‘ଦୁର୍ନୀତିଗ୍ରସ୍ତ ଅସଲ ରାଷ୍ଟ୍ର ବିରୋଧୀ’

ନୂଆଦିଲ୍ଲୀ : ଦୁର୍ନୀତିଗ୍ରସ୍ତମାନେ ଏହି ଦେଶକୁ ଧ୍ୱଂସ କରିବାରେ ଲାଗିଛନ୍ତି। ସେମାନେ ଅର୍ଥବଳରେ ଦୁର୍ନୀତି ପରେ ଦୁର୍ନୀତି କରିଚାଲିଛନ୍ତି ବୋଲି ସୁପ୍ରିମକୋର୍ଟ ବୁଧବାର ମତ ରଖିଛନ୍ତି। ଏଲ୍‌‌ଗାର ପରିଷଦ ମାମଲାରେ ସାମାଜିକ କର୍ମୀ ଗୌତମ ନଭଲ୍‌ଖା ତାଙ୍କୁ ବିଚାର ବିଭାଗୀୟ ହାଜତ ପରିବର୍ତ୍ତେ ଗୃହବନ୍ଦୀ ଭାବରେ ରଖିବାକୁ କରିଥିବା ଆବେଦନର ଶୁଣାଣି ସମୟରେ ସର୍ବୋଚ୍ଚ ନ୍ୟାୟାଳୟ ଏଭଳି ମୌଖିକ ମନ୍ତବ୍ୟ ଦେଇଛନ୍ତି। ଗୌତମଙ୍କ ଆବେଦନକୁ ବିରୋଧ କରି ଅତିରିକ୍ତ ସଲିସିଟର ଜେନେରାଲ ଏସ ଭି ରାଜୁ ଏନ୍‌‌ଆଇଏ ପକ୍ଷରୁ ଯୁକ୍ତିଦର୍ଶାଇ କହିଥିଲେ ଯେ ଗୌତମଙ୍କ ଭଳି ବ୍ୟକ୍ତିମାନେ ଦେଶକୁ ନଷ୍ଟ କରିଦେବାକୁ ଚାହୁଛନ୍ତି। ସେମାନଙ୍କର ବିଚାରଧାରା ସେହିଭଳି। ସେମାନେ ନିରୀହ ଲୋକ ନୁହନ୍ତି। ସେମାନେ ହେଉଛନ୍ତି ପ୍ରକୃତ ଲଢେଇରେ ସମ୍ପୃକ୍ତ ଥିବା ବ୍ୟକ୍ତି। ଏହାପରେ ସର୍ବୋଚ୍ଚ ନ୍ୟାୟାଳୟର ଜଷ୍ଟିକ କେ ଏମ ଯୋଶେଫ ଏବଂ ଜଷ୍ଟିସ ହୃଷିକେଶ ରୟଙ୍କୁ ନେଇ ଗଠିତ ଖଣ୍ଡପୀଠ ମନ୍ତବ୍ୟ ଦେଇ କହିଥିଲେ, “ଦେଶକୁ କେଉଁମାନେ ଧ୍ୱଂସ କରୁଛନ୍ତି, ତାହା ଆପଣ ଜାଣିବାକୁ ଚାହୁଛନ୍ତି କି? ଯେଉଁମାନେ ଦୁର୍ନୀତିଗ୍ରସ୍ତ ସେମାନେ ଦେଶକୁ ନଷ୍ଟ କରୁଛନ୍ତି। ଆପଣ ଯେଉଁ ସରକାରୀ କାର୍ଯ୍ୟାଳୟକୁ ଯାଆନ୍ତୁ, ସେଠି କଣସବୁ ଘଟୁଛି? ଦୁର୍ନୀତିଗ୍ରସ୍ତଙ୍କ ବିରୋଧରେ କିଏ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି ? ଆମେ ପକ୍ଷପାତିତା କରୁଥିବାରୁ ନିଜକୁ ଦୋଷୀ ମନେକରିବା ଉଚିତ।”
ସର୍ବୋଚ୍ଚ ନ୍ୟାୟାଳୟଙ୍କ ଖଣ୍ଡପୀଠ କହିଥିଲେ ଯେ, ଏକ ଭିଡିଓରେ କିଛି ଲୋକଙ୍କୁ ଦେଖିବାକୁ ମିଳୁଛି ଯେଉଁମାନେ ଆମର ତଥାକଥିତ ନିର୍ବାଚିତ ଲୋକପ୍ରତିନିଧିଙ୍କୁ ବହୁକୋଟି ଟଙ୍କାରେ ଖରିଦ କରିବା ସମ୍ପର୍କରେ ଆଲୋଚନା କରୁଛନ୍ତି। ଆମେ ଯଦି ଆଖି ବନ୍ଦ ନକରିବା ତେବେ କହିପାରିବା କି ସେମାନେ ଆମ ରାଷ୍ଟ୍ର ବିରୋଧୀ କାର୍ଯ୍ୟ କରୁନାହାନ୍ତି? ତେଣୁ କଥା ହେଉଛି, ସେମାନଙ୍କୁ କେହି ପ୍ରତିରୋଧ କରୁନାହାନ୍ତି। ତେଣୁ ସେମାନେ ସେମାନଙ୍କ କାମ ଆନନ୍ଦରେ କରିଚାଲିଛନ୍ତି। ସେମାନେ ଛାଡ ପାଇବାକୁ ଟଙ୍କା ଭର୍ତ୍ତି ଥଳି ରହିଛି।
ସର୍ବୋଚ୍ଚ ନ୍ୟାୟାଳୟରେ ଅତିରିକ୍ତ ସଲିସିଟର ଜେନେରାଲ କହିଥିଲେ ଯେ, ସେ ଦୁର୍ନୀତିଗ୍ରସ୍ତଙ୍କ ପକ୍ଷ ନେଉନାହାନ୍ତି। ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଉଚିତ। ନଭଲ୍‌ଖାଙ୍କ କ୍ଷେତ୍ରରେ ଯଦି ଗୃହବନ୍ଦୀ ରଖିବା ଅନୁରୋଧକୁ ଗ୍ରହଣ କରାଯାଏ ତେବେ ସେ କ୍ଷେତ୍ରରେ କେଉଁ ସର୍ତ୍ତ ଲାଗୁ କରାଯିବ, ସେ ସମ୍ପର୍କରେ ଅଦାଲତଙ୍କୁ ଅବଗତ କରାଇବାକୁ ଖଣ୍ଡପୀଠ ଅତିରିକ୍ତ ସଲିସିଟର ଜେନେରାଲଙ୍କୁ କହିଥିଲେ।

kalyan agarbati

Comments are closed.