ନକ୍ଆଉଟ୍ରୁ ଭାରତ ବାଦ୍ ; ମରୋକ୍କୋର ପ୍ରଥମ ବିଜୟ
ଭୁବନେଶ୍ବର : ୧୭ ବର୍ଷରୁ କମ୍ ଫିଫା ମହିଳା ଫୁଟବଲ ବିଶ୍ବକପ ପଦାର୍ପଣ କରିଥିବା ଭାରତୀୟ ମହିଳା ଫୁଟବଲ ଦଳ ଦକ୍ଷତା ଦେଖାଇବାରେ ବିଫଳ ହୋଇଛି। ଆୟୋଜକ ଭାବେ ଖେଳିବାର ସୁଯୋଗ ପାଇଥିବା ଭାରତୀୟ ମହିଳା ଦଳ ନୈରାଶ୍ୟଜନକ ପ୍ରଦର୍ଶନ ସହ ନକ୍ଆଉଟ୍ ଦୌଡ଼ରୁ ବାଦ୍ ପଡ଼ିଛି । କଳିଙ୍ଗ ଷ୍ଟାଡ଼ିୟମରେ ଶୁକ୍ରବାର ମ୍ୟାଚରେ ଭାରତ ୦-୩ ଗୋଲରେ ମରୋକ୍କୋ ନିକଟରୁ ପରାଜିତ ହୋଇଛି। ଅନ୍ୟପକ୍ଷରେ ମରୋକ୍କୋ ପ୍ରଥମ ବିଜୟ ସହ ନକ୍ଆଉଟ୍ ଆଶା ବଜାୟ ରଖିଛି।
ପ୍ରଥମ ମ୍ୟାଚରେ ୮-୦ରେ ପରାଜିତ ହୋଇଥିବା ଭାରତ ୨ୟ ମ୍ୟାଚରେ ତ୍ରୁଟି ସୁଧାରି ପ୍ରାରମ୍ଭରୁ ଭଲ ଖେଳିଥିଲା। ଅନ୍ୟପକ୍ଷରେ ବ୍ରାଜିଲକୁ ପ୍ରଥମ ମ୍ୟାଚରେ କଡ଼ା ଟକ୍କର ଦେଇଥିବା ମରୋକ୍କୋ ଘରୋଇ ଭାରତକୁ କୌଣସି ସୁଯୋଗ ଦେଇନଥିଲା। ୮ ମିନିଟ୍ରେ ଭାରତ ଗୋଲ ଦେବା ନେଇ ଏକ ସୁଯୋଗ ସୃଷ୍ଟି କରିଥିଲେ ମଧ୍ୟ ବିଫଳ ହୋଇଥିଲା। ୧୮ ମିନିଟରେ ଭାରତକୁ ଏକ କର୍ଣ୍ଣର ମିଳିଥିଲେ ମଧ୍ୟ ଦଳ ଗୋଲ ଦେବାରେ ବିଫଳ ହୋଇଥିଲା। ପ୍ରଥମାର୍ଦ୍ଧ ଖେଳ ଗୋଲଶୂନ୍ୟ ଭାବେ ଶେଷ ହୋଇଥିଲା। ଦ୍ୱିତୀୟାର୍ଦ୍ଧରେ ମରୋକ୍କୋ ଅଧିକ ଆକ୍ରମଣାତ୍ମକ ଖେଳ ଖେଳିଥିଲା। ୫୧ ମିନିଟ୍ରେ ମରୋକ୍କୋକୁ ଏକ କର୍ଣ୍ଣର ମିଳିଥିଲା। କର୍ଣ୍ଣର ସଟ୍ ଗୋଲପୋଷ୍ଟ ପାଖରେ ଭାରତୀୟ ଖେଳାଳି ନିକିତାଙ୍କ ହାତରେ ବାଜିଥିଲା। ହ୍ୟାଣ୍ଡବଲ ହେବାରୁ ମରୋକ୍କୋକୁ ଏକ ପେନାଲ୍ଯି ମିଳିଥିଲା। ଏହି ସୁଯୋଗକୁ ମରୋକ୍କୋହାତଛଡ଼ା କରିନଥିଲା। ଏହାକୁ ମରୋକ୍କୋର ମାଡାନି ଲି ଦୋଆ ଗୋଲ୍ରେ ପରିଣତ କରି ଦଳକୁ ୧-୦ରେ ଆଗୁଆ କରିଥିଲେ। ୬୨ ମିନିଟ୍ରେ ମରୋକ୍କୋ ପକ୍ଷରୁ ଜସ୍ମିନ ଜୁହିର ୨ୟ ଗୋଲ ଦେଇ ଦଳକୁ ୨-୦ରେ ଆଗୁଆ କରିଥିଲେ। ୯୧ ମିନିଟ୍ରେ ମରୋକ୍କୋ ପକ୍ଷରୁ ଡିଜେନା ଚେରିଫ ୩ୟ ଗୋଲ ଦେଇ ଦଳକୁ ୩-୦ରେ ବିଜୟୀ କରାଇଥିଲେ। ଭାରତ ୨ଟି ମ୍ୟାଚରୁ ୨ଟି ପରାଜୟ ବରଣ କରିଥିବାବେଳେ ସୋମବାର କଳିଙ୍ଗ ଷ୍ଟାଡିୟମରେ ଶେଷ ମ୍ୟାଚ ବ୍ରାଜିଲ ସହ ଖେଳିବ। ମରୋକ୍କୋ ୨ଟି ମ୍ୟାଚରୁ ଗୋଟିଏ ବିଜୟ ଓ ଗୋଟିଏ ପରାଜୟ ସହ ଦୁଇ ପଏଣ୍ଟ ପାଇଥିବା ବେଳେ ୧୭ରେ ଶେଷ ଲିଗ୍ ମ୍ୟାଚ ଗୋଆରେ ଆମେରିକା ସହ ଖେଳିବ।
Comments are closed.