ଚାଷ କାର୍ଯ୍ୟରେ ନିୟୋଜିତ ହେବେ ୧୪.୫ ଲକ୍ଷ ଜନଜାତି ପରିବାର

କ୍ୟାବିନେଟ ନିଷ୍ପତ୍ତି ଗୃହକୁ ଅବଗତ କଲେ ମନ୍ତ୍ରୀ

ଭୁବନେଶ୍ୱର : ରାଜ୍ୟ କ୍ୟାବିନେଟ ବୈଠକରେ ଗତକାଲି ଅନୁମୋଦିତ ୧୮ଟି ପ୍ରସ୍ତାବ ସମ୍ପର୍କରେ ଆଜି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ଗୃହକୁ ଅବଗତ କରାଇଥିଲେ। ଶ୍ରୀ ପୂଜାରୀ କହିଥିଲେ ଯେ, ରାଜ୍ୟ ସରକାରଙ୍କ ପକ୍ଷରୁ ଜନଜାତିଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରାଯାଇଛି।
ଜନଜାତିଙ୍କ ଜୀବିକା ଏବଂ ଆର୍ଥିକ ସ୍ଥିତିକୁ ସୁଦୃଢ଼ କରିବା ପାଇଁ ପ୍ରସ୍ତାବିତ ‘ମୁଖ୍ୟମନ୍ତ୍ରୀ ଜନଜାତି ଜୀବିକା ମିଶନ’ ଦ୍ବାରା ପର୍ଯ୍ୟାୟକ୍ରମେ ୧୪.୫ ଲକ୍ଷ ଜନଜାତି ପରିବାରଙ୍କୁ କୃଷି ଏବଂ ଆନୁଷଙ୍ଗିକ କୃଷି କାର୍ଯ୍ୟରେ ଅନ୍ତର୍ଭୁକ୍ତ କରାଯିବ। ପ୍ରଥମ ପର୍ଯ୍ୟାୟରେ ୨୦୨୨-୨୩ ରୁ ୨୦୨୫ – ୨୬ ଆର୍ଥିକ ବର୍ଷରେ ୫୦୦ କୋଟି ଟଙ୍କା ବିନିଯୋଗ କରି, ମୋଟ ୧.୫ ଲକ୍ଷରୁ ଊର୍ଦ୍ଧ୍ବ ଜନଜାତି ହିତାଧିକାରୀଙ୍କୁ ୨୨ଟି ସମନ୍ବିତ ଜନଜାତି ବିକାଶ ସଂସ୍ଥା ମାଧ୍ୟମରେ ସହାୟତା ପ୍ରଦାନ କରାଯିବ।
ଚୁକ୍ତିଭିତ୍ତିକ ନିଯୁକ୍ତି ପାଇଁ ରାଜ୍ୟ ସରକାରଙ୍କ ଅଧୀନରେ ସୃଷ୍ଟି ହୋଇଥିବା ପ୍ରମୁଖ ଶାସନ ସଚିବ ପାହ୍ୟାରେ ଅନୁମୋଦିତ ପଦର ଅବଧି ୬୦ ବର୍ଷ ବୟସରେ ପଦାର୍ପଣ କରିବା କିମ୍ବା ସେ ଉକ୍ତ ପଦ ତ୍ୟାଗ କରିବା କିମ୍ବା ତାଙ୍କର ନିୟୋଜନ ବାତିଲ ହେବା ମଧ୍ୟରୁ ଯେଉଁଠି ସର୍ବପ୍ରଥମ, ସେ ପର୍ଯ୍ୟନ୍ତ ସୀମିତ ରହିବ ବୋଲି ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି। ପ୍ରଚଳିତ ଓଡ଼ିଶା ସମବାୟ ସେବା (ନିଯୁକ୍ତି ଓ ସେବା ସର୍ତ୍ତାବଳୀ) ନିୟମ ୧୯୭୪ ଅନୁଯାୟୀ ପାହ୍ୟା- ୧୨ରେ କୌଣସି ପଦ ନଥିବାରୁ ଏକ ନୂତନ ପଦ ଯଥା- ବରିଷ୍ଠ ସହକାରୀ ସମବାୟ ନିବନ୍ଧକ ପଦ ସୃଷ୍ଟି କରାଯିବା ସହିତ ଓଡ଼ିଶା ସମବାୟ ସେବା ନିୟମ ୧୯୭୪ର ସଂଶୋଧନ କରାଯାଇଛି। ଏଣିକି ସାଧାରଣ ଭବିଷ୍ୟନିଧି ପାଣ୍ଠି (ଓଡ଼ିଶା) ନିୟମାବଳୀ ଆବଶ୍ୟକ ସଂଯୋଜନ ଦ୍ବାରା ଗୋଟିଏ ଆର୍ଥିକ ବର୍ଷରେ ଜମାରାଶି (ବକେୟା ଦେୟ ସହ) ନିର୍ଦ୍ଧାରିତ ସୀମା ଅର୍ଥାତ୍ ୫ଲକ୍ଷ ଟଙ୍କାରୁ ଅଧିକ ହେବ ନାହିଁ। କାର୍ଯ୍ୟ କ୍ଷେତ୍ରରେ ସରକାରଙ୍କ ବିଭିନ୍ନ ନୀତି ଓ ଯୋଜନାଗୁଡ଼ିକର ବାସ୍ତବ କାର୍ଯ୍ୟକାରିତା ଓ ତତ୍‌ସଂକ୍ରାନ୍ତ ତଦାରଖ ପାଇଁ ଉପଯୁକ୍ତ ଅଧିକାରୀ ନିୟୋଜିତ କରାଯିବା ଲକ୍ଷ୍ୟରେ ସ୍ବଳ୍ପ ସଞ୍ଚୟ କ୍ୟାଡରର ସୀମିତ ପୁନର୍ଗଠନ କରାଯାଇଛି । ୧୩ ହଜାର ୪୨୮ ସୁଲଭ ମୂଲ୍ୟ ଦୋକାନଗୁଡ଼ିକର ଲାଇସେନ୍ସ ସମୟ ସୀମା ମାର୍ଚ୍ଚ ୨୦୨୩ ତାରିଖରେ ଶେଷ ହେଉଥିଲା। ନିୟମାନୁଯାୟୀ ଯୋଗ୍ୟ ଡିଲରଙ୍କ ଲାଇସେନ୍ସଗୁଡ଼ିକର ପୁନଃ ଏକ ବର୍ଷ ପର୍ଯ୍ୟନ୍ତ ନବୀକରଣ କରାଯିବ। ଶ୍ୟାମଭକ୍ତ ମିଶ୍ରଙ୍କୁ ଓଡ଼ିଶା ଲୋକସେବା ଆୟୋଗ ସଦସ୍ୟ ପଦରେ ଦିଆଯାଇଥିବା ନିଯୁକ୍ତିକୁ ରାଜ୍ୟ କ୍ୟାବିନେଟ ଅନୁମୋଦନ ଦେଇଛି।
ଶ୍ରୀ ପୂଜାରୀ କହିଥିଲେ ଯେ, ଓଡ଼ିଶା ମୁଖ୍ୟ ବିଭାଗୀୟ ଦପ୍ତର (ମୁଖ୍ୟ ବିଭାଗୀୟ ଦପ୍ତର କାର୍ଯ୍ୟାଳୟର କନିଷ୍ଠ ସହାୟକ, ସହକାରୀ ଉପବିଭାଗ ଅଧିକାରୀ ଏବଂ ଉପବିଭାଗଙ୍କ ନିଯୁକ୍ତି ପଦ୍ଧତି ଓ ସେବା ସର୍ତ୍ତ ) ନିୟମାବଳୀ , ୨୦୧୯ରେ ପ୍ରସ୍ତାବିତ ସଂଶୋଧନକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି। ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ଅଧିନିୟମ, ୧୯୮୨ ଏବଂ ଓଡ଼ିଶା ଆପାର୍ଟମେଣ୍ଟ ମାଲିକାନା ନିୟମ , ୧୯୯୨ ପରିବର୍ତ୍ତେ ଏକ ନୂତନ ନିୟମ ପ୍ରଣୟନ ପାଇଁ ଆଗତ କରାଯାଇଥିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ ଦେଇଛି । ସରକାର ବାସଗୃହ ପ୍ରକଳ୍ପ ପାଇଁ ଲିଜ୍‌ ସୂତ୍ରରେ ଆବଣ୍ଟିତ ଜମି ଏବଂ ସରକାରୀ-ଘରୋଇ ସହଭାଗିତା (ପିପିପି)ରେ ବିକଶିତ ପ୍ରକଳ୍ପଗୁଡ଼ିକ ପାଇଁ ଓଡ଼ିଶା ରାଜ୍ୟ ହାଉସିଂ ବୋର୍ଡ ଏବଂ ଉନ୍ନୟନ କର୍ତ୍ତୃପକ୍ଷ ସପକ୍ଷରେ ଲିଜ୍ ଦିଆଯାଇଥିବା ଜମିର ରୂପାନ୍ତରଣ ପାଇଁ ସାଧାରଣ ପ୍ରଶାସନ ଓ ସାଧାରଣ ଅଭିଯୋଗ ବିଭାଗ ଦ୍ବାରା ଗ୍ରହଣ କରାଯାଇଥିବା ନୀତିଗୁଡ଼ିକୁ ଗ୍ରହଣ କରି ଫ୍ରି ହୋଲ୍ଡ ସ୍ଥିତିକୁ ରୂପାନ୍ତରଣ କରିହେବ। ଆଇଓସିଏଲ୍ ପାରାଦୀପଠାରେ ୫୮, ୦୪୨ କୋଟି ଟଙ୍କା ବିନିଯୋଗ ଦ୍ବାରା ଏକ ମେଗା ଡୁଆଲ୍ ଫିଡ୍ କ୍ରାକର ପ୍ରତିଷ୍ଠା ପ୍ରସ୍ତାବ ସହିତ ଏହି ପ୍ରକଳ୍ପ ପାଇଁ ପ୍ରୋତ୍ସାହନ ରାଶିର ସ୍ୱତନ୍ତ୍ର ପ୍ୟାକେଜକୁ ମଧ୍ୟ ରାଜ୍ୟ କ୍ୟାବିନେଟ ଅନୁମୋଦନ କରିଛି। ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗର ପ୍ରଶାସନିକ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଓଡ଼ିଶା ପଞ୍ଚାୟତିରାଜ ସେବା ବର୍ଗରେ ପୁନଃବିନ୍ୟାସ ତଥା ପରିପୁଷ୍ଟ କରିବାର ଆବଶ୍ୟକତାକୁ ଅନୁଭବ କରି ସରକାର ୩୧୪ଟି ଦ୍ବିତୀୟ ଶ୍ରେଣୀ ପଦକୁ ଉଚ୍ଛେଦ କରି ଗ୍ରାମ ପଞ୍ଚାୟତ ଉନ୍ନୟନ ଅଧିକାରୀ ପଦରୁ ଯୁଗ୍ମ ନିର୍ଦେଶକ ପଦ ପର୍ଯ୍ୟନ୍ତ ୧୦୩ଟି ପ୍ରଥମ ଏବଂ ଦ୍ୱିତୀୟ ଶ୍ରେଣୀର ପଦ ସୃଷ୍ଟି କରାଯାଇଛି। ଓଡ଼ିଶା ଗ୍ରାମ ପଞ୍ଚାୟତ ନିର୍ବାହୀ ଅଧିକାରୀ (ନିଯୁକ୍ତି ଓ ସେବା ସର୍ତ୍ତାବଳୀ ପ୍ରଣାଳୀ) ନିୟମାବଳୀ ୨୦୨୧ ନିୟମ ଅନୁଯାୟୀ ପ୍ରଦାନ କରାଯାଉଥିବା ଭିନ୍ନକ୍ଷମ ପ୍ରମାଣପତ୍ରର ସାମାଜିକ ନ୍ୟାୟ ଓ ସଶକ୍ତୀକରଣ ମନ୍ତ୍ରଣାଳୟ ଦ୍ବାରା କାର୍ଯ୍ୟକାରୀ କରାଯାଇଥିବା ଭିନ୍ନକ୍ଷମ ବ୍ୟକ୍ତିଙ୍କ ଅଧିକାର ଅଧିନିୟମ ୨୦୧୬ର ବ୍ୟବସ୍ଥା ମୁତାବକ ସଂଶୋଧନ କରାଯାଇଛି। ଓଡିଶା ପଞ୍ଚାୟତିରାଜ ଯାନ୍ତ୍ରିକ ସେବା ( ନିଯୁକ୍ତି ପଦ୍ଧତି ଏବଂ ସେବା ସର୍ତ୍ତାବଳୀ ) ନିୟମାବଳୀ – ୨୦୧୭ ସଂଶୋଧନ କରାଯାଇ ପଞ୍ଚାୟତିରାଜ କ୍ୟାଡରର ସହକାରୀ ଯନ୍ତ୍ରୀଙ୍କୁ ସହକାରୀ ନିର୍ବାହୀଯନ୍ତ୍ରୀ ଗ୍ରେଡକୁ ପଦୋନ୍ନତି ଦିଆଯିବାକୁ ନିଷ୍ପତ୍ତି ନିଆଯାଇଛି। ନୟାଗଡ଼ର ‘ବଲାଙ୍ଗିବନ୍ଧ ପାର୍କ ଓ ପୁଷ୍କରିଣୀ’ ନିର୍ମାଣ ନିମନ୍ତେ ସୁଜାତା ମହାପାତ୍ରଙ୍କ ବେସରକାରୀ ଜମିକୁ ସରକାରୀ ଖାତାଭୁକ୍ତ କରାଯାଇ ସମପରିମାଣର ସରକାରୀ ଜମି ତାଙ୍କ ସପକ୍ଷରେ ବଦଳର ନିବନ୍ଧକରଣ ନିମନ୍ତେ ସରକାରୀ ଷ୍ଟାମ୍ପ ଦେୟ ଓ ପଞ୍ଜୀକରଣ ଫି’ ଛାଡ଼ କରାଯିବ। ଓଡ଼ିଶା ସରକାରଙ୍କ ଅଧୀନରେ ବନ୍ଦୋବସ୍ତ ଓ ଚକବନ୍ଦୀ ସଂସ୍ଥାର ୧୦୫ ଜଣ ଠିକା କର୍ମଚାରୀ ଯେଉଁମାନେ ୧୨ ଏପ୍ରିଲ ୧୯୯୩ ପୂର୍ବରୁ କାର୍ଯ୍ୟରେ ନିୟୋଜିତ ହୋଇଥିବେ ଓ ୧୫ ମାର୍ଚ୍ଚ ୨୦୦୫ ପରେ ଅବସରଣ ଗ୍ରହଣ / ମୃତ୍ୟୁବରଣ ଘଟିଥିବ ସେମାନଙ୍କୁ / ସେମାନଙ୍କ ପରିବାରକୁ ଆଇନ ଅନୁଯାୟୀ ସର୍ବନିମ୍ନ ଅବସରକାଳୀନ ପ୍ରାପ୍ୟ / ପାରିବାରିକ ଅବସରକାଳୀନ ପ୍ରାପ୍ୟ ପ୍ରଦାନ କରାଯିବ। ଓଡ଼ିଶା ଭୂ – ସଂସ୍କାର ଆଇନ , ୧୯୬୦ ( ଓଡ଼ିଶା ଆଇନ ୧୯୬୦, ଧାରା ୧୬ )ର ଧାରା ୭୩ ( ଗ ) ଅନୁଯାୟୀ ଓଡ଼ିଶା ସରକାର ସହରାଞ୍ଚଳ ଯୋଜନାଗୁଡ଼ିକ ନିମନ୍ତେ ଏହା ଅଧୀନରେ ଆସୁଥିବା ଅଞ୍ଚଳରେ ବିଶେଷତଃ ସହରୀକରଣ ଓ ସହରାଞ୍ଚଳ ବିକାଶ ନିମନ୍ତେ ଚାଷ ଜମିକୁ ଅଣଚାଷ ଉଦ୍ଦେଶ୍ୟରେ ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗର ପ୍ରସ୍ତାବକ୍ରମେ କିସମ ପରିବର୍ତ୍ତନ ଦେୟ ମୁକ୍ତ କରାଯିବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍ ଅନୁମୋଦନ କରିଛି।

Comments are closed.