ଓଡ଼ିଶାରେ ଅକ୍ଷୟ ତୃତୀୟା
ଅଶୋକ କୁମାର ନାୟକ
ବାରମାସରେ ତେର ପର୍ବ, ଓଡ଼ିଆ ଜାତିର ବିଶେଷ ପରିଚୟ। ଓଡିଶାର ଜାତୀୟ ଦେବତା, ଓଡ଼ିଆର ଆରାଧ୍ୟ ଦେବତା, ଜଗତର ନାଥ ଜଗନ୍ନାଥଙ୍କୁ ଆଧାର କରି, ଏଠି ପ୍ରତିମାସରେ କେତେ ଯେ ପର୍ବ ପାଳିତ ହୁଏ, ତା’ର ହିସାବ ନାହିଁ। ପୁନଶ୍ଚ, କୃଷିଭିତ୍ତିକ ରାଜ୍ୟ, ଓଡିଶାରେ କୃଷିକୁ ଆଧାର କରି ଅନୁଷ୍ଠିତ ହୁଏ ଅନେକ ପର୍ବ। ତନ୍ମଧ୍ୟରୁ ବୈଶାଖ ଶୁକ୍ଳ ତୃତୀୟା ବା ଅକ୍ଷୟ ତୃତୀୟା ଅନ୍ୟତମ।
ପୁରାଣ ମତରେ ବର୍ଷର ପ୍ରଥମ ମାସ, ପୁଣ୍ୟମାସ ବୈଶାଖ ଶୁକ୍ଳ ତୃତୀୟା ଦିନ ଯେଉଁ କାର୍ଯ୍ୟ କରାଯାଏ, ତାହାର ଅକ୍ଷୟ ଫଳ ମିଳିଥାଏ।
ତେଣୁ ଅକ୍ଷୟ ତୃତୀୟା ତିଥିକୁ ସ୍ବୟଂସିଦ୍ଧ ମୁହୂର୍ତ୍ତ ରୂପେ ବିବେଚନା କରାଯାଉଥିବାରୁ,ଏହି ଦିନ ପାଞ୍ଜି ନ ଦେଖି ସମସ୍ତ ମାଙ୍ଗଳିକ ଉତ୍ସବ କରାଯାଇପାରେ।
ଏହିଦିନ ବ୍ରାହ୍ମ ମୁହୂର୍ତ୍ତରୁ ଉଠି ଗଙ୍ଗାସ୍ନାନ ବା ସମୁଦ୍ର ସ୍ନାନାନ୍ତେ ଭଗବାନ ବିଷ୍ଣୁଙ୍କ ପୂଜାକଲେ ସମସ୍ତ ପାପତାପ ନାଶ ହୁଏ। ଜପ, ତପ, ସ୍ବାଧ୍ୟାୟ, ହୋମଯଜ୍ଞ ତଥା ଦାନର ଫଳ ଅକ୍ଷୟ ହୁଏ। ଯଦି ଉକ୍ତ ତିଥିଟି ମଧ୍ୟାହ୍ନ ପୂର୍ବରୁ ଆରମ୍ଭ ହୋଇ ସଂଧ୍ୟା ପର୍ଯ୍ୟନ୍ତ ରହେ କିମ୍ବା ଏହି ଦିବସଟି ସୋମବାର ଓ ରୋହିଣୀ ନକ୍ଷତ୍ରଯୁକ୍ତ ହୋଇଥାଏ, ତେବେ ଉପରୋକ୍ତ ପୁଣ୍ୟଫଳ ଶତଗୁଣିତ ହୋଇଯାଏ।
ଭବିଷ୍ୟ ପୁରାଣ ମତାନୁସାରେ, ଏହି ତିଥିରେ ସତ୍ୟ ଯୁଗ ଓ ତ୍ରେତା ଯୁଗ ଆରମ୍ଭ ହୋଇଥିବାରୁ, ଏହାକୁ ଯୁଗାଦି ତିଥି କୁହାଯାଏ। ପୁନଶ୍ଚ ଏହି ତିଥିରେ ବ୍ରହ୍ମାଙ୍କ ପୁତ୍ର ଅକ୍ଷୟ କୁମାର ଜନ୍ମ ହୋଇଥିବା, ତଥା ଭଗବାନ ବିଷ୍ଣୁ ପର୍ଶୁରାମ ରୂପେ ଅବତରିତ ହୋଇଥିବା, ଦିବସଟିର ମାହାତ୍ମ୍ୟକୁ ନିଶ୍ଚୟ ବଢାଉଛି ବୋଲି କୁହାଯାଇପାରେ।
ଜଗତର ନାଥ ଲୀଳା ପୁରୁଷୋତ୍ତମ ଜଗନ୍ନାଥଙ୍କ ପତିତପାବନ ଲୀଳା ଏହି ଦିନରୁ ଆରମ୍ଭ ହୋଇଥାଏ।
ଗ୍ରୀଷ୍ମର ଅସହ୍ୟ ତାପରୁ ମୁକ୍ତି ପାଇବା ପାଇଁ ମହାପ୍ରଭୁଙ୍କ ୨୧ଦିନିଆ ଚନ୍ଦନ ଯାତ୍ରା ଏହି ଦିନରୁ ଆରମ୍ଭ ହୁଏ । ଶ୍ରୀମନ୍ଦିରରୁ ମହାପ୍ରଭୁଙ୍କ ଚଳନ୍ତି ବିଗ୍ରହ ମଦନମୋହନ, ଭୂଦେବୀ, ଶ୍ରୀଦେବୀଙ୍କ ସହ ଦିବ୍ୟ ଭବ୍ୟ ମଣିବିମାନରେ ବିରାଜମାନକରି, ସୁସଜ୍ଜିତ ପାଲିଙ୍କିରେ ବିଜେ ରାମକୃଷ୍ଣ, ତଥା ପାଞ୍ଚୋଟି ଦିବ୍ୟବିମାନରେ ‘ପଞ୍ଚପାଣ୍ଡବ’ ବା ପାଞ୍ଚ ମହାଦେବ ପ୍ରଭୁ ଶ୍ରୀଲୋକନାଥ, ଶ୍ରୀମାର୍କଣ୍ଡେଶ୍ବର, ଶ୍ରୀନୀଳକଣ୍ଠେଶ୍ବର, ଶ୍ରୀଯମେଶ୍ବର ଓ ଶ୍ରୀକପାଳମୋଚନଙ୍କ ବିଜେ ପ୍ରତିମାମାନଙ୍କୁ ସାଙ୍ଗରେ ଧରି, ଘଣ୍ଟଘଣ୍ଟାର ତାଳେତାଳେ ‘‘ଦେଖଗୋ ରାଧା ମାଧବ ଚାଲି, ଦେଖଗୋ/ମଣିବିମାନ ଆସେ ଝୁଲି ଝୁଲି/ଦେଖ ଗୋ ଆଗୋ ସହି ଦେଖ ଗୋ”ର ସୁଲଳିତ ଗାନରେ, ଛତ୍ର ଚାମର ଚାଳନରେ, ବିଜେ କାହାଳୀର ବାଜଣାମଧ୍ୟରେ, ଭାବବିହ୍ବଳିତ ଭକ୍ତମାନଙ୍କ ସହ ବଡ଼ ଦାଣ୍ଡକୁ ମଣ୍ଡିତ କରି, ନରେନ୍ଦ୍ର ପୁଷ୍କରିଣୀକୁ ଯାତ୍ରା କରିବାର ଦିବ୍ୟଲୀଳା ସନ୍ଦର୍ଶନ କରିବାର ସୁଯୋଗ ଏହି ଦିନରୁ ଭକ୍ତମାନଙ୍କୁ ମିଳିଥାଏ। ଏହି ଦିନଟି ପାଲଟିଯାଏ ପବିତ୍ର ଘୋଷଯାତ୍ରାର ଶୁଭଶଙ୍ଖନାଦ। ପୁନଶ୍ଚ ଏହି ତିଥିରେ ରଥଖଳାରେ ମହାପ୍ରଭୁଙ୍କ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହେବାର ପରମ୍ପରା, ଏ ତିଥିର ମାହାତ୍ମ୍ୟକୁ ବହୁଗୁଣିତ କରିଥାଏ ।
ଯେଉଁ ‘ଗୀତଗୋବିନ୍ଦ’ କାବ୍ୟର ଲଳିତ କୋମଳ ପଦାବଳୀ ନ ଶୁଣିଲେ ନୃତ୍ୟ ସଙ୍ଗୀତପ୍ରିୟ, ମହାପ୍ରଭୁ ଜଗନ୍ନାଥଙ୍କ ଆଖିକୁ ନିଦ ଆସେନାହିଁ, ସେହି ମହାନ କାବ୍ୟର ରଚୟିତା, ଭକ୍ତଶ୍ରେଷ୍ଠ କବି ଜୟଦେବ, ଏହି ତିଥିରେ ନିଆଳି ସନ୍ନିକଟ, କେନ୍ଦୁବିଲ୍ବଠାରେ ଜନ୍ମଗ୍ରହ୍ମଣ କରି ପ୍ରଭୁଙ୍କ ଅକ୍ଷୟ ଭକ୍ତିର ଅଧିକାରୀ ହୋଇଥିବା କଥାଟି ଜନଶ୍ରୁତିରେ ବେଶ୍ ଉଜ୍ଜୀବିତ ଅଛି।
“ଚାଷ କାମ ଯାହାର,
କେଡ଼େ ସୁଖ ତାହାର,
ସେହି ସିନା ଯୋଗାଉଛି ଦୁନିଆକୁ ଆହାର।”
ଅକ୍ଷୟ ତୃତୀୟା ଓଡ଼ିଶାର କୃଷକଙ୍କ ପାଇଁ ଏକ ବିଶେଷ ପର୍ବ ଦିନ। ପ୍ରତିଟି କୃଷକ, କୃଷକ ଗୃହିଣୀ ଏହି ଦିନଟିକୁ ଅପେକ୍ଷା କରିଥାନ୍ତି ବେଶ୍ ଆଗ୍ରହରେ। ବର୍ଷକର ଭାଗ୍ୟ ସତେ ଯେପରି ତାଙ୍କୁ ହାତଠାରି ଡାକୁଥାଏ। ବଡି ଭୋରରୁ ଉଠି, ଗାଧୁଆପାଧୁଆ ସାରି, ନୂଆଲୁଗା ପିନ୍ଧି, ଘର ଅଗଣାରେ ଝୋଟି ଚିତା ଆଙ୍କି, ତା ଉପରେ ବସେଇ ଦିଅନ୍ତି ଚିତାଚିତ୍ରିତ ବେତ ଟୋକେଇ। ଟୋକେଇ ଭିତରେ ନୂଆ ଗଉଣୀ। ଗଉଣୀ ଭିତରେ ବିହନଧାନ। ଅତି ସାବଧାନରେ ମା’ ଲକ୍ଷ୍ମୀଙ୍କୁ ସ୍ମରଣ କରି, ପୂଜା କରାଯାଏ। ପୂର୍ବରୁ ଧୁଆହୋଇ ପ୍ରସ୍ତୁତଥିବା ହଳ, ଲଙ୍ଗଳ, କୋଦାଳ, କୋଡି, ଦାଆ ଆଦି ସମସ୍ତ କୃଷି ଉପକରଣକୁ ମଧ୍ୟ ପୂଜା କରାଯାଏ। ବଳଦଙ୍କ ବେକରେ ନୂଆ ଘଣ୍ଟିଘାଗୁଡି ପିନ୍ଧାଇ, ନୂଆ କପଡା ବାନ୍ଧି, ପାଦରେ ଚନ୍ଦନ ସିନ୍ଦୂର ଦେଇ ଖାଇବାକୁ ଦିଆଯାଏ।
ପୂଜା ସରିଲା ପରେ, ନିଷ୍ଠାରସହ ଟୋକେଇ ମୁଣ୍ଡେଇ,ଗୃହିଣୀର ଶଙ୍ଖ, ହୁଳହୁଳି ଧ୍ବନିମଧ୍ୟରେ କୃଷକ ବାହାରି ପଡେ କ୍ଷେତକୁ। କ୍ଷେତର ପୂର୍ବ ଦିଗରେ ଟୋକେଇ ରଖି, ପୁଣି ମା’ ଲକ୍ଷ୍ମୀଙ୍କୁ ପୂଜା କରାଯାଏ। ଏହାପରେ ଭଗବାନ ସୂର୍ଯ୍ୟ, ଇନ୍ଦ୍ର ଦେବତା, ମା’ ବସୁମତୀଙ୍କୁ ସ୍ମରଣ କରି ଅନୁକୂଳ ହୁଏ ଅକ୍ଷି ମୁଠି। ଅର୍ଥାତ୍ ବିହନ ଗୌଣୀକୁ ହାତରେ ଧରି ମୁଠାମୁଠା କରି, ସାକ୍ଷାତ ଲକ୍ଷ୍ମୀସ୍ବରୂପିଣୀ ଧାନବିହନକୁ ବୁଣାଯାଏ କ୍ଷେତରେ ନିମ୍ନ ପ୍ରାର୍ଥନାଟି ବୋଲି-
“ମା, ମୋ ବିହନ ଆଦୌ କ୍ଷୟ (ନଷ୍ଟ) ନ ହୋଇ,
ତୋରି କୃପାରୁ, ବୁନ୍ଦାଏ ବର୍ଷାରେ ଅଙ୍କୁରିତ ହୋଇ, ମୋ କ୍ଷେତକୁ ଶସ୍ୟଶ୍ୟାମଳା କରୁ। ତୋରି କୃପାରୁ, ମୋ ଅକ୍ଷୟ ଭଣ୍ଡାର ପୂରି ରହିଥାଉ।”
ଏହିଦିନ ସ୍ବର୍ଣ୍ଣ ଆଭୂଷଣ କ୍ରୟକଲେ, ଧନ ଭଣ୍ଡାର ଖାଲି ନ ହେବା କଥାଟି, ଅଳଙ୍କାର ବ୍ୟବସାୟୀମାନଙ୍କ ଦ୍ବାରା ଗଣମାଧ୍ୟମ ମାନଙ୍କରେ ବେଶ୍ ଆକର୍ଷଣୀୟ ଢଙ୍ଗରେ ବିଜ୍ଞାପିତ କରାଯାଇ, ଦିବସଟିର ମାହାତ୍ମ୍ୟକୁ, ନୂତନ ପିଢି ପାଖରେ ଭିନ୍ନ ଢଙ୍ଗରେ ପହଞ୍ଚାଇବାରେ ସହାୟକ ହେଉଛି, ଏ କଥାଟି ଅସ୍ବୀକାର କରାଯାଇ ନ ପାରେ। ଜୟ ଜଗନ୍ନାଥ । ବନ୍ଦେ ଉତ୍କଳ ଜନନୀ ।
Comments are closed.