ଅମୃତପାଲ ପଳାତକ ଘୋଷିତ

ଗିରଫ ୪ ସମର୍ଥକ ଦିବ୍ରୁଗଡ଼ ସ୍ଥାନାନ୍ତର

ନୂଆଦିଲ୍ଲୀ : ଖଲିସ୍ତାନ ସପକ୍ଷବାଦୀ ନେତା ତଥା ‘ୱାରିସ୍‌ ପଞ୍ଜାବ ଦେ’ ମୁଖ୍ୟ ଅମୃତପାଲ ସିଂହଙ୍କୁ ଗିରଫ କରିବାକୁ ରବିବାର ଦ୍ବିତୀୟ ଦିନ ପାଇଁ ପଞ୍ଜାବ ପୁଲିସ ବିଭିନ୍ନ ସ୍ଥାନରେ ଚଢଉ ଜାରି ରଖିଛି। ଅମୃତପାଲଙ୍କୁ ଗିରଫ କରିବା ଲାଗି ଶନିବାର ଠାରୁ ପୁଲିସ ଚଢଉ ଆରମ୍ଭ ହୋଇଛି। ଏଥିପାଇଁ ପଞ୍ଜାବରେ ଇଣ୍ଟରନେଟ୍‌, ଏସ୍‌ଏମ୍ଏସ୍ ଓ ଡୋଙ୍ଗଲ ସେବାକୁ ସୋମବାର ପର୍ଯ୍ୟନ୍ତ ନିଷିଦ୍ଧ କରାଯାଇଛି। ରାଜ୍ୟ ସରକାରଙ୍କ କହିବା ଅନୁଯାୟୀ ସୋମବାର ମଧ୍ୟାହ୍ନ ୧୨ଟା ପର୍ଯ୍ୟନ୍ତ ଏହି ସେବା ବନ୍ଦ ରହିବ। ଲୋକଙ୍କ ସୁରକ୍ଷା ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି। କାରଣ ଅମୃତପାଲଙ୍କୁ ଗିରଫ ପାଇଁ ପୁଲିସ ଚଢଉ ଜାରି ରଖିଥିବାରୁ ତାଙ୍କ ସମର୍ଥକମାନେ ଏକଜୁଟ୍ ହୋଇ ହିଂସାକାଣ୍ଡ ଘଟାଇବାର ଆଶଙ୍କା ପ୍ରକାଶ କରାଯାଇଛି। ଇଣ୍ଟରନେଟ୍ ସେବା ବନ୍ଦ ସତ୍ତ୍ବେ ବ୍ରଡବ୍ୟାଣ୍ଡ ସେବା ଚାଲୁ ରହିଛି। ତେଣୁ ଡିଜିଟାଲ ବ୍ୟାଙ୍କ କାରବାର କୌଣସି ପ୍ରକାର ପ୍ରଭାବିତ ହେବାର ନାହିଁ। ହିଂସା ଏଡାଇବା ଲାଗି ଅମୃତପାଲଙ୍କ ପୈତୃକ ଗ୍ରାମ ଜାଲୁ ଖେଦାରେ ବ୍ୟାପକ ପୁଲିସ ମୁତୟନ କରାଯାଇଛି। ବିଭିନ୍ନ ଜିଲାରେ ୧୪୪ ଧାରା ଜାରି କରାଯାଇଛି। ଏହା ସହିତ ପଞ୍ଜାବ ଓ ହିମାଚଳ ପ୍ରଦେଶରେ ହାଇଆଲର୍ଟ ଜାରି କରାଯାଇଛି। ଅମୃତପାଲ ଓ ତାଙ୍କ ସହଯୋଗୀଙ୍କ ବିରୋଧରେ ପୁଲିସ ରବିବାର ଆଉ କେତେକ ମାମଲା ରୁଜୁ କରିଛି। ଅସ୍ତ୍ରଶସ୍ତ୍ର ନିରୋଧ ଆଇନ ଅନୁଯାୟୀ ଏହି ମାମଲା ରୁଜୁ କରାଯାଇଛ। ଏହା ସହିତ ଅମୃତପାଲଙ୍କ ଆଉ କେତେକ ସମର୍ଥକଙ୍କୁ ମଧ୍ୟ ପୁଲିସ ରବିବାର ଗିରଫ କରିଛି।
ଅନ୍ୟପଟେ ଜଳନ୍ଧର ପୁଲିସ ଆୟୁକ୍ତ କୁଲଦୀପ ସିଂହ ଚହଲ କହିଛନ୍ତି ଯେ ଅମୃତପାଲଙ୍କୁ ପଳାତକ ଘୋଷଣା କରାଯାଇଛି। ତାଙ୍କୁ ଯଥାଶୀଘ୍ର ଗିରଫ କରାଯିବ। ଶନିବାର ହୋଇଥିବା ଚଢଉ ବେଳେ ଅମୃତପାଲଙ୍କ ୬ଜଣ ସହଯୋଗୀଙ୍କ ସହିତ ତାଙ୍କ ସଂଗଠନର ୭୮ଜଣ ସଦସ୍ୟଙ୍କୁ ଗିରଫ କରାଯାଇଥିଲା। ଗିରଫ ପରେ ୪ଜଣ ସମର୍ଥକଙ୍କୁ ପୁଲିସ ରବିବାର ଆସାମ ନେଇ ଆସିଛି। ସେମାନଙ୍କୁ ଦିବ୍ରୁଗଡ କେନ୍ଦ୍ରୀୟ ଜେଲ୍‌ରେ ରଖାଯାଇଛି। ଶନିବାର ଚଢ଼ଉ ସମୟରେ ପୁଲିସ ୮ଟି ରାଇଫଲ୍‌, ଗୋଟିଏ ରିଭଲଭର ଓ ୩୭୩ଟି କାଟ୍ରିଜ୍ ଜବତ କରିଥିଲା। ଗତମାସରେ ଅମୃତପାଲ୍‌ ଓ ତା’ର ଅନେକ ସମର୍ଥକ ଅଜନାଲ୍‌ ଥାନା ଉପରେ ଆକ୍ରମଣ କରିଥିବା ନେଇ ଏକ ମାମଲା ରୁଜୁ ହୋଇଛି। ନିଜ ସହଯୋଗୀଙ୍କୁ ପୁଲିସ କବଳରୁ ମୁକ୍ତ କରିବା ଲାଗି ଅମୃତପାଲ୍‌ ନିଜ ସମର୍ଥକଙ୍କ ସହ ମାରଣାସ୍ତ୍ରରେ ସଜ୍ଜିତ ହୋଇ ଥାନା ଉପରେ ଆକ୍ରମଣ କରିଥିଲେ। ଖଲିସ୍ତାନ ସମର୍ଥକଙ୍କ ଏହି ଆକ୍ରମଣ ଦେଶବ୍ୟାପୀ ଚର୍ଚ୍ଚାର ବିଷୟ ହୋଇଥିଲା। ଏପରିକି ପଞ୍ଜାବରେ ପୁନର୍ବାର ଖଲିସ୍ତାନ ଆନ୍ଦୋଳନ ମୁଣ୍ଡ ଟେକିବାର ଆଭାସ ମିଳିଥିଲା। ଆଉ ମଧ୍ୟ ପୁଲିସ ଅମୃତପାଲଙ୍କ ସମର୍ଥକଙ୍କୁ ବିନା ପ୍ରତିରୋଧରେ ମୁକ୍ତ କରିଦେବାକୁ ନେଇ ରାଜ୍ୟ ସରକାରଙ୍କ ସମାଲୋଚନା କରାଯାଇଥିଲା।

Comments are closed.