଇଁ ଜୈବବିବର୍ତ୍ତନ କିଛି ପ୍ରଜାତିଙ୍କଠି ଅଦ୍ଭୁତ ପରିବର୍ତ୍ତନ ଆଣିପାରେ।
Comments are closed.