ଭାରତରେ ସାମାଜିକ ନ୍ୟାୟ ପ୍ରତିଷ୍ଠା ଦିଗରେ ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର ଜଣେ ଅଗ୍ରଦୂତ

ରାଜ୍ୟସ୍ତରୀୟ ଜୟନ୍ତୀରେ ବାବା ସାହେବଙ୍କୁ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର: ସ୍ୱାଧୀନତା ପୂର୍ବରୁ ଏବଂ ସ୍ୱାଧୀନୋତ୍ତର ଭାରତବର୍ଷରେ ଯେଉଁ କେତେଜଣ ମହାମନୀଷୀ ନିଜର ସାଧନା, ନିଷ୍ଠା, ଅଧ୍ୟବସାୟ ଓ କଠୋର ତପସ୍ୟା ବଳରେ ସାଂପ୍ରତିକ ସମାଜ ତଥା ରାଜନୈତିକ ଜୀବନକୁ ଗଭୀର ଭାବେ ପ୍ରଭାବିତ କରିଛନ୍ତି, ସେମାନଙ୍କ ମଧ୍ୟରେ ଭାରତରତ୍ନ ବାବାସାହେବ ଭୀମରାଓ ରାମଜୀ ଆମ୍ବେଦକର ଥିଲେ ଅନ୍ୟତମ ବୋଲି ଇଲେକ୍‌ଟ୍ରୋନିକ୍ସ ଓ ସୂଚନା ପ୍ରଯୁକ୍ତି, କ୍ରୀଡ଼ା ଓ ଯୁବସେବା, ଗୃହ ମନ୍ତ୍ରୀ ଶ୍ରୀଯୁକ୍ତ ତୁଷାରକାନ୍ତି ବେହେରା ପ୍ରକାଶ କରିଛନ୍ତି।

ସୂଚନା ଓ ଲୋକସଂପର୍କ ବିଭାଗ ଆନୁକୂଲ୍ୟରେ ସ୍ଥାନୀୟ ଜୟଦେବ ଭବନଠାରେ ଆୟୋଜିତ ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଜୟନ୍ତୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ବେହେରା କହିଛନ୍ତି ଯେ ସମୟ ବିତିବା ସହିତ ଡ. ଆମ୍ବେଦକରଙ୍କ ଜୀବନ ଓ ଦର୍ଶନର ପ୍ରାସଙ୍ଗିକତା ଅଧିକରୁ ଅଧିକ ବଢ଼ିଛି । ଅଧିକାର ଓ ଦାବି ହାସଲ ଦିଗରେ ତାଙ୍କର ଶିକ୍ଷା ଓ ଦର୍ଶନ, ଆଜି ଲୋକମାନଙ୍କ ପାଇଁ ଏକ ମାର୍ଗଦର୍ଶିକା ଭାବେ କାର୍ଯ୍ୟକରୁଛି। ଭାରତରେ ସାମାଜିକ ନ୍ୟାୟ ପ୍ରତିଷ୍ଠାଦିଗରେ ତାଙ୍କୁ ଜଣେ ଅଗ୍ରଦୂତ ଭାବେ ଗ୍ରହଣ କରାଯାଉଛି ବୋଲି ମନ୍ତ୍ରୀ ଶ୍ରୀ ବେହେରା ପ୍ରକାଶ କରିଛନ୍ତି।

ସମ୍ମାନିତ ଅତିଥି ଭାବେ ଯୋଗଦେଇ ଓଡ଼ିଶା ରିଭ୍ୟୁ ଓ ଉତ୍କଳ ପ୍ରସଙ୍ଗର ସଂପାଦିକା କସ୍ତୁରୀ ମହାପାତ୍ର କହିଛନ୍ତି ଯେ ଭାରତବର୍ଷରେ ମହିଳା, ଦଳିତ, ନିଷ୍ପେସିତ ଓ ବଞ୍ଚିତମାନଙ୍କର ଜଣେ ଅବିସମ୍ବାଦିତ ନେତା ଭାବେ ବାବାସାହେବ ଥିଲେ ସର୍ବଜନବିଦିତ। ଗଣତନ୍ତ୍ର ଉପରେ ତାଙ୍କର ଅଖଣ୍ଡ ବିଶ୍ୱାସ ଥିଲା। ଭେଦଭାବହୀନ ଏକ ସୁସ୍ଥ ସମାଜ ଗଠନ କରିବା ପାଇଁ ତାଙ୍କ ଜୀବନ ସମର୍ପିତ ଥିଲା ବୋଲି ସେ ଉଲ୍ଲେଖ କରିଥିଲେ।

prayash

କାର୍ଯ୍ୟକ୍ରମରେ ମୁଖ୍ୟବକ୍ତା ଭାବେ ଯୋଗଦେଇ ଶିକ୍ଷାବିତ୍‌ ଏବଂ ସ୍ତମ୍ଭକାର ଅଭିରାମ ବିଶ୍ୱାଳ ବାବାସାହେବଙ୍କ ଜୀବନ ଓ ଦର୍ଶନ ଉପରେ ଆଲୋକପାତ କରି କହିଥିଲେ ଯେ ତମାମ୍‌ ସଂଘର୍ଷ ମଧ୍ୟରୁ ପ୍ରସ୍ପୁଟିତ ହୋଇଥିବା ଡ. ଆମ୍ବେଦକରଙ୍କ ଜ୍ଞାନରୁ ଉତ୍ପନ୍ନ ଗରିମା ସମଗ୍ର ବିଶ୍ୱରେ ବିଦିତ। ସମାଜର ଅବହେଳିତମାନଙ୍କ ପାଇଁ ସେ ମୁକ୍ତିର ମାର୍ଗ ଦେଖାଇଥିଲେ। କ୍ରାନ୍ତିଠାରୁ ଶାନ୍ତି ଅଧିକ ଆବଶ୍ୟକ। ଭାରତରେ ଏକ କରୁଣାସିକ୍ତ ସମାଜ ଗଠନ ପାଇଁ ତାଙ୍କ ଅବଦାନ ଅବିସ୍ମରଣୀୟ ହୋଇ ରହିବ ବୋଲି ସେ ପ୍ରକାଶ କରିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ ଇନ୍ଦ୍ରମଣି ତ୍ରିପାଠୀ ସ୍ୱାଗତ ଭାଷଣ ପ୍ରଦାନ ଅବସରରେ କହିଥିଲେ ଯେ ସାମାଜିକ ନ୍ୟାୟ ଆନ୍ଦୋଳନର ପ୍ରଖ୍ୟାତ ପ୍ରବକ୍ତା, ସମ୍ବିଧାନ ପ୍ରଣେତା, ସମତାଭିତ୍ତିକ ସମାଜ ପ୍ରତିଷ୍ଠାର ଅନନ୍ୟ ରୂପକାର ଥିଲେ ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକର। ସମତାଭିତ୍ତିକ ସମାଜ ପ୍ରତିଷ୍ଠା ନିମନ୍ତେ ଥିବା ତାଙ୍କର ସ୍ୱପ୍ନକୁ ସାକାର କରିବା ପାଇଁ ସମସ୍ତେ କାନ୍ଧରେ କାନ୍ଧ ମିଳାଇ ଅକୁଣ୍ଠ ସହଯୋଗ ପ୍ରଦାନ କଲେ, ଏହା ତାଙ୍କ ପ୍ରତି ଶ୍ରେଷ୍ଠ ଶ୍ରଦ୍ଧାଞ୍ଜଳି ହେବ ବୋଲି ସେ ପ୍ରକାଶ କରିଥିଲେ।

ପ୍ରାରମ୍ଭରେ ଅତିଥିମାନେ ଭାରତରତ୍ନ ବାବାସାହେବ ଡ. ଭୀମରାଓ ରାମଜୀ ଆମ୍ବେଦକରଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ। ତରଙ୍ଗ ମ୍ୟୁଜିକାଲ ଗ୍ରୁପ୍‌, ଭୁବନେଶ୍ୱରର ଶିଳ୍ପୀମାନେ ପ୍ରାରମ୍ଭିକ ସଂଗୀତ ଗାନ କରିଥିଲେ। ସୂଚନା ଓ ଲୋକସଂପର୍କ ବିଭାଗ ନିର୍ଦ୍ଦେଶକ (ବୈଷୟିକ) ସୁରେନ୍ଦ୍ରନାଥ ପରିଡ଼ା ଧନ୍ୟବାଦ ଅର୍ପଣ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ଭୁବନେଶ୍ୱର ମହାନଗର ନିଗମ ଅନ୍ତର୍ଗତ ସରକାରୀ ଉଚ୍ଚ ବିଦ୍ୟାଳୟ, କପିଳପ୍ରସାଦ, ଡିଏଭି ପବ୍ଲିକ୍‌ ସ୍କୁଲ, ଚନ୍ଦ୍ରଶେଖରପୁର, ୟୁନିଟ-୮, ପୋଖରୀପୁଟ, ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ, ୟୁନିଟ୍‌-୪ର ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ଏବଂ ଓପନ ଲର୍ଣ୍ଣିଂ ସ୍କୁଲର ଦୁଇ ଜଣ ଛାତ୍ରଙ୍କ ଦ୍ୱାରା ସ୍କେଟିଂ କୌଶଳ ପରିବେଷିତ ହୋଇଥିଲା। ସୂଚନା ଅଧିକାରୀ ସଚ୍ଚିଦାନନ୍ଦ ବେହେରା ମଞ୍ଚ ପରିଚାଳନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ସୂଚନା ଓ ଲୋକସଂପର୍କ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ସନ୍ତୋଷ କୁମାର ସାହୁ, ସହକାରୀ ନିର୍ଦ୍ଦେଶକ (କ୍ଷେତ୍ର) ସୁଚେତା ପ୍ରିୟଦର୍ଶିନୀଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ଛାତ୍ରଛାତ୍ରୀ, ଗଣମାଧ୍ୟମର ପ୍ରତିନିଧି ଏବଂ ବୁଦ୍ଧିଜୀବୀ ଯୋଗ ଦେଇଥିଲେ।

kalyan agarbati

Comments are closed.