ଜାପୋରିଜିଆରେ ବିମାନ ଆକ୍ରମଣ ; ୧୭ ମୃତ
କ୍ରିମିଆ ସେତୁର ସୁରକ୍ଷା ବଢ଼ାଇଲା ରୁଷ୍
କିଭ୍/ମସ୍କୋ : ୟୁକ୍ରେନର ଜାପୋରିଜିଆରେ ରୁଷ୍ ସେନା ବିମାନ ଆକ୍ରମଣ କରିଛି। ଏହି ଆକ୍ରମଣରେ ୧୭ଜଣଙ୍କର ମୃତ୍ୟୁ ହୋଇଛି। ରବିବାର ୟୁକ୍ରେନ ଅଧିକାରୀଙ୍କ କହିବା ଅନୁଯାୟୀ ରୁଷ୍ ସେନା ଶନିବାର ସାରା ରାତି ଜାପୋରିଜିଆରେ ରକେଟ୍ ମାଡ କରିଥିଲା। ଏଥିରେ ୫ଟି ଆବାସିକ ଘର ଓ ୪୦ଟି ଘର ନଷ୍ଟ ହୋଇଛି। ଶନିବାର କ୍ରିମିଆ ସେତୁକୁ ୟୁକ୍ରେନ ସେନା ବିସ୍ଫୋରଣରେ ନଷ୍ଟ କରିଦେବା ପରେ ଏହି ଆକ୍ରମଣ କରିଥିଲା। ୟୁକ୍ରେନ ବିରୋଧୀ ଯୁଦ୍ଧରେ ରୁଷ୍ ଦିନକୁ ଦିନ ଅଧିକ କ୍ଷତିର ସମ୍ମୁଖୀନ ହେବାରେ ଲାଗିଛି। ରୁଷ୍ କବଳରୁ ୟୁକ୍ରେନ ଏହାର ଅଞ୍ଚଳକୁ ମୁକ୍ତ କରିବାରେ ସଫଳ ହେଉଥିବାବେଳେ ଯୁଦ୍ଧରେ ରୁଷ୍ ଗୋଟିଏ ପରେ ଗୋଟିଏ ଧକ୍କା ଲାଗି ଚାଲିଛି। ରବିବାର ୟୁକ୍ରେନ କହିଛି ଯେ ଏହା ଦକ୍ଷିଣ ଖେରସୋନର ୧୧୭୦ ବର୍ଗ କିମି ଅଞ୍ଚଳ ରୁଷ୍ ସେନା କବଳରୁ ମୁକ୍ତ କରିଛି। ଗତ ଅଗଷ୍ଟରେ ରୁଷ୍ ସେନା ଏହି ଅଞ୍ଚଳକୁ ଦଖଲ କରିଥିଲା। ରୁଷ୍ ସେନା ବିରୋଧରେ ୟୁକ୍ରେନ ସଫଳତା ହାସଲ କରିବାରେ ଲାଗିଛି। କ୍ରିମିଆ ସେତୁ ନଷ୍ଟ ହୋଇଯିବା ପରେ ରୁଷ୍ରେ ଯୋଗାଣ ବ୍ୟବସ୍ଥା ପ୍ରଭାବିତ ହୋଇଛି। କାରଣ ରୁଷ୍ର ମୂଳ ଭୂଖଣ୍ଡ ସହିତ କ୍ରିମିଆ ଉପଦ୍ବୀପକୁ ସଡକ ପଥରେ ସଂଯୋଗର ମୁଖ୍ୟ ମାର୍ଗ ହେଉଛି କ୍ରିମିଆ ସେତୁ। ଏହା ସହିତ କ୍ରିମିଆରେ ଥିବା ରୁଷ୍ ସେନାକୁ ସାମରିକ ଯୋଗାଣ ବ୍ୟବସ୍ଥା ବାଧାପ୍ରାପ୍ତ ହୋଇଛି। କ୍ରିମିଆ ସେତୁରେ ବିସ୍ଫୋରଣ ପରେ ଏହାର ସୁରକ୍ଷା ବ୍ୟବସ୍ଥା ବଢାଇବା ଲାଗି ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ନିର୍ଦେଶ ଦେଇଛନ୍ତି। ୨୦୧୮ରେ କ୍ରିମିଆକୁ ସଡକ ପଥରେ ସଂଯୋଗ ପାଇଁ ଏହି ସେତୁ ନିର୍ମାଣ କରାଯାଇଥିଲା।
Comments are closed.