ପ୍ରଶାସନିକ ଅବହେଳା ପାଇଁ ଆଗକୁ ବଢିପାରୁନି କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ

ଭିତ୍ତିପ୍ରସ୍ତର ହେବାର ପ୍ରାୟ ୨ଧରି ପଡିରହିଛି

ଗୁରୁଡିଝାଟିଆ :  ଆଠଗଡ ବ୍ଲକ ଅନନ୍ତପୁର ପଞ୍ଚାୟତର ବ୍ରହ୍ମପୁର ଏକ ସଂସ୍କୃତିସଂପନ୍ନ ଓ ଭାଇଚାରାର ଗାଁ । ଅଧିକାଂଶ ଜନସାଧାରଣ କୃଷି ଉପରେ ନିର୍ଭରଶୀଳ । ପଞ୍ଚାୟତର ଜନସାଧାରଣଙ୍କ ପାଇଁ ସରକାରଙ୍କ ପକ୍ଷରୁ ଏକ କଲ୍ୟାଣ ମଣ୍ଡପ ନିର୍ମାଣ ପାଇଁ ବ୍ରହ୍ମପୁର ଠାରେ ସ୍ଥାନ ନିରୁପଣ କରାଯାଇଥିଲା । ୨୦୨୧ ଅପ୍ରେଲ ପ୍ରଥମ ସପ୍ତାହରେ ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କଲ୍ୟାଣ ମଣ୍ଡପର ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ । ଏହି କଲ୍ୟାଣ ମଣ୍ଡପଟି ପଞ୍ଚାୟତବାସୀଙ୍କ ଅଶେଷ କଲ୍ୟାଣରେ ଆସିବ ବୋଲି ଲକ୍ଷ୍ୟରଖି ଭିତ୍ତିପ୍ରସ୍ତର ସ୍ଥାପନ କରାଯାଇଥିଲା । ପଞ୍ଚାୟତର ଜନସାଧରଣ ବିବାହ ଉତ୍ସବ, ବ୍ରତ, ଜନ୍ମଦିନ ଓ ଅନ୍ୟାନ୍ୟ ବୈଠକ ଆଦି ସୁରୁଖୁରୁରେ ସ୍ୱଳ୍ପମୂଲ୍ୟରେ କରିପାରିଥାନ୍ତେ । ହେଲେ ଭିତ୍ତିପ୍ରସ୍ତର ସ୍ଥାପନର ପ୍ରାୟ ୨ବର୍ଷ ହେବାକୁ ବସିଲାଣି । ନିର୍ମାଣକାର୍ଯ୍ୟ ସରିବାର ନା ଧରୁନାହିଁ । ମାତ୍ର ଭୂମିସ୍ତର ପର୍ଯ୍ୟନ୍ତ ନିର୍ମାଣ କାର୍ଯ୍ୟ ହୋଇଛି । ଲକ୍ଷଲକ୍ଷ ଟଙ୍କା ବିନିମୟରେ ପଞ୍ଚାୟତବାସୀଙ୍କ ଉପକାର ପାଇଁ କଲ୍ୟାଣ ମଣ୍ଡପଟି ନିର୍ମାଣ ହେବା ନିମନ୍ତେ ସରକାର ବ୍ୟବସ୍ଥା କରିଥିଲେ । ହେଲେ ପ୍ରଶାସନିକ ଶିଥିଳତା ପାଇଁ କାର୍ଯ୍ୟାଦେଶ ପାଇଥିବା ଠିକାଦାର ଠିକଣା ଢଙ୍ଗରେ ନିର୍ମାଣକାର୍ଯ୍ୟ କରୁନଥିବାରୁ ତାହା ପଡିରହିଅଛି । କେବେ ସରିବ ତାହାର ମଧ୍ୟ ସଠିକତା ନାହିଁ । ପ୍ରଶ୍ନ ଉଠେ ସରକାରଙ୍କ କଲ୍ୟାଣକାରୀ ଯୋଜନା ଏଠାରେ କିଭଳି ଭାବରେ ଠପ ହୋଇପଡିଛି । ୫-ଟି ବ୍ୟବସ୍ଥାରେ ପ୍ରତ୍ୟେକ ବିଭାଗର ସ୍ୱଚ୍ଛତା, ସମୟାନୁବର୍ତ୍ତିତା, ଠିକଣା ଢଙ୍ଗରେ କାର୍ଯ୍ୟ ସମାପନ ଆଦିକୁ ବିଶେଷ ଗୁରୁତ୍ୱ ଦିଆଯାଉଥିବା ବେଳେ କଣ ପାଇଁ କଲ୍ୟାଣ ମଣ୍ଡପ ମାଟିସ୍ତରରୁ ଉପରକୁ ଉଠିପାରୁନାହିଁ ସେ ସଂପର୍କରେ ତଦାରଖ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସରକାରଙ୍କ ତ୍ୱରିତ କାର୍ଯ୍ୟସମାପ୍ତ ପାଇଁ ନେଇଥିବା ପ୍ରଶ୍ନବାଚୀ ସୃଷ୍ଟିକରୁନି ତ ବୋଲି ସାଧାରଣରେ ଅଭିଯୋଗ ହୋଇଛି । ପଞ୍ଚାୟତବାସୀଙ୍କ ଆଶା ଆକାଂକ୍ଷା କେବେ ପୁରଣ ହେବ କେବେ ସେମାନେ ଏହି କଲ୍ୟାଣମଣ୍ଡପରେ ବିବାହବ୍ରତ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ କରିପାରିବେ ସେଥିପାଇଁ ଚାହିଁ ବସିଛନ୍ତି । ସ୍ଥାନୀୟ ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସ୍ୱାଇଁ ଏଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟିଦେବା ନିମନ୍ତେ ସାଧାରଣରେ ଦାବି ହୋଇଛି ।

Comments are closed.