ପରମାଣୁ ଅସ୍ତ୍ରର ଖେଳ ବିଶ୍ବକୁ କାଳ

ପାକିସ୍ତାନର ପରମାଣୁ ଅସ୍ତ୍ରର ସୁରକ୍ଷାକୁ ନେଇ ଆମେରିକା ରାଷ୍ଟ୍ରପତି ଜୋ ବାଇଡ଼େନ ନିକଟରେ ଚିନ୍ତା ପ୍ରକଟ କରି କହିଥିଲେ ଯେ ପରମାଣୁ ଅସ୍ତ୍ର ସମ୍ପନ୍ନ ପାକିସ୍ତାନ ବିଶ୍ୱର ସବୁଠାରୁ ବିପଜ୍ଜନକ ଦେଶ। ଭାରତ ଏକଥା ଅନେକ ଥର କହିସାରିଛି। ଏ ଚେତାବନୀ ସତ୍ତ୍ବେ ବାଇଡ଼େନ ସ୍ପଷ୍ଟ କରିନାହାନ୍ତି ଯେ ଏହି ବିଷମ ଚିନ୍ତାକୁ ଦୂର କରିବାପାଇଁ ଆମେରିକା କି ପଦକ୍ଷେପ ନେଇଛି। ବାସ୍ତବରେ ଦେଖିଲେ, ଆମେରିକାର ଏହି ବୟାନବାଜି କେବଳ ଚତୁର କୁଟିଳତା ଛଡ଼ା କିଛି ନୁହେଁ; କାରଣ ନିକଟରେ ସେ ପାକିସ୍ତାନକୁ ୧୬ ଲଢୁଆ ବିମାନ ଏବଂ ତାର ରକ୍ଷଣାବେକ୍ଷଣ ପାଇଁ ୪୫କୋଟି ଡ଼ଲାର ଆର୍ଥିକ ସାହାଯ୍ୟ ପ୍ରଦାନ କରିଛି। ୨୦୧୮ ମସିହା ପରେ ଏହା ପାକିସ୍ତାନକୁ ବିଶେଷ ସାହାଯ୍ୟ ଯୋଗାଇଛି। ପୂର୍ବତନ ରାଷ୍ଟ୍ରପତି ଡ଼ୋନାଲ୍‌ଡ଼ ଟ୍ରମ୍ପ ପାକିସ୍ତାନକୁ ଦିଆଯାଉଥିବା ସାହାଯ୍ୟକୁ ବନ୍ଦ କରିଦେଇଥିଲେ, କାରଣ ଆତଙ୍କବାଦ ବିରୋଧରେ ପାକିସ୍ତାନର ଗତିବିଧି ଠିକ୍‍ ନୁହେଁ। ଅନ୍ୟ ପକ୍ଷରେ ବାଇଡ଼େନ ପାକିସ୍ତାନକୁ ସାହାଯ୍ୟ କରି ଭାରତର ପୋଡ଼ା ଘା’ ଉପରେ ଲୁଣ ଛିଞ୍ଚାଡ଼ିବା ଭଳି କାର୍ଯ୍ୟ କରିଛନ୍ତି।

ଲସଏଞ୍ଜେଲସରେ ଡ଼େମୋକ୍ରେଟିକ୍‍ ପାର୍ଟିର ସାଂସଦମାନଙ୍କୁ ସମ୍ବୋଧନ କରି ଚୀନ, ରୁଷ ଆଉ ପାକିସ୍ତାନ ସହିତ ଜଡ଼ିତ ସମସ୍ୟାଗୁଡ଼ିକୁ ନେଇ ଆମେରିକାର ବିଦେଶ ନୀତି କ’ଣ ରହିବ, ତାହା ଉପସ୍ଥାପନ କଲାବେଳେ ବାଇଡ଼େନଙ୍କ ଉପରୋକ୍ତ ବୟାନ ଆସିଥିଲା। ସେ କହିଥିଲେ ସି. ଜିନପିଙ୍ଗଙ୍କୁ ଜଣା ଅଛି, ସେ କ’ଣ ଚାହୁଁଛନ୍ତି, କିନ୍ତୁ ତାଙ୍କ ସହିତ ବିଭିନ୍ନ ପ୍ରକାର ସମସ୍ୟାମାନ ମଧ୍ୟ ଅଛି। ବାଇଡ଼େନ ଚୀନ ତରଫରୁ ଆମେରିକାକୁ ମିଳୁଥିବା କଡ଼ା ମୁକାବିଲା ଆଉ ୟୁକ୍ରେନ-ରୁଷ ସଙ୍କଟରୁ ଉପୁଜୁଥିବା ବୈଶ୍ୱିକ ଘଟଣାକୁ ରେଖାଙ୍କିତ କରିଥିଲେ। ରୁଷ ରାଷ୍ଟ୍ରପତି ପୁଟିନ ନିକଟରେ ପରମାଣୁ ଯୁଦ୍ଧର ପରୋକ୍ଷ ଧମକ ଦେଇଛନ୍ତି। ଏ ପଟେ ପାକିସ୍ତାନର ପରମାଣୁ ଅସ୍ତ୍ରର ସୁରକ୍ଷାକୁ ନେଇ ଭାରତ ସମେତ ବିଭିନ୍ନ ପାଶ୍ଚାତ୍ୟ ଦେଶ ଚିନ୍ତା ପ୍ରକଟ କରିଛନ୍ତି। ଆଶଙ୍କା କରାଯାଏ ଯେ ପାକିସ୍ତାନର ପରମାଣୁ ଅସ୍ତ୍ର ଯଦି କୌଣସି ଆତଙ୍କବାଦୀ କିମ୍ବା ଜେହାଦୀମାନଙ୍କ ହାତରେ ପଡ଼ିଯାଏ, ତେବେ ବିଶେଷ ସଙ୍କଟ ଦେଖାଯିବ।

ପରମାଣୁ ଅସ୍ତ୍ରଗୁଡ଼ିକରେ ନଜର ରଖୁଥିବା ବିଶେଷଜ୍ଞଙ୍କ ମୁତାବକ ପାକିସ୍ତାନ ପାଖରେ ବର୍ତ୍ତମାନ ୧୪୦ ରୁ ୧୫୦ ପରମାଣୁ ଅସ୍ତ୍ର ରହିଛି। ଯଦି ପରମାଣୁ ଅସ୍ତ୍ର ନିର୍ମାଣର ଏହି ଗତି ଜାରି ରହେ, ତେବେ ୨୦୨୫ ପର୍ଯ୍ୟନ୍ତ ଏହାର ସଂଖ୍ୟା ୨୨୦ ରୁ ୨୫୦ ପର୍ଯ୍ୟନ୍ତ ହୋଇଯିବ। ଏଭଳି ପାକିସ୍ତାନ ବିଶ୍ୱର ସର୍ବବୃହତ୍‌ ପରମାଣୁ ଅସ୍ତ୍ର ସମ୍ପନ୍ନ ରାଷ୍ଟ୍ର ହୋଇଯିବ। ଆମେରିକା ଗୁପ୍ତଚର ସଂସ୍ଥା ସି.ଅାଇ.ଏ ର ପୂର୍ବତନ ଗୁଇନ୍ଦା ଅଧିକାରୀ କେବିନ ହଲବର୍ଟ କହିଛନ୍ତି ଯେ ପାକିସ୍ତାନ ଦୁନିଆର ସବୁଠାରୁ ଅଧିକ ବିପଦପୂର୍ଣ୍ଣ ଦେଶମାନଙ୍କ ମଧ୍ୟରୁ ଗୋଟିଏ। ପାକିସ୍ତାନ ଅଧିକ ଭୟଙ୍କର ରୂପ ନେଇଛି, କାରଣ ଏହା ତିନିଟି ମୁଖ୍ୟ ସମସ୍ୟା ସହିତ ରହୁଛି। ଆତଙ୍କବାଦ, ଅର୍ଥବ୍ୟବସ୍ଥାର ଅଧୋଗତି ଆଉ ପରମାଣୁ ଅସ୍ତ୍ରର ଅଧିକ ସଂଗ୍ରହ। ଆର୍ଥିକ ସଙ୍କଟ ଦିଗରେ ଏହାଠାରୁ ଖରାପ ଅବସ୍ଥା ଉତ୍ତର କୋରିଆରେ ରହିଛି। ଏହି ଦୁଇ ଦେଶ ଭାରତ ଆଉ ଆମେରିକା ଉପରେ ପରମାଣୁ ଆକ୍ରମଣର ଧମକ ଦେଉଛନ୍ତି।

prayash

ପାକିସ୍ତାନ ଦୁନିଆ ପାଇଁ ବିପଦପୂର୍ଣ୍ଣ ଦେଶ ହେଉ ବା ନହେଉ, କିନ୍ତୁ ଭାରତ ପାଇଁ ଏହା ନିଶ୍ଚିତ ବିପଦପୂର୍ଣ୍ଣ। ଦୀର୍ଘ ଦଶନ୍ଧି ଧରି ଏହି ଦେଶ ଭାରତ ଉପରେ ଆକ୍ରମଣ କରିବାକୁ ଆତଙ୍କବାଦୀମାନଙ୍କୁ ପ୍ରୟୋଗ କରିଆସିଛି। ମୁମ୍ବଇ ଆଉ ସଂସଦ ଭବନ ଉପରେ ଆକ୍ରମଣର ମୁଖ୍ୟ ଦାଉଦ ଏବଂ ହାଫିଜ ସଇଦକୁ ପାକିସ୍ତାନ ଶରଣ ଦେଇଛି। ଏହା ବ୍ୟତୀତ ସେ କାଶ୍ମୀରରେ ଆତଙ୍କବାଦୀମାନଙ୍କୁ ଅନୁପ୍ରବେଶ କରାଇ ଭାରତକୁ ନାକେଦମ କରି ରଖିଛି। ନିକଟରେ ପାକିସ୍ତାନ ଦ୍ୱାରା ଆତଙ୍କବାଦୀଙ୍କୁ ଦେଉଥିବା ସଂରକ୍ଷଣ ଉପାୟ ଏବେ ତାହା ପାଇଁ ସଙ୍କଟ ଦେଖାଯାଇଛି। ସେଠାରେ ଆତଙ୍କବାଦୀ ସଂଗଠନଗୁଡ଼ିକ ମଧ୍ୟରେ ସଂଘର୍ଷ ଶିୟା ବନାମ ସୁନ୍ନୀ ଅତିବାଦରେ ପରିବର୍ତ୍ତିତ ହେବାକୁ ଲାଗିଛି। ଏହା ଯୋଗୁଁ ପାକିସ୍ତାନରେ ଅନ୍ତଃକନ୍ଦଳ ଆଉ ଅସ୍ଥିରତା ବୃଦ୍ଧି ପାଇଛି। ବଲୁଚିସ୍ଥାନ ଆଉ ସିନ୍ଧ ଅଞ୍ଚଳରେ ଆତଙ୍କବାଦୀମାନଙ୍କ ଉପରେ ନିୟନ୍ତ୍ରଣ ପାଇଁ ସୈନ୍ୟ ଅଭିଯାନ କରିବାକୁ ପଡ଼ୁଛି। ଏ ସବୁ ସତ୍ତ୍ବେ ତାଲିବାନ, ଅଲ କାଏଦା, ଲସ୍କର ଏ ତୋଏବା ଆଉ ଜୈସ-ଏ-ମହମ୍ମଦ ଭଳି ଆତଙ୍କବାଦୀ ଗୋଷ୍ଠୀଙ୍କୁ ପାକିସ୍ତାନୀ ଗୁଇନ୍ଦାସଂସ୍ଥା ଆଉ ପୁଲିସ ବିପଜ୍ଜନକ ବୋଲି ବିବେଚନା କରୁନାହାନ୍ତି। ଏହି ଆତଙ୍କବାଦୀ ଗୋଷ୍ଠୀଙ୍କୁ ସେମାନେ ଆଦର୍ଶ ସୈନିକ ମନେ କରନ୍ତି।

ଆଜି ପାକିସ୍ତାନରେ ଲସ୍କର-ଏ-ଝାଂଗବୀ, ପାକିସ୍ତାନୀ ତାଲିବାନ, ଆଫଗାନ ତାଲିବାନ ଆଉ କିଛି ଅନ୍ୟ ଆତଙ୍କବାଦୀ ଗୋଷ୍ଠୀ ପାକିସ୍ତାନର ନିର୍ବାଚିତ ସରକାର ପାଇଁ ମୁଣ୍ଡବ୍ୟଥାର କାରଣ ହୋଇଛନ୍ତି। ଏମାନେ ନିର୍ବାଚିତ ସରକାରଙ୍କୁ ପଦଚ୍ୟୁତ କରାଇ ଦେଶର କ୍ଷମତା ଡ଼ୋରିକୁ ନିଜ ହାତକୁ ନେବାକୁ ଚାହୁଁଛନ୍ତି। ଯଦି ଏପରି ହୁଏ ତେବେ ପରମାଣୁ ଅସ୍ତ୍ର ଆତଙ୍କବାଦୀଙ୍କ ଅଧୀନକୁ ଆସିଯିବ। ସେପରି ହେଲେ ପାକିସ୍ତାନ ଦୁନିଆ ପାଇଁ ଏକ ବିପଜ୍ଜନକ ଦେଶ ଭାବେ ଉଭା ହେବାକୁ ବେଶୀ ଡ଼େରି ଲାଗିବନାହିଁ। ଏଭଳି ପରିସ୍ଥିତି ଭାରତ ପାଇଁ ଅତ୍ୟନ୍ତ ବିପଜ୍ଜନକ ହେବ। ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ଜାପାନର ହିରୋସୀମା ଓ ନାଗାସାକି ଉପରେ ପରମାଣୁ ବୋମା ବର୍ଷଣ କରାଯାଇଥିଲା। ଏହି ବୋମା ବିସ୍ଫୋରଣ ଯୋଗୁଁ ଏବଂ ତାହାର ବିକିରଣ କାରଣରୁ ଲକ୍ଷାଧିକ ଲୋକଙ୍କ ମୃତ୍ୟୁ ଘଟିଥିଲା; ହଜାର ହଜାର ଲୋକ ବିଭିନ୍ନ ରୋଗରେ ପୀଡ଼ିତ ହୋଇଥିଲେ। ବିକିରଣ ପ୍ରଭାବିତ କ୍ଷେତ୍ରରେ ଦୀର୍ଘ ଦଶନ୍ଧି ଧରି ବିକଳାଙ୍ଗ ଶିଶୁମାନେ ଜନ୍ମଗ୍ରହଣ କଲେ। ସେତେବେଳେ ଆଣବିକ ଅସ୍ତ୍ର ନିର୍ମାଣର ପ୍ରାରମ୍ଭିକ ଅବସ୍ଥାରେ ଥିଲା; ବର୍ତ୍ତମାନ ପରମାଣୁ ଅସ୍ତ୍ର ତା’ଠାରୁ ବହୁଗୁଣ ଶକ୍ତିଶାଳୀ ହୋଇଛି। ବର୍ତ୍ତମାନ ଯଦି ଏହି ଅସ୍ତ୍ର ପ୍ରୟୋଗ ହୁଏ ତେବେ ହିରୋସୀମା ଆଉ ନାଗାସାକିଠାରୁ ପରିଣାମ ବହୁତ ଅଧିକ ଭୟାବହ ହେବ। ଏଥିପାଇଁ କୁହାଯାଉଛି ଯେ, ଆଜି ବିଶ୍ୱ ନିକଟରେ ଏତେ ପରମାଣୁ ଅସ୍ତ୍ର ରହିଛି ଯେ, ସମଗ୍ର ପୃଥିବୀକୁ ଥରେ ନୁହେଁ ଅନେକ ଥର ବିଧ୍ବଂସ କରିପାରିବ।

ଜାପାନର ଆଣବିକ ବିଧ୍ୱଂସରେ ବିଚଳିତ ହୋଇ ୯ ଜୁଲାଇ ୧୯୫୫ରେ ଅାଲବର୍ଟ ଆଇନଷ୍ଟାଇନ ଓ ପ୍ରସିଦ୍ଧ ବ୍ରିଟିଶ ଦାର୍ଶନିକ ବର୍ଟ୍ରାଣ୍ଡ୍‌ ରସେଲ ସଂଯୁକ୍ତ ବିଜ୍ଞପ୍ତି ଜାରିକରି ଶାନ୍ତିର ଉପାୟ ଅବଲମ୍ବନ କରିବାକୁ ନିବେଦନ କରି କହିଥିଲେ, ‘‘ଏହା ନିଶ୍ଚିତ ଯେ ତୃତୀୟ ବିଶ୍ୱଯୁଦ୍ଧରେ ପରମାଣୁ ଅସ୍ତ୍ରର ପ୍ରୟୋଗ ହେବ। ଏଥିଯୋଗୁଁ ମଣିଷଜାତିର ଅସ୍ତିତ୍ୱ ସଙ୍କଟ ଦେଖାଯିବ; କିନ୍ତୁ ଚତୁର୍ଥ ବିଶ୍ୱଯୁଦ୍ଧ ଲାଠି ଆଉ ପଥର ମାଧ୍ୟମରେ ହେବ।’’ ଏହି ବିଜ୍ଞପ୍ତିରେ କୁହାଯାଇଥିଲା ଯେ, ନରସଂହାର କଲାଭଳି ସମସ୍ତ ଅସ୍ତ୍ରକୁ ନଷ୍ଟ କରିଦିଆଯିବା ଆବଶ୍ୟକ। ଆମର ପୂର୍ବ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏହି ଭୟାବହତାକୁ ଅନୁଭବ କରିପାରିଥିଲେ। ସେଥିପାଇଁ ସେ ସଂଯୁକ୍ତ ରାଷ୍ଟ୍ରରେ ଆଣବିକ ଅସ୍ତ୍ରର ସମୂଳ ନଷ୍ଟ ପାଇଁ ପ୍ରସ୍ତାବ ରଖିଥିଲେ; କିନ୍ତୁ ପରମାଣୁ ମହାଶକ୍ତିଗୁଡ଼ିକ ଏହି ପ୍ରସ୍ତାବ ଉପରେ କୌଣସି ଆଗ୍ରହ ପ୍ରକାଶ କଲେ ନାହିଁ, କାରଣ ପରମାଣୁ ପ୍ରଭୁତ୍ୱରେ ହିଁ ସେମାନଙ୍କ ଶକ୍ତି ଅନ୍ତର୍ନିହିତ ରହିଛି। ବର୍ତ୍ତମାନ ପରମାଣୁ ଶକ୍ତି ସଂପନ୍ନ ଦେଶଗୁଡ଼ିକର ୟୁରାନିୟମର ବେପାର କରୁଛନ୍ତି। ସେମାନେ ପରମାଣୁ ଅସ୍ତ୍ରର ବିପଦକୁ ସାଉଁଟିବାରେ ବ୍ୟସ୍ତ ଅଛନ୍ତି।

ବର୍ତ୍ତମାନ ବିଶ୍ୱରେ ୯ଗୋଟି ପରମାଣୁ ଶକ୍ତି ସମ୍ପନ୍ନ ଦେଶ ଅଛନ୍ତି: ଆମେରିକା, ରୁଷ, ଫ୍ରାନ୍ସ, ଚୀନ, ବ୍ରିଟେନ, ଭାରତ, ପାକିସ୍ତାନ, ଇସ୍ରାଏଲ ଏବଂ ଉତ୍ତର କୋରିଆ। ଏମାନଙ୍କ ମଧ୍ୟରୁ ଆମେରିକା, ରୁଷ, ଫ୍ରାନ୍ସ, ଚୀନ ଆଉ ବ୍ରିଟେନ ପାଖରେ ପରମାଣୁ ବୋମାର ବିଶାଳ ଭଣ୍ଡାର ରହିଛି। ତେବେ ପାଞ୍ଚ ଗୋଟି ଦେଶ ପରମାଣୁ ଅପ୍ରସାର ଚୁକ୍ତିରେ ସାମିଲ ଅଛନ୍ତି। ଏହି ଚୁକ୍ତିର ମୁଖ୍ୟ ଉଦ୍ଦେଶ୍ୟ ପରମାଣୁ ଅସ୍ତ୍ରର ନିର୍ମାଣ ଓ ବିକାଶକୁ ସ୍ଥଗିତ ରଖିବା। ତେବେ ଏସବୁ ଦେଶ ଏହି ଉଦ୍ଦେଶ୍ୟକୁ ପୂରଣ କରିବାକୁ ଚେଷ୍ଟା କରୁନାହାନ୍ତି। ପାକିସ୍ତାନ ଚୋରି ମାଧ୍ୟମରେ ଉତ୍ତର କୋରିଆକୁ ପରମାଣୁ ଅସ୍ତ୍ରର ନିର୍ମାଣ କୌଶଳ ହସ୍ତାନ୍ତରିତ କରିଥିଲା; ତେଣୁ ଆଜି ସେ ମଧ୍ୟ ପରମାଣୁ ଶକ୍ତି ସମ୍ପନ୍ନ ରାଷ୍ଟ୍ର ରୂପେ ଗଢିଉଠିଛି। ପରମାଣୁ ଅସ୍ତ୍ର ଯଦି ଅପରିଣାମଦର୍ଶୀ ଶାସକ ବା ବ୍ୟକ୍ତିଙ୍କ ହାତରେ ପଡ଼େ, ତେବେ ତାହା ପୃଥିବୀ ଧ୍ବଂସର କାରଣ ହେବା ବିଚିତ୍ର ନୁହେଁ।

kalyan agarbati

Comments are closed.