ଯାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭକୁ ବିରୋଧ; ପ୍ରବଳ ଉତ୍ତେଜନା, ପୁଲିସର ଲାଠି ଚାର୍ଜ
ସୁନ୍ଦରଗଡ଼: ଖଣିପାଇଁ ମୁହାଁମୁହିଁ ହେଲେ ପୁଲିସ ଓ ବିସ୍ଥାପିତ । ସୁନ୍ଦରଗଡ଼ ଜିଲ୍ଲା ହେମଗିରି ବ୍ଲକ ଯାମକାନି କୋଇଲା ଖଣି କାର୍ଯ୍ୟ ଆରମ୍ଭକୁ ପ୍ରବଳ ବିରୋଧ କରାଯାଇଛି । ସ୍ଥାନୀୟ ବିସ୍ଥାପିତଙ୍କ ପ୍ରବଳ ବିରୋଧ ଯୋଗୁଁ ପୁଲିସ ଲାଠି ଚାଳନା କରିଛି । ଘଟଣାସ୍ଥଳରେ ଉତ୍ତେଜନା ଲାଗିରହିଥିବାରୁ ପ୍ରଶାସନ ପକ୍ଷରୁ ୧୩ ପ୍ଲାଟୁନ ପୁଲିସ ଫୋର୍ସ ମୁତୟନ କରାଯାଇଛି । ବିରୋଧ ସମୟରେ ପୁଲିସ ଓ ବିସ୍ଥାପିତଙ୍କ ମଧ୍ୟରେ ଠେଲାପେଲା ଓ ଧସ୍ତାଧସ୍ତି ମଧ୍ୟ ହୋଇଥିଲା । ପରେ ପୁଲିସ ଲୋକଙ୍କ ଉପରକୁ ଲାଠି ଚାଳନା କରିଥିଲା । ଏହି ଉତ୍ତେଜନା ଲାଗିରହିବା ମଧ୍ୟରେ ବେଦାନ୍ତ କଂପାନୀ ତାର କୋଇଲା ଖଣିକୁ ଆରମ୍ଭ କରିଛି ।
ମିଳିଥିବା ସୂଚନା ଅନୁଯାୟୀ, ପୂର୍ବରୁ ଏହି କୋଇଲା ଖଣି ଭୂଷଣ କଂପାନୀକୁ ଆବଣ୍ଟନ ହୋଇଥିଲା । ଭୂଷଣ କଂପାନୀ ଜମି ଅଧିଗ୍ରହଣ କରିଥିଲା । ହେଲେ ପରେ ଏଥିରୁ ଓହରି ଯାଇଥିଲା ଭୂଷଣ କଂପାନୀ । ଫଳରେ ବେଦାନ୍ତ କମ୍ପାନୀକୁ ଏହାକୁ ଆବଣ୍ଟନ କରାଯାଇଥିଲା । ଖଣି କାର୍ଯ୍ୟରେ ବିଳମ୍ବ ହୋଇଥିବା ଫଳରେ କମ୍ପାନୀ ପକ୍ଷରୁ ୬ ଲକ୍ଷ କ୍ଷତିପୂରଣ ଦେବା ପାଇଁ କୁହାଯାଇଥିଲା । ହେଲେ ସ୍ଥାନୀୟ ବିସ୍ଥାପିତ ମାନେ ୨୦୧୩ ଥଇଥାନ ଓ ପୁନର୍ବାସ ନୀତି ଅନୁସାରେ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଥିଲେ। ଆଜି କଂପାନୀ ପକ୍ଷରୁ ଖଣି କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଯାହାକୁ ନେଇ ପ୍ରବଳ ବିରୋଧ କରିଥିଲେ ବିସ୍ଥାପିତ । ବିରୋଧକୁ ଦୃଷ୍ଟିରେ ରଖି ପୁଲିସ ଲାଠି ଚାଳନା କରି୍ଥିଲା । ଲାଠି ଚାଳନା ପରେ ମଧ୍ୟ ବର୍ତ୍ତମାନ ସେଠାରେ ଉତ୍ତେଜନା ଲାଗି ରହିଛି ।
Comments are closed.