ଖେତ ଉଜାଡ଼ିଲା ପଶ୍ଚିମାଝଡ଼
ବଜ୍ରପାତ ନେଲା ୨ ଜୀବନ, କାନ୍ଥପଡ଼ି ଶିଶୁ ମୃତ୍ୟୁ ଅଭିଯୋଗ, ୫ ଜିଲାରେ ବ୍ୟାପକ କ୍ଷତି, ତାଣ୍ଡବ ରଚିଲା ପବନ, ଭାଙ୍ଗିଲା ଘରଦ୍ବାର
ଭୁବନେଶ୍ବର : ପଶ୍ଚିମାଝଡ଼ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବ୍ୟାପକ କୁଆପଥର ମାଡ଼, ବିଜୁଳି ଘଡଘଡ଼ି ଏବଂ ପ୍ରବଳ ବର୍ଷା ହୋଇଛି। ଏଥିସହ ଏକାଧିକ ଜିଲାରେ ଘଣ୍ଟା ପ୍ରତି ୮୦ କିମି ବେଗରେ ପବନ ବହିବା ହେତୁ ବ୍ୟାପକ କ୍ଷୟକ୍ଷତି ଘଟିଛି। ଉତ୍ତରରୁ ଦକ୍ଷିଣ ଏବଂ ପୂର୍ବରୁ ପଶ୍ଚିମ ଏବଂ ଆଭ୍ୟନ୍ତରୀଣ ଓଡ଼ିଶାରେ ବ୍ୟାପକ ଫସଲ କ୍ଷତି କରିଛି ଝଡ଼ବର୍ଷା। ଏହି ଅଦିନିଆ ବର୍ଷା କେଉଁ ଜିଲାରେ ଧାନଚାଷ କ୍ଷତି କରିଛି ତ ଆଉ କେଉଁ ଜିଲାରେ ରବି ଚାଷ ଉଜାଡି ଦେଇଛି। କାଳବୈଶାଖୀ ଜନିତ ଝଡ଼ପବନ ବହିବା ଯୋଗୁଁ ଗଛ ଭାଙ୍ଗି ଘର ଉପରେ ପଡିବା ଦ୍ବାରା ବ୍ୟାପକ କ୍ଷତି କରିଛି। ଉତ୍ତର ଓଡ଼ିଶାରେ ପଶ୍ଚିମାଝଡ଼ର ପ୍ରକୋପରେ ଭଦ୍ରକ ଓ ବାଲେଶ୍ୱର ଜିଲାରେ ବଜ୍ରାଘାତ ଘଟି ୨ ଜଣଙ୍କ ମୃତ୍ୟୁ ହୋଇଛି। ଜଣେ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ନଜରକୁ ଆସିଛି। ମାଲକାନଗିରିରେ କାନ୍ଥ ପଡ଼ି ଜଣେ ଶିଶୁର ଜୀବନ ଯାଇଛି। ବାଲେଶ୍ବର, ଭଦ୍ରକ, କୋରାପୁଟ ଓ ମାଲକାନଗିରିରେ ଝଡ଼ତୋଫାନ ଯୋଗୁଁ ଘର ଉପରୁ ଚାଳ ଏବଂ ଆଜବେଷ୍ଟସ୍ ଛପର ଉଡାଇ ନେଇଥିବା ବେଳେ ଅନେକ ପରିବାର ଗୃହଶୂନ୍ୟ ହୋଇପଡିଛନ୍ତି।
ଭଦ୍ରକ ବାସୁଦେବପୁରରେ ବଜ୍ରାଘାତରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି। ଅନ୍ୟ ଦୁଇ ଗୁରୁତରଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ମୃତକ ଜଣକ ବାଂଶବଡା ଥାନା ଅଧିନ କରଞ୍ଜମାଳ ଗୁଆଁଶୁଳ ଗ୍ରାମର କାର୍ତ୍ତିକ ମାଝି। ବାଲେଶ୍ୱର ସିମୁଳିଆର ରାମକୃଷ୍ଣପୁର ଗାଁରେ ବଜ୍ରାଘାତରେ ଜଣେ ଷଷ୍ଠ ଶ୍ରେଣୀ ଛାତ୍ରୀର ଅକାଳ ବିୟୋଗ ଖବର ଆସିଛି। ମାଲକାନଗିରି ପଡିଆ ବ୍ଲକ ମେଟାଗୁଡ଼ା ଗାଁରେ କାନ୍ଥ ଭୁଶୁଡ଼ି ପଡ଼ି ଜଣେ ଶିଶୁର ମୃତ୍ୟୁ ହୋଇଥିବା ବେଳେ ମାଆ-ବାପା ଗୁରୁତର ଆହତ ହୋଇଛନ୍ତି ା ଅନ୍ୟପଟେ ଦେଖିଲେ, ମାଲକାନଗିରି, କୋରାପୁଟ, ପୁରୀ, ନବରଙ୍ଗପୁର, ବାଲେଶ୍ବର, ଭଦ୍ରକ ଏବଂ ମୟୂରଭଞ୍ଜରେ ପଶ୍ଚିମାଝଡ଼ ବ୍ୟାପକ କ୍ଷତି କରିଥିବା ନଜରକୁ ଆସିଛି। କିନ୍ତୁ ପଶ୍ଚିମାଝଡ଼ ସଂକ୍ରାନ୍ତରେ କ୍ଷୟକ୍ଷତି ନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ଦିଆଯାଇ ନାହିଁ।
ମିଳିଥିବା ସୂଚନାନୁଯାୟୀ, ପୁରୀ ଜିଲାରେ ବର୍ଷା ସହିତ ପବନ ବହିବା ଯୋଗୁଁ ବ୍ରହ୍ମଗିରି ବ୍ଲକର ଶହଶହ ଏକର ଜମିରେ ହୋଇଥିବା ପାଚିଲା ଧାନକ୍ଷେତ ବର୍ଷା ପାଣିରେ କ୍ଷତିଗ୍ରସ୍ତ ହୋଇଛି। ଏହି ବ୍ଲକର ଗୋରୁଆଳ, ଆମ୍ବପଡା, କପିଳେଶ୍ୱରପୁର, କଡାୟତି, ପଲଙ୍କ, ବେଣ୍ଟପୁର, ବ୍ରହ୍ମଗିରି, ନିଆଜପୁର, ଗଡରୋଡଙ୍ଗ, ଭୁବନପୁର, ମଣପଡା, ରାୟବିଧାର, ଡିମିରିଶେଣା, କୁସୁବେଣ୍ଟି ଓ ତଳମାଳ ସମେତ ୨୫ଟି ପଞ୍ଚାୟତରେ ଧାନଚାଷ ଉଜୁଡି ଯାଇଛି। କାଳବୈଶାଖୀ ବର୍ଷା ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗି ଦେଇଛି। ଅନେକ ଚାଷୀ ଧାନି କାଟି ଜମିରେ ପକାଇଥିଲେ; କିନ୍ତୁ ବର୍ଷା ପୂର୍ବରୁ ଫସଲକୁ ଘରକୁ ନେଇପାରି ନଥିଲେ। ଜମିରେ ପାଣି ଜମିବା ଦ୍ବାରା ସବୁ ଅମଳ ଫସଲ ନଷ୍ଟ ଧୋଇ ହୋଇଯାଇଛି। ଚାଷୀମାନେ ଜମିରୁ ଧାନକୁ ଝାଣି ରାସ୍ତାକଡରେ ଆଣି ସୁଖାଇଛନ୍ତି। ସବୁଠାରୁ ବେଶୀ କ୍ଷତିଗ୍ରସ୍ତ ହୋଇଛନ୍ତି ଶଙ୍କର ଜାତୀୟ(ହାଇବ୍ରିଡ୍) ଧାନଚାଷ କରିଥିବା ଚାଷୀଙ୍କ ଫସଲ। ଗୁଣ୍ଡିପୋକ ଆତଙ୍କରୁ କାଳବୈଶାଖୀ ବର୍ଷାବୋଝ ଉପରେ ଲଲିତା ବିଡା ସଦୃଶ ହୋଇଛି। ବ୍ରହ୍ମଗିରି ଚାଷୀଙ୍କ ଏକମାତ୍ର ଆୟ ଧାନ ଓ ପରିବା ଫସଲ ଗୁଡିକ କାଳବୈଶାଖୀ ବର୍ଷା ଯୋଗୁଁ ଉଜୁଡି ଯିବାରୁ ଚାଷୀ ମୁଣ୍ଡରେ ହାତଦେଇ ବସିଛନ୍ତି। ନବରଙ୍ଗପୁରରେ ୩୪.୨ ମିମି ବର୍ଷା ସହିତ ଅଣଚାଷ ବେଗରେ ପବନ ବହିବା ହେତୁ ମକା ଫସଲ କ୍ଷତିଗସ୍ତ ହୋଇଛି। ଜିଲାରେ ଚାଷୀମାନେ ବ୍ୟାପକ ମକାଚାଷ କରିଥିଲେ; କିନ୍ତୁ ଏହି ଅଦିନିଆ ବର୍ଷା ସେମାନଙ୍କ ଫସଲକୁ ମୋଡିମକଚି ଭାଙ୍ଗି ଦେଇଛି। ଉମରକୋଟ ଅଞ୍ଚଳରେ ନଷ୍ଟ ହୋଇଛି ଏକର ଏକର ଜମିରେ ଫଳିଥିବା ମକା ଫସଲ। ପବନ ମାଡ଼ରେ କ୍ଷେତରେ ଶୋଇଯାଇଛି ଫୁଲ ଓ ଫଳ ଧରିଆସିଥିବା ମକା। ଆଜି ଚାଷୀମାନେ ଜମିକୁ ଯାଇ ମକା ଗଛ ସଳଖୁଥିବା ବେଳେ ସବୁ ଫସଲ ଭୂମିରେ ନଷ୍ଟ ହୋଇ ପଡିଛି। କୋରାପୁଟରେ କୁଆପଥର ମାଡ଼ ସହି ତୁହାକୁ ତୁହା ବର୍ଷା ଯୋଗୁଁ ପରିବା ଚାଷ ଉଜାଡି ଦେଇଛି। ଜିଲାର ଲେନ୍ଦିରି ମାଳିଗୁଡ଼ା ଅଞ୍ଚଳରେ ବାଇଗଣ, ଭେଣ୍ଡି, କଲରା ଓ କାକୁଡ଼ି ଆଦି ବିଭିନ୍ନ କିସର ପରିବା ଫସଲ ନଷ୍ଟ କରିଛି। କୋବି, ବାଇଗଣ ସହ ଅନ୍ୟାନ୍ୟ ପନିପରିବା ଜାତୀୟ ଫସଲ ଉଜାଡି ଦେଇଛି ପଶ୍ଚିମାଝଡ଼। ବାଲେଶ୍ୱରର ଜଳେଶ୍ୱର ଅଞ୍ଚଳରେ ମଧ୍ୟ ବ୍ୟାପକ ପରିମାଣରେ କଖାରୁ, ତରଭୁଜ ଓ ଜହ୍ନି ଫସଲ କ୍ଷତି ହୋଇଛି। ତିନିଦିନ ଧରି କୋହଲା ପାଗ ସାଙ୍ଗକୁ କାଲିର କୁଆପଥର ବର୍ଷାରେ ପାଣିରେ ଲୋଟୁଛି ଏକର ଏକର ଜମିରେ ହୋଇଥିବା ପରିବା ଫସଲ।
କୋରାପୁଟର ଦଶରଥପୁର ଓ ପଟାଙ୍ଗି ବ୍ଲକର ବିଭିନ୍ନ ସ୍ଥାନରେ ଘର ଆଜବେଷ୍ଟସ ଛପର ଉଡିବା ଗଛ ଉପୁଡ଼ି ଘର ଭାଙ୍ଗିଥିବା ଚିତ୍ର ବି ସାମ୍ନାକୁ ଆସିଛି। ମାଲକାନଗିରିର କାଲିମେଳା ବ୍ଲକର ଏମପିଭି୪୧ ଗ୍ରାମରେ ୩୦ରୁ ଅଧିକ ଘର ଭାଙ୍ଗିଛି। ବଡ଼ବଡ଼ ଗଛ ଉପୁଡି ପଡିଥିଲା। ମାଟିକାନ୍ଥ ଭୁଶୁଡି ପଡିଥିଲା। ଗାଁର ଅଭିଜିତ ମଣ୍ଡଳଙ୍କ ଘର ଉପରେ ବଡ଼ ଚାକୁଣ୍ଡା ଗଛ ଉପୁଡି ପଡ଼ିବାରୁ ଶୋଇଥିବା ତାଙ୍କ ପରିବାର ଭଗବାନଙ୍କ କୃପାରୁ ଅଳ୍ପକେ ବର୍ତ୍ତିଯାଇଥିଲେ। ପରିବାର ଲୋକେ ସିନା ବଞ୍ଚିଗଲେ ହେଲେ ଘର ସମ୍ପୂର୍ଣ୍ଣ ଭାଙ୍ଗି ଯାଇଥିଲା। ଗାଁର ସରୋଜିତ ମଣ୍ଡଳ, ଆରତୀ ମଣ୍ଡଳଙ୍କ ପରି ୩୦ରୁ ଅଧିକ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇଥିବାର ଜଣାପଡ଼ିଛି। ଏମପିଭି ୪୧ ଗ୍ରାମରେ ଝଡ଼ ଓ ବର୍ଷା ଯୋଗୁଁ କ୍ଷୟକ୍ଷତିର ଖବର ପାଇ କାଲିମେଳା ତହସିଲଦାର ଓ ରାଜସ୍ବ ନିରୀକ୍ଷକ ଉକ୍ତ ଗ୍ରାମରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି।
Comments are closed.