ଜିମ୍ବାୱେକୁ ୩ ରନ୍ରେ ହରାଇଲା ବାଂଲାଦେଶ
ବ୍ରିସ୍ବେନ୍ : ଟ୍ବେଣ୍ଟି୨୦ ବିଶ୍ବକପ୍ରେ ରବିବାର ବାଂଲାଦେଶ-ଜିମ୍ବାୱେ ମ୍ୟାଚ୍ର ଶେଷ ଓଭର ନାଟକୀୟ ହୋଇ ଯାଇଥିଲା। ଜିତିବା ପାଇଁ ଜିମ୍ବାୱେ ଶେଷ ଓଭରର ଶେଷ ୨ଟି ବଲ୍ରୁ ୫ ରନ୍ ଆବଶ୍ୟକ କରୁଥିଲା। ଅଫ୍ସ୍ପିନର ମୋସାଦେକ୍ ହୋସେନ୍ ବୋଲିଂ କରିଥିବା ଓଭରର ୫ମ ବଲ୍ରେ ରିଚାର୍ଡ ଏନ୍ଗାରୱା ଆଉଟ୍ ହୋଇଥିଲେ। ଶେଷ ବଲ୍ରେ ବ୍ଲେସିଂ ମୁଜାରବାନି ଷ୍ଟମ୍ପ୍ଡ ହୋଇଥିଲେ ଏବଂ ବାଂଲାଦେଶ ଦଳ ଉତ୍ସବମୁଖର ହୋଇଥିଲା। ଉଭୟ ଦଳର ଖେଳାଳି ହାତ ମିଳାଇ ପାଭିଲିଅନ୍ ଆଡ଼କୁ ବାହାରିଥିଲେ। ହେଲେ ୱିକେଟ ରକ୍ଷକ ନୁରୁଲ ହାସନ୍ ଷ୍ଟମ୍ପ୍ ଆଗରୁ ବଲ୍ ସଂଗ୍ରହ କରିଛନ୍ତି ବୋଲି ୩ୟ ଅମ୍ପାୟାର ଦେଖି ନୋ’ବଲ୍ ଘୋଷଣା କରିଥିଲେ। ଫଳରେ ଶେଷ ବଲ୍ ଫ୍ରିହିଟ୍ ଥିବା ବେଳେ ଜିମ୍ବାୱେ ଜିତିବାକୁ ୪ ରନ୍ ଆବଶ୍ୟକ କରୁଥିଲା। ହେଲେ ଏହି ବଲ୍ରେ ମୁଜାରବାନି ବ୍ୟାଟ୍ ଲଗାଇ ପାରିନଥିଲା। ଫଳରେ ବାଂଲାଦେଶ ମାତ୍ର ୩ ରନ୍ରେ ବିଜୟୀ ହୋଇଥିଲା। ୩ୟ ମ୍ୟାଚ୍ରେ ୨ୟ ବିଜୟ ସହ ୪ ପଏଣ୍ଟ ସହ ବାଂଲାଦେଶ ସେମିଫାଇନାଲ ଖେଳିବା ଆଶା ବଜାୟ ରଖିଛି। ସୁପର-୧୨ ପର୍ଯ୍ୟାୟର ଗ୍ରୁପ୍-୨ର ଏହି ମ୍ୟାଚ୍ରେ ନଜ୍ମୁଲ ହାସନ୍ ସାଣ୍ଟୋଙ୍କ ୭୧ ରନ୍ ବଳରେ ପ୍ରଥମେ ବ୍ୟାଟିଂକରି ବାଂଲାଦେଶ ୭ ୱିକେଟରେ ୧୫୦ ରନ୍ କରିଥିଲା। ପରେ ସନ୍ ୱିଲିୟମ୍ସଙ୍କ ୬୪ ରନ୍ ସେତ୍ତ୍ବ ଜିମ୍ବାୱେ ୮ ୱିକେଟରେ ୧୪୭ ରନ୍ କରି ପାରିଥିଲା। ଜିମ୍ବାୱେ ୩ଟି ମ୍ୟାଚ୍ରୁ ୩ ପଏଣ୍ଟ ପାଇଛି।
ବାଂଲାଦେଶ ଟସ୍ ଜିତି ବ୍ୟାଟିଂ ନେଇଥିଲା। ଗୋଟିଏ ପଟୁ ଓପ୍ନର ନଜ୍ମୁଲ ହାସନ୍ ସାଣ୍ଟୋ ୧୭ଶ ଓଭର ପର୍ଯ୍ୟନ୍ତ କ୍ରିଜ୍ରେ ରହିବାରୁ ବାଂଲାଦେଶ ଦେଢ଼ଶହ ରନ୍ରେ ପହଞ୍ଚି ପାରିଥିଲା। ସୌମ୍ୟ ସରକାର ଖାତା ଖୋଲି ପାରିନଥିଲେ। ଲିଟନ୍ ଦାସ ୧୪ ରନ୍ କରିଥିଲେ। ସାଣ୍ଟୋଙ୍କ ସହ ୩ୟ ୱିକେଟ ପାଇଁ ଅଧିନାୟକ ସାକିବ୍ ଅଲ୍ ହାସନ୍ ୫୪ ଏବଂ ୪ର୍ଥ ୱିକେଟ୍ ପାଇଁ ଆଫିଫ୍ ହୋସେନ୍ଙ୍କ ସହ ୩୬ ରନ୍ ଯୋଡ଼ିଥିଲେ। ବାମହାତି ସାକିବ୍ ୨୦ ବଲ୍ରୁ ୨୩ ଏବଂ ଆଫିଫ୍ ୧୯ ବଲ୍ରୁ ଗୋଟିଏ ଲେଖାଏଁ ଛକା ଓ ଚୌକା ସହ ୨୯ ରନ୍ କରିଥିଲେ। ନଜ୍ମୁଲ ହାସନ୍ ସାଣ୍ଟୋ ଲଢ଼ୁଆ ବ୍ୟାଟିଂକରି ୫୫ ବଲ୍ରୁ ଗୋଟିଏ ଛକା ଓ ୭ମ ଚୌକା ସହ ୭୧ ରନ୍ କରିଥିଲେ। ରିଚାର୍ଡ ଏନ୍ଗାରୱା ଓ ବ୍ଲେସିଂ ମୁଜାରବାନି ୨ଟି ଲେଖାଏଁ ୱିକେଟ ନେଇଥିଲେ। ୧୫୧ ରନ୍ ଲକ୍ଷ୍ୟ ନେଇ କ୍ରିଜ୍କୁ ଓହ୍ଲାଇଥିବା ଜିମ୍ବାୱେ ଆରମ୍ଭରୁ ବ୍ୟାଟିଂ ବିପର୍ଯ୍ୟୟ ଭୋଗିଥିଲା। ମାତ୍ର ୩୫ ରନ୍ରେ ଜିମ୍ବାୱେ ୫ଟି ୱିକେଟ ହରାଇଥିଲା। କ୍ରେଗ୍ ଅର୍ଭାଇନ୍ ଓ ମିଲ୍ଟନ ସୁମ୍ବା ୮ ରନ୍ ଲେଖାଏଁ କରିଥିଲେ। ସିକନ୍ଦର ରାଜା ଖାତା ଖୋଲି ପାରିନଥିଲେ। ସନ୍ ୱିଲିୟମ୍ସ ଓ ରେଜିସ୍ ଚକାଭା ୩୪ ରନ୍ ଯୋଡ଼ିଥିଲେ। ଚକାଭା ୧୯ ବଲ୍ରୁ ୧୫ ରନ୍ କରିଥିଲେ। ପରେ ୱିଲିୟମ୍ସ ଓ ରିୟାନ୍ ବର୍ଲ ୬ଷ୍ଠ ୱିକେଟ ପାଇଁ ୬୩ ରନ୍ ଯୋଡ଼ିଥିଲେ। ୱିଲିୟମ୍ସ ରନ୍ଆଉଟ୍ ହେବା ଜିମ୍ବାୱେ ପାଇଁ କାଳ ହୋଇଥିଲା। ସନ୍ ୱିଲିୟମ୍ସ ୪୨ ବଲ୍ରୁ ୮ଟି ଚୌକା ସହ ୬୪ ରନ୍ କରିଥିଲେ। ବର୍ଲ ୨୫ ବଲ୍ରୁ ଗୋଟିଏ ଛକା ଓ ୨ଟି ଚୌକା ସହ ୨୭ ରନ୍ କରିଥିଲେ। ତସ୍କିନ୍ ଅହମ୍ମଦ ୩ଟି ଏବଂ ମୋସାଦେକ୍ ହୋସେନ୍ ଓ ମୁସ୍ତାଫିଜୁର ରେହ୍ମାନ ୨ଟି ଲେଖାଏଁ ୱିକେଟ ନେଇଥିଲେ। ତସ୍କିନ୍ ଅହମ୍ମଦ ପ୍ଲେୟର ଅଫ୍ ଦି ମ୍ୟାଚ୍ ହୋଇଥିଲେ।
Comments are closed.