ଉତ୍ତର ଘୁମୁସରରେ ପୁଣି ହାତୀ ମୃତ
ସୋମବାର ଦନ୍ତା ଓ ବୁଧବାର ମାଈ ହାତୀ ମୃତଦେହ ଠାବ,୮ ମାସରେ ମଲେଣି ୭, ବନ ଅଧିକାରୀ ଓ ଯୁଗ୍ମ ଟାସ୍କଫୋର୍ସର ତଦନ୍ତ
ଭଞ୍ଜନଗର : ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ଘଟୁଥିବାରୁ ଉତ୍ତର ଘୁମୁସର ବନଖଣ୍ଡରୁ ହାତୀବଂଶ ଲୋପ ପାଇବା ଭଳି ସ୍ଥିତି ସୃଷ୍ଟି ହୋଇଛି। ୮ ମାସ ମଧ୍ୟରେ ୭ଟି ହାତୀର ମୃତ୍ୟୁ ଘଟଣା ବିଭାଗୀୟ କର୍ମଚାରୀଙ୍କୁ ବିବ୍ରତ କରି ପକାଇଛି। ଦୁଇଦିନ ତଳେ ଏହି ବନଖଣ୍ଡ ଅନ୍ତର୍ଗତ ମୁଜାଗଡ ବନାଞ୍ଚଳର ବିଞ୍ଜିଗିରି ନିକଟସ୍ଥ ଝିଲିମିଲି ଜଳାଶୟ କୂଳରୁ ୪୦ ବର୍ଷ ବୟସର ଏକ ଦନ୍ତାହାତୀର ମୃତଦେହ ଠାବ ହୋଇଥିଲ। ବୁଧବାର ପୁଣି ଏଠାରୁ ୫ କି.ମି ଦୂର ସେହି ଏକା ବନାଞ୍ଚଳର ତିଲିକି ସଂରକ୍ଷିତ ଜଙ୍ଗଲରେ ଏକ ମାଈହାତୀର ମୃତ୍ୟୁ ଘଟଣା ସାଧାରଣରେ ବିସ୍ମୟ ସୃଷ୍ଟି କରିଛି। ହାତୀଟିର କାନମୂଳ, ଶୁଣ୍ଢ, ପାଟି ଓ ପେଟରେ ଆଘାତ ଚିହ୍ନ ଲାଗିଛି। କାନମୂଳରେ ଘା’ ହୋଇ ଯାଇଥିବାବେଳେ ପେଟରୁ ରକ୍ତସ୍ରାବ ହୋଇଛି। ଦୁର୍ଗନ୍ଧ ହେଉଥିବାରୁ ସମ୍ଭବତଃ ହାତୀଟିର ଚାରିପାଞ୍ଚ ଦିନ ପୂର୍ବରୁ ମୃତ୍ୟୁ ଘଟିଥିବା କୁହାଯାଇଛି। ମୃତ୍ୟୁର ପ୍ରକୃତ କାରଣ ଜଣାପଡିନଥିଲେ ହେଁ ସଂଘର୍ଷ କିମ୍ବା ହାତୀକୁ ଗୁଳି କରି ହତ୍ୟା କରାଯାଇଥିବା ସନ୍ଦେହ କରାଯାଇଛି। ଏହିସବୁ ଜଙ୍ଗଲାଞ୍ଚଳ ଗ୍ରାମରେ ରହୁଥିବା ଲୋକଙ୍କ ପାଖରେ ବହୁ ଦେଶୀ ବନ୍ଧୁକ ଥିବା ସୂଚନା ରହିଛି। ହାତୀପଲ କବଳରୁ ଫସଲ ରକ୍ଷା କରିବା କିମ୍ବା ହାତୀପଲ ଗାଁ ମୁହାଁ ହେଉଥିବାରୁ ଧନଜୀବନ ସୁରକ୍ଷା ପାଇଁ କେହି ଦୁର୍ବୃତ୍ତ ଗୁଳି ଚଳାଇଥିବା ସନ୍ଦେହ କରାଯାଇଛି। ଦୁଇ ତିନିମାସ ତଳେ ଏହି ଅଞ୍ଚଳରେ ହାତୀପଲ ବ୍ୟାପକ ଭଙ୍ଗାରୁଜା କରିଥିଲେ। ବିଭାଗୀୟ କର୍ମଚାରୀମାନେ ଅଭିଯାନ ଚଳାଇ ହାତୀଙ୍କୁ ଜଙ୍ଗଲ ଭିତରକୁ ଘଉଡ଼ାଇଥିଲେ ହେଁ ପୁଣି ୨୦ରୁ ୨୨ ହାତୀ ଏହି ଜଙ୍ଗଲାଞ୍ଚଳରେ ଘୁରି ବୁଲୁଥିବା ଡିଏଫଓ ସୁଦର୍ଶନ ବେହେରା ପ୍ରକାଶ କରିଥିଲେ। ସମ୍ଭବତଃ, ହାତୀପଲ ପୁନର୍ବାର ଗାଁ ମୁହାଁ ହେବାବେଳେ କୌଣସି ବ୍ୟକ୍ତିି ହାତୀ ଘଉଡାଇବାକୁ ଉଦ୍ୟମ କରିବାବେଳେ ଗୁଳି ଫୁଟି ଏପରି ଅଘଟଣ ଘଟିଥିବା ସନ୍ଦେହ କରାଯାଇଛି।
ବୁଧବାର ସକାଳେ ହାତୀ ମୃତ୍ୟୁ ଖବର ପ୍ରଚାର ହେବା କ୍ଷଣି ଡିଏଫଓ ସୁଦର୍ଶନ ବେହେରା ବିଭାଗୀୟ କର୍ମଚାରୀଙ୍କୁ ନେଇ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ବ୍ରହ୍ମପୁର ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ ପି.କେ ମିଶ୍ର, ଭୁବନେଶ୍ୱରରୁ ମୁଖ୍ୟ ବନ୍ୟପ୍ରାଣୀ ସଂରକ୍ଷକ ମନୋଜ ନାୟାର ଓ ମିଳିତ ଟାସ୍କ ଫୋର୍ସ ପହଞ୍ଚି ହାତୀ ମୃତ୍ୟୁ ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ସ୍ଥାନୀୟ ପ୍ରାଣୀ ଚିକିତ୍ସକଙ୍କ ଦ୍ୱାରା ହାତୀ ମୃତଦେହ ବ୍ୟବଚ୍ଛେଦ କରାଯାଇଛି।
ଦୁଇଦିନ ପୂର୍ବେ ଝିଲିମିଲି ଜଳାଶୟ ନିକଟରେ ଏକ ହାତୀକୁ ମୃତ ଅବସ୍ଥାରେ ଠାବ କରାଯାଇଥିଲା। ପୋଚ ଓ ବିଷାକ୍ତ ଖାଦ୍ୟ ଖାଇ ହାତୀଟି ପ୍ରାଣ ହରାଇଥିବା ପ୍ରଥମେ ବିଭାଗ ତରଫରୁ କୁହାଯାଇଥିଲା। ବାସ୍ତବିକ ପକ୍ଷେ ଏହି ବନଖଣ୍ଡର ବିଭିନ୍ନ ଜଙ୍ଗଲାଞ୍ଚଳ ଗଁାରେ ଶିକାରୀଙ୍କ ଦୌରାତ୍ମ୍ୟ ବୃଦ୍ଧି ପାଇଛି। ଶିକାରୀମାନେ ଅଧିକାଂଶ ଜଳାଶୟ ନିକଟରେ ବିଦ୍ୟୁତ ତାର ବିଛାଇଛନ୍ତି। ବନ୍ୟଜନ୍ତୁ ପାଣି ପିଇବାକୁ ଆସିବାବେଳେ ସେଥିରେ ଛନ୍ଦି ହୋଇ ପ୍ରାଣ ହରାଉଛନ୍ତି। ବିଦ୍ୟୁତ ତାର ସଂସ୍ପର୍ଶରେ ହାତୀ ମରିଥିବା ଅଭିଯୋଗକୁ ବିଦ୍ୟୁତ ବିଭାଗ ଅସ୍ୱୀକାର କରିଥିଲେ ହେଁ ଜଳାଶୟଠାରୂ ଅଳ୍ପ ଦୁରରେ ବିଦ୍ୟୁତ ଟ୍ରାନ୍ସଫର୍ମର ରହିଛି। ମୃତ ହାତୀର ମୁଣ୍ଡ, ପେଟ, ଶୁଣ୍ଢ ଓ ଗୋଡରେ କଳା ଚିହ୍ନ ରହିଥିବାରୁ ହାତୀଟି ବିଦ୍ୟୁତ ଆଘାତରେ ପ୍ରାଣ ହରାଇଥିବା ମନେ ହୋଇଛି। ଅଧିକାଂଶ ହାତୀଙ୍କ ମୃତ୍ୟୁ ବିଦ୍ୟୁତ ଆଘାତରେ ହୋଇଥିବାରୁ ଏହାର ପ୍ରତିକାର ବ୍ୟବ୍ୟସ୍ଥା କରାନଗଲେ ଏହି ବନଖଣ୍ଡରୁ ହାତୀବଂଶ ଲୋପ ପାଇବାର ଆଶଙ୍କା ଉପୁଜିଛି।
ବିଗତ ୮ ମାସ ମଧ୍ୟରେ ଏହି ବନଖଣ୍ଡରେ ବିଭିନ୍ନ ସ୍ଥାନରେ ପାଞ୍ଚଟି ହାତୀଙ୍କ ମୃତ୍ୟୁ ଘଟିଥିବା ବେଳେ ଦୁଇଦିନ ଭିତରେ ଆଉ ୨ ହାତୀର ମୃତ୍ୟୁ ଘଟିଛି। ବର୍ତ୍ତମାନ ଉତ୍ତର ଘୁମୁସର ବନଖଣ୍ଡରେ ଜଙ୍ଗଲ ସୁରକ୍ଷା ବାହିନୀର ସହାୟତା କରିବା ନିମନ୍ତେ ରାଜ୍ୟ ସ୍ୱତନ୍ତ୍ର ପୁଲିସ ବାହାନିର ସହାୟତା ନତୁବା କେନ୍ଦ୍ରୀୟ ସାମରିକ ବାହିନୀ ମୁତୟନ କରିବା ଜରୁରୀ ହୋଇଛି। ବନ କର୍ମଚାରୀମାନେ ଜଙ୍ଗଲ ସମ୍ପଦ ସୁରକ୍ଷା ପାଇଁ ଦିନରାତି ଜାଗ୍ରତ ପ୍ରହରୀ ରୂପେ କାର୍ଯ୍ୟ କରୁଥିଲେ ହେଁ ଗୋଟିଏ ପରେ ଗୋଟିଏ ହାତୀର ମୃତ୍ୟୁ ଘଟୁଥିବାରୁ ଉତ୍ତର ଘୁମୁସର ବନଖଣ୍ଡରେ ହାତୀବଂଶ ପ୍ରତି ଏକ ବଡ ଧରଣର ବିପଦ ମୁଣ୍ଡ ଟେକି ଛିଡା ହୋଇଛି।
Comments are closed.