ବିଜେଡି ରଣନୀତି କାମଦେଲାନି କାହିଁକି ?
ଭୁବନେଶ୍ବର: ଦୀର୍ଘ ୨୨ବର୍ଷ ଧରି କ୍ଷମତାରେ ଥିବା ବିଜୁ ଜନତା ଦଳକୁ ଧାମନଗର ଉପନିର୍ବାଚନରେ ପରାଜୟ ଶକ୍ତ ଧକ୍କା ଦେଇଛି। ବିଜେଡି ଗୋଟିକ ପରେ ଗୋଟିଏ ଉପନିର୍ବାଚନ ଜିତି ଯେଉଁ ରେକର୍ଡ ସୃଷ୍ଟି କରିଥିଲା ଧାମନଗର କ୍ଷେତ୍ରରେ ତାହାକୁ ଦୋହରାଇବା ସମ୍ଭବ ହୋଇନାହିଁ। ଧାମନଗର ନିର୍ବାଚନରେ ବିଜେପି ଜିତିବା ତୁଳନାରେ ବିଜେଡିର ପରାଜୟ ରାଜ୍ୟ ରାଜନୀତିରେ ଏବେ ସର୍ବାଧିକ ଚର୍ଚ୍ଚାର ବିଷୟ ହୋଇଛି। ସାଧାରଣ ନିର୍ବାଚନ ପରଠୁ ବିଜେପୁରଠାରୁ ଆରମ୍ଭ କରି ପାଟକୁରା, ବାଲେଶ୍ବର, ତିର୍ତ୍ତୋଲ, ପିପିଲି ଏବଂ ବ୍ରଜରାଜନଗର ପର୍ଯ୍ୟନ୍ତ ନିର୍ବାଚନମଣ୍ଡଳୀରେ ଅନୁଷ୍ଠିତ ଉପନିର୍ବାଚନରେ ବିଜେଡି ଏକତରଫା ବହୁ ଭୋଟ ବ୍ୟବଧାନରେ ଜିତି ଆସୁଥିଲା। ପ୍ରତିଟି ଉପନିର୍ବାଚନ ପାଇଁ ଶାସକ ଓ ବିରୋଧୀ ଦଳର ପ୍ରାର୍ଥୀଙ୍କ ମଧ୍ୟରେ ଯେଉଁ ପ୍ରତିଯୋଗିତା ହେଉଥିଲା, ଏହାର ଫଳାଫଳ ଯେ ବିଜେଡି ସପକ୍ଷରେ ଯିବ ଏବଂ ବିଜେଡି ପ୍ରାର୍ଥୀ ନିଶ୍ଚିତ ଜିତିବେ ଏକଥାକୁ ଅନେକ ଅନାୟାସରେ ବିଶ୍ବାସ କରିଯାଉଥିଲେ। କାରଣ ବିଜେଡିର ରଣନୀତି ଆଗରେ ବିରୋଧୀଙ୍କ ସବୁ ପ୍ରସ୍ତୁତି ଫିକା ପଡ଼ିଯାଉଥିଲା। କିନ୍ତୁ ପ୍ରଥମ ଥର ପାଇଁ ଓଡ଼ିଶା ରାଜନୀତିରେ ଧାମନଗର ଉପନିର୍ବାଚନରେ ଫଳାଫଳ ମୋଡ଼ ବଦଳାଇଦେଇଛି। ବିଜେଡି ପ୍ରାର୍ଥୀ ଅପରାଜେୟ ନୁହନ୍ତି ତାହା ଧାମନଗର ନିର୍ବାଚନ ସ୍ପଷ୍ଟ ସଂକେତ ଦେଇଛି।
କ୍ରମାଗତ ଭାବେ ଗୋଟିକ ପରେ ଗୋଟିଏ ଉପନିର୍ବାଚନ ଜିତି ଆସୁଥିବା ବିଜେଡି ଧାମନଗର ଉପନିର୍ବାଚନରେ ହାରିଲା କାହିଁକି? ଏହା ଏବେ ନିୟୁତ ଡଲାରର ପ୍ରଶ୍ନ। ଏପର୍ଯ୍ୟନ୍ତ ବିଜେଡି ଶାସନ କାଳରେ େଯତେ ଉପନିର୍ବାଚନ ହୋଇଛି ସବୁଠି ପ୍ରାର୍ଥୀ ମନୋନୟନ କାଳରେ ଦଳର ମୁଖିଆ ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିଷ୍ପତ୍ତିକୁ ଦଳର ସମସ୍ତେ ମାନି ନିଅନ୍ତି। ନିକଟ ଅତୀତରେ ପ୍ରାୟ ୫ରୁ ୬ଟି ଉପନିର୍ବାଚନ ପାଇଁ ବିଜେଡି ପ୍ରାର୍ଥୀ ମନୋନୟନ କାଳରେ ଟିକଟ ପାଇଁ ବିଦ୍ରୋହୀ ମୁଣ୍ଡ ଟେକନ୍ତି। କିନ୍ତୁ ବିଦ୍ରୋହୀ ବା ଅସନ୍ତୁଷ୍ଟଙ୍କୁ ମନାଇବାରେ ବିଜେଡି ସୁପ୍ରିମୋ ସଫଳ ହୁଅନ୍ତି। କୌଣସି ବାଟରେ ଅସୁନ୍ତଷ୍ଟଙ୍କୁ ବୁଝାଇଦେବା ପରେ ଦଳରୁ ଯିଏ ପ୍ରାର୍ଥୀ ହୁଅନ୍ତି ତାଙ୍କୁ ଜିତାଇବା ପାଇଁ ବିଜେଡିର ତଳୁ ଉପର ପର୍ଯ୍ୟନ୍ତ ସମସ୍ତେ ଲାଗିପଡ଼ନ୍ତି। ହେଲେ ଧାମନଗର କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି ହୋଇଥିଲା। ୨୦୧୯ ନିର୍ବାଚନରେ ହାରିଯାଇଥିବା ରାଜେନ୍ଦ୍ର ଦାସ ସେଠାରୁ ପ୍ରାର୍ଥୀ ହେବା ପାଇଁ ଉଦ୍ୟମ କରିଥିଲେ ହେଁ ସେଥିରେ ସଫଳ ହୋଇପାରିନଥିଲେ। ରାଜେନ୍ଦ୍ରଙ୍କ ପରିବର୍ତ୍ତେ ଦଳ ଧାମନଗରରୁ ମହିଳା କାର୍ଡ ଖେଳିବା ତଥା ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ଜରିଆରେ ନୂଆ ରେକର୍ଡ ସ୍ଥାପନ କରିବାକୁ ଅବନ୍ତୀ ଦାସଙ୍କୁ ପ୍ରାର୍ଥୀ କରିଥିଲା। ଫଳରେ ରାଜେନ୍ଦ୍ର ଏଥିରେ କ୍ଷୁବ୍ଧ ହେବା ସହ ସ୍ବାଧୀନ ଭାବେ ଲଢ଼ିଥିେଲ। ବିଜେଡିର ପ୍ରମୁଖ ନେତାମାନେ ରାଜେନ୍ଦ୍ରଙ୍କୁ ମନାଇ ଏଥିରୁ ବିରତ କରାଇବାରେ ବିଫଳ ହେବା କାରଣରୁ ଧାମନଗରରେ ଜିତିବା ବିଜେଡି ପାଇଁ ମହଙ୍ଗା ସାବ୍ୟସ୍ତ ହେଲା।
ଧାମନଗର ଫଳାଫଳ ଘୋଷଣା ପରେ ଏବେ ରାଜନୈତିକ ସମୀକ୍ଷକ ବିଜେଡିର ପରାଜୟ ପାଇଁ ଦଳର ରଣନୀତି ଏବଂ ରାଜନୈତିକ ଗୋଟି ଚାଳନାକୁ ଦାୟୀ କରୁଛନ୍ତି। ବିଶେଷକରି ପ୍ରାର୍ଥୀ ବାଛିବାରେ ଯେଉଁ ଦ୍ବନ୍ଦ୍ବ ଦେଖାଦେଲା ତାହା ବିଜେଡି ଭୋଟକୁ ପ୍ରଭାବିତ କଲା ବୋଲି ଦଳ ଭିତରେ ଆଲୋଚନା ଚାଲିଛି। ବିଜେଡି ନିର୍ବାଚନ ପରିଚାଳନା ଦାୟିତ୍ବରେ ଥିବା ପ୍ରମୁଖ ନେତାମାନେ ଭାବିନେଇଥିଲେ ଯେ ଥରେ ଦଳରୁ ବିଦା ହେବା ପରେ ରାଜେନ୍ଦ୍ର ବିଜେଡି ଭୋଟକୁ ପ୍ରଭାବିତ କରିପାରିବେ ନାହିଁ। ରାଜେନ୍ଦ୍ର ବିଜେଡିର ବିଦ୍ରୋହୀ ଭାବେ ଛିଡ଼ା ହୋଇ ନିଶ୍ଚିତ ଜିତିବେ ବୋଲି ଦମ୍ଭ ରଖିଥିଲେ। କିନ୍ତୁ ବିନା ବିଜେଡିରେ ରାଜେନ୍ଦ୍ର ଜିତିବା ସମ୍ଭବ ନୁହେଁ, ଏକଥାକୁ ଦଳୀୟ ନେତାମାନେ ଖୋଲାଖୋଲି କହି ବୁଲୁଥିଲେ ହେଁ ପରୋକ୍ଷରେ ରାଜେନ୍ଦ୍ରଙ୍କ ପ୍ରାର୍ଥିତ୍ବ ଯେ ଶାସକ ଦଳକୁ ଅଡୁଆ ପରିସ୍ଥିତିକୁ ଠେଲିଦେବ ସେ କଥା ବିଜେଡିର ଛାମୁଆ ନେତାଙ୍କ ଆକଳନ ଭିତରେ ନଥିଲା।
ଏଥର ଉପନିର୍ବାଚନରେ ଆଉ ଏକ ବ୍ୟତିକ୍ରମ ହେଲା କୌଣସି ଉପନିର୍ବାଚନ ତାରିଖ ଘୋଷଣା ମାତ୍ରେ ପ୍ରସ୍ତୁତିରେ ଶାସକ ଦଳ ସବୁଠୁ ଆଗରେ ଥାଏ। ଏଥର କିନ୍ତୁ ଆରମ୍ଭରୁ ପ୍ରାର୍ଥୀ ମନୋନୟନଠୁ ଆରମ୍ଭ କରି ପ୍ରଚାର ପର୍ଯ୍ୟନ୍ତ ବିଜେଡିର ପ୍ରମୁଖ ପ୍ରତିଦ୍ବନ୍ଦ୍ବୀ ବିଜେପି ଆଗରେ ଥିଲା।
ଆରମ୍ଭରୁ ବିଜେପିର କେନ୍ଦ୍ର ନେତାଙ୍କଠୁ ରାଜ୍ୟ ନେତା ପର୍ଯ୍ୟନ୍ତ ସମସ୍ତେ ଧାମନଗରରେ ଡେରା ପକାଇ ରହିଲେ। ବିଜେପି ପ୍ରଚାରକୁ ଆଗକୁ ବଢାଇ ଚାଲିଥିବାବେଳେ ବିଜେଡି ଏହାର ପ୍ରାର୍ଥୀ କିଏ ହେବ ତାହା ଚୂଡ଼ାନ୍ତ କରିପାରିନଥିଲା। ଫଳାଫଳ ସମୀକ୍ଷାରୁ ଜଣାପଡୁଛି ଯେ ବିଜେଡି ପ୍ରାର୍ଥୀ ହାରିଯିବା ପଛରେ ଅନେକ କାରଣ ରହିଛି। ବିଶେଷକରି ଧାମନଗରରେ କଂଗ୍ରେସର ସାଙ୍ଗଠନିକ ସ୍ଥିତି ଦୁର୍ବଳ ଥିଲେ ବି ଏଠାରେ ଦଳର ତଥାକଥିତ ପକେଟ ଭୋଟ ବିଭାଜିତ ହୋଇଛି। କୁହାଯାଉଛି ରାଜେନ୍ଦ୍ରଙ୍କୁ ପ୍ରାର୍ଥୀ କରାନଯିବା ନିଷ୍ପତ୍ତିରେ କ୍ଷୁବ୍ଧ ଥିବା ତାଙ୍କର ସମର୍ଥକଙ୍କ ଭୋଟ ବିଜେପି ହାତେଇ ନେବା ସହିତ କଂଗ୍ରେସର ବିଭାଜିତ ଭୋଟ ମଧ୍ୟ ବିଜେପିକୁ ଚାଲିଯାଇଛି। ଅଧିକାଂଶ ନିର୍ବାଚନରେ ବିଜେଡି ଭୋଟ ଯୋଗାଡ଼ରେ ଯେଉଁ କାରସାଦି କରିଥାଏ ତାହା ଧାମନଗରରେ କାମ ଦେଇନାହିଁ। ଏହାଛଡ଼ା ରାଜେନ୍ଦ୍ର ବିଦ୍ରୋହୀ ସାଜିବା ପରେ ତାଙ୍କୁ ସମର୍ଥନ କରୁଥିବା ବିଜେଡିର ଗୋଟିଏ ଗୋଷ୍ଠୀ ତାଙ୍କ ପାଇଁ ନିରବ ସମର୍ଥକ ସାଜିଥିଲେ ବି ଶେଷ ମୁହୂର୍ତ୍ତରେ ସେମାନଙ୍କ ସମର୍ଥନ ବିଜେଡି ବିରୋଧରେ ପ୍ରୟୋଗ କରିଥିଲେ ବୋଲି ମଧ୍ୟ ଚର୍ଚ୍ଚା ଚାଲିଛି। ପ୍ରାୟ ସବୁ ଉପନିର୍ବାଚନ ଭୋଟ ଗଣତି କାଳରେ ପ୍ରତି ରାଉଣ୍ଡରେ ବିଜେଡି ଆଗରେ ରହୁଥିବାବେଳେ ଧାମନଗର ଗଣତିବେଳେ ଗୋଟିଏ ଦୁଇଟି ରାଉଣ୍ଡକୁ ଛାଡ଼ିଦେଲେ ପ୍ରତି ଥର ବିଜେପି ଆଗରେ ରହୁଥିବା ଲକ୍ଷ୍ୟ କରାଯାଇଥିଲା।
ଧାମନଗର ପରାଜୟକୁ ବିଜେଡିର ଆଗଧାଡ଼ିର ନେତାମାନେ ସହଜରେ ହଜମ କରିପାରୁନାହାନ୍ତି। ଅଧିକାଂଶ ନେତା ବିଜେପି ବିଜୟ ପଛରେ ଅନୁକମ୍ପାମୂଳକ ସମର୍ଥନ ଏକମାତ୍ର କାରଣ ବୋଲି କହୁଛନ୍ତି। କିନ୍ତୁ ପ୍ରାର୍ଥୀ ବାଛିବାରେ ଅପରିପକ୍ବତା ପାଇଁ ବିଜେଡିକୁ ପରାଜୟମୁହଁା ଦେଖିବାକୁ ମିଳିଲା ବୋଲି ସାଧାରଣରେ ଚର୍ଚ୍ଚା ହେଉଛି। ଫଳ ବାହାରିବା ପରେ ମଧ୍ୟ ବିଜେଡି-ବିଜେପି ମଧ୍ୟରେ ଆରୋପ-ପ୍ରତ୍ୟାରୋପ ଥମିନାହିଁ। ନିର୍ବାଚନ ପ୍ରଚାର କାଳରେ ଟଙ୍କା ବାଣ୍ଟି ଭୋଟରଙ୍କୁ ପ୍ରଲୋଭିତ କରିବା ନେଇ ବିଜେପି ପକ୍ଷରୁ ଅଭିଯୋଗ ହୋଇଥିଲା। ଏହାଛଡ଼ା ଯାଜପୁରରୁ ଏକାଧିକ ବିଜେଡି ନେତା ଧାମନଗରରେ ପ୍ରଚାର କରିବା ଘଟଣାକୁ ଅନେକ ଆଞ୍ଚଳିକବାଦର ରୂପ ଦେଇଥିଲେ। ଏସବୁ ପ୍ରସଙ୍ଗ ବି ମତଦାନ ପ୍ରକ୍ରିୟାକୁ ପ୍ରଭାବିତ କରିଥିବା ଅନେକ ଯୁକ୍ତି ରଖୁଛନ୍ତି। ଏସବୁ ଭିତରେ ପ୍ରଥମଥର ପାଇଁ ବିଜେପିର ନେତାଙ୍କୁ ଏ ନିର୍ବାଚନରେ ଏକାଠି ହୋଇ ଅତି ସକ୍ରିୟ ଭାବେ ଲଢ଼େଇକୁ ଓହ୍ଲାଇଥିବା ଦେଖିବାକୁ ମିଳିଥିଲା। ବିଶେଷ କରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା ଦିବଂଗତ ବିଧାୟକ ବିଷ୍ଣୁ ସେଠୀଙ୍କ ପରିବାରକୁ ଭେଟି ସମବେଦନା ଜଣାଇବା, ଦଳର ପ୍ରଭାରୀ ଡି. ପୁରନ୍ଦେଶ୍ବରୀଙ୍କଠୁ ଆରମ୍ଭ କରି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ଇଂ ବିଶେଶ୍ବର ଟୁଡୁ, ନିର୍ବାଚନ ପ୍ରଚାର ମଙ୍ଗ ଧରିଥିବା ଦଳର ବରିଷ୍ଠ ନେତା ମନମୋହନ ସାମଲ, ରାଜ୍ୟ ସଭାପତି ସମୀର ମହାନ୍ତି ଏବଂ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ପ୍ରତାପ ଷଡ଼ଙ୍ଗୀ ଓ ଅନ୍ୟ ନେତାମାନେ ଏ ନିର୍ବାଚନକୁ ବେଶ ଗୁରୁତର ସହ ନେଇଥିବାରୁ ଦଳ ବାଜି ଜିତିବାରେ ସଫଳ ହେଲା ବୋଲି କୁହାଯାଉଛି।
Comments are closed.