ସବୁ ଟିଭି ଚାନେଲ ଜାତୀୟ ସ୍ବାର୍ଥ ସମ୍ବଳିତ ପ୍ରସଙ୍ଗ ପ୍ରସାରଣ କରିବେ

ନୂଆଦିଲ୍ଲୀ : ଦେଶର ସମସ୍ତ ଟିଭି ଚାନେଲ ଦୈନିକ ଅତିକମ୍‌ରେ ୩୦ ମିନିଟ୍‌ ଜାତୀୟ ସ୍ବାର୍ଥ ସମ୍ବଳିତ କିମ୍ବା ସାଧାରଣ ଜନତାଙ୍କ ସେବା ଉପଯୋଗୀ ପ୍ରସଙ୍ଗକୁ ପ୍ରସାରଣ କରିବେ। କେନ୍ଦ୍ର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ଏ ସମ୍ପର୍କରେ ନିର୍ଦେଶନାମା ଜାରି ପୂର୍ବକ ଏହାକୁ ଅନୁପାଳନ ନିମନ୍ତେ ବାଧ୍ୟତାମୂଳକ କରିବାକୁ ଯାଉଛନ୍ତି। ତେବେ ଏହି ନିର୍ଦେଶ କ୍ରୀଡା, ବନ୍ୟପ୍ରାଣୀ ପ୍ରସଙ୍ଗ ପ୍ରସାରଣ କରୁଥିବା ଓ ବିଦେଶୀ ଟିଭି ଚା​‌େ​‌ନଲଗୁଡିକ ଲାଗି କାର୍ଯ୍ୟକାରୀ ହେବ ନାହିଁ। ମନ୍ତ୍ରଣାଳୟ ସଚିବ ଅପୂର୍ବ ଚନ୍ଦ୍ରା କହିଛନ୍ତି ଯେ ଉକ୍ତ ନିର୍ଦେଶନାମା ସମ୍ପର୍କରେ ଖୁବ୍‌ଶୀଘ୍ର ବିଜ୍ଞପ୍ତି ଜାରି ହେବ। ମାତ୍ର ଏହା ପୂର୍ବରୁ ମନ୍ତ୍ରଣାଳୟ ଏହାର ସମସ୍ତ ଅଂଶୀଦାରଙ୍କ ସହିତ ଆଲୋଚନା କରିବ। ଜାତୀୟ ସ୍ବାର୍ଥ ପ୍ରସଙ୍ଗରେ ଟିଭି ଚାନେଲଗୁଡିକ କେଉଁ ସମୟରେ ପ୍ରସାରଣ କରିବେ ସେ ସମ୍ପର୍କରେ ମାର୍ଗଦର୍ଶିକା ଜାରି କରାଯିବ। ଶିକ୍ଷା, ନିରକ୍ଷରତା ଦୂରୀକରଣ, କୃଷି, ଗ୍ରାମ୍ୟ ଉନ୍ନୟନ, ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ, ବିଜ୍ଞାନ ଓ ପ୍ରଯୁକ୍ତି, ମହିଳା ଓ ଶିଶୁ କଲ୍ୟାଣ, ଜାତୀୟ ଐତିହ୍ୟ ଓ କୀର୍ତ୍ତିରାଜିର ସୁରକ୍ଷା ଆଧାରିତ ବିଷୟବସ୍ତୁକୁ ଟିଭି ଚାନେଲଗୁଡିକ ପ୍ରସାରଣ କରିବେ।

kalyan agarbati

Comments are closed.