ଋଣ ଟଙ୍କା ଶୁଝି ନପାରିବାରୁ ସିଲ୍‌ ହେଲା ନାରାୟଣପୁରର ଫର୍ଚ୍ୟୁନ ସ୍ପରିଟ୍‌

ଗୋପାଳପୁର: ଗୋପାଳପୁର ଥାନା ଅନ୍ତର୍ଗତ ନାରାୟଣପୁର ଠାରୁ ଆଲିପୁର ରାସ୍ତାରେ ଥିବା ଫର୍ଚ୍ୟୁନ ସ୍ପିରିଟ ଲିମିଟେଡ କମ୍ପାନୀକୁ ସିଲ୍‌ କରାଯାଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ ନିର୍ଦେଶକ୍ରମେ ସରଫେସି ଆଇନ ୨୦୦୨ ଅନୁସାରେ ଆଇ.ଡି.ବି.ଆଇ ବ୍ୟାଙ୍କ ପକ୍ଷରୁ ସିଲ୍‌ କରାଯାଇଛି । ସୂଚନା ଅନୁସାରେ, କମ୍ପାନୀର ମାଲିକ ରାଜେଶ କୁମାର ସାହୁ ୨୦୦୯ରୁ ବର୍ତ୍ତମାନ ସୁଦ୍ଧା ଏଠାରେ ମଦ ବଟଲିଙ୍ଗ ୟୁନିଟ କରିଥିଲେ । ଏହି ୟୁନିଟ୍‌ ପାଇଁ ୨୦୧୫ରେ ଆଇ.ଡି.ବି.ଆଇ ବ୍ୟାଙ୍କ ପକ୍ଷରୁ ୧୨ କୋଟି ୧୬ ଲକ୍ଷ ୮୫ ହଜାର ୨୧୧ ଟଙ୍କା ଋଣ ଆଣିଥିଲେ ।

prayash

ଏହା ବର୍ତ୍ତମାନ ପ୍ରାୟ  ୧୫ କୋଟି ହୋଇଥିବାରୁ ବ୍ୟାଙ୍କ ପକ୍ଷରୁ ମାଲିକଙ୍କୁ ବାରମ୍ବାର ନୋଟିସ କରାଯାଉଥିଲେ ମଧ୍ୟ ଋଣ ଟଙ୍କା ଶୁଝି ନ ଥିବାରୁ ଆଜି ଭୁବନେଶ୍ୱର ସ୍ଥିତ ଆଇ.ଡି.ବି.ଆଇ ବ୍ୟାଙ୍କ କର୍ମଚାରୀ, ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା କୁଲଦୀପ କୁମାର, ଗୋପାଳପୁର ଥାନା ଅଧିକାରୀ ଶ୍ରୀକାନ୍ତ ଖମାରୀଙ୍କ ସମେତ ୨ ପ୍ଲାଟୁନ ପୁଲିସ ଫୋର୍ସ ଉପସ୍ଥିତ ରହି କମ୍ପାନୀରେ ଥିବା ସମସ୍ତ ଜିନିଷ ପତ୍ରକୁ ସିଜର ଲିଷ୍ଟ କରି ଉଭୟ ଦସ୍ତଖତ କରି ଗୋପାଳପୁର ଖାତା ନମ୍ବର ୨୯୦/୬୩୯ର  ଦୁଇ ଏକର ୩୦ ଡେସିମିଲ ରେ ଥିବା ଫର୍ଚ୍ୟୁନ ସ୍ପିରିଟ ଲିମିଟେଡ଼ ନାରାୟଣପୁରର ସମସ୍ତ ସ୍ଥାବର ଓ ଅସ୍ଥାବର ସମ୍ପତିକୁ ବ୍ୟାଙ୍କ ହାତକୁ ନେଇଛି ।

ଏ ନେଇ କମ୍ପାନୀ ମାଲିକ ରାଜେଶ ସାହୁଙ୍କ ସହ ଯୋଗାଯୋଗ ବେଳେ ସେ କହିଥିଲେ ଯେ ଆଇ.ଡି.ବି.ଆଇରୁ ଋଣ ଆଣିଥିଲି ଭଲ ଚାଲିଥିଲା କିନ୍ତୁ କୋଭିଡ ସମୟରେ ମାନ୍ଦା ପଡିଯିବା ଯୋଗୁଁ ଋଣ ଟଙ୍କା ସୁଝିବାରେ ଅସୁବିଧା ରହିଲା । କିଛି କର୍ମଚାରୀଙ୍କ ପ୍ରାୟ ୬ ମାସର ଦରମା ରହିଥିବାରୁ ଚଳିତ ମାସ ଶେଷ ସୁଦ୍ଧା ପୈଠ କରିବେ ବୋଲି କହିଥିଲେ । ଏ ନେଇ ବ୍ୟାଙ୍କ କର୍ମଚାରୀଙ୍କ ସହ ଯୋଗାଯୋଗ ବେଳେ ସେମାନେ କହିଥିଲେ ଯେ ପ୍ରାୟ ୧୫ କୋଟି ଟଙ୍କା ଋଣ ରହିଛି ବାରମ୍ବାର ନୋଟିସ କରାଯାଉଥିଲେ ମଧ୍ୟ ଏଥି ପ୍ରତି ଗୁରୁତ୍ବ ଦେଉ ନଥିବାରୁ ସିଲ କରାଯାଇଛି ।

 

Comments are closed.