ଭୁବନେଶ୍ୱର ଭାରତର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ପ୍ରାଣକେନ୍ଦ୍ର ସାଜିବ
୭୫ତମ ରାଜଧାନୀ ପ୍ରତିଷ୍ଠା ଦିବସ ଅବସରରେ ସାଂସ୍କୃତିକ ସନ୍ଧ୍ୟା
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୂରଦୃଷ୍ଟି ଏବଂ ମାର୍ଗଦର୍ଶନରେ ମନ୍ଦିରମାଳିନୀ ଭୁବନେଶ୍ୱର ୨୦୧୬ ମସିହାରେ ଭାରତର ପ୍ରଥମ ସହର ଭାବେ ସ୍ମାର୍ଟ ସିଟିର ମାନ୍ୟତା ପାଇଥିଲା। ସ୍ମାର୍ଟ ସିଟି ସହ ଆଜି ଏହି ସହର ନିବେଶକଙ୍କର ପ୍ରଥମ ପସନ୍ଦ ହୋଇପାରିଛି। ସଫଳତାର ସହ କ୍ରମାଗତ ଦୁଇଥର ପୁରୁଷ ବିଶ୍ୱକପ୍ ହକି ଆୟୋଜନ କରି ଏହା ବର୍ତ୍ତମାନ କ୍ରୀଡ଼ା ରାଜଧାନୀ ଭାବରେ ସମଗ୍ର ଦେଶରେ ପରିଚିତି ଲାଭ କରିଛି ବୋଲି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତ୍ତନ, ପଞ୍ଚାୟତିରାଜ ଓ ପାନୀୟ ଜଳ, ସୂଚନା ଓ ଲୋକସଂପର୍କ ମନ୍ତ୍ରୀ ପ୍ରଦିପ କୁମାର ଅମାତ କହିଛନ୍ତି।
ଭୁବନେଶ୍ୱର ପ୍ରତିଷ୍ଠାର ୭୫ତମ ପୂର୍ତ୍ତି ଦିବସ ପାଳନ ଅବସରରେ ଆଜି ସ୍ଥାନୀୟ ଉତ୍କଳ ମଣ୍ଡପଠାରେ ଆୟୋଜିତ ବର୍ଣ୍ଣାଢ଼୍ୟ ସାଂସ୍କୃତିକ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମନ୍ତ୍ରୀ ଶ୍ରୀ ଅମାତ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସଫଳ, ସ୍ୱଚ୍ଛ ଓ ସତ୍ୟନିଷ୍ଠ ନେତୃତ୍ୱରେ ଭୁବନେଶ୍ୱର କେବଳ ଭାରତ ନୁହେଁ ବରଂ ବିଶ୍ୱର ଏକ ଅଗ୍ରଣୀ ଓ ଅନନ୍ୟ ସହରରେ ପରିଣତ ହୋଇ ପ୍ରତିଦିନ ଶତସହସ୍ର ବିଦ୍ୟାର୍ଥୀ ଓ ସ୍ୱପ୍ନାଭିଳାଷୀଙ୍କୁ ଟାଣିନେଇ ଆସୁଛି। ଏହା ପ୍ରତ୍ୟେକ ଓଡ଼ିଆଙ୍କ ପାଇଁ ଗର୍ବର ବିଷୟ। ଆଗାମୀ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱର ଭାରତର ସାମାଜିକ, ସାଂସ୍କୃତିକ ଓ ଅର୍ଥନୈତିକ ପ୍ରାଣକେନ୍ଦ୍ର ସାଜିବ ବୋଲି ମନ୍ତ୍ରୀ ଶ୍ରୀ ଅମାତ ଆଶାପ୍ରକାଶ କରିବା ସହ ଏହି ଲକ୍ଷ୍ୟ ହାସଲ ପାଇଁ ସମସ୍ତଙ୍କ ସହଯୋଗ କାମନା କରିଥିଲେ।
ପର୍ଯ୍ୟଟନ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି, ଅବକାରୀ ମନ୍ତ୍ରୀ ଅଶ୍ୱିନୀ କୁମାର ପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିରନ୍ତର ପ୍ରୟାସ ଓ ଦୂରଦୃଷ୍ଟି ଯୋଗୁଁ ଭୁବନେଶ୍ୱର ଆଜି ବିଶ୍ୱର ଏକ ପ୍ରମୁଖ ସହରରେ ପରିଣତ ହୋଇଛି। ଶିକ୍ଷା, ସ୍ୱାସ୍ଥ୍ୟ, କ୍ରୀଡ଼ା, ଭିତ୍ତିଭୂମି ସହ ଅନ୍ୟ ସବୁକ୍ଷେତ୍ରରେ ଭୁବନେଶ୍ୱର ଦେଶର ଅନ୍ୟ ରାଜଧାନୀମାନଙ୍କଠାରୁ ଢେର ଆଗରେ ରହିଛି।
ଭୁବନେଶ୍ୱର ମହାନଗର ନିଗମର ମେୟର ଶ୍ରୀମତୀ ସୁଲୋଚନା ଦାସ ସ୍ୱାଗତ ଭାଷଣ ଦେଇ କହିଛନ୍ତି ଯେ ପ୍ରଭୁ ଲିଙ୍ଗରାଜଙ୍କ ଆଶୀର୍ବାଦରେ ବିଗତ କିଛି ବର୍ଷ ମଧ୍ୟରେ ଭୁବନେଶ୍ୱର ସହର ଅବିଶ୍ୱସନୀୟ ପ୍ରଗତି ହାସଲ କରିଛି। ଏହି ସହରର ସ୍ୱଚ୍ଛତା ଓ ସବୁଜିମାକୁ ଅକ୍ଷୁଣ୍ଣ ରଖିବା ପାଇଁ ସେ ଭୁବନେଶ୍ୱରବାସୀଙ୍କୁ ଅନୁରୋଧ କରିଥିଲେ। ଏହି ସହରକୁ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ସ୍ୱପ୍ନର ସହର ଭାବେ ବିକଶିତ କରିବା ପାଇଁ ସେ ସମସ୍ତ ଭୁବନେଶ୍ୱରବାସୀଙ୍କ ସହଯୋଗ କାମନା କରିଛନ୍ତି।
ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ସତ୍ୟବ୍ରତ ସାହୁ କାର୍ଯ୍ୟକ୍ରମରେ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ ୧୮ ବର୍ଷ ତଳେ ଭୁବନେଶ୍ୱରର ଜନସଂଖ୍ୟା ୫ରୁ ୬ ଲକ୍ଷ ଥିବାବେଳେ ଏବେ ଏହା ବୃଦ୍ଧି ପାଇ ୧୭ରୁ ୧୮ ଲକ୍ଷରେ ପହଞ୍ଚିଛି। ଭୁବନେଶ୍ୱର ଓଡ଼ିଶାର ମୁଖଶାଳା। ଏହି ମୁଖଶାଳାକୁ ଆମେ ଯେତିକି ସୁନ୍ଦର ରଖିବା ରାଜ୍ୟର ସୁନାମ ସେତିକି ବୃଦ୍ଧି ପାଇବ ବୋଲି ସେ କହିଥିଲେ।
ସୂଚନା ଓ ଲୋକସଂପର୍କ ବିଭାଗ ପ୍ରମୁଖ ଶାସନ ସଚିବ ସଂଜୟ କୁମାର ସିଂ ଅନ୍ୟତମ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଛନ୍ତି ଯେ କୋଭିଡ୍ ସମୟରେ ଭୁବନେଶ୍ୱରବାସୀଙ୍କଠାରୁ ଯେପରି ସହଯୋଗ ମିଳିଥିଲା ସେଥିଯୋଗୁଁ କୋଭିଡ ନିୟନ୍ତ୍ରଣ ହୋଇପାରିବା ସହ ଭୁବନେଶ୍ୱରବାସୀ ଅନ୍ୟମାନଙ୍କ ପାଇଁ ଉଦାହରଣ ହୋଇପାରିଲେ। ଭୁବନେଶ୍ୱର ଏବେ ଦେଶର କ୍ରୀଡ଼ା ରାଜଧାନୀ ଓ ଦକ୍ଷତା ବିକାଶ କେନ୍ଦ୍ର ଭାବେ ଉଭା ହୋଇଛି । ଭୁବନେଶ୍ୱରର ବିବିଧତା ଓ ସୌନ୍ଦର୍ଯ୍ୟ ଭାରତର ଅନ୍ୟ କୌଣସି ରାଜଧାନୀରେ ଦେଖିବାକୁ ମିଳେନି ବୋଲି ସେ ପ୍ରକାଶ କରିଥିଲେ।
ଶେଷରେ ବିଏମ୍ସି କମିଶନର ବିଜୟ ଅମୃତା କୁଲାଙ୍ଗେ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ଖୋର୍ଦ୍ଧା ଜିଲ୍ଲାପାଳ ଶ୍ରୀଯୁକ୍ତ କେ. ସୁଦର୍ଶନ ଚକ୍ରବର୍ତ୍ତୀ, ରାଜଧାନୀ ପ୍ରତିଷ୍ଠା ଦିବସ ପାଳନ କମିଟିର ସାଧାରଣ ସଂପାଦକ ସନତ ମିଶ୍ର, ବିଏମ୍ସିର ସାଂସ୍କୃତିକ ପରିଷଦର କର୍ମକର୍ତ୍ତା ମିହିର କୁମାର ରାଉତଙ୍କ ସମେତ ବହୁ ବୁଦ୍ଧିଜୀବୀ, ଗଣମାଧ୍ୟମର ପ୍ରତିନିଧି ଓ ସରକାରୀ କର୍ମଚାରୀ ଉପସ୍ଥିତ ଥିଲେ।
ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ଉଲ୍ଲେଖନୀୟ ଅବଦାନ ରଖିଥିବା ରତ୍ନ ମଞ୍ଜରୀ ଦାଶ, ପୁଷ୍ପଲତା ମହାନ୍ତି, ଡ. ବିଜୟ କୁମାର ମିଶ୍ର, ବାପି ହାଂସଦା, ପୂଜା ସିଂ, ପ୍ରିୟଦର୍ଶୀ ମହାପାତ୍ର, ପ୍ରବୋଧ ମହାନ୍ତି, ଯୁଧିଷ୍ଠିର ସାହୁ, ବିନାୟକ ମିଶ୍ର, ବିନୋଦ ମହାରଣା, ପ୍ରଫେସର କୁଳମଣି ପରିଡ଼ା, ବିଜୟ କୁମାର ଜେନା ପ୍ରମୁଖଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ ଆୟୋଜିତ ଆତସବାଜୀ କାର୍ଯ୍ୟକ୍ରମ ଦର୍ଶକଙ୍କୁ ରୋମାଞ୍ଚିତ କରିଥିଲା। ପରେ ଓଡ଼ିଶା ତଥା ଭୁବନେଶ୍ୱରର ଗୌରବମୟ ସାଂସ୍କୃତିକ ପରମ୍ପରା ଏବଂ ଐତିହ୍ୟ ଆଧାରିତ ଏକ ବୃତ୍ତଚିତ୍ର ପ୍ରଦର୍ଶିତ ହୋଇଥିଲା। କାର୍ଯ୍ୟକ୍ରମ ଶେଷରେ ସ୍ୱନାମଧନ୍ୟ କଳାକାରମାନଙ୍କ ଦ୍ୱାରା ଆକର୍ଷଣୀୟ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷିତ ହୋଇଥିଲା।
Comments are closed.