ନଳକୂପ ଅଚଳ; ପାଣି ପାଇଁ ଲୋକେ ହନ୍ତସନ୍ତ
ନବରଙ୍ଗପୁର: ପାପଡ଼ାହାଣ୍ଡି ବ୍ଲକ ମାଝୀଗୁଡା ପଂଚାୟତର ସଦରମହକୁମା ଛକରେ ଥିବା ନଳକୂପଟି ଦୀର୍ଘ ଏକ ମାସରୁ ଊର୍ଦ୍ଧ୍ବ ସମୟ ହେଲା ଅଚଳ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି । ଏହି ନଳକୂପ ଉପରେ ସାହିର ପାଖାପାଖି ପଚାଶ ପରିବାର ନିର୍ଭର କରିଥାନ୍ତି । ନଳକୂପକୁ ମରାମତି କରିବା ପାଇଁ ଲୋକେ ପଞ୍ଚାୟତ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ । କିନ୍ତୁ କର୍ମଚାରୀମାନେ ମରାମତି କରିବା ପରିବର୍ତ୍ତେ ପଂଚାୟତ କର୍ମକର୍ତ୍ତା ପର ଉପରେ ଦୋଷ ଦେଖାଇ ଚୁପ ହୋଇଯାଉଛନ୍ତି । ଯାହା ଫଳରେ ଲୋକେ ପିଇବା ପାଣି ପାଇଁ ନାହିଁ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।
ସେହିପରି ପଞ୍ଚାୟତର ଲୋଦି ଗ୍ରାମର ଗୌଡ଼ ସାହି ଏବଂ ବିଦ୍ୟାଳୟରେ ମଧ୍ୟ ସମାନ ଦୃଶ୍ୟ ଦେଖିବାକୁ ମିଳିଛି । ସେଠାରେ ମଧ୍ୟ ନଳକୂପଟି ଦୀର୍ଘ ଚାରି ମାସ ହେଲା ଅଚଳ ଅବସ୍ଥାରେ ପଡ଼ି ରହିଛି । ସାହି ବାସିନ୍ଦା ଓ ବିଦ୍ୟାଳୟ କମିଟି ସରପଞ୍ଚ ଏବଂ ପଂଚାୟତ ଅଧିକାରୀଙ୍କୁ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ ସେମାନେ ନଳକୂପ ପାଇପ୍ ନାହିଁ କହି କର୍ଣ୍ଣପାତ କରୁନଥିବା କହିଛନ୍ତି । ସାହିରେ ଥିବା କୂଅ ଏବଂ ଝରଣାରୁ ଲୋକେ ପିଇବାପାଣି ସଂଗ୍ରହ କରୁଛନ୍ତି । କୂଅ ଓ ଝରଣା ପାଣି ବିଶୁଦ୍ଧ ନ ଥିବାରୁ ସଂକ୍ରମଣ ରୋଗ ବ୍ୟାପିବାର ସମ୍ଭାବନା ରହିଛି। ବିଦ୍ୟାଳୟ ମଧ୍ୟରେ ଛାତ୍ରଛାତ୍ରୀମାନେ ନିଜ ନିଜ ଘରଠୁ ପାଣି ଵୋତଲ୍ ନେଇ ବିଦ୍ୟାଳୟ ଯାଉଛନ୍ତି । ଆଗକୁ ଖରାଦିନ ଆସୁଥିବାରୁ ଏହି ନଳକୂପକୁ ଶୀଘ୍ର ମରାମତି କରିବା ପାଇଁ ଗାଁର ହରିହର ଗୌଡ଼, ପାର ପୂଜାରୀ, ମାଙ୍ଗଡି ଜାନୀ, ଡମାଇ ବିନ୍ଧାଣି, ମଇନା ଗୌଡ଼, ଗୌର ଗୌଡ଼, ପାର୍ବତୀ ଜାନୀ, ତିଲତମା ଗୌଡ଼, ହିରାମଣୀ ଗୌଡ଼ ଏବଂ ବିଦ୍ୟାଳୟ କମିଟି ଦାବି କରିଛନ୍ତି ।
Comments are closed.