ପରିବା ଦର ଆକାଶଛୁଆଁ
ଭୁବନେଶ୍ବର: ପରିବା ଦର ଆକାଶଛୁଆଁ ହୋଇଛି। ହାଣ୍ଡିଶାଳ ଉପରେ ଚଢାଦରର ପ୍ରଭାବ ପଡିଛି। ପୁଣି ଆଗକୁ କାର୍ତ୍ତିକ ମାସ ଆସୁଥିବାରୁ ପରିବା ଦର ଆହୁରି ବଢିବା ସମ୍ଭାବନା ରହିଛି । ରାଜ୍ୟରେ ଉତ୍ପାଦିତ ହେଉଥିବା ଅଧିକାଂଶ ପନିପରିବା ଏଥର ବନ୍ୟାରେ ନଷ୍ଟ ହୋଇଯାଇଥିବା ବେଳେ ବାହାର ରାଜ୍ୟରୁ ଆମଦାନୀ କରିବାକୁ ପଡୁଥିବାରୁ ଦର ଉଚ୍ଚା ରହୁଛି।
ଶନିବାର ସନ୍ଧ୍ୟାରେ ୟୁନିଟ-୧ ହାଟରେ ଆଳୁ କିଲୋଗ୍ରାମ ୨୦ଟଙ୍କା ଥିବାବେଳେ ବାଇଗଣ ୩୦ ଟଙ୍କା ରହିଛି। ଟମାଟୋ କିଲୋ ୩୫ ଟଙ୍କା, କଲକାତା ପୋଟଳ କିଲୋ ୩୦ ଟଙ୍କା ଏବଂ କାଙ୍କଡ଼ କିଲୋ ୫୦ ଟଙ୍କା ରହିଛି। ଗତ ୧୦ଦିନ ତଳେ ଯେଉଁ ପରିବା ଦର ୨୦ରୁ ୩୦ଟଙ୍କା ରହିଥିଲା, ସେହି ପରିବା କିଲୋଗ୍ରାମ ଉପରେ ୧୦ରୁ ୧୫ ଟଙ୍କା ବଢିଛି। ହେଲେ ଗଳିକନ୍ଦିରେ ପରିବା ବିକ୍ରୟ କରୁଥିବା ବ୍ୟବସାୟୀ ଆଳୁ କିଲୋ ୩୦ ଟଙ୍କା, ବାଇଗଣ ୭୦ ଟଙ୍କା, ଟମାଟୋ ୭୦ ଟଙ୍କା, କାଙ୍କଡ଼ ୫୦ ଟଙ୍କା ଏବଂ ପୋଟଳ ୫୦ ଟଙ୍କାରେ ବିକ୍ରୟ କରୁଛନ୍ତି। ସୁମନ ସାହୁଙ୍କ କହିବାନୁଯାୟୀ, ବଜାରରେ ପରିବା ଦର ଅଧିକ ରହିବା ଯୋଗୁଁ ସାଧାରଣ ଲୋକଙ୍କ ପକେଟକୁ ବାଧୁଛି। ୟୁନିଟ -୧ ହାଟ ଅପେକ୍ଷା ଦୁଇଗୁଣା ଅଧିକ ଦରରେ ଛୋଟ ବ୍ୟବସାୟୀ ପରିବା ବିକୁଛନ୍ତି। ଦର ନିୟନ୍ତ୍ରଣ ଉପରେ ଯୋଗାଣ ବିଭାଗ ପକ୍ଷରୁ କୌଣସି ପ୍ରକାର ପଦକ୍ଷେପ ଗ୍ରହଣ କରାଯାଉ ନ ଥିବାରୁ ଛୋଟ ହାଟ ଏବଂ ଗଳିକନ୍ଦିରେ ପରିବା ବ୍ୟବସାୟୀ ମନଇଚ୍ଛା ଅଧିକ ଟଙ୍କାରେ ପରିବା ବିକ୍ରୟ କରୁଛନ୍ତି।
ୟୁନିଟ-୧ ପରିବା ମାର୍କେଟ ସଂଘ ସାଧାରଣ ସମ୍ପାଦକ କବିରାଜ ସ୍ବାଇଁ କହିଛନ୍ତି, ବନ୍ୟାରେ ପନିପରିବା ଫସଲ ନଷ୍ଟ ହୋଇଯିବା ଯୋଗୁଁ ରାଜ୍ୟ ଭିତରୁ କିଛି ପରିବା ଆସୁନାହିଁ। ବାହାର ରାଜ୍ୟରୁ ସବୁ ପରିବା ଆମଦାନୀ କରିବାକୁ ପଡୁଛି। ବନ୍ଧାକୋବି ବେଙ୍ଗାଲୁରୁ ଆମଦାନୀ କରିବାକୁ ପଡୁଛି, ସେଠାରେ ବନ୍ଧାକୋବି କିଲୋ ୩୦ ଟଙ୍କାରେ କିଣିବାକୁ ପଡୁଛି। ଗାଡି ଖର୍ଚ୍ଚ ମିଶାଇଲେ କିଲୋ ପିଛା ୫ଟଙ୍କା ପଡୁଛି। ତେଣୁ ଓଡ଼ିଶା ବଜାରରେ ବନ୍ଧାକୋବି ୪୦ ରୁ ୫୦ ଟଙ୍କାରେ ବିକ୍ରୟ କରାଯାଉଛି। ଅନ୍ୟାନ୍ୟ ପରିବା ଦର ମଧ୍ୟ ବଢିଛି। ଛୋଟ ବ୍ୟବସାୟୀ ୫ରୁ ୧୦କିଲୋ ପରିବା ନେଇ ସ୍ଥାନୀୟ ଅଞ୍ଚଳରେ ବିକ୍ରୟ କରୁଛନ୍ତି। ତେଣୁ ଦୁଇଗୁଣା ଅଧିକ ଦରରେ ବିକ୍ରୟ କରୁଛନ୍ତି। ମୁଖ୍ୟତଃ ପିପିଲି, ବାଙ୍କି ଆଦି ଅଞ୍ଚଳରୁ କିଛି ପରିବା ମାର୍କେଟକୁ ଆସିଥାଏ। ଏହି ଅଞ୍ଚଳ ଗୁଡିକ ବନ୍ୟାରେ ପ୍ରଭାବିତ ହୋଇଛି। ୭୦ % ପରିବା ବାହାର ରାଜ୍ୟରୁ ଆମଦାନୀ କରାଯାଉଛି। ଗତ ୧୫ଦିନ ହେଲା ଦର ବଢିବା ଆରମ୍ଭ କଲାଣି।
Comments are closed.