ମହିଳା ସଶକ୍ତ ହେଲେ ପ୍ରଗତି ଗତିଶୀଳ ହେବ

ଆଇନସେବା ସମିତି ପକ୍ଷରୁ ମହିଳା ଦିବସ ପାଳିତ

ଆଠଗଡ: ସୋମବାର ଆଠଗଡ ତାଲୁକ ଆଇନସେବା ସମିତି ଆନୁକୁଲ୍ୟରେ ଅଦାଲତ ପରିସରରେ ଆନ୍ତର୍ଜାତୀୟ ମହିଳା ଦିବସ ପାଳିତ ହୋଇଯାଇଛି। ମାର୍ଚ୍ଚ ୮ତାରିଖରେ ଆନ୍ତର୍ଜାତୀୟ ମହିଳା ଦିବସ ପଡୁଥିବାବେଳେ ସେଦିନ ହୋଲି ଉତ୍ସବ ଯୋଗୁଁ ସୋମବାର ଏହା ପାଳିତ ହୋଇଯାଇଛି।

ଆଇନସେବା ସମିତିର ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲା ଦୌରାଜଜ୍‍ ପ୍ରଦୀପ୍ତ କୁମାର ସାହୁ ଏହି କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରି ମହିଳାମାନେ ଯେତେ ଅଧିକ ସଶକ୍ତ ହେବେ ଦେଶର ପ୍ରଗତି ସେତେ ଅଧିକ ଗତିଶୀଳ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ମହିଳାମାନେ ନିଜର ଅଧିକାର ସଂପର୍କରେ ବିଶେଷ କରି ଆଇନଗତ ଅଧିକାର ସଂପର୍କରେ ସଚେତନ ହେଲେ ନିଜର ଅଧିକାର ସାବ୍ୟସ୍ତ କରିପାରିବେ ବୋଲି ଏଡିଜେ ଶ୍ରୀ ସାହୁ ପ୍ରକାଶ କରିଥିଲେ।

prayash

ଏଥିରେ ସମ୍ମାନିତ ବକ୍ତା ଭାବେ ବରିଷ୍ଠ ଦେୱାନୀ ବିଚାରପତି ଶ୍ରୀମୟୀ ଆଚାର୍ଯ୍ୟ, ଏସଡିଜେଏମ୍‍ ଏସ୍‍ କୁନ୍‍ମୁନ୍‍ ଆଚାରୀ, ଜେଏମଏଫସି ସମ୍ବେଦନା ସମ୍ବିତ୍‍ ଓ ଓକିଲ ସଂଘ ସଭାପତି ସତ୍ୟେନ ପଣ୍ଡା ପ୍ରମୁଖ ଯୋଗଦେଇ ସମ୍ବିଧାନରେ ମହିଳାମାନଙ୍କର ଅଧିକାର ସଂପର୍କରେ ଥିବା ପ୍ରାବଧାନ ଏବଂ ବିଭିନ୍ନ ସମୟରେ ସମ୍ବିଧାନରେ ମହିଳାମାନଙ୍କ ସୁରକ୍ଷା ଓ ଅଧିକାରକୁ ନେଇ ହୋଇଥିବା ସଂଶୋଧନ ସଂପର୍କରେ ଆଲୋକପାତ କରିଥିଲେ। ବକ୍ତାମାନେ ମହିଳା ଦିବସ ପାଳନର ତାତ୍ପର୍ଯ୍ୟ ଓ ଉଦ୍ଦେଶ୍ୟ ସଂପର୍କରେ ନିଜର ଅଭିମତ ରଖିବା ସହ ମହିଳାମାନେ ଶିକ୍ଷିତ ହେଲେ ପୁରା ପରିବାର ଶିକ୍ଷିତ ହୋଇପାରିବ ବୋଲି ମତପ୍ରକାଶ କରିଥିଲେ। ଆଇନଜୀବୀ ସୁଶାନ୍ତ କୁମାର ମିଶ୍ରଙ୍କର ସଂଯୋଜନାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଆଠଗଡ ସହରରେ କାର୍ଯ୍ୟରତ ସମସ୍ତ ଅଙ୍ଗନବାଡି କର୍ମୀ, ମହିଳା ସ୍ୱଚ୍ଛସାଥୀ ଓ ମିଶନଶକ୍ତିର ମହିଳା ଗୋଷ୍ଠୀର ସଦସ୍ୟ ଯୋଗଦାନ କରିଥିଲେ।

ଅଙ୍ଗନବାଡି କର୍ମୀ ବିଶ୍ୱାମିତ୍ର ଦେବୀ ଓ ଅର୍ମିଣ୍ଟା ନିଶା ମହିଳା ଦିବସ ପାଳନ ଉପରେ ନିଜର ଅଭିମତ ରଖିଥିଲେ। ଓକିଲ ସଂଘର ସଭାପତି ସତ୍ୟେନ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। ଓକିଲ ସଂଘ ସଂପାଦକ ବନବିହାରୀ ସାହୁ, ଆଇନଜୀବୀ ପ୍ରତାପ ଚନ୍ଦ୍ର ପଟ୍ଟନାୟକ, ବିଷ୍ଣୁପ୍ରସାଦ ସାହୁ, ଶ୍ରୀନିବାସ ଦାସଙ୍କ ସମେତ ବହୁ ଆଇନଜୀବୀ ଏଥିରେ ଯୋଗଦାନ କରିଥିଲେ।

kalyan agarbati

Comments are closed.