ଶିବାନୀ, ଦମୟନ୍ତୀ ଓ ଖୁଲଣାଙ୍କୁ ‘ଫ୍ଲୋରେନ୍ସ ନାଇଟେଙ୍ଗଲ’
ବ୍ରହ୍ମପୁର/ହରିଚନ୍ଦନପୁର/ଦଶରଥପୁର/ରଘୁନାଥପୁର : ସେବାର ପ୍ରତୀକ ରୂପେ ପରିଚିତ ଜାତୀୟ ଫ୍ଲୋରେନ୍ସ ନାଇଟେଙ୍ଗଲ ଜାତୀୟ ପୁରସ୍କାର-୨୦୨୧ ଓଡ଼ିଶାର ତିନି ସେବିକାଙ୍କୁ ପ୍ରଦାନ କରାଯାଇଛି । ନୂଆଦିଲ୍ଲୀସ୍ଥିତ ରାଷ୍ଟ୍ରପତି ଭବନରେ ଅନୁଷ୍ଠିତ ବର୍ଣ୍ଣାଢ୍ୟ ଉତ୍ସବରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କଠାରୁ ଦେଶର ଅନ୍ୟ କେତେକ ସେବିକାଙ୍କ ସହ ଓଡ଼ିଶାର ତିନି ଜଣ ସେବିକା ଶିବାନୀ ଦାଶ, ଦମୟନ୍ତୀ ରାଉତ ଓ ଖୁଲଣା ବାରିକଙ୍କୁ ସୋମବାର ଏହି ସ୍ବତନ୍ତ୍ର ପୁରସ୍କାର ଗ୍ରହଣ କରିଛନ୍ତି।
ଶିବାନୀ ଏବେ ବ୍ରହ୍ମପୁର ମହାରାଜା କୃଷ୍ଣଚନ୍ଦ୍ର ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟର ନର୍ସିଂ ଅଧିକାରୀ ଭାବେ କାର୍ଯ୍ୟ କରୁଛନ୍ତି। ଏମକେସିଜିର ପ୍ରଥମ ମହିଳା ନର୍ସିଂ ଅଧିକାରୀ ଭାବେ ସେ ଏହି ପୁରସ୍କାର ପାଇଥିବାରୁ ବେଶ ଖୁସି ଅନୁଭବ କରୁଥିବା ଶିବାନୀ ନିଜ ପ୍ରତିକ୍ରିୟାରେ କହିଛନ୍ତି। ବ୍ରହ୍ମପୁର ଲୋଚାପଡା ମୁଖ୍ୟରାସ୍ତା ବାସିନ୍ଦା ତଥା ଯାଜପୁର ଜିଲା ଦଶରଥପୁର ବ୍ଲକ ଅସନପୁର ପଞ୍ଚାୟତସ୍ଥ କଣ୍ଟାବଣିଆ ଗ୍ରାମର ସ୍ୱର୍ଗତ ରବିନାରାୟଣ ଦାସଙ୍କ ଝିଅ ଶିବାନୀ ୨୦୦୭ ମସିହାରୁ ବ୍ରହ୍ମପୁର ବଡ ଡାକ୍ତରଖାନାରେ ନର୍ସ ଭାବେ କାର୍ଯ୍ୟ ଆରମ୍ଭ କରିଥିଲେ। ଏହା ପୂର୍ବରୁ ସେ କୋଲକାତାରେ ନର୍ସ ଭାବେ କାର୍ଯ୍ୟ କରୁଥିଲେ। ଅସହାୟ ରୋଗୀଙ୍କ ସେବା ତଥା ଅସୁବିଧାରେ ପଡ଼ିଥିବା ରୋଗୀଙ୍କ ନିକଟରେ ଛିଡା ହୋଇ ସେବା ଯୋଗାଇବାରେ ରୁଚି ରଖୁଥିବା ଶିବାନୀ ଆଜି ପର୍ଯ୍ୟନ୍ତ ଅବିବାହିତା। ନର୍ସିଂ ସେବାକୁ ଜୀବନର ବ୍ରତ ଭାବେ ଗ୍ରହଣ କରିଥିବା ଶିବାନୀ କରୋନା ମହାମାରୀ ସମୟରେ ରୋଗୀଙ୍କ ସେବା କରି ବେଶ ଚର୍ଚ୍ଚାରେ ରହିଥିଲେ। ଗଞ୍ଜାମ ଶୀତଳାପଲ୍ଲୀ କୋଭିଡ ହସପିଟାଲରେ ଚିକିତ୍ସିତ ହେଉଥିବା କରୋନା ରୋଗୀଙ୍କୁ ଆବଶ୍ୟକୀୟ ସେବା ଯୋଗାଇବାରେ ସେ ପ୍ରମୂଖ ଭୂମିକା ଗ୍ରହଣ କରିଥିଲେ। ସେହିପରି ଏମକେସିଜି କୋଭିଡ ହସପିଟାଲରେ କରୋନା ରୋଗୀଙ୍କ ଦାଢି କାଟିବା, ସେମାନଙ୍କୁ ସଜାଇ ଦେବା ଭଳି କାମ କରି ବେଶ ଚର୍ଚ୍ଚିତ ଥିଲେ ଶିବାନୀ। ବିଭିନ୍ନ ସମୟରେ ସେ କାର୍ଯ୍ୟରତ ଥିବା ଏମକେସିଜିର ବିଭିନ୍ନ ୱାର୍ଡରେ ଅସହାୟ ରୋଗୀଙ୍କୁ ନିଜର ଭାବି ସେବା କରି ଆସୁଥିଲେ। ଆଉ ଏହି ନିଃସ୍ବାର୍ଥପର ସେବା ହିଁ ଆଜି ତାଙ୍କୁ ଦେଶର ଏହି ସମ୍ମାନଜନକ ପୁରସ୍କାର ମିଳିଛି। ଭାରତୀୟ ନର୍ସିଂ ପରିଷଦ ପକ୍ଷରୁ ତାଙ୍କୁ ସମ୍ମାନିତ କରାଯିବାକୁ ନିଷ୍ପତ୍ତି ନିଆଯାଇଥିଲା।
ସେହିଭଳି କେନ୍ଦୁଝର ଜିଲାର ହରିଚନ୍ଦନପୁର ବ୍ଲକ ଭଗାମୁଣ୍ଡା ସେକ୍ଟର ଗଉଣିଘଷା ସବ୍ସେଣ୍ଟରରେ କାର୍ଯ୍ୟରତ ଦମୟନ୍ତୀ ରାଉତ ‘ନ୍ୟାସନାଲ ଫ୍ଲୋରେନ୍ସ ନାଇଟିଙ୍ଗେଲ ନର୍ସସେସ୍ ଆୱାର୍ଡ’ ପାଇଛନ୍ତି । ଦମୟନ୍ତୀ କେନ୍ଦୁଝର ସରକାରୀ ଏଏନ୍ଏମ୍ ସେଣ୍ଟରରୁ ଉତ୍ତୀର୍ଣ୍ଣ ହୋଇ ପ୍ରଥମେ ଅନୁଗୁଳ ଜିଲାର ଖମାର ୟୁଜିପିଏଚ୍ସି, ଝୁମ୍ପୁରା ବ୍ଲକର କାଶିଆ ସବସେଣ୍ଟର ଓ ପରେ ହରିଚନ୍ଦନପୁର ବ୍ଲକର ବିଲା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ କାର୍ଯ୍ୟ କରିବା ପରେ ଏବେ ସେହି ବ୍ଲକର ଗଉଣିଘଷା ସ୍ୱାସ୍ଥ୍ୟ ଉପକେନ୍ଦ୍ରରେ ଏଏନ୍ଏମ୍ ଭାବେ କାର୍ଯ୍ୟରତ ଅଛନ୍ତି। ବିଶେଷ କରି ତାଙ୍କ ସ୍ୱାସ୍ଥ୍ୟ ଉପକେନ୍ଦ୍ର ଅଧିନରେ ଥିବା ଶିଶୁ, ଗର୍ଭବତୀ ମାଆମାନଙ୍କର ଟୀକାକରଣ, ଶିଶୁ ମାତୃ ମୃତ୍ୟୁ ହ୍ରାସ କ୍ଷେତ୍ରରେ ତାଙ୍କର ଉଲ୍ଲେଖନୀୟ ସେବା ରହିଥିବା ସୂଚନା ମିଳିଛି। ଉକ୍ତ କେନ୍ଦ୍ର ଅଧିନରେ ଥିବା ବିଭିନ୍ନ ଅଗମ୍ୟ ଗ୍ରାମକୁ ସାଇକେଲରେ ଯାଇ ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ବିଭିନ୍ନ ଯୋଜନା ଲୋକଙ୍କ ପାଖରେ ପହଞ୍ଚାଇବାରେ ସେ ଉଲ୍ଲେଖନୀୟ ଭୂମିକା ଗ୍ରହଣ କରିଥିବାରୁ ତାଙ୍କୁ ଏହି ସମ୍ମାନରେ ପୁରଷ୍କୃତ କରାଯାଉଥିବା ସୂଚନା ମିଳିଛି। ପରିବାର ନିୟୋଜନ କାର୍ଯ୍ୟକ୍ରମରେ ତାଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ ହୋଇଛି। ୨୦୧୬ ଠାରୁ ୨୦୨୦ ୫ ବର୍ଷରେ ୩୬ ଜଣ ପୁରୁଷଙ୍କୁ ପରିବାର ନିୟୋଜନ ଏବଂ ୧୧୮ ଜଣ ମହିଳାଙ୍କୁ ସଚେତନତା ମାଧ୍ୟମରେ ପରିବାର ନିୟୋଜନ କରାଇବାରେ ତାଙ୍କର ଭୂମିକା ଉଲ୍ଲେଖନୀୟ ବୋଲି ଜଣାପଡ଼ିଛି। ଏହାବ୍ୟତୀତ ଗ୍ରାମସଭା, ସ୍ୱଚ୍ଛଭାରତ ଅଭିଯାନ, ଔଷଧଯୁକ୍ତ ଦୀର୍ଘସ୍ଥାୟୀ ମଶାରୀ ବ୍ୟବହାର ଏବଂ ଅତି ବିପଦପୂର୍ଣ୍ଣ ମା’ମାନଙ୍କ ପାଖରେ ପହଞ୍ଚି ସେବା ଯୋଗାଇବା ଦମୟନ୍ତୀଙ୍କୁ ଅଧିକ ଲୋକପ୍ରିୟ କରାଇଛି।
ଅନ୍ୟପକ୍ଷରେ ରଘୁନାଥପୁର ପଞ୍ଚାୟତର ହୁରାସାହି ଗ୍ରାମର ଗୁଣନିଧୀ ବାରିକଙ୍କ ଝିଅ ଖୁଲଣା ବାରିକ ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ବହୁ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ସମ୍ମାନିତ ହୋଇଛନ୍ତି। ସେ ଦୁଇଦଶନ୍ଧି ଧରି ଜଗତସିଂହପୁର ଜିଲା ମୁଖ୍ୟ ଚିକିତ୍ସାଳୟରେ ନର୍ସିଂ କର୍ମଚାରୀ ଭାବେ କାର୍ଯ୍ୟ କରି ଆସୁଛନ୍ତି। ୧୯୯୯ ପ୍ରଳୟଙ୍କରୀ ମହାବାତ୍ୟାରେ ନିଜ ଜୀବନକୁ ଭ୍ରୁକ୍ଷେପ ନକରି ସ୍ୱାସ୍ଥ୍ୟସେବା ଯୋଗାଇବା ଓ ଏଚଆଇଭି ଏଡସ୍ ଭଳି ଗୁରୁତର ରୋଗୀଙ୍କ ଚିକିତ୍ସା କ୍ଷେତ୍ରରେ ତାଙ୍କ ଉଲ୍ଲେଖନୀୟ ଅବଦାନ ପାଇଁ ତାଙ୍କୁ ଏହି ସମ୍ମାନରେ ସମ୍ମାନିତ କରାଯାଇଛି।
Comments are closed.