ବଲାଙ୍ଗିର ଶିଶୁ ଉଦ୍ୟାନରେ ଅବ୍ୟବସ୍ଥା
ଲାଗିଲା ୨୦ଟି ସିସିଟିଭି
ବଲାଙ୍ଗିର:ବଲାଙ୍ଗିର ଜିଲାପାଳଙ୍କ ଆବାସିକ କାର୍ଯ୍ୟାଳୟ ସମ୍ମୁଖରେ ବିଜୁ ପଟ୍ଟନାୟକ ଶିଶୁ ଉଦ୍ୟାନ ଓ ଜଗର୍ସ ପାର୍କ ରହିଛି । କିଛି ମାସ ତଳେ ଅସାମାଜିକ ତତ୍ତ୍ୱମାନେ ଜଗର୍ସ ପାର୍କରେ ପଶି ଭଙ୍ଗାରୁଜା କରିବା ସହ ସାମଗ୍ରୀ ଚୋରି କରୁଥିଲେ । ସହରାଞ୍ଚଳ ଥାନାରେ ଏନେଇ ପୌରାପାଳିକା ପକ୍ଷରୁ ଅଭିଯୋଗ କରାଯାଇଥିଲା । ଖୁବଶୀଘ୍ର ସିସିଟିଭି ଲଗାଇବା ପାଇଁ ପ୍ରତିଶ୍ରୁତି ମିଳିଥିଲା । ପ୍ରଥମ ପର୍ଯ୍ୟାୟରେ ଜଗର୍ସା ପାର୍କ ସହ ଶିଶୁ ଉଦ୍ୟାନରେ ୨୦ଟି ସିସିଟିଭି ଖଞ୍ଜା ଯାଇଥିବା ଜଣାପଡିଛି । ପରବର୍ତ୍ତୀ ସମୟରେ ଅଧିକ ସିସି ଟିଭି ଲଗାଯିବ ବୋଲି ସୂଚନା ମିଳିଛି । ତେବେ ଶିଶୁ ଉଦ୍ୟାନରେ ଶିଶୁମାନଙ୍କୁ ଆମୋଦ ପ୍ରମୋଦ ପାଇଁ ଝୁଲଣା, ସ୍ଲାଇଡିଂ ଓ ଅନ୍ୟାନ୍ୟ ଖେଳ ଉପକରଣ ନଷ୍ଟ ହୋଇଯାଇଥିବାରୁ ଏହାର ପୁନରୁଦ୍ଧାର କରାଯାଇଥିଲା । ନୂଆ ଖେଳ ସାମଗ୍ରୀ ଲଗାଯାଇଥିଲା । କିନ୍ତୁ ଉପଯୁକ୍ତ ରକ୍ଷଣାବେକ୍ଷଣ ଅଭାବରୁ ଶିଶୁ ଉଦ୍ୟାନର ଗୋଟିଏ ଝୁଲଣା ଠିକ୍ ଥିବା ବେଳେ ଅନ୍ୟ ଦୁଇଟି ଖରାପ ହୋଇଯାଇଛି । ସେହିପରି ପାହାଚ(ସିଡି) ଚଢି ତଳକୁ ଖସଡୁଥିବା(ସ୍ଲାଇଡିଂ)ମଧ୍ୟରେ ସଂଯୋଗ ନଥିବା ଯୋଗୁଁ ଏହା କେତେବେଳେ ବିପଦ ଆଣିପାରେ ବୋଲି ଅଭିଭାବକମାନେ ଅଭିଯୋଗ କରିଛନ୍ତି । ତେଣୁ ଏଥିପ୍ରତି ପୌର କର୍ତୃପକ୍ଷ ଦୃଷ୍ଟି ଦେବାକୁ ଦାବି ହେଉଛି ।
Comments are closed.