ଓୟୁଏଟି ତରଫରୁ କନ୍ଧମାଳରେ ଚାଷୀଙ୍କୁ ପ୍ରଶିକ୍ଷଣ, ଉନ୍ନତ କିସମ ଫଳ ବୃକ୍ଷଚାରା ବଣ୍ଟନ
ଭୁବନେଶ୍ୱର: ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ଅଧୀନସ୍ଥ ସର୍ବ ଭାରତୀୟ ସଂଯୋଜିତ ଫଳ ଗବେଷଣା ପ୍ରକଳ୍ପ, ଭୁବନେଶ୍ୱରର ଆଦିବାସୀ ଅଣୁ ଯୋଜନା(ଟିଏସ୍ପି) କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଅନ୍ତର୍ଗତ ମିଣିଆ ଗ୍ରାମ ପଞ୍ଚାୟତ ଅଧୀନ କର୍ଣ୍ଣଡାଠାରେ ଉନ୍ନତ କିସମର ଫଳ ବୃକ୍ଷ ବଣ୍ଟନ ଓ କୃଷକ ତାଲିମ୍ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମଟିରେ ଫଳ ଗବେଷଣା ପ୍ରକଳ୍ପର କାର୍ଯ୍ୟନିର୍ବାହୀ ବୈଜ୍ଞାନିକା ଡ. ସୌଦାମିନି ସ୍ୱାଇଁ ତାଲିମ୍ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମରେ କୃଷକମାନଙ୍କୁ ବୈଜ୍ଞାନିକ ପଦ୍ଧତିରେ କଦଳୀ ଚାଷ ଆପଲ୍ ବେର (କାଶ୍ମୀର ବଡ଼ ବରକୋଳି) ଚାଷ ସମ୍ପର୍କରେ ପ୍ରଶିକ୍ଷଣ ଦେଇଥିଲେ।
ଏଠାରେ ପ୍ରକଳ୍ପ ତରଫରୁ ୮୦୦୦(ଆଠ ହଜାର) ପେଶି ପୋଷଣ କଦଳୀ ଚାରା ଚମ୍ପା କିସମ, ୫୦୦୦(ପାଞ୍ଚ ହଜାର) କଲମୀକୃତ କାଶ୍ମୀର ବଡ଼ ବରକୋଳି ୩୦ ଜଣ ହିତାଧିକାରୀଙ୍କ ମଧ୍ୟରେ ବଣ୍ଟନ କରାଯାଇଛି। ଏଥିସହିତ ଆବଶ୍ୟକୀୟ ସମସ୍ତ ପୋଷକ ତତ୍ତ୍ୱ ଓ ଫସଲ ସୁରକ୍ଷା ଉପାଦାନ ମଧ୍ୟ ବଣ୍ଟନ କରାଯାଇଛି। ଗତ ବର୍ଷ ଉନ୍ନତ ଧରଣର ବିହନ ଯୋଗାଇ ଚାଷୀମାନଙ୍କ କ୍ଷେତ୍ରରେ କରାଯାଇଥିବା ହୋଇଥିବା କଦଳୀ ବଗିଚାକୁ ଚାଷୀମାନଙ୍କ ସହିତ ତାଲିମ ପ୍ରଦାନକାରୀ ଦଳ ପରିଦର୍ଶନ କରିଥିଲେ। ସମସ୍ତ ଚାଷୀମାନଙ୍କ ମଧ୍ୟରେ ଏହି କାର୍ଯ୍ୟକ୍ରମକୁ ନେଇ ଉତ୍ସାହ ପରିଲକ୍ଷିତ ହୋଇଥିଲା।
ବିଶେଷ ଭାବେ ସ୍ଥାନୀୟ ମହିଳାମାନେ ଏହି ଉନ୍ନତ ଚାଷ ପ୍ରଣାଳୀ ସଂପର୍କରେ ଜ୍ଞାନ ଆହରଣ ସକାଶେ ଆଗଭର ହେଉଥିବା ପରିଲକ୍ଷିତ ହେଉଛି। ଏହି ସମସ୍ତ କାର୍ଯ୍ୟକ୍ରମରେ ସହାୟକ ଅଧିକାରୀ ସୁନୀଲ କୁମାର ମଲ୍ଲିକ ସହଯୋଗ କରିଥିଲେ।
Comments are closed.