ନାମ ସଂକୀର୍ତ୍ତନର ମୌଳିକତା ଅକ୍ଷୁର୍ଣ୍ଣ ରହୁ
ପଶ୍ଚିମ ଓଡିଶାର ସଂକୀର୍ତ୍ତନ ପରିଷଦର ତ୍ରୟୋଦଶ ବାର୍ଷିକୋତ୍ସବ
ସମ୍ବଲପୁର : ହରିନାମ ସଂକୀର୍ତ୍ତନ ଚିତ୍ତଶୁଦ୍ଧି, ମନ ନିର୍ମଳ ଓ ଇନ୍ଦ୍ରିୟ ଗୁଡିକୁ ଆଧ୍ୟାତ୍ମିକ ଚିନ୍ତନରେ ଆବଦ୍ଧ କରି ରଖିଥାଏ । କିନ୍ତୁ ଏବେ କୀର୍ତ୍ତନ ମନୋରଞ୍ଜନର ମାଧ୍ୟମ ହୋଇଯାଇଥିବାରୁ, ପ୍ରତ୍ୟେକ କଳାକାର ଏହାର ମୌଳିକାତାକୁ ବଞ୍ଚାଇ ରଖିବା ପାଇଁ ଉଦ୍ୟମ କରିବାକୁ ବିଶିଷ୍ଟ ବ୍ୟକ୍ତି ମାନେ ଆହ୍ୱାନ ଦେଇଛନ୍ତି। ରବିବାର ମାନେଶ୍ୱର ବ୍ଲକର ପରମାଣପୁର ଠାରେ ପଶ୍ଚିମ ଓଡିଶା ସଂକୀର୍ତ୍ତନ ପରିଷଦର ତ୍ରୟୋଦଶ ବାର୍ଷିକ ଉତ୍ସବରେ ରେଙ୍ଗାଲି ବିଧାୟକ ନାଉରୀ ନାଏକ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ କୀର୍ତ୍ତନର ପରମ୍ପରାକୁ ବଜାୟ ରଖିବା ପାଇଁ କଳାକାର ମାନଙ୍କୁ ପରାମର୍ଶ ଦେବା ସହ ତାଙ୍କର ସମସ୍ୟା ପ୍ରତି ଦୃଷ୍ଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ। ଅବସରପ୍ରାପ୍ତ ପ୍ରାଧ୍ୟାପକ ତଥା ସଂସ୍କୃତି ଗବେଷକ ଡକ୍ଟର ଶ୍ୟାମ ସୁନ୍ଦର ଧର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇ କହିଥିଲେ ଯେ, ପଡୋଶୀ ରାଜ୍ୟ ବଙ୍ଗାଳରୁ ଆମ ରାଜ୍ୟକୁ ଆସିଥିବା ନାମ ସଂକୀର୍ତ୍ତନର ଚେର ପଶ୍ଚିମ ଓଡିଶାରେ ବହୁ ଗଭୀରକୁ ପ୍ରବେଶ କରିଛି । ଖଟିଖିଆ କୃଷିଜୀବୀ ମାନେ ଦିନ ତମାମ ପରିଶ୍ରମ କରି ସନ୍ଧ୍ୟାରେ କିଛି ସମୟ ବୈଠକୀ ଘରେ କିମ୍ବା ଭାଗବତ ଟୁଙ୍ଗୀରେ କୀର୍ତ୍ତନ କରି ଭଗବତ ପ୍ରେମରେ ମଜ୍ଜି ରହୁଥିଲେ। ତେବେ ଏ କଳାର ବର୍ତ୍ତମାନ ଅବକ୍ଷୟ ଘଟୁଛି । ତେଣୁ ଏହା ଯେପରି କଳୁଷିତ ନ ହେବ ଏବଂ ଆଧ୍ୟାତ୍ମିକ ଚେତନାର ପ୍ରକୃତ ବାର୍ତ୍ତା ଲୋକଙ୍କ ପାଖରେ ପହଞ୍ଚାଇବ, ସେ ଦିଗରେ ଦୃଷ୍ଟି ଦେବାର ଆବଶ୍ୟକତା ଥିବା କହିଥିଲେ। ବିଶିଷ୍ଟ ଅତିଥି ପଦ୍ମଶ୍ରୀ ମିତ୍ରଭାନୁ ଗୌନ୍ତିଆ ସଂକୀର୍ତ୍ତନରେ କିପରି ଲୋକ ଗୀତର ଛାପ ଅଛି, ସେ ସମ୍ପର୍କରେ ଆଲୋକପାତ କରିଥିଲେ। ଓଡିଶା ସଙ୍ଗୀତ ନାଟକ ଏକାଡେମୀର ସମ୍ପାଦକ ପ୍ରବୋଧ କୁମାର ରଥ, କର୍ଣ୍ଣେଲ ପ୍ରଭାତ କୁମାର ପଣ୍ଡା, ମାନେଶ୍ୱର ବ୍ଲକ ଉପାଧ୍ୟକ୍ଷ ନରେନ୍ଦ୍ର କୁମାର ମିଶ୍ର ଓ ପରମାଣପୁର ସରପଞ୍ଚ ମହେନ୍ଦ୍ର କୁମାର ନାଥ ସମ୍ମାନିତ ଅତିଥି ରୂପେ ଯୋଗ ଦେଇ ଓଡ଼ିଶାର ସଂକୀର୍ତ୍ତନ କଳା ଏକତାର ପ୍ରତୀକ ହେଉ ବୋଲି ମତ ରଖିଥିଲେ। ଏହି ଅବସରରେ ପ୍ରକାଶିତ ଏକ ସ୍ମରଣିକାକୁ ଅତିଥି ମାନେ ଦ୍ୱାରା ଉନ୍ମୋଚନ କରିଥିଲେ। ପରିଷଦର ସଭାପତି ବରିଷ୍ଠ ସାମ୍ବାଦିକ ହେମନ୍ତ କୁମାର ମହାପାତ୍ରଙ୍କ ଅଧ୍ୟକ୍ଷତା ତଥା ଅଧ୍ୟାପକ ତୁଷାର ରଞ୍ଜନ ବାରିକଙ୍କ ସଂଯୋଜନାରେ ଆୟୋଜିତ ଏହି ଉତ୍ସବରେ ସମ୍ପାଦକ ଲୋକନାଥ ମିଶ୍ର ବିବରଣୀ ପାଠ କରିଥିବା ବେଳେ ସନ୍ତୋଷ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ।
ଅପରାହ୍ନ ଅଧିବେଶନରେ କଣ୍ଟାବାଞ୍ଜି ସ୍ଥିତ ଶ୍ରୀ ରାଧାମାଧବ ମନ୍ଦିରର ମହନ୍ତ ଅଦ୍ୱୈତ ଚରଣ ଦାସ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ସଂକୀର୍ତ୍ତନର ସ୍ରଷ୍ଟା ମହାପ୍ରଭୁ ଶ୍ରୀ ଚୈତନ୍ୟଙ୍କ ଜୀବନୀ ଉପରେ ଆଲୋକପାତ କରି କଳି ଯୁଗରେ ସଂକୀର୍ତ୍ତନ ହିଁ ମୋକ୍ଷ ପ୍ରାପ୍ତିର ଏକମାତ୍ର ମାଧ୍ୟମ ବୋଲି କହିଥିଲେ । ଏଥିରେ ଉତ୍ତର ପ୍ରଦେଶର ଚମ୍ବଲ ପୀଠଧିଶ୍ୱର ମହନ୍ତ ସୁନ୍ଦର ଦାସ, ଝାଡଖଣ୍ଡ ରାମରେଖା ଧାମର ବାବା ଉମାକାନ୍ତ ପ୍ରପନ୍ନ ଜୀ, ବଲାଙ୍ଗୀର ଜିଲା ଖୁଟଲୀମୁଣ୍ଡାର ବାବା ସରଜୁ ଦାସ ଓ ବାବା ସଦାନନ୍ଦ ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ । ଏହି ଅବସରରେ ୨୦୨୩ ବର୍ଷ ପାଇଁ କନ୍ଧମାଳ ଜିଲାର କୀର୍ତ୍ତନ ଗୁରୁ ଶ୍ରୀ ଗୁପ୍ତେଶ୍ୱର କହଁରଙ୍କୁ ଶ୍ରୀ ଚୈତନ୍ୟ ପୁରସ୍କାର, ବଲାଙ୍ଗୀର ଜିଲାର ଭରତ ଚନ୍ଦ୍ର ସାହୁଙ୍କୁ ଗାୟକ ରତ୍ନ ସମ୍ମାନ ଓ କଳାହାଣ୍ଡି ଜିଲାର ଶ୍ରୀ ଜିତେନ୍ଦ୍ର ପୁଞ୍ଜିଙ୍କୁ ବାୟକ ରତ୍ନ ସମ୍ମାନ ପ୍ରଦାନ କରାଯାଇଥିଲା । ଏହାଛଡା ପରମାଣପୁରର ବିଶିଷ୍ଟ ନାଟ୍ୟ ନିର୍ଦେଶକ ବ୍ରଜେନ୍ଦ୍ର କୁମାର ମିଶ୍ର, କଳାକାର କାହ୍ନୁ ଚରଣ ନାଥ ଓ କବି ବିଭୁତି ନାଥ, ବଳରାମ ମାହାନା ଓ ସୁରଥ ମିଶ୍ରଙ୍କୁ ମଧ୍ୟ ସମ୍ମାନିତ କରା ଯାଇଥିଲା । ପରିଷଦର ଉପଦେଷ୍ଟା ଲଳିତ ଭୋଇ, ରାଜେନ୍ଦ୍ର ବେହେରା, ରାଜେନ୍ଦ୍ର ଅଗ୍ରୱାଲ, ପ୍ରଭାରୀ ରାଧେକୃଷ୍ଣ ପଣ୍ଡା, କୀର୍ତ୍ତନ ଗୁରୁ ଗୁଣାକର ଶତପଥି, ରାଧାକାନ୍ତ ପାଣିଗ୍ରାହୀ, ଅରୁଣ କୁମାର ସାହୁ, ସବିତା ପାଣିଗ୍ରାହୀ, ଦିଲ୍ଲୀପ ବଢ଼େଇ ପ୍ରମୁଖ କଳାକାର ମାନଙ୍କୁ ସମ୍ମାନିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ୧୧ଟି ଜିଲାରୁ ଆସିଥିବା ପ୍ରାୟ ଏକ ହଜାର କଳାକାର ନିଜର ନମୁନା କୀର୍ତ୍ତନ ପରିବେଷଣ କରିଥିଲେ ।
Comments are closed.