ପଦ୍ମପୁରକୁ ନେଇ ବଢ଼ୁଛି ଉତ୍କଣ୍ଠା

ବରଗଡ: ଧାମନଗର ଉପନିର୍ବାଚନରେ ବିଜେପି ଜିତିବା ପରେ ଏବେ ପଦ୍ମପୁର ଉପନିର୍ବାଚନକୁ ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ବରଗଡ ଜିଲାର ବିଜେପୁର ନିର୍ବାଚନ ମଣ୍ଡଳୀରେ ତତ୍କାଳୀନ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ମୃତ୍ୟୁ ପରେ ତାଙ୍କ ପତ୍ନୀ ରୀତା ସାହୁଙ୍କୁ ଦଳରେ ସାମିଲ କରି ବିଜେଡି ପ୍ରାର୍ଥୀ କରିଥିଲା ଓ ରୀତା ରେକର୍ଡ ସଂଖ୍ୟକ ଭୋଟରେ ବିଜୟୀ ହୋଇଥିଲେ। ଏହି ଉପନିର୍ବାଚନ ସାରା ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା। ଏବେ ଦିବଂଗତ ବିଧାୟକ ବିଜୟ ରଞ୍ଜନ ସିଂ ବରିହାଙ୍କ ବିୟୋଗ ପରେ ବରଗଡ ଜିଲାର ପଦ୍ମପୁରରେ ଡିସେମ୍ବର ୫ରେ ଉପନିର୍ବାଚନ ହେବ। ସ୍ୱର୍ଗତ ବରିହା ବିଜେଡିର ବିଧାୟକ ଥିଲେ ଏବଂ ସେ ଏହି ଅଞ୍ଚଳରୁ କ୍ରମାଗତ ଭାବେ ନିର୍ବାଚିତ ହୋଇ ଆସୁଥିଲେ। ବରିହାଙ୍କର ଭଲ ସଂଗଠନ ଥିଲା ଓ ବିଜେଡିର ଦବ୍‍ଦବା ମଧ୍ୟ ଥିଲା। କିଛି ବର୍ଷ ହେଲା ବରିହା ଶାରୀରିକ ଅସୁସ୍ଥତା କାରଣରୁ ଲୋକଙ୍କ ପାଖରୁ କ୍ରମଶଃ ଦୂରେଇ ଯାଉଥିଲେ। ତାଙ୍କର କିଛି ପାଖ ଲୋକ ଏହାର ସୁଯୋଗ ନେଇ କ୍ଷମତାର ଅପବ୍ୟବହାର କରୁଥିଲେ। ଜଣେ ସରକାରୀ ଅଧିକାରୀ ଏହାର ସୁଯୋଗ ନେଇ ସମାନ୍ତରାଳ ସଂଗଠନ କରି ଚାଲିଥିଲେ। ଏହାକୁ ନେଇ ବିଜେଡି​‌େ​‌ର ଗୋଷ୍ଠୀ କନ୍ଦଳ ସୃଷ୍ଟି ହୋଇଥିଲା। ଫଳସ୍ୱରୂପ ଗତ ପଞ୍ଚାୟତ ନିର୍ବାଚନରେ ବିଜେଡି ଭଲ ପ୍ରଦର୍ଶନ କରିନଥିଲା। ବିଜେପି ଏହାର ଫାଇଦା ନେଇଥିଲା।

ବରଗଡରେ ସବୁ ବିଧାୟକ ବିଜେଡିର ଥିବାବେଳେ କେବଳ ସାଂସଦ ବିଜେପିର ଅଛନ୍ତି। ଏଭଳି ସ୍ଥିତିରେ ପୂର୍ବତନ ବିଧାୟକ ଓ ବିଜେପି କୃଷକ ମୋର୍ଚ୍ଚା ସଭାପତି ପ୍ରଦୀପ ପୁରୋହିତ ନିଜ ସଂଗଠନ ସମ୍ଭାଳିଥିଲେ। ଏବେ ହଠାତ୍‍ ଉପନିର୍ବାଚନ ହେବାକୁ ଯାଉଥିବାରୁ ପ୍ରଦୀପ ପୁରୋହିତ ନିଜର ସଂଗଠନକୁ କେତେ ସକ୍ରିୟ କରିପାରିବେ ତାହା ଉପରେ ନିର୍ବାଚନର ଫଳାଫଳ ନିର୍ଭର କରୁଛି।

prayash

ଧାମନଗରରେ ବିଜେପି ବିଜୟୀ ହେବା ପରେ ପଦ୍ମପୁରରେ ମଧ୍ୟ ସବୁ ଶକ୍ତି ଲଗାଇ ନିର୍ବାଚନ ଲଢ଼ିବା ପାଇଁ ବିଜେପି ମାନସିକ ପ୍ରସ୍ତୁତି ଚଳାଇବ ବୋଲି ଅନୁମାନ କରାଯାଉଛି। ଧାମନଗର ବିଜୟ ନେଇ ଦଳୀୟ କର୍ମୀମାନେ ମଧ୍ୟ ଉତ୍ସାହିତ ଅଛନ୍ତି। ବିଜେପି ନିଜର ପ୍ରାର୍ଥୀ ଘୋଷଣା କରିନଥିଲେ ମଧ୍ୟ ପଦ୍ମପୁର ପାଇଁ ପ୍ରଦୀପ ପୁରୋହିତଙ୍କ ବିକଳ୍ପ ଦଳରେ ନଥିବା ଦଳୀୟ କର୍ମୀମାନେ କହୁଛନ୍ତି। ବିଜେଡିର ପ୍ରାର୍ଥୀ କିଏ ହେବେ ତାହା ମଧ୍ୟ ସ୍ଥିର ହୋଇ ପାରୁନାହିଁ। ମହେନ୍ଦ୍ର ବଢ଼େଇ ନିଜର ଗୋଟି ଚଳାଇଥିବାବେଳେ ତାଙ୍କୁ ଲୋକେ କେତେ ଗ୍ରହଣ କରିବେ ତାହାକୁ ନେଇ ସନ୍ଦେହ ରହିଛି। ଅନ୍ୟପକ୍ଷରେ ଅନୁକଂପା ଭୋଟ ହାତେଇବା ପାଇଁ ସ୍ୱର୍ଗତ ବରିହାଙ୍କ ପତ୍ନୀ ତିଳୋତ୍ତମାଙ୍କୁ ବିଜେଡି ଟିକଟ ଦେବାର ଆଲୋଚନା ହେଉଛି। ବିଜେଡି ପ୍ରାର୍ଥୀ ଚୟନ ଠିକ୍‍ ନହେଲେ ପଦ୍ମପୁର ବି ହାତରୁ ଖସିଯିବା କିଛି ବଡ କଥା ନୁହେଁ ବୋଲି କୁହାଯାଉଛି। ପଦ୍ମପୁରରେ ଜାତି ସମାଜ ଭୋଟ ନିର୍ଣ୍ଣାୟକ ହେଉଥିବାବେଳେ ପ୍ରାର୍ଥୀ ଚୟନ ଉପରେ ଏହାର ପରିଣତି ନିର୍ଭର କରୁଛି। କଂଗ୍ରେସରୁ ପୂର୍ବତନ ବିଧାୟକ ସତ୍ୟଭୂଷଣ ସାହୁ ରହିଥିଲେ ମଧ୍ୟ ଦଳର ସ୍ଥିତି ଅତି ଦୟନୀୟ। ପଦ୍ମପୁରରେ ଦଳ କିପ୍ରକାର ରଣନୀତି ଆପଣାଇବ ତାହା ଆଗାମୀ ଦିନରେ ଜଣାପଡିବ।

ନିର୍ବାଚନ ଅବ୍ୟବହିତ ପୂର୍ବରୁ ରାଜ୍ୟ ସରକାର ପଦ୍ମପୁର ଅଞ୍ଚଳ ପାଇଁ ପ୍ରକଳ୍ପର ବର୍ଷା କରିଛନ୍ତି; ମାତ୍ର ଏହି ସବୁ ପ୍ରକଳ୍ପ ଆରମ୍ଭ ହୋଇପାରିବ ନାହିଁ। ନିର୍ବାଚନରେ ଏହାର କ’ଣ ପ୍ରଭାବ ପଡିବ ତାହାକୁ ନେଇ ଦ୍ୱନ୍ଦ୍ବ ରହିଛି। ବିଜେପୁର ଉପନିର୍ବାଚନ ଯେପରି ବିଜେଡି ପାଇଁ ସହଜସାଧ୍ୟ ହୋଇଥିଲା ଓ କଂଗ୍ରେସରୁ ପ୍ରାର୍ଥୀ ଆଣି ବିଜେଡି ରେକର୍ଡ ସଂଖ୍ୟକ ଭୋଟରେ ଜିତି ଥିଲା; ପଦ୍ମପୁରରେ ସେପରି ଅବସ୍ଥା ହେବ ନାହିଁ ବୋଲି ପ୍ରାଥମିକ ଆକଳନରୁ ଜଣାପଡୁଛି। ଏବେ ପଦ୍ମପୁର ନିର୍ବାଚନକୁ ନେଇ ଉତ୍କଣ୍ଠା ବଢ଼ିଛି। ପଦ୍ମପୁରକୁ ଜିଲା ଘୋଷଣା ଦାବିରେ ଗତ କିଛି ଦିନ ହେଲା ଆନ୍ଦୋଳନ ଚାଲିଛି। ସେହିପରି ରାଜବୋଡା ସମ୍ବର କୃଷକ ସଂଗଠନ ବୀମା ଓ ଇନ୍‍ପୁଟ ସବ୍‌ସିଡି ଦାବିରେ ନିର୍ବାଚନ ବର୍ଜନ କରିବ ବୋଲି ଚେତାବନୀ ଦେଇଛି। ଏପରି ସ୍ଥିତିରେ ପଦ୍ମପୁର ନିର୍ବାଚନରେ କେଉଁ ଦଳ କିପରି ଭୋଟରଙ୍କୁ ସାମ୍ନା କରିବେ ଓ ଭୋଟରଙ୍କ ଆସ୍ଥା ଜିଣିବେ ତାହା ପରବର୍ତ୍ତୀ ସମୟରେ ଜଣାପଡିବ।

Comments are closed.