ଶ୍ରୀମନ୍ଦିରରେ ଚନ୍ଦ୍ରଗ୍ରହଣ ନୀତିକାନ୍ତି ନେଇ ବିବାଦ
ସେବକଙ୍କ ସହ ଆଉଥରେ ଆଲୋଚନା : ଜିଲାପାଳ
ପୁରୀ : ଶ୍ରୀଜଗନ୍ନାଥ ମନ୍ଦିରରେ ଆଗାମୀ ୮ତାରିଖ କାର୍ତ୍ତିକ ପୂର୍ଣ୍ଣିମା ଚନ୍ଦ୍ରଗ୍ରହଣ ଦିନ ଠାକୁରଙ୍କ ନୀତିକାନ୍ତି ସମୟକୁ ନେଇ ବିବାଦ ଦେଖା ଦେଇଛି। ଜ୍ୟୋତିର୍ବିଦ ଏବଂ ଗବେଷକଙ୍କ ଭିନ୍ନମତ ଯୋଗୁଁ ଦ୍ବନ୍ଦ୍ବରେ ପଡ଼ିଛନ୍ତି ରାଜ୍ୟବାସୀ। ଖୁବ୍ଶୀଘ୍ର ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକ ଡକାଯାଇ ଏ ସମ୍ପର୍କରେ ଚୂଡ଼ାନ୍ତ ନିଷ୍ପତ୍ତି ଗ୍ରହଣ କରାଯିବ ବୋଲି ଜିଲାପାଳ ସମର୍ଥ ବର୍ମା କହିଛନ୍ତି। ସେଦିନ ଅପରାହ୍ଣ ୨ଟା ୩୮ମିନିଟ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ହେବ। ସନ୍ଧ୍ୟା ୬ଟା ୧୮ମିନିଟ ୪୭ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ତେଣୁ ସକାଳ ୮ଟା ୨୯ମିନିଟରୁ ପାକତ୍ୟାଗ, ଅନ୍ନ ଭୋଜନ, ପାକକର୍ମ ଏବଂ ଦେବନୀତି ନିଷେଧ ହେବବୋଲି ମନ୍ଦିର ପ୍ରଶାସନ ପକ୍ଷରୁ ନୀତିନିର୍ଘଣ୍ଟ ପ୍ରସ୍ତୁତ କରାଯାଇଛି।
ମନ୍ଦିର ପ୍ରଶାସନର ଏଭଳି ନୀତିନିର୍ଘଣ୍ଟକୁ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ଡ. ନରେଶ ଚନ୍ଦ୍ର ଦାଶଙ୍କ ସମେତ କେତେକ ଜ୍ୟୋତିର୍ବିଦ ସମାଲୋଚନା କରିଛନ୍ତି। ସକାଳ ୫ଟା ୫୪ ମିନିଟ ୫୩ ସେକେଣ୍ଡରୁ ଅନ୍ନଭୋଜନ, ପାକକର୍ମ ଏବଂ ଦେବନୀତି ନିଷେଧ କରାଯିବା ସପକ୍ଷରେ ସେ ମତ ଦେଇଛନ୍ତି। ସେ କହିଲେ ଓଡ଼ିଶାରୁ ପ୍ରକାଶ ପାଉଥିବା ଗୋଟିଏ ପଞ୍ଜିକାରେ ଏଭଳି ତ୍ରୁଟିପୂର୍ଣ୍ଣ ତଥ୍ୟ ପ୍ରକାଶ ପାଇଥିଲା। ପରେ ସେଥିରେ ସଂଶୋଧନ କରାଯାଇଛି। ତେଣୁ ସଂଶୋଧିତ ପଞ୍ଜିକା ଅନୁଯାୟୀ ମନ୍ଦିର ପ୍ରଶାସନ ନୂତନ ନୀତିନିର୍ଘଣ୍ଟ ପ୍ରସ୍ତୁତ କରିବାକୁ ସେ ଦାବି କରିଛନ୍ତି। ସେହିପରି କେତେକ ପଞ୍ଜିକା ପ୍ରକାଶକ କାର୍ତ୍ତିକ ପୂର୍ଣ୍ଣିମା ଚନ୍ଦ୍ରଗ୍ରହଣ ସମ୍ପର୍କରେ ଭୁଲ୍ ତଥ୍ୟ ପ୍ରକାଶ କରି ଲୋକଙ୍କୁ ବିଭ୍ରାନ୍ତ କରୁଥିବା ଆଉ କେତେକ ବ୍ୟକ୍ତି ଅଭିଯୋଗ କରିଛନ୍ତି।
ଶ୍ରୀଜଗନ୍ନାଥ ମନ୍ଦିର ନୀତିନିର୍ଘଣ୍ଟକୁ ନେଇ କୋଟି କୋଟି ଓଡ଼ିଆ ଗ୍ରହଣ ନୀତିକାନ୍ତି ପାଳନ କରୁଥିବାରୁ ମନ୍ଦିର ପ୍ରଶାସନ ନିର୍ଭୁଲ ଏବଂ ସ୍ପଷ୍ଟ ତଥ୍ୟ ପ୍ରକାଶ କରିବାକୁ ସେମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ଆଲୋଚନା ପାଇଁ ନଭେମ୍ବର ପ୍ରଥମ ସପ୍ତାହରେ ଶ୍ରୀମନ୍ଦିର ଛତିଶା ନିଯୋଗ ଏବଂ ନୀତି ସବ୍କମିଟି ବୈଠକ ଅନୁଷ୍ଠିତ ହେବ। ମନ୍ଦିର ପ୍ରଶାସନର ଜଣେ ଅଧିକାରୀ ଏ ସମ୍ପର୍କରେ ସୂଚନା ଦେଇଛନ୍ତି।
Comments are closed.