ରବି ଋତୁରେ ଚାଷୀଙ୍କୁ ୭୫୦୦ କୋଟି ଋଣ
କଟକ ସିସିବିକୁ ସର୍ବାଧିକ ୧୩୫୦କୋଟି ଟଙ୍କା, ଭୂତଚାଷୀଙ୍କୁ ଋଣ ଦେଲେ ଆଇନଗତ ପଦକ୍ଷେପ
ଭୁବନେଶ୍ୱର : ଚଳିତବର୍ଷ ରବି ଋତୁ ଲାଗି ସରକାରଙ୍କ ପକ୍ଷରୁ ୭୫୦୦କୋଟି ଟଙ୍କାର ଶସ୍ୟଋଣ ବଣ୍ଟାଯିବାକୁ ଲକ୍ଷ୍ୟ ରହିଛି। ଏହି କାର୍ଯ୍ୟକ୍ରମ ଅକ୍ଟୋବର ପହିଲାରୁ ହେବାକୁ ରହିଥିଲା। ମାତ୍ର ରାଜ୍ୟରେ ଥିବା ୨୭୧୦ ପ୍ରାଥମିକ କୃଷି ସମବାୟ ସମିତି(ପାକ୍ସ)ରେ କୋର ବ୍ୟାଙ୍କିଂ ସୁବିଧା(ସିବିଏସ୍) ନଥିବା ଯୋଗୁଁ ଚାଷୀଙ୍କୁ ଋଣ ଦେବାରେ ଅସୁବିଧା ହେଉଥିଲା। ପୂର୍ବରୁ ବହୁ ଭୂତଚାଷୀ ଋଣ ହାତେଇ ଥିବାରୁ ଚଳିତବର୍ଷ ଏହାକୁ ସ୍ବଚ୍ଛତାର ସହ କରିବା ପାଇଁ ସମବାୟ ବିଭାଗ ପକ୍ଷରୁ ପ୍ରକ୍ରିୟା ଆରମ୍ଭ ହୋଇଛି।
ଏନେଇ ବିଭାଗୀୟ ସଚିବ ସଞ୍ଜୀବ ଚଢ଼ାଙ୍କ ନିର୍ଦେଶକ୍ରମେ ସମବାୟ ସମିତି ନିବନ୍ଧକ ଉଦ୍ଧବ ଚନ୍ଦ୍ର ମାଝି ସବୁ କେନ୍ଦ୍ରୀୟ ସମବାୟ ବ୍ୟାଙ୍କ ଓ ଜିଲା ସମବାୟ ସମିତି ନିବନ୍ଧକଙ୍କୁ ପତ୍ର ଲେଖି ଏଦିଗରେ ତ୍ବରିତ ପଦକ୍ଷେପ ନେବାକୁ ଅବଗତ କରାଇଛନ୍ତି। ଶ୍ରୀ ମାଝି ଦର୍ଶାଇଛନ୍ତି ଯେ, ସରକାରଙ୍କ ପକ୍ଷରୁ ୨୦୧୯-୨୦ରେ ରବି ଋତୁ ଲାଗି ୫୭୪୦କୋଟି ଟଙ୍କା ବଣ୍ଟନ କରାଯାଇଥିବାବେଳେ ୨୦୨୦-୨୧ରେ ଏହା ୬୮୬୮କୋଟିକୁ ବୃଦ୍ଧି ପାଇଥିଲା। ସେହିପରି ୨୦୨୧-୨୨ବର୍ଷରେ ୬୫୦୦କୋଟି ଟଙ୍କା ଶସ୍ୟଋଣ ଚାଷୀଙ୍କୁ ଦେବାକୁ ରହିଥିବାବେଳେ ୭୩୬୨କୋଟି ଟଙ୍କା ବଣ୍ଟନ କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ଚଳିତବର୍ଷ ଏହାକୁ ବଢ଼ାଯାଇ ୭୫୦୦କୋଟି ଟଙ୍କା ଶସ୍ୟ ଋଣ ଦେବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ରାଜ୍ୟର ୧୭ଟି କେନ୍ଦ୍ର ସମବାୟ ବ୍ୟାଙ୍କ ଜରିଆରେ ଏହି ସମସ୍ତ ଅର୍ଥ ବଣ୍ଟନ କରାଯିବାକୁ ରହିଥିବାବେଳେ କଟକ କେନ୍ଦ୍ର ସମବାୟ ବ୍ୟାଙ୍କ ସର୍ବାଧିକ ୧୩୫୦କୋଟି ଟଙ୍କା ବଣ୍ଟନ କରିବ। ସେହିପରି ସମ୍ବଲପୁର ସିସିବି ୧୧୨୦କୋଟି ଟଙ୍କା ବଣ୍ଟନ କରିବାକୁ ରହିଥିବାବେଳେ ବାଲେଶ୍ବର ସିସିବି ୭୦୦କୋଟି ଟଙ୍କା ବଣ୍ଟନ କରିବ। ବୌଦ୍ଧ ସିସିିବି ସର୍ବନିମ୍ନ ୧୮୦କୋଟି ଟଙ୍କା ବଣ୍ଟନ କରିବ।
ସରକାରଙ୍କ ନିଷ୍ପତ୍ତି ଅନୁଯାୟୀ ଚଳିତ ବର୍ଷ ଚାଷୀଙ୍କୁ ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସୁଧମୁକ୍ତ ଋଣ ପ୍ରଦାନ କରାଯିବ। ସମସ୍ତ ଶସ୍ୟ ଋଣ ଚାଷୀଙ୍କ ସଞ୍ଚୟ ବ୍ୟାଙ୍କ ଖାତାକୁ ଅନ୍ଲାଇନ ଜରିଆରେ ପ୍ରଦାନ କରାଯିବ। ଏହି ସମୟରେ ଚାଷୀଙ୍କ ଆଧାରକାର୍ଡ ସଂଲଗ୍ନ ବାଧ୍ୟତାମୂଳକ କରାଯାଇଛି। ଯଦି କୌଣସି କ୍ଷେତ୍ରରେ ଋଣ ପ୍ରଦାନରେ ଏହାର ବ୍ୟତିକ୍ରମ ହେବ ସେ କ୍ଷେତ୍ରରେ ଋଣ ପ୍ରଦାନ କରୁଥିବା କର୍ତ୍ତୃପକ୍ଷ ଦାୟୀ ରହିବେ। ଗତବର୍ଷ ୧୬ଲକ୍ଷ ୨ହଜାର ୬୯୭ ଚାଷୀଙ୍କୁ ୭ହଜାର ୩୬୨କୋଟି ଟଙ୍କାର ଶସ୍ୟଋଣ ପ୍ରଦାନ କରାଯାଇଥିଲା। ଏହି ଆଧାରରେ ଚଳିତବର୍ଷ ୭୫୦୦କୋଟି ଟଙ୍କାର ଶସ୍ୟ ଋଣ ପ୍ରଦାନ କରାଯିବ। ଯଦି ଅଧିକ ଚାଷୀ ଋଣ ପାଇଁ ଆବେଦନ କରନ୍ତି ତେବେ ତାକୁ ଯାଞ୍ଚ କରି ଋଣ ପ୍ରଦାନ କରାଯିବ। ଋଣ ପ୍ରଦାନ ପୂର୍ବରୁ କେତେକ ସର୍ତ୍ତକୁ ଗୁରୁତ୍ବ ଦେବାକୁ ବିଭାଗ ପକ୍ଷରୁ ନିର୍ଦେଶ ଦିଆଯାଇଛି। ସମସ୍ତ ଡିସିସିବି ଏନେଇ ଏକ ସ୍ବତନ୍ତ୍ର ଖସଡ଼ା ପ୍ରସ୍ତୁତ କରିବେ। ଯଦି ନୂତନ ଚାଷୀ ଶସ୍ୟଋଣ ଲାଗି ଆବେଦନ କରନ୍ତି ତେବେ ଆବେଦନର ୧୫ଦିନ ମଧ୍ୟରେ ଋଣ ପ୍ରଦାନ କରାଯିବ। ଋଣ ପ୍ରଦାନ ବେଳେ ଯେଭଳି କୌଣସି ପ୍ରକୃତ ଚାଷୀ ବାଦ୍ ନପଡ଼ନ୍ତି ସେଥିପ୍ରତି ଦୃଷ୍ଟି ଦେବାକୁ କୁହାଯାଇଛି।
Comments are closed.