ବିକାଶ ମୂଳକ କାର୍ଯ୍ୟରେ ମନ୍ଥରତାକୁ ନେଇ ବଢୁଛି ଅସନ୍ତୋଷ
ଡ଼ମ୍ବାର ପ୍ରମୁଖ ସମସ୍ୟାକୁ ନେଇ ନାଗରିକ ମଞ୍ଚର ଜରୁରୀ ବୈଠକ
ବଡ଼ମ୍ବା : ଦୀର୍ଘଦିନର ଦାବି ସତ୍ତ୍ବେ କୃଷିଭିତ୍ତିକ ବଡ଼ମ୍ବା ସମବାୟ ଚିନିକଳର ପୁନରୁଦ୍ଧାର ହୋଇପାରୁନି କି ଏହି ବ୍ଲକକୁ ଏନଏସି ମାନ୍ୟତା ଫାଇଲ ତଳେ ଚାପିହୋଇ ରହିଛି । ସେହିଭଳି ଶିଳାନ୍ୟାସ ଫଳକରେ ବଡ଼ମ୍ବା ଆଇଟିଆଇ ଶିକ୍ଷାନୁଷ୍ଠାନ ବର୍ଷବର୍ଷ ଧରି ଅଟକିଥିବା ବେଳେ ଜଳସେଚନର ସୁବିଧା ଲାଗି ମହାନଦୀରେ ବ୍ୟାରେଜ ନିର୍ମାଣ ଦାବିକୁ ମଧ୍ୟ ସରକାର ଗୁରତ୍ୱ ଦେଉନଥିବା ପରିତାପର ବିଷୟ ବୋଲି ନାଗରିକ ମଞ୍ଚ ତରଫରୁ ଅଭିଯୋଗ ହୋଇଛି । ଯେତେ ଅଭିଯୋଗ ହେଲେ ମଧ୍ୟ ଡାକ୍ତରଙ୍କ ପାଳି ଚିକିତ୍ସାସେବା ସରକାରୀ ଡାକ୍ତରଖାନାରେ ବନ୍ଦ ନହେବା ଏବେ ସାଧାରଣ ଲୋକଙ୍କ ପାଇଁ ଅନ୍ୟତମ ବିଡ଼ମ୍ବନା ବୋଲି ମଞ୍ଚ ଏନେଇ ଉଦବେଗ ପ୍ରକାଶ କରିଛି । ସେହିପରି ଅନ୍ୟ ଏକ ବଡ଼ ସମସ୍ୟା ହେଲା ପ୍ରଶାସନ ଏବଂ ସରକାରୀ ଆନ୍ତରିକତା ଅଭାବରୁ ମହାନଦୀ କୂଳ ଲୋକ ହୋଇ ମଧ୍ୟ ଅଞ୍ଚଳବାସୀ ଆଇନଗତ ପ୍ରତିବନ୍ଧକ ଏବଂ ବାଲିଘାଟ ନିଲାମ ନହେବା କାରଣରୁ ମହାନଦୀରୁ ବାଲି ମୁଠାଏ ଉଠାଇବାକୁ ସକ୍ଷମ ହେଉ ନାହାନ୍ତି । ଫଳ ସ୍ୱରୂପ ରାଜସ୍ୱ ଆଦାୟ ଲାଗି କେବଳ ବାଲିଗାଡ଼ି ଧରପଗଡ଼ କରାଯାଇ ଜରିମାନା ଆଦାୟ ହେବା ଏବଂ ଲୋକମାନେ ଏହି କାରଣରୁ ଚଢାଦରରେ ହଜାର ହଜାର ଟଙ୍କା ଦେଇ ବାଲି କିଣିବା ନେଇ ଜନଅସନ୍ତୋଷ ବଢିବାରେ ଲାଗିଛି । ଏଭଳି ବଡ଼ମ୍ବାର ଅନେକ ପ୍ରମୁଖ ସମସ୍ୟାକୁ ନେଇ ନାଗରିକ ମଞ୍ଚ ତରଫରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଆଗତ କରାଯାଇଥିଲା। ମଞ୍ଚର ସଭାପତି ଦାମୋଦର ରଣାଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ରାଜବିଶ୍ୱମ୍ଭର କ୍ଲବରେ ଅନୁଷ୍ଠିତ ଏହି ବୈଠକରେ ବଡ଼ମ୍ବାର ବିଭିନ୍ନପ୍ରାନ୍ତରୁ ଆସିଥିବା ମଞ୍ଚ ସଦସ୍ୟମାନେ ଯୋଗଦେଇଥିଲେ। ଅନୁଷ୍ଠିତ ବୈଠକରେ ବ୍ଲକରେ ବିକାଶମୂଳକ କାର୍ଯ୍ୟ ମନ୍ଥରଗତିରେ ଚାଲିଥିବା ନେଇ ବିଭିନ୍ନ ଦିଗରୁ ସରଗରମ ଆଲୋଚନା ହୋଇଥିଲା ଏବଂ ଏନେଇ ମଞ୍ଚ ତରଫରୁ ଏକ ପ୍ରେସ ଇସ୍ତାହାର ମଧ୍ୟ ପ୍ରକାଶପାଇଛି।
ଓଟିଏମ୍ ପୁନରୁଦ୍ଧାର ନେଇ ସରକାର ଚିନ୍ତାକରୁଥିବା ବେଳେ କାହିଁକି ବଡ଼ମ୍ବା ଚିନିକଳ ପୁନରୁଦ୍ଧାର ନହେବ ସେନେଇ ନାଗରିକ ମଞ୍ଚ ଆଗାମୀ ଦିନରେ ମୁଖ୍ୟମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିବବୋଲି ବୈଠକରେ ନିଷ୍ପତ୍ତି ହୋଇଥିବା ଜଣାଯାଇଛି । ସେହିଭଳି ମାଣିଆବନ୍ଧ ଏବଂ ବଡ଼ମ୍ବା ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରରେ ଅନେକ ଦିନହେବ ଶିଶୁ, ପ୍ରସୂତି ବିଶେଷଜ୍ଞ ଡାକ୍ତର ନଥିବା ଏବଂ ଏହି ଦୁଇ କେନ୍ଦ୍ରରେ ଥିବା ଚିକିତ୍ସକମାନେ ପାଳିକରି ନିଜର କର୍ତ୍ତବ୍ୟ ସମ୍ପାଦନ କରୁଥିବା ତଥା କେତକ ଡାକ୍ତର ଅର୍ଥ ଲୋଭରେ ଘରୋଇ ଚିକିତ୍ସାକୁ ପ୍ରାଧାନ୍ୟ ଦେଉଥିବାରୁ ଅଞ୍ଚଳର ସାଧାରଣ ଜନତା ଏଥିଲାଗି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା ମଞ୍ଚ ଅଭିଯୋଗ କରିଛି । ତୁରନ୍ତ ବାଲିଘାଟ ନିଲାମ ଦିଗରେ ଦୃଷ୍ଟି ଦେବା,ଏନଏସି ମାନ୍ୟତା ପ୍ରକାଶ କରିବା, ଚିନିକଳ ପୁନରୁଦ୍ଧାର ନେଇ ପଦକ୍ଷେପ ସହିତ ଆବଶ୍ୟକ ଡାକ୍ତର ନିଯୁକ୍ତି ଏବଂ ଉତ୍ତମ ଚିକିତ୍ସାସେବା ନିଶ୍ଚିତ କରିବାକୁ ଅନୁଷ୍ଠିତ ବୈଠକରେ ନାଗରିକ ମଞ୍ଚ ତରଫରୁ ଦାବି କରାଯାଇଛି । ସରକାର ତଥା ପ୍ରଶାସନ ଏସବୁ ପ୍ରମୁଖ ସମସ୍ୟାର ସମାଧାନ ତଥା ଦାବି ପୁରଣ ଦିଗରେ ଗୁରୁତ୍ୱ ନଦେଲେ ଆଗାମୀ ଦିନରେ ଜନଅସନ୍ତୋଷକୁ ନେଇ ଆନ୍ଦୋଳନାତ୍ମକ ପଦକ୍ଷେପ ନିଆଯିବବୋଲି ଅନୁଷ୍ଠିତ ବୈଠକରେ ସ୍ଥିର ହୋଇଛି। ଆୟୋଜିତ ବୈଠକରେ ଅନ୍ୟମାନଙ୍କ ମଧ୍ୟରେ ମନୋଜ କୁମାର ପଟ୍ଟନାୟକ, ସାମନ୍ତ ପ୍ରଦୀପ କିଶୋର ଦେବ, ଶିବନାରାୟଣ ମିଶ୍ର, ସଦାଶିବ ପଣ୍ଡା, ଗୋବିନ୍ଦଚନ୍ଦ୍ର ମହାପାତ୍ର, ପ୍ରଶନ୍ନ କୁମାର ଶତପଥୀ, ବାସୁଦେବ ବାରିକ, ଲିଙ୍ଗରାଜ ରଣା, ବୈଷ୍ଣବ ଜେନା, ଜଳଧର ରଣା, ଶ୍ରୀନିବାସ ରଣା, ଗଦାଧର ବିଶ୍ୱାଳ ପ୍ରମୁଖ ଯୋଗଦେଇ ମତ ବିନିମୟ କରିଥିଲେ।
Comments are closed.