ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର

ତିଗିରିଆ :  ତିଗିରିଆ ଥାନା ଅନ୍ତର୍ଗତ ହାଟମାଳ ଗ୍ରାମରେ ସ୍ଵାମୀର ଟାଙ୍ଗିଆ ଚୋଟରେ ସ୍ତ୍ରୀ ଗୁରୁତର ହେବା ଭଳି ଏକ ଅଭାବନୀୟ ଘଟଣା ଘଟିଛି । ତିଗିରିଆ ଥାନାରେ ହୋଇଥିବା ଅଭିଯୋଗ ମୁତାବକ ଗତ ୧୪ ତାରିଖ ବିଳମ୍ବିତ ରାତିରେ ହାଟମାଳ ଗ୍ରାମର ବିପିନ ପଣ୍ଡାଙ୍କ ପୁଅ ପ୍ରଶାନ୍ତ ପଣ୍ଡା ତାଙ୍କ ସ୍ତ୍ରୀ ରଶ୍ମିତା ପଣ୍ଡା (୩୦)ଙ୍କୁ ଟାଙ୍ଗିଆରେ ଆକ୍ରମଣ କରି ଗୁରୁତର ଆହତ କରିଥିବା ଜଣାପଡିଛି । ଗତ ୧୨ ବର୍ଷ ତଳେ ପ୍ରଶାନ୍ତ ବଡ଼ମ୍ବା ଥାନା ମାନପୁର ଗ୍ରାମର ରଶ୍ମିତାଙ୍କୁ ବୈଦିକ ରୀତିରେ ବିବାହ କରିଥିଲେ। ତେବେ ରଶ୍ମିତାଙ୍କ ଉପରେ ତାଙ୍କ ସ୍ବାମୀଙ୍କ  ଏଭଳି ମରଣାନ୍ତକ ଆକ୍ରମଣ ସମ୍ପର୍କରେ ତାଙ୍କ ବାପ ଘର ପକ୍ଷରୁ  ଅଭିଯୋଗ ହେବା ପରେ ପୁଲିସ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଥିବା ଥାନା ଅଧିକାରୀ ସୁଚିତ୍ରା ଜେନାଙ୍କ ଠାରୁ ମିଳିଥିବା ସୂଚନାରୁ ଜଣାପଡ଼ିଛି।  ରଶ୍ମିତା ଶୋଇଥିବା ବେଳେ ତାଙ୍କ ମୁଣ୍ଡକୁ ଟାଙ୍ଗିଆରେ ଚୋଟ ମାରି ସ୍ବାମୀ ପ୍ରଶାନ୍ତ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିବା ବେଳେ ରଶ୍ମିତାଙ୍କ ଚିତ୍କାର ଶୁଣି ପରିବାରର ଅନ୍ୟ ସଦସ୍ୟମାନେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଆଠଗଡ ଡ଼ାକ୍ତରଖାନାକୁ ଆଣିଥିଲେ। ସେଠାରେ ତାଙ୍କର ଅବସ୍ଥା ଗୁରୁତର ହେବାରୁ ଅଧିକ ଚିକିତ୍ସା ପାଇଁ ତାଙ୍କୁ କଟକର ଏକ ଘରୋଇ ଡାକ୍ତରଖାନାକୁ ପରିବାର ଲୋକେ ସ୍ଥାନାନ୍ତରିତ କରିଥିବା ଜଣାପଡିଛି।

Comments are closed.