ଶୁଭ୍ରକାନ୍ତ ପଣ୍ଡା ଫିକି ଇଣ୍ଡିଆ ପରବର୍ତ୍ତୀ ସଭାପତି

ନୂଆଦିଲ୍ଲୀ : ଫେଡେରେସନ ଅଫ ଇଣ୍ଡିଆନ୍‌ ଚାମ୍ବର ଅଫ କମର୍ସ (ଫିକି ଇଣ୍ଡିଆ)ର ସର୍ବଭାରତୀୟ ସଭାପତି ଭାବେ ଓଡ଼ିଆ ଶିଳ୍ପପତି ତଥା ଇମ୍ଫାର ପରିଚାଳନା ନିର୍ଦେଶକ ଶୁଭ୍ରକାନ୍ତ ପଣ୍ଡା ନିର୍ବାଚିତ ହୋଇଛନ୍ତି। ଦେଶର ସର୍ବବୃହତ୍‌ ଶିଳ୍ପ ଏବଂ ବାଣିଜ୍ୟ ନୀତି ନିର୍ଦ୍ଧାରଣ ମହାସଂଘର ସଭାପତି ପଦରେ ପ୍ରଥମ ଓଡ଼ିଆ ଭାବେ ଶ୍ରୀ ପଣ୍ଡା କାର୍ଯ୍ୟ କରିବେ। ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପରାମର୍ଶରେ ୧୯୨୭ରେ ଫିକିର ସ୍ଥାପନା ହୋଇଥିଲା। ଆସନ୍ତା ଡିସେମ୍ବର ୧୬-୧୭ରେ ପ୍ରସ୍ତାବିତ ସାଧାରଣ ପରିଷଦ ବୈଠକରେ ସେ ବିଧିବଦ୍ଧ ଭାବେ ଦାୟିତ୍ୱ ଗ୍ରହଣ କରିବେ। ଫିକି ସହ ଶିଳ୍ପପତି ଶ୍ରୀ ପଣ୍ଡାଙ୍କ ଦୀର୍ଘ ୨୦ ବର୍ଷର ସମ୍ପର୍କ ରହିଛି। ପୂର୍ବରୁ ଫିକି ଓଡ଼ିଶାର ପ୍ରଥମ ରାଜ୍ୟ ସଭାପତି ଏବଂ ଜାତୀୟ ମ୍ୟାନୁଫାକ୍‌‌ଚରିଂ କମିଟିର ଅଧ୍ୟକ୍ଷ ଦାୟିତ୍ୱ ସେ ତୁଲାଇଛନ୍ତି। ଏଥିସହ ୨୦୧୭-୧୮ରେ ଆନ୍ତର୍ଜାତିକ ଚାମ୍ବର ଅଫ କମର୍ସ ଇଣ୍ଡିଆ ଚାପ୍ଟର ସଭାପତି ଏବଂ ୨୦୧୩-୧୫ରେ ପ୍ୟାରିସସ୍ଥିତ ଇଣ୍ଟରନ୍ୟାସନାଲ କ୍ରୋମିଅମ ଡେଭଲପମେଣ୍ଟ ଆସୋସିଏସନ (ଆଇସିଡିଏ)ର ସଭାପତି ଦାୟିତ୍ୱ ନିର୍ବାହ କରିଛନ୍ତି। ଆମେରିକାସ୍ଥିତ ବୋଷ୍ଟନ ବିଶ୍ମବିଦ୍ୟାଳୟ କ୍ୱେଷ୍ଟର୍ମ ସ୍କୁଲ ଅଫ ବିଜନେସରୁ ଫାଇନାନସ ଏବଂ ଅପରେସନ ମ୍ୟାନେଜମେଣ୍ଟରେ ଯୌଥ ଡିଗ୍ରୀ ହାସଲ କରିଥିବା ଶ୍ରୀ ପଣ୍ଡା ସମ୍ପ୍ରତି ଫିକି ଇଣ୍ଡିଆର ବରିଷ୍ଠ ଉପସଭାପତି ପଦରେ କାର୍ଯ୍ୟରତ ଅଛନ୍ତି।

kalyan agarbati

Comments are closed.