ଅବିଶ୍ୱସନୀୟ : ନୀଳଗିରିରେ ବଢୁଛି ଶିବଲିଙ୍ଗ.. ଛୁଟୁଛି ଶ୍ରଦ୍ଧାଳୁଙ୍କ ସୁଅ
ନୀଳଗିରି: ବଢ଼ୁଛି ଶିବଲିଙ୍ଗ । ଖୋଲା ଆକାଶ ତଳେ ତଥା ନୀଳଗିରିର ପ୍ରକୃତି କୋଳରେ ଆବିର୍ଭାବ ହୋଇଥିବା ୧୦ଫୁଟ୍ର ଶିବଲିଙ୍ଗଟି ଏବେ ୨୨ଫୁଟ୍ ରେ ପହଞ୍ଚିଛି । ଆଦିବାସୀ ପୂଜକ ଜପୁଛନ୍ତି ମହା ମୃତ୍ୟୁଞ୍ଜୟ ମନ୍ତ୍ର । ଏହି ଲିଙ୍ଗକୁ ଏସିଆ ମହାଦେଶର ସର୍ବବୃହତ୍ତମ ଲିଙ୍ଗ ବୋଲି ଅଞ୍ଚଳବାସୀ ଦାବି କରୁଛନ୍ତି ।
ବାଲେଶ୍ୱର ଜିଲା ନୀଳଗିରିର ମହିଷାପଟ୍ଟା ପଞ୍ଚାୟତ ଅଧୀନ ଶାଳବଣି ଗାଁରେ ଆବିର୍ଭାବ ହୋଇଛନ୍ତି ବାବା ଜଟାଧାରୀ । ପ୍ରାୟ ୮୦/ ୮୫ବର୍ଷ ତଳୁ ସେହି ଗାଁର ରୁହ୍ୟା ସିଂଙ୍କୁ ସ୍ୱପ୍ନାଦେଶ ହେବା ପରେ ସେ ୨ଟି ବରଡ଼ାଳ ମାଟିରେ ପୋତିଥିଲେ । ତାଙ୍କ ଅନ୍ତେ ତାଙ୍କ ପୁଅ ସୁନା ସିଂଙ୍କ ପତ୍ନୀ ଚନ୍ଦ୍ରମଣି ଗର୍ଭବତୀ ଥିବା ସମୟରେ ଦେହ ରୋଗାକ୍ରାନ୍ତ ହୋଇ ଚାଲିଥିଲା । ଗୁଣିଗାରେଡ଼ି, ଅପାଣିଆ ପୂଜାରେ ଖର୍ଚ୍ଚ କରି ସେମାନେ ନୟାନ୍ତ ହୋଇ ପଡ଼ିଥିଲେ । ରୋଗାଗ୍ରସ୍ତ ପତ୍ନୀଙ୍କ ଜନ୍ମ ନେଇଥିଲା ଏକ କୁନିଝିଅ । ଝିଅଟିକୁ ଯେତେବେଳେ ୫ବର୍ଷ । ହଠାତ ପରିବାରରେ ଅଲୌକିକ ଘଟଣାମାନ ଘଟି ଚାଲିଥିଲା । ଝିଅର ବୟସ ୮ବର୍ଷ ହୋଇଥିବା ସମୟରେ କାର୍ତ୍ତିକ ମାସ ଗୁରୁବାର ଦିନ ସେ ମାଟି କଳସୀ ନେଇ ନିକଟସ୍ଥ ଏକ ଚୁଆକୁ ପାଣି ଆଣିବାକୁ ବାହାରିଥିଲା । ସନ୍ଧ୍ୟା ସୁଧା ଝିଅଟି ଘରକୁ ନଫେରିବାରୁ ପରିବାର ଲୋକେ ଚିନ୍ତାରେ ପଡ଼ି ଯାଇଥିଲେ । ରାତିରେ ଚାରିଆଡ଼େ ଲଣ୍ଠନ ଓ ଟର୍ଚ୍ଚ ମାରି ଦେଖିବା ପରେ କନ୍ୟାଟି ଜଟାଧାରୀ ବାବାଙ୍କ ମସ୍ତକ ଉପରେ ଧ୍ୟାନମଗ୍ନ ଅବସ୍ଥାରେ ବସି ଓଁକାର ମନ୍ତ୍ର ଜପୁଥାଏ । ରାତିସାରା ବର୍ଷାରେ ଭିଜି ଶିବମନ୍ତ୍ର ଜପ କରୁଥିବା ଏହି ବାଳିକା ଭୋର ସମୟରେ ଶିବଲିଙ୍ଗ ଉପରେ ଶୋଇ ପଡ଼ିଥିଲା । ଏତେ ଉଚ୍ଚ ଶିବଲିଙ୍ଗ ଉପରକୁ କୁନି ବାଳିକାଟି ଚଢ଼ିବା କାଠିକର ପାଠ ଥିଲା । କିନ୍ତୁ ସେ ଉପରକୁ ଗଲା କେମିତି ଏବଂ ଓହ୍ଲାଇବ କେମିତି ବୋଲି ଲୋକଙ୍କ ମନରେ ପ୍ରଶ୍ନବାଚୀ ସୃଷ୍ଟି ହେବା ସହ ଭୟ ମଧ୍ୟ ସୃଷ୍ଟି ହୋଇଥିଲା । କିନ୍ତୁ ଅକ୍ଳେଶରେ ଝିଅଟି ଉପରକୁ ହାତ ଟେକିବାରୁ ଜେଜେ ପୋତିଥିବା ବର ଡ଼ାଳଟି ତା’ ଆଡ଼କୁ ଚାଲି ଆସିଥିଲା । ଆଉ ସେ ସହଜରେ ତଳକୁ ଓହ୍ଲାଇ ପାରିଥିଲା । କିଛି ଦିନ ପରେ ଏହି ବାଳିକାର ଦେହାନ୍ତ ହୋଇଯାଇଥିଲା ।
ବାରମ୍ବାର ଶିବଙ୍କ ସ୍ୱପ୍ନାଦେଶ ପାଇ ମୃତ ବାଳିକାର ପିତା ସୁନା ସିଂ ସମ୍ପ୍ରତି ସେଠାରେ ଶୈବ ପୂଜକ ପାଲଟି ଯାଇଛନ୍ତି । ଜପୁଛନ୍ତି ମହା ମୃତ୍ୟୁଞ୍ଜୟ ମନ୍ତ୍ର । ଏଠି ଆଦିବାସୀ ଓ ଭୂମିଜ ସମ୍ପ୍ରଦାୟର ଲୋକେ ଶୈବ ପୂଜାର୍ଚ୍ଚନା କରୁଛନ୍ତି । ନିସ୍ତବ୍ଧ ରାତିରେ ଉକ୍ତ ଶୈବପୀଠରେ ଘଣ୍ଟା, ମୃଦଙ୍ଗ ବାଜିବା ଭଳି ଶବ୍ଦ ଅଞ୍ଚଳବାସୀଙ୍କ କାନରେ ପଡ଼ିଛି । ଗୁଣି ଗାରେଡ଼ିକୁ ବିଦାୟ ଦେଇ ବାବା ଜଟାଧାରୀଙ୍କୁ ଡ଼ାକିଲେ ଅଞ୍ଚଳବାସୀ ଆରୋଗ୍ୟ ହୋଇ ପାରୁଛନ୍ତି । ଏହି ଅଲୌକିକ ଖବର ପ୍ରଚାରିତ ହେବା ପରେ ନୀଳଗିରିର ଏହି ଆଦିବାସୀ ଅଞ୍ଚଳରେ ଥିବା ଶିବଲିଙ୍ଗକୁ ଦର୍ଶନ କରିବା ପାଇଁ ବିଭିନ୍ନ ଅଞ୍ଚଳରୁ ଶ୍ରଦ୍ଧାଳୁଙ୍କ ସୁଅ ଛୁଟିବାରେ ଲାଗିଛି ।
Comments are closed.