ବାଲ୍ୟବିବାହ, ମହିଳା ଓ ଶିଶୁ ଚାଲାଣ ନିରୋଧ ଆଇନ୍ର କଡ଼ାକଡ଼ି ଅନୁପାଳନ ସହ ଲୋକଙ୍କ ମାନସିକତାରେ ଆଣିବାକୁ ପଡ଼ିବ ପରିବର୍ତ୍ତନ
ଭୁବନେଶ୍ୱର : ବାଲ୍ୟ ବିବାହ, ମହିଳା ଓ ଶିଶୁ ଚାଲାଣ ନିରୋଧ ପାଇଁ କେବଳ ଆଇନ ପ୍ରଣୟନ କଲେ ହେବନି, ଆଇନ୍ର କଡ଼ାକଡ଼ି ଅନୁପାଳନ ସହ ଲୋକମାନଙ୍କ ମାନସିକତାରେ ପରିବର୍ତ୍ତନ ଆଣିବାକୁ ପଡ଼ିବ ବୋଲି ମହିଳା ଓ ଶିଶୁ ବିକାଶ, ମିଶନ ଶକ୍ତି ମନ୍ତ୍ରୀ ଶ୍ରୀମତୀ ବାସନ୍ତୀ ହେମ୍ବ୍ରମ୍ ମତବ୍ୟକ୍ତ କରିଛନ୍ତି।
ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ଆନୂକୁଲ୍ୟରେ ଆୟୋଜିତ ବାଲ୍ୟବିବାହ, ମହିଳା ଓ ଶିଶୁ ଚାଲାଣ ନିରୋଧ ଶୀର୍ଷକ ଆଲୋଚନାଚକ୍ରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ମନ୍ତ୍ରୀ ହେମ୍ବ୍ରମ୍ କହିଥିଲେ ଯେ ରାଜ୍ୟର ମହିଳାମାନଙ୍କ ବିକାଶ କ୍ଷେତ୍ରରେ ବାଲ୍ୟବିବାହ ଏକ ମୁଖ୍ୟ ପ୍ରତିବନ୍ଧକ। ଯଦିଓ ବାଲ୍ୟବିବାହ ବହୁ ପରିମାଣରେ ହ୍ରାସ ପାଇଛି, କିନ୍ତୁ ଏହାକୁ ସଂପୂର୍ଣ୍ଣ ଭାବରେ ବନ୍ଦ କରାଯିବା ଜରୁରୀ। ଆମ ପାଇଁ ଖୁସିର କଥା ପରିସଂଖ୍ୟାନ ଅନୁଯାୟୀ ଆମ ରାଜ୍ୟ ଓଡ଼ିଶାରେ ବାଲ୍ୟବିବାହ ଜାତୀୟ ହାରଠାରୁ କମ୍ ରହିଛି। ଅର୍ଥାତ୍ ଜାତୀୟ ହାର ୨୬.୮ ପ୍ରତିଶତ ଥିବାବେଳେ ଓଡ଼ିଶାରେ ଏହି ହାର ୨୧.୩ ପ୍ରତିଶତ ରହିଛି। ତଥାପି ଏହି ହାରକୁ ଯଥେଷ୍ଟ ହ୍ରାସ କରିବାର ଆବଶ୍ୟକତା ରହିଛି । ଏଥିପାଇଁ ମହିଳା ଓ ଶିଶୁ ବିକାଶ ଏବଂ ମିଶନ ଶକ୍ତି ବିଭାଗ ତରଫରୁ କିଛି ଯୋଜନାବଦ୍ଧ କାର୍ଯ୍ୟକ୍ରମ ହାତକୁ ନିଆଯାଉଛି।
ନାରୀଟିଏ ସମାଜରେ ନିଜକୁ ପ୍ରତିଷ୍ଠିତ କରିବାରେ ସଫଳ ହୁଏ ଯେତେବେଳେ ତା’ପାଖରେ ଉପଯୁକ୍ତ ଶିକ୍ଷା, ସ୍ୱାସ୍ଥ୍ୟସେବା ଏବଂ ସମାନତାର ଅଧିକାର ଉପଲବ୍ଧ। ସେତେବେଳେ ତା’ର ସଂପୂର୍ଣ୍ଣ ଶାରୀରିକ, ମାନସିକ ଏବଂ ଆତ୍ମିକ ବିକାଶ ସମ୍ଭବପର ହୋଇଥାଏ। କିନ୍ତୁ ପରିତାପର ବିଷୟ, ଆମ ସମାଜରେ ଏଭଳି ଅନେକ ମହିଳା ଅଛନ୍ତି ଯେଉଁମାନେ ଏକ ଆତ୍ମସମ୍ମାନପୂର୍ଣ୍ଣ ଜୀବନ ବଞ୍ଚିବାର ବହୁପୂର୍ବରୁ ଅର୍ଥାତ୍ ଛୋଟ ବେଳୁ ବାଲ୍ୟବିବାହର ଶିକାର ହୁଅନ୍ତି। ଆଜି ଏକବିଂଶ ଶତାବ୍ଦୀରେ ଗାଁଗହଳିରେ ବାଲ୍ୟବିବାହ ଭଳି ଘୃଣ୍ୟ ଅପରାଧ ଘଟିବା ଦୁର୍ଭାଗ୍ୟଜନକ। ୧୮ ବର୍ଷରୁ କମ୍ ବୟସର ଝିଅମାନେ ବାଲ୍ୟବିବାହର ଶିକାର ହେବା କେବଳ ଏକ ସାମାଜିକ କୁସଂସ୍କାର ନୁହେଁ, ଆଇନତଃ ଏହା ଏକ ଗୁରୁତର ଅପରାଧ। ଦାରିଦ୍ର୍ୟ, ଯୈାତୁକ ଦାବି, ସାମାଜିକ ଓ ଧାର୍ମିକ ଚାପ, ଝିଅ ଅବିବାହିତ ହୋଇ ରହିଯିବାର ଭୟ, ନିରକ୍ଷରତା ଓ ଝିଅମାନଙ୍କ କ୍ଷେତ୍ରରେ ରୋଜଗାର କରିବାର ଅକ୍ଷମତା ଅନେକ ସମୟରେ ବାଲ୍ୟ ବିବାହର କାରଣ ପାଲଟିଛିି।
ଝିଅମାନଙ୍କୁ ସଶକ୍ତ କରିବା ନିମନ୍ତେ ଆମ ରାଜ୍ୟ ସରକାର ସଂକଳ୍ପବଦ୍ଧ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆମ ରାଜ୍ୟର ଝିଅମାନଙ୍କ ଶିକ୍ଷା, ସ୍ୱାସ୍ଥ୍ୟ ଏବଂ ଦକ୍ଷତା ବିକାଶକୁ ସଦାସର୍ବଦା ପ୍ରାଥମିକତା ଦେଇଆସିଛନ୍ତି। ପ୍ରତ୍ୟେକ ଝିଅକୁ ଏଭଳି ଭାବରେ ଆମେ ଗଢ଼ିବାକୁ ଚାହୁଁଛୁ ଯେମିତି ସେ ଆତ୍ମନିର୍ଭରଶୀଳ ହେବ ଏବଂ ନିଜ ଜୀବନକୁ ସଠିକ୍ ଢଙ୍ଗରେ ପରିଚାଳିତ କରିପାରିବ।
ମହିଳା ଏବଂ ଶିଶୁ ଚାଲାଣ ବିରୋଧୀ ପଦକ୍ଷେପକୁ ଜୋର୍ଦାର କରିବା ଆବଶ୍ୟକ। ସମନ୍ୱିତ ମହିଳା ଏବଂ ଶିଶୁ ଚାଲାଣ ବିରୋଧୀ ୟୁନିଟମାନ ଗଠନ କରାଯାଇ ମାନବ ଚାଲାଣ ଅପରାଧଗୁଡିକୁ ମୁକାବିଲା କରିବାରେ ଧ୍ୟାନ ଦେବା, ପୋଲିସ୍, ଓକିଲ, ସେ୍ୱଚ୍ଛାସେବୀ ଅନୁଷ୍ଠାନ, ନାଗରିକ ସମାଜ ଓ ଗଣମାଧ୍ୟମର ମିଳିତ ଉଦ୍ୟମ, ପ୍ରତିକ୍ରିୟା ଓ ଆଭିମୁଖ୍ୟ, ବିଭିନ୍ନ ବିଭାଗର ପ୍ରତ୍ୟକ୍ଷ ସଂପୃକ୍ତି ଏବଂ ସହଯୋଗ, ସରକାରୀ ବିଭାଗ ଓ ନାଗରିକ ସମାଜ ମଧ୍ୟରେ ସହଯୋଗ, ପୀଡିତ ବା ପୀଡିତା କେନ୍ଦ୍ରିକ ଆଭିମୁଖ୍ୟକୁ ସୁନିଶ୍ଚିତ କରିବା ଜରୁରୀ। ଏ ଦିଗରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ନିଷ୍ଠାପର ଉଦ୍ୟମ ଜାରି ରଖିବ ବୋଲି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ପ୍ରକାଶ କରିଥିଲେ।
ଯୋଜନା ଓ ସଂଯୋଜନ ମନ୍ତ୍ରୀ ରାଜେନ୍ଦ୍ର ଢୋଲକିଆ ସମ୍ମାନିତ ଅତିଥି ଭାବେ ଯୋଗଦେଇ କହିଲେ ଯେ, ଝିଅମାନଙ୍କ ଶିକ୍ଷା ଉପରେ ଆମେ ସର୍ବାଧିକ ଗୁରୁତ୍ୱ ପ୍ରଦାନ କରୁଛୁ। ଝିଅମାନଙ୍କୁ ଅଧିକ ସଂଖ୍ୟାରେ ସ୍କୁଲ ଆସିବା ପାଇଁ ଉତ୍ସାହିତ କରିବା, ସେମାନଙ୍କୁ ବୃତ୍ତି ପ୍ରଦାନ, ସ୍କୁଲଗୁଡ଼ିକରେ ଭିତ୍ତିଭୂମି ବିକାଶ ଯେମିତି ହଷ୍ଟେଲ୍, ଶୌଚାଳୟ ନିର୍ମାଣ, ସେମାନଙ୍କୁ ଦକ୍ଷତା ବିକାଶ ନିମନ୍ତେ ପ୍ରଶିକ୍ଷଣ ପ୍ରଦାନ ଆଦି ପାଇଁ ସର୍ବତୋ ଭାବେ ଉଦ୍ୟମ କରୁଛୁ। ସେହିଭଳି ପ୍ରତି ପଞ୍ଚାୟତରେ ମଧ୍ୟ ବାଲ୍ୟବିବାହକୁ ରୋକିବା ଦିଗରେ ପଞ୍ଚାୟତ ପ୍ରତିନିଧିମାନଙ୍କର ବିଶେଷ ଭୂମିକା ରହିଛି।
ବାଲ୍ୟବିବାହ ବିରୋଧୀ ଅଭିଯାନରେ କେବଳ ମହିଳା ଓ ଶିଶୁ ବିକାଶ ବିଭାଗ ଏକାକୀ ସଫଳ ହୋଇପାରିବ ନାହିଁ। ଏଥିପାଇଁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ, ସ୍ୱାସ୍ଥ୍ୟ ବିଭାଗ, ପଞ୍ଚାୟତିରାଜ ବିଭାଗ ଏବଂ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରତ୍ୟକ୍ଷ ସଂପୃକ୍ତି ଏବଂ ସହଯୋଗ ଏକାନ୍ତ ଆବଶ୍ୟକ। ୟୁନିସେଫ୍ ସହଯୋଗରେ ଆମେ ରାଜ୍ୟରେ ବାଲ୍ୟବିବାହ ରୋକିବା ଦିଗରେ ବିଭିନ୍ନ କୌଶଳ ଅବଲମ୍ବନ କରିବା ପାଇଁ ନିରନ୍ତର ଉଦ୍ୟମ ଜାରି ରଖିଛୁୁ ବୋଲି ସେ ସେମାନଙ୍କୁ ଧନ୍ୟବାଦ ଦେଇଥିଲେ। ଆମ ରାଜ୍ୟର ଯେଉଁ ଅଞ୍ଚଳଗୁଡ଼ିକରେ ଅଧିକ ମାତ୍ରାରେ ବାଲ୍ୟବିବାହ ଅନୁଷ୍ଠିତ ହେଉଛି ସେଠାରେ ଆମର ଅଭିଯାନକୁ ଆହୁରି ବ୍ୟାପକ କରିବାକୁ ହେବ ବୋଲି ସେ ମତପ୍ରକାଶ କରିଥିଲେ।
ରାଜ୍ୟ ମହିଳା କମିଶନର ଅଧ୍ୟକ୍ଷା ଶ୍ରୀମତୀ ମିନତୀ ବେହେରା ରାଜ୍ୟର ୨୬ଟି ଜିଲାରେ ଏ ସମ୍ବନ୍ଧରେ ଆଲୋଚନା ଚକ୍ର ଆୟୋଗ ପକ୍ଷରୁ ଅନୁଷ୍ଠିତ ହୋଇସାରିଛି ବୋଲି କହିଥିଲେ । ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ଅଧ୍ୟକ୍ଷା କଲ୍ୟାଣୀ ନାୟକ ସ୍ୱାଗତ ଭାଷଣ ଦେଇ କହିଲେ ଯେ ୧୯୫୪ ମସିହାରେ ରାଜ୍ୟ ସମାଜ ମଙ୍ଗଳ ବୋର୍ଡ ପ୍ରତିଷ୍ଠା ହେବା ପରଠାରୁ ବିଭିନ୍ନ ମହିଳା ଓ ଶିଶୁ କଲ୍ୟାଣ କାର୍ଯ୍ୟକ୍ରମରେ ନିଜକୁ ସାମିଲ କରିଆସିଛି। ରାଜ୍ୟ ସମାଜ ମଙ୍ଗଳ ବୋର୍ଡର ସମସ୍ତ ସଦସ୍ୟସଦସ୍ୟାମାନଙ୍କୁ ମୁଖ୍ୟ ଅତିଥି ମନ୍ତ୍ରୀ ଶ୍ରୀମତୀ ହେମ୍ବ୍ରମ୍ ଉତ୍ତରୀୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବୋର୍ଡର ସଚିବ ଶ୍ରୀ ଶୋଭନ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ। ଏହାପରେ ଏ ସମ୍ବନ୍ଧରେ ଏକ ଦ୍ୱିତୀୟ ଅଧିବେଶନ ଆୟୋଜିତ ହୋଇ ‘ବାଲ୍ୟବିବାହ, ମହିଳା ଓ ଶିଶୁ ଚାଲାଣ ନିରୋଧ’ର ବିଭିନ୍ନ ଦିଗ ଉପରେ ବିଶଦ ଆଲୋଚନା ହୋଇଥିଲା।
Comments are closed.