ପଦ୍ମପୁରରେ ମହାବିଷୁବ ସଂକ୍ରାନ୍ତି ଓ ହନୁମାନ ଜୟନ୍ତୀ ପାଳିତ
ପଦ୍ମପୁର : ଭାରତ ଇତିହାସରେ ଆଜିର ଦିନରେ ବଡ ବିଶେଷତ୍ୱ ରହିଛି। ଆଜିର ଦିନରେ ଯୁଗ ଆରମ୍ଭ ହୋଇଥିବା ବିଶ୍ୱାସ ରହିଛି। ଆଜି ଓଡ଼ିଆଙ୍କ ନବ ବର୍ଷ। ହିନ୍ଦୁଙ୍କ ଯୁଗାଦ୍ଧ ଆରମ୍ଭ ହୋଇଥିବାବେଳେ ଶତାଦ୍ଦି ଗଣନା ଓ ବ୍ରହ୍ମାଙ୍କ ଦ୍ୱାରା କାଳଗଣନା ଆରମ୍ଭ ହୋଇଛି। ଆଜିର ଦିନରେ ମର୍ଯ୍ୟାଦା ପୁରୁଷୋତ୍ତମ ରାଜା ରାମଙ୍କ ରାଜ୍ୟାଭିଷେକ, ଧର୍ମରାଜ ଯୁଧିଷ୍ଠିରଙ୍କ ରାଜ୍ୟାଭିଷେକ ଭଳି ଅନେକ ବିଶେଷତ୍ୱ ରହିଛି।
ଏହି ଦିନକୁ ପୃଥିବୀର ସବୁ ଜନ ମାନସ ସୃଷ୍ଟି ଆରମ୍ଭ ଦିବସ ମନଇଥିବାର ଦେଖାଯାଏ। ମୁଖ୍ୟତଃ ଆଜିର ଦିନକୁ ହନୁମାନ ଜୟନ୍ତୀ ଭାବେ ଅନେକ ଶ୍ରଦ୍ଧାଳୁ ପାଳନ କରିଥାନ୍ତି। ଆଜିର ଦିନରେ ଜୋତିଶ ଓ ବ୍ରାହ୍ମଣ, ରାଜପୁରହିତ ମାନେ ପଞ୍ଚାଙ୍ଗ ଗଣନା ଆରମ୍ଭ ହୋଇ ନୂତନ ପାଞ୍ଜି ପୂଜନ ପୂର୍ବକ ଶୁଭାରମ୍ଭ କରାଯିବାର ବିଧି ରହିଛି। ଜାତି ଧର୍ମ ନିର୍ବିଶେଷରେ ପଣା ତିଆରି କରି ପରସ୍ପରଙ୍କୁ ବଣ୍ଟନ କରିବାର ପରମ୍ପରା ରହିଛି। ତେଣୁ ଜିଲା କୋଣ ଅନୁକୋଣରେ ଏହି ଦିନକୁ ମହା ବିଷୁବ ସଂକ୍ରାନ୍ତି ବା ପଣା ସଂକ୍ରାନ୍ତି ଭାବେ ଧୁମଧାମରେ ପାଳନ କରାଯାଇଛି।
ପ୍ରାୟତଃ ଏହି ଦିନକୁ ବିଶେଷ ଭାବରେ ଗୁରୁତ୍ବ ଦିଆଯାଏ ପଦ୍ମପୁର ବିଷୁବ ବନ୍ଧୁ ମିଳନ କମିଟି ପକ୍ଷରୁ ସ୍ଥାନୀୟ ପଞ୍ଚାମୁଖୀ ହନୁମାନ ମନ୍ଦିର ନିକଟରୁ ଏକ ବିରାଟ ମୋଟର ସାଇକେଲ ଶୋଭାଯାତ୍ରା ଆୟୋଜନ କରାଯାଇଥିଲା। ଏହି ଶୋଭାଯାତ୍ରାର ଅଂଶଗ୍ରହଣକାରୀ ଜୟ ଶ୍ରୀରାମ ଓ ଜୟ ବଜରଙ୍ଗ ବାଲି ନାରା ଦେଇ ସହର ପରିକ୍ରମା କରିଥିଲେ। ସନ୍ଧ୍ୟାରେ ଯୁବଗୋଷ୍ଠୀ ଦ୍ୱାରା ହରିନାମ ସଂକୀର୍ତ୍ତନ କରି ସହର ପରିକ୍ରମା କରିଥିଲେ।
ସେଭଳି ଆଜି ପଦ୍ମପୁରରେ ବିଭିନ୍ନ ସ୍ଥାନରେ ପାଳନ ହୋଇଥିଲା ହନୁମାନ ଜୟନ୍ତୀ ବା ପଣା ସଂକ୍ରାନ୍ତି। ପଦ୍ମପୁର ସୁନାରୀ ଘାଇ ଛକରେ ଖଲାସୀ ସଂଘ ପକ୍ଷରୁ, ବସଷ୍ଟାଣ୍ଡରେ ଉପାଧ୍ୟକ୍ଷ ରମେଶ ଚନ୍ଦ୍ର ସାହୁଙ୍କ ନେତୃତ୍ୱରେ ପକ୍ଷରୁ ପଣା ବଣ୍ଟନ କରାଯାଇଥିଲା। ସେହିଭଳି ସିନେମା ହଲ ଛକ, ବ୍ଲକ କୋଲନି ଛକ, ବଢ଼େଇ ସାହି ତୁଳସୀ ମଣ୍ଡପ ଓ ଖିଲାପଦର ଛକ ଭଳି ବିଭିନ୍ନ ଛକମାନଙ୍କରେ ବିଭିନ୍ନ ଯୁବ ଗୋଷ୍ଠି ଦ୍ବାରା ପଣା ବଣ୍ଟନ କରାଯାଇଥିଲା। ପଦ୍ମପୁର ବ୍ଲକ କାର୍ଯ୍ୟଳୟ ଓ ଇନ୍ଦିରାନଗର ଛକ ନିକଟରେ ଥିବା ପଞ୍ଚାମୁଖୀ ହନୁମାନ ମନ୍ଦିରରେ ମହା ଆଡ଼ମ୍ବର ସହକାରେ ହୋମଯଜ୍ଞ ଓ ହନୁମାନ ଚାଲିସା ପଠନ କରି ହନୁମାନ ଜୟନ୍ତୀ ବା ମହାବିଷୁବ ସଂକ୍ରାନ୍ତି ପାଳନ ହେଉଥିବାର ଦେଖିବାକୁ ମିଳିଥିଲା।
Comments are closed.