Patra electronics

ବଞ୍ଚିତଙ୍କୁ ନ୍ୟାୟ ଦେବ କିଏ?

ଡୁଇଟି ଡେଭିଡ ଫିଲିପ୍‌

ବ୍ୟବସ୍ଥା ଓ ଶାସନ ତନ୍ତ୍ର ଯେ କୌଣସି ରାଜ୍ୟ ବା ଭୂଖଣ୍ଡରେ ଏହାର ନାଗରିକ ଓ ପରିବେଶର ବିକାଶରେ ସହାୟ ହୋଇଥାଏ। ନୀତି ଓ ଚରିତ୍ର ଶାସକଙ୍କ ଠିକ୍‌ ଥିଲେ, ସାଧାରଣ ନାଗରିକ ସହଯୋଗ କରନ୍ତି। ଦେଶ ଓ ରାଜ୍ୟରେ ପ୍ରଗତି ଶାନ୍ତି ସ୍ଥାପିତ ହୁଏ। ନାଗରିକ ଉପେକ୍ଷିତ ମନେକଲେ ଅସନ୍ତୋଷ ହୁଅନ୍ତି ଓ କେବେକେବେ ବିପ୍ଳବ ଦେଖା ଯାଇଥାଏ।

ବିକାଶ ସବୁ ଦିଗରେ ଉଚିତ୍ ଭାବରେ ନହେଲେ ନାଗରିକ ଅସନ୍ତୋଷ ହୁଅନ୍ତି ଓ ବିଭିନ୍ନତାର ଦେଶରେ ସମସ୍ତଙ୍କର ସବୁ ଆବଶ୍ୟକତା ପୂରଣ କରାଯାଇପାରେ ନାହିଁ; କିନ୍ତୁ ପ୍ରତ୍ୟେକ ନାଗରିକଙ୍କର ଖାଦ୍ୟ, ବସ୍ତ୍ର, ପାନୀୟ, ଗୃହ, ପ୍ରାଥମିକ ଶିକ୍ଷା ଓ ପ୍ରାଥମିକ ଚିକିତ୍ସା ସୁନିଶ୍ଚିତ କରାଯାଇ ପାରେ। ଭାରତ ପରି ଭୌଗୋଳିକ ବିଭିନ୍ନତା ଓ ପ୍ରାଚୁର୍ଯ୍ୟତାର ଦେଶରେ ଏହା ସମ୍ଭବ।

ଶାସନର ଅଧିକାରରେ ଆସି ନପାରିଲେ କିଛି ଜଣ ଅସନ୍ତୋଷ ହୁଅନ୍ତି ଓ କୌଣସି ତନ୍ତ୍ରରେ ବି ତାହା ସମ୍ଭବ ହୁଏ ନୁହେଁ। ଗଣତନ୍ତ୍ର ନା ରାଜତନ୍ତ୍ର ନା, ସାମରିକତନ୍ତ୍ର, ନା ସାମ୍ୟବାଦୀ, ନା ସମାଜବାଦୀ ନା ପୁଞ୍ଜିବାଦୀ ବ୍ୟବସ୍ଥା, ବହୁ ବିଭିନ୍ନତାର ଦେଶରେ ବିକଳ୍ପ କ’ଣ କହିବା ସହଜ ନୁହେଁ। ଆମ ଦେଶର ଗଣତନ୍ତ୍ର ଓ ସମ୍ବିଧାନ ଏକ ଚମତ୍କାର ଗ୍ରନ୍ଥ। ଏହା ସବୁ ନାଗରିକଙ୍କ ପାଇଁ ବିକାଶ, ଶାନ୍ତି, ପ୍ରଗତି, ସମ୍ମାନର ସୁଯୋଗ ଦେଇଛି; କିନ୍ତୁ ଅଶୀବର୍ଷରେ ଆମେ ପ୍ରତ୍ୟେକ ନାଗରିକଙ୍କୁ ଖାଦ୍ୟ, ବସ୍ତ୍ର, ପାନୀୟ, ଗୃହ, ପ୍ରାଥମିକ ଶିକ୍ଷା ଓ ପ୍ରାଥମିକ ଚିକିତ୍ସା ସୁନିଶ୍ଚିତ କରାଇ ପାରିଲୁ ନାହିଁ। ଏଥିପାଇଁ ଆମେ ବ୍ୟବସ୍ଥା ଓ ତନ୍ତ୍ରକୁ ଦୋଷ ଦେଉଛୁ। ଟିଭି, ରେଡ଼ିଓ, ଖବର କାଗଜରେ, ବଜାର, ଅଫିସ, ସଂସଦ, ବିଧାନସଭା, ବିଚାରାଳୟ ଓ ନିଜ ଘରେ ବି ନିଜ ମତ ରଖୁଛୁ। ଭୋଟ ଦେଇ ଶାସକ ମନୋନୟନ କରୁଛୁ। ଏହା ଆମ ଗଣତନ୍ତ୍ର ଓ ସମ୍ବିଧାନର ଏକ ବଡ ଅନୁଗ୍ରହ; କିନ୍ତୁ ଆମେ ସବୁ ଯେଉଁମାନେ ଗରିବ, ମଳିମୁଣ୍ଡିଆ, ଆଦିବାସୀ, ବସ୍ତିବାସୀ ପାଇଁ ଚିନ୍ତିତ, ଆମେ ଶାନ୍ତିରେ ଶୋଇ ପାରୁନାହୁଁ। କରୋନା ପରି କୌଣସି ମାରାତ୍ମକ ରୋଗ ଗରିବ, ମଳିମୁଣ୍ଡିଆ, ଆଦିବାସୀ, ବସ୍ତିବାସୀ, ଗାଁ ବାସୀଙ୍କୁ ମାରିଦେଲେ ବୋଧେ ଏହି ଦେଶର ସମସ୍ୟା ଦୂର ହୋଇଯିବ, ଯାହା କେବେ ସମ୍ଭବ ନୁହେଁ। କିଛି ସ୍ବାର୍ଥ କୈନ୍ଦ୍ରିକ ଖାଦ୍ୟ ଫିଙ୍ଗୁଥିବା ବ୍ୟକ୍ତି ଏହା ଚିନ୍ତା କରିପାରନ୍ତି। ଯେଉଁ ଦେଶରେ ଶିଶୁ, ଅଙ୍ଗ ବିକ୍ରି ଓ ଚୋରି ଶିକ୍ଷିତ ଧନୀ ବ୍ୟକ୍ତି କରିପାରନ୍ତି, ସେମାନେ ନିଜ ଶାନ୍ତି, ଆନନ୍ଦ ଓ ଭଲରେ ରହିବା ପାଇଁ କିଛି ବି କରି ପାରନ୍ତି।

ଧର୍ମର ଭେକ ଧରି ଧର୍ମ ନିର୍ବିଶେଷରେ ନିଜ ଅନୁଷ୍ଠାନ ଓ ଦେଶର ଅନୁଷ୍ଠାନ ଓ ସମାଜରେ ଅନୈତିକ କାର୍ଯ୍ୟ କରିବା ଉଦାହରଣଗୁଡ଼ିକ ବଢ଼ିଚାଲିଛି। ନ୍ୟାୟପାଳିକାର ନିଷ୍ପତ୍ତିକୁ ଆଉ ନ୍ୟାୟ ବୋଲି ନିଜେ ଉଚ୍ଚ ଶିକ୍ଷିତ ଓ ଉଦାରବାଦୀ ପ୍ରବୀଣ ବ୍ୟକ୍ତି ଉଚିତ୍‌ କହି ପାରୁନାହାନ୍ତି। ମଳିମୁଣ୍ଡିଆ, ଆଦିବାସୀ, ବସ୍ତିବାସୀ ଯଦିଓ ଭୋଟ ଦିଅନ୍ତି, ବ୍ୟବସ୍ଥା ଓ ତନ୍ତ୍ରରେ ତାଙ୍କର ଆସ୍ଥା ଓ ଆଶା ନାହିଁ। ମୁଁ ନିଜେ ଛବିଶ ବର୍ଷ ମଳିମୁଣ୍ଡିଆ, ଆଦିବାସୀ, ବସ୍ତିବାସୀ ପାଇଁ ଚାକିରି କରି, ଆଶା ବାନ୍ଧି ପାରିନାହିଁ। ଏପରି ସ୍ଥଳେ କିଛି ବନ୍ଧୁ, ଦେଶରେ ରାଷ୍ଟ୍ରପତି-ମୁଖ୍ୟ, ଆମେରିକା ପରି ବ୍ୟବସ୍ଥା ଆଣିବା ଓ ତାହା ସର୍ବାଙ୍ଗୀନ ଉନ୍ନତିରେ ସହାୟ ହେବ, ଏହା ବିଚାର ପୋଷଣ କରୁଛନ୍ତି। ଯଦି ତାହା ଉଚିତ୍, ପ୍ରଚଳିତ ବ୍ୟବସ୍ଥାରେ ଥାଇ, ବର୍ତ୍ତମାନ ପରି ସରକାର ବଦଳାଇ ଦେଇ ପାରିବ ବୋଲି କିଛି ନାଗରିକ ଆଶା ରଖିଛନ୍ତି । ପୂର୍ଣ୍ଣ ସଂଖ୍ୟାରେ ସରକାର ଉଭୟ ଗୃହରେ ରହିଲେ ସମ୍ଭବ, ଆନ୍ଦୋଳନ ମାଧ୍ୟମରେ ଏହା କରିବା ଅସମ୍ଭବ ଜଣା ପଡୁଛି।

ଗଣତନ୍ତ୍ର ନୈତିକ ବିହୀନ ଓ ଉତ୍ତରଦାୟୀ ହେବାର ସଂସ୍କୃତି ଯେଉଁ ସମାଜରେ ଓ ବ୍ୟବସ୍ଥାରେ ଯଦି ନାହିଁ, ସେହି ସମାଜରେ, କୌଣସି ବି ତନ୍ତ୍ର କେମିତି କାମ ଦେବ।
ଭାରତକୁ ହିନ୍ଦୁ ରାଷ୍ଟ୍ର କହିବା, ଏଠିକାର ଜନଜାତିଙ୍କୁ ହିନ୍ଦୁ କହିବା ଏକ ମିଥ୍ୟା। ଜନ ଜାତି ଅନ୍ୟ ଦେଶରେ ବି ଅଛନ୍ତି ସେ କି ହିନ୍ଦୁ? ଧର୍ମଭିତ୍ତିକ ଚାଲ ଖେଳି ସରକାର ପରିଚାଳନା ଓ ଅବହେଳିତଙ୍କୁ ଉପେକ୍ଷା କରି, ଭାରତକୁ ଆର୍ଥିକ ଓ ନାନା ଅଭାବରୁ ମୁକ୍ତ କରିବା ସ୍ଲୋଗାନ ଭୁଲ। ଗାଁ ଓ ବସ୍ତିମାନଙ୍କର ହାହାକାର ଯାଇନାହିଁ, ଯିବ ବୋଲି ଆଶା କରି ହେଉ ନାହିଁ, ଧର୍ମ, ବ୍ୟବସ୍ଥା ଓ ତନ୍ତ୍ର ନିଶ୍ଚିତ ଏହାର ଉତ୍ତର ରଖିବା ଉଚିତ। ଇନ୍ଦିରା ଗାନ୍ଧୀଙ୍କଠୁ ଆଜିଯାଏ କୌଣସି ସରକାର, କଳା ଧନ, ଅନ୍ୟାୟ ଓ ଶୋଷଣକୁ ଦମନ କରିପାରିନାହାନ୍ତି ବା ସଦିଚ୍ଛା ସାବ୍ୟସ୍ତ କରିପାରି ନାହାନ୍ତି । ଆକାଶଛୁଆଁ ଜିଡିପି ଓ ଟେକ୍ନୋଲୋଜି ରହି, ନିଜେ ସରକାରରେ ଥାଇ, ନିଷ୍କଳଙ୍କ, ଆଦର୍ଶ ସରକାରମାନେ ସୁଶାସକ ଦେଇପାରୁ ନାହାନ୍ତି। ଗାଁର ଶେଷ ବ୍ୟକ୍ତିଠୁ ଆରମ୍ଭ କରି, ସମସ୍ତଙ୍କୁ ଲିଟିରେଟ ଓ ଶିକ୍ଷିତ କରିବା ପ୍ରୟାସ ଆଜି ବି ହେଲାନାହିଁ, ଯଦି ପ୍ରକଳ୍ପ ଆସିଲା, ତାକୁ ନିଶ୍ଚିତ କରାଗଲା ନାହିଁ। ତଦାରଖ ବାହାନାରେ ଅନ୍ୟକୁ ଦୋଷ ଦେଇ ଦେଲୁ। ପଞ୍ଚାୟତକୁ ଜିଡିପ ଓ ଟେକ୍ନୋଲୋଜିର ଉଚିତ ଭାଗ ମିଳିଲା ନାହିଁ। ଯେତେ ଚାକିରି ଓ ଋଣ ଦିଆଗଲା, ସବୁଠି ମଳିମୁଣ୍ଡିଆ ବି କେମିତି ପାଇପାରିବ, ତା’ର ଠିକ୍‌ ଭାବେ ଅବସ୍ଥା କରାଗଲା ନାହିଁ। ମଳିମୁଣ୍ଡିଆକୁ ହିତାଧିକାରୀ ବା ଉପଭୋକ୍ତା ବା ଗ୍ରାହକ କରି ରଖାଗଲା। ସେ କେବେ ବି ଜିଡିପିର ଅଙ୍ଗ ବା ସହ ମାଲିକ ବୋଲି ଗ୍ରହଣ କରାଗଲା ନାହିଁ। ଦେଶର ଖଣି, ଜଙ୍ଗଲ ଜମିରେ ମଳିମୁଣ୍ଡିଆର ବି ଅଧିକାର ଅଛି ଆମେ ଭାବିଲୁ ନାହିଁ। ଆଜି ଏହା ସରକାରୀ ନୁହଁ, କମ୍ପାନୀର ବୋଲି ଗାଁବାସୀ ବିଶ୍ୱାସ କରନ୍ତି। ସେ ବି ମାଲିକ ଏହା ଆମର ଦୃଷ୍ଟିଭଙ୍ଗୀ ନୁହେଁ। ସହରରୁ ଅଙ୍ଗନବାଡ଼ି, ପ୍ରାଥମିକ ଶିକ୍ଷକ ଓ ପିଅନ ଆଣି ଗାଁରେ ପଞ୍ଚାୟତରେ ସରକାରୀ କାର୍ଯ୍ୟକ୍ରମ ଆମେ କଲୁ।

ସମୟ ନେଇ ଆଜି ବି ଗାଁ ପିଲାଙ୍କୁ, ମଳିମୁଣ୍ଡିଆଙ୍କୁ ନିଜ ଗାଁ ପାଇଁ ତାଙ୍କୁ ପ୍ରସ୍ତୁତ କରି, ରିଜର୍ଭେସନ ଅଞ୍ଚଳଭିତ୍ତିକ କଲୁନାହିଁ। ତାଙ୍କ ପାଇଁ ତାଙ୍କ ହାତରେ ଭାର ଦିଆଗଲା ନାହିଁ।
ଏପରି ତନ୍ତ୍ର ଓ ବ୍ୟବସ୍ଥାରେ କୌଣସି ପ୍ରକାରର ଗଣତନ୍ତ୍ର, ବ୍ୟବସ୍ଥା କାମ ଦେବ ନାହିଁ ବୋଲି ମୋର ଅନୁମାନ। ପଞ୍ଚାୟତକୁ ନିଯୁକ୍ତି, ବ୍ୟୟ କ୍ଷମତା ଓ ଜିଡ଼ିପିର ଭାଗ ନ ମିଳିବା ଯାଏ, ଟ୍ରିଲିଅନ ଡଲାର ଇକୋନୋମି ହେଲେ ବି, କୁପୋଷଣ, ଅନାହାର, ବାଧ୍ୟତାମୂଳକ ବିସ୍ଥାପନ, ଦାଦନ, ଅପରିମଳ, ଚୋରି, ଲୁଣ୍ଠନ ଚାଲୁ ରହିବ। ମୁଁ ଧନ୍ୟବାଦ ଦିଏ ଏ ଦେଶର ଜନଜାତିଙ୍କୁ, ସେମାନେ ଆଜି ଯାଏ ଆମ ବିରୁଦ୍ଧରେ ବହୁ ସଂଖ୍ୟକବାଦୀଙ୍କ କିମ୍ବା ବର୍ତ୍ତମାନର ବ୍ୟବସ୍ଥା ବିରୁଦ୍ଧରେ ସଂଗ୍ରାମ ଆରମ୍ଭ କରି ନାହାନ୍ତି। ଯଦି କରୁଛନ୍ତି ବ୍ୟାପକ ରୂପ ନେଇ ପାରୁନାହିଁ। ଭୋଟ ଦେଇ ପ୍ରତିନିଧି ବାଛିଛନ୍ତି।

ମୋ ଦୃଷ୍ଟିରେ ଆଜିର ସବୁ ଗଣତାନ୍ତ୍ରିକ ଅନୁଷ୍ଠାନ, ସଂସଦ, ବିଧାନସଭା, ନ୍ୟୟାଳୟ, କର୍ଯ୍ୟାଳୟ, ସବୁ ଅଣଆଦିବାସୀ, ଅଣଗରିବଙ୍କ ଅକ୍ତିଆରରେ। ଯେଉଁମାନେ ମୂଳ, ସେମାନଙ୍କ ହାତରୁ ବ୍ୟବସ୍ଥା, ଶାସନ, ସଂସ୍କୃତି ଇତ୍ୟାଦି ଚାଲି ଯାଇଛି। କିଛି ଜଣ ଯଦି ପହଞ୍ଚିଛନ୍ତି, ବିଶେଷ ପଦକ୍ଷେପ ନେଇ ପାରୁନାହାନ୍ତି। ବର୍ତ୍ତମାନର ରାଷ୍ଟ୍ରପତିଙ୍କଠାରୁ ଦେଶ ଅନେକ ଆଶା ରଖୁଛି। ଆଦିବାସୀ ଗୀତ, ନୃତ୍ୟ, ଦ୍ରବ୍ୟ, ଚିତ୍ର, ଅଣଆଦିବାସୀମାନେ ବି ପ୍ରଦର୍ଶନ କରି ବଜାରରେ ଓ ଦେଶ ବିଦେଶରେ ନାଁ ଓ ଦାମ ପାଉଛନ୍ତି। ଯେଉଁ ସଂସ୍କୃତି ଓ ପରମ୍ପରାକୁ ଘୃଣା ବା ଛୋଟ ଦେଖୁ ଥିଲେ ବା ଛୋଟ କରୁଥିଲେ, ଆଜି ଅଣ- ଆଦିବାସୀ ଓ ଅଣ- ହରିଜନ, ସେହି ଗୀତ, ନାଚ, ବାଦ୍ୟ, କପଡା, ଖାଦ୍ୟକୁ ନେଇ ମାଲାମାଲ।

ବିପ୍ଳବ ଯେବେ ଆଦିବାସୀ ଓ ମଳିମୁଣ୍ଡିଆ କରିବେ ଓ ଶାସନ ବା କ୍ଷମତା ନିଜ ଅକ୍ତିଆରକୁ ନେବେ ବା ବହୁ ସଂଖ୍ୟକ ବାଦ ଯେବେ ଦମନ ନହେବ, ସେଦିନ ଭାରତରେ ସ୍ବରାଜ ଫେରିଲା ବା ଗଣତନ୍ତ୍ର ଫେରିଲା ବୋଲି ଭାବି ହେବ ନାହିଁ। ବର୍ତ୍ତମାନ ବହୁସଂଖ୍ୟାବାଦୀଙ୍କ ବୋଲବାଲା ସବୁ କ୍ଷେତ୍ରରେ ଚାଲିଛି। ଏଠି ଏହା ଉଚିତ୍, ସର୍ବେ ଭବନ୍ତୁ ସୁଖିନଃ, ସର୍ବେ ସନ୍ତୁ ନିରାମୟା, ସର୍ବେ ଭଦ୍ରାଣି ପଶ୍ୟନ୍ତୁ, …….. ଉପେକ୍ଷିତ।

ଧର୍ମ, ଗୃହ ଓ ଅନ୍ତର ଭିତରେ ସୀମିତ ରଖି, ପ୍ରେମ, ଅନୁକମ୍ପା ଓ ବଳିଦାନର ସଂସ୍କୃତି ସୃଷ୍ଟି କରିବାର ଆବଶ୍ୟକତା ରହିଛି। ପ୍ରତ୍ୟେକ ପ୍ରାଥମିକ ଓ ଅନ୍ୟାନ୍ୟ ଶିକ୍ଷା ଅନୁଷ୍ଠାନଗୁଡିକରେ ପ୍ରେମ, ଅନୁକମ୍ପା ଓ ବଳିଦାନର ସଂସ୍କୃତି ଆଦି ଆଲୋଚନା ଓ କାର୍ଯ୍ୟ, ଟିଭି, ରେଡ଼ିଓ, ଖବର କାଗଜ, ବଜାର, ଅଫିସ, ସଂସଦ, ବିଧାନସଭା, ବିଚାରାଳୟ ଓ ନିଜ ଘରେ ଚାଲୁ ରଖାଗଲେ, ହୁଏତ ଦେଶରେ ମଳିମୁଣ୍ଡିଆ, ଆଦିବାସୀ ଓ ବସ୍ତିବାସୀଙ୍କ ଦୁଃଖ ଦୂରହେବ।

Comments are closed.