ପାଇକ ଦିବସରେ ‘ପାଇକରେଜିମେଣ୍ଟ’ ଗଠନ ଦାବୀ ଜଣାଇଲା ପାଇକ ମହାସଂଘ
ଭୁବନେଶ୍ୱର: କେନ୍ଦ୍ର ସରକାର ତୁରନ୍ତ ପାଇକ ରେଜିମେଣ୍ଟ ଗଠନ କରି ଅଗ୍ରାଧିକାର ଭିତ୍ତିରେ ପାଇକ ପୁଅକୁ ନିଯୁକ୍ତି ଦେବାକୁ ନିଖିଳ ଓଡ଼ିଶା ପାଇକ ମହାସଂଘ ରାଜ୍ୟ ସଭାପତି ଅଶୋକ କୁମାର ପାଲଟାସିଂହ ଦାବୀ ଜଣାଇଛନ୍ତି। ରାଜ୍ୟସ୍ତରୀୟ ପାଇକ ଦିବସ ରାଜ୍ୟ ସଂଯୋଜକ ପାଇକଗୁରୁ କେଦାର ଦାସଙ୍କ ପୌରାହିତରେ ଭୁବନେଶ୍ୱରସ୍ଥିତ ବକ୍ସିଜଗବନ୍ଧୁଙ୍କ ପ୍ରତୀମୂର୍ତ୍ତି, ମ୍ୟୁଜିୟମ୍ ଛକଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ଚିଲିକା-ବାଣପୁର ବିଧାୟକ ପ୍ରଶାନ୍ତ ଜଗଦେବ ଯୋଗ ଦେଇ ବକ୍ସି ଜଗବନ୍ଧୁଙ୍କ ପ୍ରତୀମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବା ସହିତ ଆଜି ଦିନରେ ଭାରତ ବର୍ଷର ପ୍ରଥମ ସ୍ୱାଧୀନତା ସଂଗ୍ରାମ ‘ପାଇକ ବିଦ୍ରୋହ’ ବାଣପୁର ମାଟିରେ ଆରମ୍ଭ ହୋଇଥିଲା। ତେଣୁ ଆଜି ମାର୍ଚ୍ଚ ୨୯ ତାରିଖକୁ ପ୍ରତ୍ୟେକ ପାଇକ ‘ବିରତ୍ୱର ଦିବସ’ ବା ‘ପାଇକ ଦିବସ’ ଭାବରେ ପାଳନ କରିଥାନ୍ତି। ରାଜ୍ୟ ସରକାର ତୁରନ୍ତ ମାର୍ଚ୍ଚ ୨୯ ତାରିଖକୁ ପାଇକ ଦିବସ ଭାବରେ ପାଳନ କରିବା ସହିତ ପାଇକ ଦିବସ ଘୋଷଣା କରିବାକୁ ରାଜ୍ୟ ସରକାରଙ୍କ ନିକଟରେ ବରିଷ୍ଠ ପାଇକ ଗୁରୁ ତଥା ଖୋର୍ଦ୍ଧା ଜିଲା ସଭାପତି ପୂର୍ଣ୍ଣଚନ୍ଦ୍ର ପାଟ୍ଟଶାଣୀ ଦାବି ଜଣାଇଛନ୍ତି।
ପାଇକ ଆଖଡ଼ାକୁ ରାଜ୍ୟ କ୍ରୀଡ଼ାର ମାନ୍ୟତା ଦେବାକୁ ରାଜ୍ୟ ଉପସଭାପତି ଭୀମସେନ ପାଇକରାୟ ଦାବି ଜଣାଇଥିଲେ। ଆସନ୍ତା ମେ’ ମାସରେ ଭୁବନେଶ୍ୱରରେ ଏକ ବିଶାଳ ପାଇକ ସମାବେଶ ହେବ, ରାଜ୍ୟର ପ୍ରତ୍ୟେକ ଜିଲ୍ଲାରୁ ଲକ୍ଷେ ପାଇକ ତରବାରୀ ଢ଼ାଲ ସହିତ ଯୋଗ ଦେବାକୁ ରାଜ୍ୟ ସଂଯୋଜକ କେଦାର ଦାସ ଆହ୍ୱାନ ପ୍ରଦାନ କରିଥିଲେ। ମୁଖପାତ୍ର ରାଜୀବ ନୟନରଥ ପାଇକ ଦିବସ ମାର୍ଚ୍ଚ ୨୯ ତାରିଖ ଉପରେ ଆଲୋକପାତ କରିଥିଲେ ଏବଂ କେନ୍ଦ୍ର ସରକାର ପାଇକ ବିଦ୍ରୋହକକୁ ପ୍ରଥମ ସ୍ୱାଧୀନତା ସଂଗ୍ରାମର ମାନ୍ୟତା ଦେବାକୁ ଦାବି ଜଣାଇଥିଲେ।
ଏହି ଦିବସରେ ପୁରୀ ଜିଲ୍ଲା ଗଡ଼ ଦୋକନ୍ଦା ଦଳବେହେରା, ମନୋରଞ୍ଜନ ପଶ୍ଚିମ କବାଟ, ବରିଷ୍ଠ ପାଇକ ଗୁରୁ ଭାସ୍କର ସୁନ୍ଦରାୟ, ଜଗତ୍ସିଂହପୁର ଜିଲ୍ଲା ପାଇକ ଗୁରୁ ଗୋଲକ ଜୟସିଂହ, ସୁକାନ୍ତ ଷଣ୍ଢ, ବାଣପୁର ଚିଲିକା ପାଇକ ସଂଘ ସଭାପତି ପୂର୍ଣ୍ଣଚନ୍ଦ୍ର ପ୍ରଧାନ, ସମ୍ପାଦକ ବିଜୟ ବେହେରା, ପିପିଲି ସଭାପତି ଗୁଣନିଧି ବେହେରା, ନୟାଗଡ଼ ଜିଲ୍ଲା ପାଇକ ଗୁରୁ ଜେନା, ଓଡ଼ିଶାର ବିଭିନ୍ନ ଜିଲାରୁ ଆସିଥିବା ପାଇକଗୁରୁମାନେ ଯୋଗଦାନ କରିଥିଲେ। ଶେଷରେ ବେଲପଡ଼ ପାଇକ ଆଖଡ଼ା, ସୁକାନ୍ତ ଷଣ୍ଢ, ପାଇକ ଆଖଡ଼ା, ପିପିଲ, କଣାସ ଆଖଡ଼ା ସଂଘ ପକ୍ଷରୁ ପାଇକ ଆଖଡ଼ା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।
Comments are closed.