ବନ୍ଦ ଘରୁ ୪ ଗଳିତ ଶବ ଉଦ୍ଧାର ଘଟଣା ; ସ୍ବତନ୍ତ୍ର ଟିମ୍‌ର ତଦନ୍ତ

ଥୁଆପାଲି : ବରଗଡ଼ ଜିଲା ଭେଡେନ ଥାନା ଅନ୍ତର୍ଗତ ଜାଣ୍ଡୋଲ କନ୍ଧପଡ଼ାର ବନ୍ଦ ଘରୁ ବୁଣାକାର ପରିବାରର ୪ ସଦସ୍ୟଙ୍କ ଗଳିତ ମୃତଦେହ ମିଳିବା ଘଟଣା ଅଞ୍ଚଳବାସୀଙ୍କୁ ସ୍ତବ୍ଧ କରି ଦେଇଛି। ପ୍ରଥମେ ଏହା ଏକ ଆତ୍ମହତ୍ୟା ବୋଲି କୁହାଯାଉଥିବାବେଳେ ପାରିପାର୍ଶ୍ବିକ ସ୍ଥିତିରୁ ଏହା ଏକ ସୁପରିକଳ୍ପିତ ହତ୍ୟାକାଣ୍ଡ ବୋଲି ପୁଲିସ ଅନୁମାନ କରୁଛି। ସୋମବାର ବରଗଡ଼ ଜିଲା ଆରକ୍ଷୀ ଅଧିକ୍ଷକ ସ୍ମିତ ପି. ପରମାର ଘଟଣାସ୍ଥଳକୁ ପହଞ୍ଚି ମାମଲାର ତଦନ୍ତ ପାଇଁ ଏକ ସ୍ବତନ୍ତ୍ର ଟିମ୍‌ ଗଠନ କରାଯାଇଥିବା ସୂଚନା ଦେଇଛନ୍ତି। ଡଗ୍‌ ସ୍କ୍ବାର୍ଡ, ସାଇଣ୍ଟିଫିକ୍‌ ଟିମ୍‌ର ସହାୟତା ନିଆଯାଉଛି। ମୃତକଙ୍କ ପଡ଼ୋଶୀ ଏବଂ ସମ୍ପର୍କୀୟଙ୍କୁ ମଧ୍ୟ ପୁଲିସ ପଚରାଉଚରା କରୁଛି। ମୃତକଙ୍କ ପରିବାର ବୁଣାକାର ହୋଇଥିବାବେଳେ ଆର୍ଥିକ କାରବାର, ପାରିବାରିକ ବିବାଦ ଆଦି ଦିଗକୁ ନେଇ ପୁଲିସ ତଦନ୍ତ କରୁଛି। ପରିବାରର ମୁଖ୍ୟ ଶେଷଦେବ ମେହେର ପ୍ରଥମ ସ୍ତ୍ରୀର ଦେହାନ୍ତ ପରେ ଦ୍ବିତୀୟ ବିବାହ କରିଥିଲେ । ପ୍ରଥମ ସ୍ତ୍ରୀଙ୍କ ପୁଅ ଅରବିନ୍ଦ ହୋଇଥିବା ବେଳେ ଝିଅ ବୃନ୍ଦାବତୀ କୁବେଡେଗା ଗ୍ରାମରେ ବିବାହ କରିଛନ୍ତି । ଦ୍ବିତୀୟ ସ୍ତ୍ରୀଙ୍କ ଏକମାତ୍ର ଝିଅ ଶିବାନୀ । ସାବତ ମା’ ଓ ଭଉଣୀ ଶେଷଦେବ ଏବଂ ଅରବିନ୍ଦଙ୍କ ସହିତ ପୂର୍ବରୁ ଅନେକ ଥର କୌଣସି କଥାକୁ ନେଇ ଗଣ୍ଡଗୋଳ କରିଥିବାରୁ ଏଭଳି ନିର୍ମମ ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି। ଘଟଣାର ତୁରନ୍ତ ପର୍ଦ୍ଦାଫାଶ ପାଇଁ ଉଦ୍ୟମ ଜାରି ରହିଛି ବୋଲି ଏସ୍‌ପି ପ୍ରକାଶ କରିଛନ୍ତି।
ଉଲ୍ଲେଖନୀୟ ଯେ, ରବିବାର ସନ୍ଧ୍ୟାରେ ଜାଣ୍ଡୋଲ କନ୍ଧପଡ଼ା ଗ୍ରାମର ବନ୍ଦ ଘରୁ ଦୁର୍ଗନ୍ଧ ବାହାରିବାରୁ ସ୍ଥାନୀୟ ଲୋକେ ପୁଲିସକୁ ଖବର ଦେଇଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ମାଜିଷ୍ଟ୍ରେଟ୍‌ଙ୍କ ଉପସ୍ଥିତିରେ କବାଟ ଖୋଲିଥିଲା। ଘର ଭିତରେ ଘରର ମୁଖ୍ୟ ଶେଷଦେବ, ସ୍ତ୍ରୀ କ୍ଷୀରେଶ୍ବରୀ, ଝିଅ ଶିବାନୀଙ୍କ ମୃତଦେହ ପଡ଼ିଥିବା ବେଳେ ପୁଅ ଅରବିନ୍ଦର ଝୁଲନ୍ତା ମୃତଦେହ ଦେଖିବାକୁ ମିଳିଥିଲା। ପୁଲିସ ପ୍ରାଥମିକ ତଦନ୍ତରେ ପୁଅ ଅରବିନ୍ଦ ଏଭଳି ଅଭାବନୀୟ ଘଟଣା ଘଟାଇଥିବା ସନ୍ଦେହ କରୁଛି। ତେବେ ଏହି ଘଟଣାରେ ବାହାର ଲୋକଙ୍କ ହାତ ରହିଥିବା ଅଭିଯୋଗକୁ ମଧ୍ୟ ଅସ୍ବୀକାର କରାଯାଇ ନ ପାରେ। ତୁରନ୍ତ ମାମଲାର ପର୍ଦ୍ଦାଫାଶ କରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

kalyan agarbati

Comments are closed.