ଅନ୍ଧାରରେ ସୌର ପ୍ରକଳ୍ପ

ସୋରଡ଼ା : ଆଧୁନିକ ଜୀବନଶୈଳୀରେ ଖାଦ୍ୟ, ବସ୍ତ୍ର ଓ ବାସଗୃହ ଭଳି ବିଦ୍ୟୁତ ଅତ୍ୟାବଶ୍ୟକ ହୋଇଥିଲେ ସୁଦ୍ଧା ଗଞ୍ଜାମ ଜିଲା ସୋରଡ଼ା ବ୍ଳକର କେତେକ ଗ୍ରାମରେ ବର୍ତ୍ତମାନ ସୁଦ୍ଧା ବିଦ୍ୟୁତ ସଂଯୋଗ ହୋଇ ପାରିନାହିଁ। ୨୦୦୫ ମସିହାଠାରୁ କେନ୍ଦ୍ର ସରକାରଙ୍କ ରାଜୀବ ଗ୍ରାମୀଣ ବିଦ୍ୟୁତ୍‍ ଯୋଜନା, ଏବଂ ରାଜ୍ୟ ସରକାରଙ୍କ ୨୦୦୭-୦୮ ଆର୍ଥିକ ବର୍ଷରୁ ବିଜୁ ଗ୍ରାମ୍ୟ ଜ୍ୟୋତି ଯୋଜନା କାର୍ଯ୍ୟକାରୀ ହେଉଛି। କେନ୍ଦ୍ର ସରକାରଙ୍କ ଯୋଜନାର ରୂପରେଖ ବଦଳି ତାହା ଦୀନ ଦୟାଲ ଉପାଧ୍ୟାୟ ଗ୍ରାମୀଣ ଜ୍ୟୋତି ଯୋଜନାରେ ପରିଣତ ହୋଇଛି। କିନ୍ତୁ ଗ୍ରାମାଞ୍ଚଳରେ ବାସ୍ତବ ରୂପରେଖ ବଦଳି ନାହିଁ। ବିଦ୍ୟୁତ୍‍ ସଂଯୋଗ ହୋଇନଥିବା କିଛି ଗ୍ରାମରେ ଘରୋଇ ସୌରଶକ୍ତି ପ୍ରକଳ୍ପ ସ୍ଥାପନ ହୋଇଥିଲେ ମଧ୍ୟ ତାହା କାମରେ ଲାଗୁନି। ସ୍ଥାପନର ଅଳ୍ପଦିନ ପରେ ହିଁ ଅଚଳ ହୋଇପଡିଛି।
ବର୍ତ୍ତମାନ ସୁଦ୍ଧା ସୋରଡ଼ା ବ୍ଳକର ଗୌଡ଼ଗୋଠ, ମେରିକୋଟ, ଗାଜଲବାଡ଼ି, ଲାଠିପଡ଼ା ପଞ୍ଚାୟତର ୨୦ ରୁ ଊର୍ଦ୍ଧ୍ବ ଆଦିବାସୀ ଗ୍ରାମରେ ବିଦ୍ୟୁତ ସଂଯୋଗ ହୋଇନି। ସେଥିମଧ୍ୟରୁ ଲାଠିପଡ଼ା ପଞ୍ଚାୟତର ବଲାଦୁ, ଗାଜଲବାଡ଼ି ପଞ୍ଚାୟତର ବଙ୍ଗଡ଼ା, ନେଡିପଙ୍କା ଓ ମେରିକୋଟ ପଞ୍ଚାୟତର କିଛି ଗ୍ରାମରେ ଦୁଇବର୍ଷ ତଳେ ଭାରତ ସରକାରଙ୍କ ଶକ୍ତି ମନ୍ତ୍ରଣାଳୟ ଓ ରାଜ୍ୟ ସରକାରଙ୍କ ଶକ୍ତି ବିଭାଗ ତରଫରୁ ସୌଭାଗ୍ୟ ଯୋଜନା ମାଧ୍ୟମରେ ସୌର ଶକ୍ତି ଗ୍ରାମ୍ୟ ବିଦ୍ୟୁତିକରଣ ଦ୍ୱାରା କିଛି ପରିବାରକୁ ପ୍ରକଳ୍ପ ଯୋଗାଇ ଦିଆଯାଇଥିଲା। ଅଳ୍ପ କିଛିଦିନ ପରେ ଯାନ୍ତ୍ରିକ ତୃଟି ଯୋଗୁ ସେଗୁଡ଼ିକ
ବନ୍ଦ ହୋଇଯାଇଥିଲା। ପରେ ମରାମତି ନିମନ୍ତେ ସ୍ଥାନୀୟ ବ୍ଳକ ପ୍ରଶାସନ କିମ୍ବା ବିଦ୍ୟୁତ୍‍ ବିଭାଗ କେହି ଧ୍ୟାନ ଦେଲେନି। ଧିରେ ଧିରେ ସମସ୍ତ ପ୍ରକଳ୍ପ ଅଚଳ ହୋଇପଡ଼ିଲା। କିଛି ସ୍ଥାନରେ ବାସ୍ତବରେ ଥିବା ଘର ସଂଖ୍ୟାଠାରୁ ଅଧିକ ସୌର ପ୍ରକଳ୍ପ ସ୍ଥାପନ ଫଳକ ଲଗାଯାଇଛି। ଉକ୍ତ ଫଳକରେ ଓଡ଼ିଶା ଅକ୍ଷୟ ଶକ୍ତି ବିକାଶ ସଂସ୍ଥା ସ୍ଥାପନା କରିଥିବା କୁହାଯାଉଥିବା ବେଳେ ସେଥିରେ କୌଣସି ପ୍ରକାର ଯୋଗାଯୋଗ ଠିକଣା ନାହିଁ। ପ୍ରକଳ୍ପ ସ୍ଥାପନ ହେବାର ତାରିଖ, ଅଟକଳ ମୂଲ୍ୟ, କାର୍ଯ୍ୟ ସମ୍ପାଦନକାରୀ ସଂସ୍ଥା ଏସବୁ ସ୍ଥାନ ଗୁଡ଼ିକରେ କୌଣସି ସୂଚନା ନଦେଇ ତାହା ଖାଲି ପଡ଼ିଛି। ଲାଠିପଡ଼ା ପଞ୍ଚାୟତର ବଲାଦୁ ଗ୍ରାମରେ ଲାଗିଥିବା ସମସ୍ତ ପ୍ରକଳ୍ପ ବର୍ତ୍ତମାନ ବନ୍ଦ ରହିଥିବା ବେଳେ ଅନ୍ୟ ଗ୍ରାମରେ ମଧ୍ୟ ସମ ଅବସ୍ଥା। ଦିନେ ଜଳିଲେ ଦୁଇଦିନ ଜଳୁନି। ଏନେଇ ସ୍ଥାନୀୟ ବ୍ଳକ ପ୍ରଶାସନ ପାଖରେ କୌଣସି ଖବର ନଥିବା କୁହାଯାଇଛି। ଭୁବନେଶ୍ୱରରେ ଥିବା ଓରେଡ଼ା କାର୍ଯ୍ୟାଳୟ ସହିତ ଯୋଗାଯୋଗ କରିବା ପରେ ମଧ୍ୟ କେଉଁ ବ୍ୟକ୍ତି ବିଶେଷ କିମ୍ବା ସଂସ୍ଥା ସୋରଡ଼ା ବ୍ଳକର ବିଭିନ୍ନ ପଞ୍ଚାୟତରେ ସୌଭାଗ୍ୟ ଯୋଜନା ମାଧ୍ୟମରେ ସୌର ପ୍ରକଳ୍ପ ସ୍ଥାପନା କରିଛି ତାହା ସ୍ପଷ୍ଟ ହୋଇପାରୁନାହାନ୍ତି। ସ୍ଥାନୀୟ ବିଦ୍ୟୁତ୍‍ ବିଭାଗ ନିକଟରେ ମଧ୍ୟ ଏନେଇ କୌଣସି ସୂଚନା ନାହିଁ। ହେଲେ ଏହି ସବୁ ଆଦିବାସୀ ଗ୍ରାମ ଗୁଡ଼ିକରେ ପ୍ରକଳ୍ପ ସ୍ଥାପନ ନିମନ୍ତେ ଅନୁମତି କିଏ ଦେଲା ତାହାର ତଦନ୍ତ ଦାବି କରିଛନ୍ତି ଗ୍ରାମବାସୀ।

kalyan agarbati

Comments are closed.