ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ପାଳିତ

ଫୁଲବାଣୀ: ଓଡ଼ିଶା ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଏବଂ ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଜାତୀୟ ଦିବସ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନଠାରେ ଗତକାଲି ପାଳିତ ହୋଇଯାଇଛି । ଜନ ସଚେତନତା ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ସକାଳେ ଏକ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା । କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବସନ୍ତ କୁମାର ସାହୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଏଥିରେ ବହୁ ଯୁବଗୋଷ୍ଠୀ, ଛାତ୍ରଛାତ୍ରୀ,ଏନ୍‌.ସି.ସି, ସ୍କାଉଟ୍‌ ଓ ଗାଇଡ୍‌ର ଛାତ୍ରଛାତ୍ରୀ, ନେହେରୁ ଯୁବ କେନ୍ଦ୍ରର ସ୍ୱେଚ୍ଛାସେବୀ ମାନେ ଯୋଗ ଦେଇଥିଲେ । ପରେ ପରେ ସ୍ଥାନୀୟ ଗାନ୍ଧୀ ସ୍ମୃତି ଭବନ ଠାରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା ।

ମୁଖ୍ୟ ଅତିଥି ଭାବେ ଯୋଗଦେଇ କନ୍ଧମାଳ ଅତିରିକ୍ତ ଜିଲ୍ଲାପାଳ ବିଗତ ଦିନମାନଙ୍କରେ ଘଟିଯାଇଥିବା ବିପର୍ଯ୍ୟୟ ଉପରେ ଆଲୋଚନା କରିଥିଲେ । ଏବେ ଓଡ଼ିଶା ସରକାର ବିପର୍ଯ୍ୟୟ ଘଟିବା ପୂର୍ବରୁ ସମସ୍ତ ପ୍ରକାର ପଦକ୍ଷେପ ନେବା ସହିତ ଲୋକମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ୱାରା ସଚେତନ କରୁଛନ୍ତି । ଫଳରେ ପୂର୍ବଭଳି ଜୀବନ ହାନୀ ହେଉନାହିଁ । ସେଥିପାଇଁ ପ୍ରତିବର୍ଷ  ଏହି ଦିବସକୁ ପାଳନ କରାଯାଉଛି । ସମ୍ମାନୀତ ଅତିଥିଭାବେ ଯୋଗଦେଇ ଫୁଲବାଣୀ ପୌର ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ସ୍ମିତାରାଣୀ ମହାନ୍ତି ବିପର୍ଯ୍ୟୟ ପ୍ରଶମନ ପାଇଁ ସରକାରଙ୍କ ଦ୍ୱାରା ବିଭିନ୍ନ ସମୟରେ ନିଆଯାଉଥିବା ପଦକ୍ଷେପ ଗୁଡ଼ିକର ପ୍ରଶଂସା କରିଥିଲେ ।

prayash

ସେହିପରି କନ୍ଧମାଳ ଉପ-ଜିଲ୍ଲାପାଳ ଶେଷଦେବ ମିଶ୍ର କହିଲେଯେ, ବିପର୍ଯ୍ୟୟ ବିପଦ ହ୍ରାସ ପାଇଁ ଓଡ଼ିଶା ସରକାରଙ୍କର ପଦକ୍ଷେପ  ଭାରତର ଅନ୍ୟ ରାଜ୍ୟ ମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛି । ଏହି ଅବସରରେ ସେଣ୍ଟଜନ୍‌ ଅମ୍ବୁଲାନ୍ସ ଟିମ୍‌ର ମୁଖ୍ୟ ପ୍ରଶିକ୍ଷକ ଡା. ଦିଲୀପ କୁମାର ମିଶ୍ର ଉପସ୍ଥିତ ଛାତ୍ରଛାତ୍ରୀ ମାନଙ୍କୁ ବିପର୍ଯ୍ୟୟ ପ୍ରଶମନ ପାଇଁ  କେତେକ ଜରୁରୀ ସୂଚନା ପ୍ରଦାନ କରିବା ସହିତ  ଜରୁରୀ କାଳୀନ ଚିକିତ୍ସା ସମ୍ପର୍କରେ ଅବଗତ କରିଥିଲେ । ଏ ଦିଗରେ ସଚେତନତା ବୃଦ୍ଧି ପାଇଁ  ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା ।

ଅତିଥିମାନଙ୍କ ଦ୍ୱାରା କୃତି ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲା । ଉକ୍ତ ବୈଠକରେ ଫୁଲବାଣୀ ଗୋଷ୍ଠୀ ଉନ୍ନୟନ ଅଧିକାରୀ ପ୍ରବୀଣ କୁମାର ବାଣୁଆ, ଜିଲା ଆପାତକାଳୀନ ଅଧିକାରୀ ପ୍ରଦ୍ୟୁମ୍ନ ମଣ୍ଡଳ , ତହସିଲଦାର ଦୀନମଣି ନାୟକ, ପୌରପରିଷଦ ନିର୍ବାହୀ ଅଧିକାରୀ ବଳଦେବ ବେହେରାଙ୍କ ସମେତ  ସରକାରୀ ଓ ବେସରକାରୀ ପଦାଧିକାରୀ, ସ୍ୱେଚ୍ଛାସେବୀ, ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟିତ୍ରୀ ମାନେ ଯୋଗଦେଇଥିଲେ ।

kalyan agarbati

Comments are closed.