ତହସିଲ କାର୍ଯ୍ୟାଳୟ ଘେରାଉ, ବିଶାଳ ଶୋଭାଯାତ୍ରା
ଗୋଚର ଜମି, ଜମି କିଣାବିକା ଓ ଫଣି ସହାୟତାରେ ଅନିୟମିତତା ଅଭିଯୋଗ
ଆଠଗଡ : ଆଠଗଡ ତହସିଲ ଅଧିନ କୁମାରପୁର ପଞ୍ଚାୟତରେ ଗୋଚର ଜମି ଜବରଦଖଲ, ଜମି କିଣାବିକାରେ ଓ ଫଣି ସହାୟତାରେ ଅନିୟମିତତା ଅଭିଯୋଗ କରି ଯୁବସଂଗଠକ ଅଭୟ କୁମାର ବାରିକଙ୍କ ନେତୃତ୍ୱରେ ଶହ ଶହ ଲୋକ ମଙ୍ଗଳବାର ଏକ ଶୋଭାଯାତ୍ରାରେ ଆସି ତହସିଲ କାର୍ଯ୍ୟାଳୟ ଘେରାଉ କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହିସବୁ ଅନିୟମିତତା ସଂପର୍କରେ ଗତ ସେପ୍ଟେମ୍ବର ମାସରେ ୩ଟି ପର୍ଯ୍ୟାୟରେ ତହସିଲଦାରଙ୍କୁ ସ୍ମାରକପତ୍ର ପ୍ରଦାନ ସହ କାର୍ଯ୍ୟାନୁଷ୍ଠାନ ଦାବି କରାଯାଇଥିଲା। ତେବେ କାର୍ଯ୍ୟାନୁଷ୍ଠାନରେ ବିଳମ୍ବ ଦେଖି ଅଭିଯୋଗକାରୀ ୧୧ତାରିଖରେ ତହସିଲ ଅଫିସ ଘେରାଉ କରିବେ ବୋଲି ପୂର୍ବରୁ ସୂଚନା ଦେଇଥିଲେ। ସେହି ଅନୁଯାୟୀ ଶ୍ରୀ ବାରିକଙ୍କ ନେତୃତ୍ୱରେ ଅଭିଯୋଗକାରୀ ଏବଂ ସେ ଅଞ୍ଚଳର ପ୍ରାୟ ଏକ ହଜାର ଲୋକ ରଥଗଡା ଠାରୁ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ତେବେ ଉପଜିଲ୍ଲାପାଳ ଓ ତହସିଲ କାର୍ଯ୍ୟାଳୟ ପରିସରରେ ୧୪୪ଧାରା ଜାରି କରାଯାଇ ମୁଖ୍ୟ ଫାଟକକୁ ବନ୍ଦ କରାଯାଇଥିବାରୁ ଫାଟକ ସମ୍ମୁଖରେ ଆନ୍ଦୋଳନକାରୀ ବିକ୍ଷୋଭ ପ୍ରଦର୍ଶନ କରିବା ସମୟରେ ପୁଲିସ ସହ ସାମାନ୍ୟ ଠେଲାପେଲା ହୋଇଥିଲା। ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶି ଓ ଥାନା ଆଇଆଇସି ବାମଦେବ ସ୍ୱାଇଁ ଆନ୍ଦୋଳନାକାରୀଙ୍କୁ ବୁଝାସୁଝା କରିବା ସହ ତହସିଲଦାର ପ୍ରିୟବ୍ରତ ଦାସ ଓ ତିଗିରିଆ ତହସିଲଦାର ପ୍ରମୋଦ କୁମାର ବାସ୍କେଙ୍କୁ ଆଲୋଚନା ପାଇଁ ଡାକିଥିଲେ।
ତହସିଲଦାର ଶ୍ରୀ ଦାସ ଆନ୍ଦୋଳନକାରୀ ଏବଂ ନେତୃତ୍ୱ ନେଉଥିବା ଯୁବସଂଗଠକ ଶ୍ରୀ ବାରିକଙ୍କ ସହ ଆଲୋଚନା କରିବା ବେଳେ ସୂଚନା ଅଧିକାର ଆଇନ ବଳରେ ଫଣି ସହାୟତା ସଂପର୍କୀତ ଦିଆଯାଇଥିବା ତଥ୍ୟରେ ସାମାନ୍ୟ ତ୍ରୁଟି ରହିଛି ବୋଲି ସ୍ୱୀକାର କରିଥିଲେ । ଚୂଡାନ୍ତ ଆକଳନ ଓ ଜମାଖାତାରେ ଅର୍ଥରାଶି ଜମା ରିପୋର୍ଟ ଦେବା ବଦଳରେ ପ୍ରାଥମିକ ଆକଳନ ରିପୋର୍ଟ ଦିଆଯାଇଥିବାରୁ ଏଭଳି ଦ୍ୱନ୍ଦ ଉପୁଜିଥିବା ତହସିଲଦାର ଶ୍ରୀ ଦାସ ପ୍ରକାଶ କରିଥିଲେ। ଆବେଦନକାରୀ ଫଣି କ୍ଷତିଗ୍ରସ୍ତଙ୍କ ମଧ୍ୟରୁ ଯେଉଁ ୩ଜଣଙ୍କ ଜମାଖାତାକୁ ସହାୟତା ରାଶି ଯାଇନାହିଁ ସେମାନେ ସଠିକ୍ ଜମାଖାତା ନଂ ଦେବା ପରେ ଆସନ୍ତା ମାସକ ମଧ୍ୟରେ ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ସହାୟତା ରାଶି ପଠାଇ ଦିଆଯିବ ବୋଲି ତହସିଲଦାର ଶ୍ରୀ ଦାସ ପ୍ରତିଶୃତି ଦେଇଥିଲେ । ୩୮ଏକର ଗୋଚର ଜମିକୁ ବଳିପୁର ଗ୍ରାମବାସୀ ଜବରଦଖଲ କରି ସାମୁହିକ ଯାନିଯାତ୍ରାର ଖର୍ଚ୍ଚ ଉଠାଇବା ପାଇଁ କାଜୁଗଛ ଲଗାଇଥିବା ଏବଂ ତା ମଧ୍ୟରେ ୨ଟି ପୋଖରୀ ଓ ଏକ କୋଠାଘର ରହିଥିବା ତହସିଲଦାର ତଦନ୍ତରୁ ଜାଣିପାରିଥିବା ସ୍ୱୀକାର କରିଥିଲେ । ଯୁବସଂଗଠକ ଶ୍ରୀ ବାରିକ ୩୮ଏକର ଜାଗାରୁ ସଂପୂର୍ଣ୍ଣ ଜବରଦଖଲ ଉଚ୍ଛେଦ ପାଇଁ ଦାବି କରିବା ପରେ ତହସିଲାଦର ସେଠାରୁ ଖୁବ୍ଶୀଘ୍ର ନିୟମାନୁଯାୟୀ ଜବରଦଖଲ ଉଚ୍ଛେଦ କରାଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ସେହିପରି ହିନ୍ଦ ମେଟାଲିକ ଜମି କିଣା ମାମଲାରେ ୨୦୦୫ ମସିହାରେ କରାଯାଇଥିବା ଦଲିଲ୍ ସବୁ ଠିକ୍ ଅଛି ବୋଲି ତହସିଲଦାର କହିବା ସହ ଏହି ସଂପର୍କରେ ଯାହା ଅଭିଯୋଗ ଅଛି ତାହା ଅଦାଲତରେ ମାମଲା ଜରିଆରେ ସମାଧାନ ହୋଇପାରିବ ବୋଲି ମତବ୍ୟକ୍ତ କରିଥିଲେ। ଏହି ବିକ୍ଷୋଭ ଓ ଘେରାଉ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି କୌଣସି ଅପ୍ରିତିକର ପରିସ୍ଥିତି ଯେପରି ସୃଷ୍ଟି ନହୁଏ ସେଥିପାଇଁ ବହୁ ପୁଲିସ ଅଧିକାରୀଙ୍କ ସମେତ ଏକ ପ୍ଲାଟୁନ ଫୋର୍ସ ସେଠାରେ ମୁତୟନ କରାଯାଇଥିଲା। ଆନ୍ଦୋଳନକାରୀମାନେ ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜନ ଆଚାର୍ଯ୍ୟ ଓ କୃଷିମନ୍ତ୍ରୀଙ୍କ ଭଣଜା ଆନନ୍ଦ ଜେନାଙ୍କର କୁଶପୁତ୍ତଳିକା ରଥଗଡାଠାରେ ଦାହ କରିଥିଲେ। ଅଭୟ କୁମାର ବାରିକ, ପ୍ରଶାନ୍ତ କୁମାର ସାହୁ, ସରୋଜ ଦାସ, ଲୁଲୁ ଦାସ, ଆଇନଜୀବୀ ଜ୍ଞାନରଞ୍ଜନ ମହାପାତ୍ର, ପୂର୍ବତନ ସରପଞ୍ଚ ସୁନିଲ ସୁତାରଙ୍କ ନେତୃତ୍ୱରେ ଅଭିଯୋଗକାରୀଙ୍କ ମଧ୍ୟରୁ ହେମନ୍ତ ନାୟକ, କବି ଭୋଇ, ପ୍ରତାପ ଦାସ, ମାନୁଆଲ ପାତ୍ର, ଦେବରାଜ ସାହୁ, ଦିଲ୍ଲୀପ ସାହୁ ପ୍ରମୁଖ ଆନ୍ଦୋଳନର ନେତୃତ୍ୱ ନେବା ସହ ତହସିଲଦାରଙ୍କ ସହିତ ଆଲୋଚନା କରିଥିଲେ।
Comments are closed.