୪୦ ଲକ୍ଷ ଟଙ୍କାର କଫ ସିରପ ଜବତ, ୪୦ ଗିରଫ

୪ଗାଡ଼ି, ଖଣ୍ଡା ଓ ବନ୍ଧୁକ ଜବତ, ଡାଫୋଡିଲ୍‌ ଡ୍ରଗ୍ସ କମ୍ପାନୀର ୨ କୋଟି ଟଙ୍କାର ଆକାଉଣ୍ଟ ଅଚଳ

ବଲାଙ୍ଗିର/ପଦ୍ମପୁର : ବେଆଇନ କଫ ସିରପ କାରବାର ଧରିବାରେ ପୁଲିସକୁ ବଡ଼ ସଫଳତା ମିଳିଛି। ବଲାଙ୍ଗୀର ପୁଲିସ ସୋମବାର ୩୫ଲକ୍ଷ ଟଙ୍କାର କଫ ସିରପ୍‌ ସହ ବନ୍ଧୁକ, ୪ଟି ଗାଡି, ଖଣ୍ଡା, ମୋବାଇଲ୍‌, ସୁନାଗହଣା ଓ ଟଙ୍କା ଜବତ ସହ ୩୭ଜଣଙ୍କୁ ଗିରଫ କରିଛି। ସେହିଭଳି ପଦ୍ମପୁର ପୁଲିସ ୫ଲକ୍ଷ ଟଙ୍କାର କଫ ସିରପ ଓ ନିଶା ଇଞ୍ଜେକ୍‌ସନ ଏକ ଖାତା ବୋଝେଇ ଗାଡ଼ିରୁ ଜବତ କରି ୩ଜଣଙ୍କୁ ଗିରଫ କରିଛି। ପୁଲିସର ସ୍ବତନ୍ତ୍ର ଦଳ ବିଭିନ୍ନ ସ୍ଥାନରେ ଚଢଉ କରି ଉତ୍ତରପ୍ରଦେଶର ୨ଜଣ, କଟକର ୬ଜଣଙ୍କ ସମେତ ୩୭ଜଣଙ୍କୁ ଗିରଫ କରିଛି। କଫ ସିରପ୍ କାରବାରର ଚେର ପଶ୍ଚିମବଙ୍ଗରୁ କଟକ ଦେଇ ବଲାଙ୍ଗିର ଯାଏ ଲମ୍ବିଥିବା ବେଳେ ପଶ୍ଚିମବଙ୍ଗର ଡାଫୋଡିଲ୍‌ ନାମକ ଡ୍ରଗ୍ସ କମ୍ପାନୀର ୨କୋଟି ଟଙ୍କାର ଆକାଉଣ୍ଟକୁ ପୁଲିସ ପକ୍ଷରୁ ଅଚଳ(ଫ୍ରିଜ୍‌) କରାଯାଇଥିବା ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକର ସୋମବାର ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।
ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ସୁଦପଡ଼ା ଓଭରବ୍ରିଜ୍‌ ନିକଟ ବାଇପାସ୍‌ ରାସ୍ତାରୁ ପୁଲିସ ରବିବାର ସଂଧ୍ୟାରେ ବିପୁଳ ପରିମାଣର କଫ ସିରପ ସହ ଗାଡ଼ି ଓ ବାଇକ ଜବତ କରିଥିଲା। ଘଟଣାସ୍ଥଳରୁ କିଛି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଥିଲା । ଜବତ କଫ ସିରପ କଟକରୁ ବଲାଙ୍ଗିର ଚାଲାଣ ହେଉଥିବା ତଦନ୍ତରୁ ଜଣାପଡ଼ିଥିଲା। ବଲାଙ୍ଗିର ଆରକ୍ଷୀ ଅଧିକ୍ଷକ ନୀତିନ କୁଶଲକରଙ୍କ ନିର୍ଦେଶରେ ଏସ୍‌ଡିପିଓ ତୋଫାନ ବାଗ କଫ ସିରପ କାରବାରର ଖୋଳତାଡ କରିବାକୁ ଏକ ଦଳ ଗଠନ କରିଥିଲେ। ପଶ୍ଚିମବଙ୍ଗର କଲକାତାରୁ କଫ ସିରପ୍‌ କଟକ ଆସୁଥିବା ପୁଲିସ ତଦନ୍ତରୁ ଜାଣି ପାରିଥିଲା । ୧୨,୯୬୦ ବୋତଲ ବେଆଇନ କଫ ସିରପ ଜବତ କରାଯାଇଥିଲା। ଯାହାର ବଜାର ମୂଲ୍ୟ ୩୫ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ପି ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି। ଅଭିଯୁକ୍ତଙ୍କ ନିକଟରୁ ଏକ ଦେଶୀ ବନ୍ଧୁକ, ୨ ଖଣ୍ଡା, ୪ଟି ଚାରିଚକିଆ, ୨ ବାଇକ, ୭,୫୦୦ ଟଙ୍କା, ୧୭ ମୋବାଇଲ ଫୋନ, ସୁନା ଗହଣା ଆଦି ଜବତ ହୋଇଛି। ସେହିପରି କଫ୍‌ ସିରପ ଯୋଗାଣକାରୀ କଲକାତାର ଡାଫୋଡିଲ୍‌ ଡ୍ରଗ୍ସ କମ୍ପାନୀର ୨କୋଟି ଟଙ୍କା ଥିବା ଆକାଉଣ୍ଟ ଅଚଳ କରି ଦେଇଥିବା ଏସ୍‌ପି ଶ୍ରୀ କୁଶଲକର କହିଛନ୍ତି।
ଗିରଫ ୩୭ଜଣ ଅଭିଯୁକ୍ତଙ୍କ ମଧ୍ୟରେ ଉତ୍ତରପ୍ରଦେଶର ୨, କଟକର ୬ ଓ ବଲାଙ୍ଗିର ସହରର ୪ମହିଳା ରହିଛନ୍ତି। ଉତ୍ତରପ୍ରଦେଶ ହରଦୋଇ ଜିଲା ମାଧବଗଞ୍ଜ ଥାନା ଖାଣ୍ଡିଆର ରାଜ କପୁର (୨୩), ଝାନ୍‌ସୀ ଜିଲା ରକ୍ସା ଥାନା ଝାନ୍‌ସୀ (ବୁମେର)ର ରବି କୁମାର(୨୪), କଟକ ଜିଲା ଚୌଦ୍ବାର ଥାନା କେଦାରେଶ୍ବରର ମହିମା ରାଉତ(୨୫), ବଡ଼ମ୍ବା ଥାନା ମହୁଲିଆର ପବନ ମଲ୍ଲିକ(୨୮), ରଞ୍ଜିତ ରାଉତ(୨୬), ବଡ଼ମ୍ବାର ସୋମନାଥ ବେହେରା(୧୯), ଜଗତପୁର ଥାନା ଆଇବି ରୋଡର ସରୋଜ ଜେନା ଓ ଚାଉଳିଆଗଞ୍ଜ ଥାନା ମହାନଦୀବିହାରର ତୋଫାନ ବଢ଼େଇ(୨୬), ବରଗଡ଼ ଜିଲା ଟାଉନ ଥାନା ଅନ୍ତର୍ଗତ ଡେଙ୍ଗର ସୁରେଶ ପାତ୍ର, ସଦର ଥାନା ସୟାଁ(ହଳଦୀପାଲି ଛକ)ର କର୍ତ୍ତାର ସିଂ, ଗାଇସିଲେଟ ଥାନା ମହରାପାଲିର ନେହେରୁ ସାହୁ, ଅଏଁଲାଭଟାର ହରିଶଚନ୍ଦ୍ର ସାହୁ ଗିରଫ ହୋଇଛନ୍ତି। ବଲାଙ୍ଗିର ଜିଲା ପୁଇଁନ୍ତଲା ଥାନା ତୁଳସୀପାଲିର ସତ୍ୟ ପ୍ରଧାନ, ସଦର ଥାନା ଶରଗାଡ଼ର ଆନନ୍ଦ ଷାଣ୍ଢ, ବଲାଙ୍ଗିର ଟାଉନ ଥାନା ଅନ୍ତର୍ଗତ ମାଲପଡ଼ାର କୁଖ୍ୟାତ କଫସିରପ ବ୍ୟବସାୟୀ ପ୍ରଶାନ୍ତ କ୍ଷେତୀ, କଳିଙ୍ଗ ମେର୍ଲି, ବରପାଲିପଡ଼ାର ପ୍ରଶାନ୍ତ ଜେନା, ରାଜକୁମାର ମେହେର, ରାକେଶ ପ୍ରଧାନ, ହରେଶ ପ୍ରଧାନ, ରୁଗିଡ଼ିପଡ଼ାର ବାବୁଲୁ ବଗର୍ତ୍ତି, ଠିକାଦାରପଡ଼ାର ରାଜେଶ ନାଏକ, ପେଲେସ ଲାଇନର ଶିବୁ ପଣ୍ଡା(ସମୀର), ରାଜକୁମାର ରଣା, ପାରଶ ଡାଙ୍ଗ, ଚିମିନିଭାଟିର ରାଜକିଶୋର ପ୍ରଧାନ, ରାଧାରାଣୀପଡ଼ାର ରାଜେଶ ବେହେରା, କଂସାରୀପଡ଼ାର ରତନ ସିଂ, ହାଟପଦାପଡ଼ାର ରାଜା ଜେନା, ଅଭୟ ସାହୁ, ରାଜୀବ ନଗରର ବାବୁଲୁ ବେହେରାଙ୍କ ସହ ବରପାଲିପଡ଼ାର ଯାଜ୍ଞସେନୀ ମେହେର, ଶାନ୍ତିଲତା ଜେନା, କନ୍ଧପାଲିପଡ଼ାର ଡାଳିମ୍ବ ବାରିକ ଓ ତାଲପାଲିପଡ଼ାର ମମତା କୁମ୍ଭାରଙ୍କୁ ପୁଲିସ ଗିରଫ କରିଛି।
ଅନ୍ୟପକ୍ଷରେ କଟକରୁ ବରଗଡ଼କୁ ଆସୁଥିବା ଏକ ଖାତା ବୋଝେଇ ବୋଲେରୋ ପିକଅପ ଭ୍ୟାନରୁ ପ୍ରାୟ ୫ ଲକ୍ଷ ଟଙ୍କା ମୂଲ୍ୟର କଫ ସିରପ ଓ ନିଶା ଇଞ୍ଜେକସନ ଜବତ ହୋଇଛି। ସୂଚନା ପାଇ ପଦ୍ମପୁର ଏସଡିପିଓ ବିଭୂତିଭୂଷଣ ଭୋଇ ଓ ଥାନା ଅଧିକାରୀ ରାଜେନ୍ଦ୍ର ସିଅାଲ ଗାଇସିଲେଟ ରାସ୍ତାରେ ଏହି ଗାଡ଼ିକୁ ଅଟକାଇ ଯାଞ୍ଚ କରି ଗାଡ଼ିରୁ ୧୨୮ ବିଡ଼ା ଖାତା ସହ ୨,୫୬୦ ବୋତଲ କଫ ସିରପ ଓ ନିଶା ଇଞ୍ଜେକସନ ଜବତ କରିଥିଲେ। ଜବତ କଫ୍‌ ସିରପର ମୂଲ୍ୟ ୩ଲକ୍ଷ ୫୮ହଜାର ୪୦୦ଟଙ୍କା, ୬ ହଜାରଟି ପେଣ୍ଟାଜୋସିନ ଲାକ୍ଟେଟ ନିଶା ଇଞ୍ଜେକସନର ମୂଲ୍ୟ ୧ଲକ୍ଷ ୬୨ହଜାର ଟଙ୍କା ବୋଲି କୁହାଯାଉଛି। ଏହା ସହିତ ୩ଟି ମୋବାଇଲ ଫୋନ ଓ ଏଟିଏମ କାର୍ଡ ମଧ୍ୟ ଜବତ ହୋଇଛି। ସହକାରୀ ଉପଜିଲାପାଳ ମନୋରଞ୍ଜନ ନାଏକଙ୍କ ଉପସ୍ଥିତିରେ ଜବତ ନିଶା ଦ୍ରବ୍ୟର ଆକଳନ କରାଯାଇଥିଲା।
ଏହି ଘଟଣାରେ ପଦ୍ମପୁର ଥାନାରେ ୭୩/୨୦୨୩ ନମ୍ବର ଏନଡିପିଏସ ମାମଲା ରୁଜୁ ହୋଇଛି। ପୁଲିସ ଏହି ଘଟଣାରେ ପଦ୍ମପୁର ଶକ୍ତିନଗରର ବିକି ଓରଫ ଗୁଣନିଧି ସାହୁ, ନେହେରୁ ଗଳିର ରାକେଶ ନାଏକ ଓ ଅତାବିରା ଥାନା ବାବେବିରା ଗ୍ରାମର ସିତୁ ଓରଫ ଭୁଗପତି ଭୁଏକୁ ଗିରଫ କରିଛି। ପଦ୍ମପୁରର ରାକେଶ ସାହୁ ଓ ଫକୀର ଖାଁ ଏହି ବେଆଇନ ନିଶା ବ୍ୟବସାୟର ମୁଖ୍ୟ କାର୍ପଟଦାର ହୋଇଥିବାରୁ ସେମାନଙ୍କ ବିରୋଧରେ ଶୀଘ୍ର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଏସଡିପିଓ ଶ୍ରୀ ଭୋଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି।

Comments are closed.