ବୌଦ୍ଧରେ ମା’ ଦୁର୍ଗାଙ୍କ ନବରାତ୍ର ପୂଜା ଆରମ୍ଭ
ବୌଦ୍ଧ: ଆରମ୍ଭ ହୋଇଛି ଜଗତଜନନୀ ମା’ ଦୁର୍ଗାଙ୍କ ପୂଜା । ବୌଦ୍ଧ ସହରର ମାଳୀସାହି ସ୍ଥିତ ଦୁର୍ଗାମଣ୍ଡପ ଠାରେ ମା’ ଦୁର୍ଗାଙ୍କର ନବରାତ୍ର ପୂଜା ସୋମବାର ଠାରୁ ଆରମ୍ଭ ହୋଇଛି । ସ୍ଥାନୀୟ ରାମନାଥ ଯୁବ ସଂସଦ ଆନୁକୁଲ୍ୟରେ ଆରମ୍ଭ ହୋଇଥିବା ଏହି ନବରାତ୍ର ପୂଜାରେ ମା’ ଦୁର୍ଗାଙ୍କର ଷୋଡଶ ଉପଚାର ପୂଜା ସହ ପ୍ରତ୍ୟହ ଚଣ୍ଡି ପାଠ କରାଯିବ । ପ୍ରତିଦିନ ମା’ ଦୁର୍ଗାଙ୍କ ଭିନ୍ନ ଭିନ୍ନ ବେଶରେ ପୂଜା ହେବା ସହ ସ୍ୱତନ୍ତ୍ର ପୂଜା ଆରମ୍ଭ ହୋଇଛି । ବୌଦ୍ଧ ଗଡଜାତ ସମୟରୁ ରାଜବାଟୀ ଠାରେ ମା’ ଦୁର୍ଗାଙ୍କୁ ମାଳୀ ପୂଜକ ମାନେ ନବରାତ୍ର ପୂଜା କରୁଥିଲେ ।
ରାଜୁଡା ଶାସନ ପରେ ରାଜବାଟୀ ଠାରେ ହେଉଥିବା ମା’ଙ୍କ ପୂଜା ବନ୍ଦ ହୋଇଯିବା ପରେ ପୂଜକ ମାନେ ମା’ଙ୍କ ଚଳନ୍ତି ପ୍ରତିମାକୁ ରାମେଶ୍ୱର ମନ୍ଦିରରେ ସ୍ଥାପନ କରି ଦୀର୍ଘ ବର୍ଷ ହେଲା ନବରାତ୍ର ପୂଜା ହୋଇଆସୁଛି । ଦଶମୀ ପର୍ଯ୍ୟନ୍ତ ପ୍ରତ୍ୟହଦିନ ମା’ଙ୍କର ଚଳନ୍ତି ପ୍ରତିମା ନଗର ପରିକ୍ରମାରେ ଯାଇଥାନ୍ତି । ଦଶହରା ଦିନ ସହରର ବିଭିନ୍ନ ସାହିରେ ପୂଜା ପାଇଆସୁଥିବା ଦୁର୍ଗାମଣ୍ଡପ ଗୁଡିକରେ ଭେଟ ହୋଇଥାନ୍ତି । ମା’ଙ୍କ ଆବାହନ ପୂର୍ବରୁ ବିଲ୍ୱ ବରଣ କରାଯାଇ ଅଷ୍ଟକୋଟି ଦେବାଦେବୀଙ୍କୁ ଆବାହନ ପରେ ଘଟସ୍ଥାପନ କରାଯାଇଥିଲା । ଘଟସ୍ଥାପନ, ନବ ପତ୍ରିକା ପ୍ରବେଶ ଓ ଚକ୍ଷୁଦାନ ପରେ ମା’ଙ୍କ ଆବାହନ କରାଯାଇ ସପ୍ତସତୀ ଚଣ୍ଡୀ ପାଠ ସହିତ ହୋମ କରାଯାଇଥିଲା ।
ବୌଦ୍ଧରେ ଏହି ମଣ୍ଡପରେ ମା’ଙ୍କ ଆବାହନ ହେଲା ପରେ ସହରରେ ଆଧ୍ୟାତ୍ମିକ ପରିବେଶ ସୃଷ୍ଟି ହୋଇଥାଏ । ଏହି ପୀଠରେ ମହାଷ୍ଟମୀ ଦିନ ନିଶାରାତ୍ରରେ ବଳିପ୍ରଥା କରାଯାଇଥାଏ । ପୂଜକ ଭାବରେ ପଦ୍ମଚରଣ ମିଶ୍ର, ସଞ୍ଚୟ ଶଙ୍କର ପୁରୋହିତ ଓ କର୍ତ୍ତା ଭାବରେ ସୂର୍ଯ୍ୟନ୍ଦ୍ରେ କୁମାର ଶତପଥୀ ଦାୟିତ୍ୱ ତୁଲାଇ ଥିବା ବେଳେ ରାମନାଥ ଯୁବ ସଂସଦ ସଭାପତି ଶ୍ୟାମସୁନ୍ଦର ବାରିକ, ସଂପାଦକ ସୁଦର୍ଶନ ନାୟକ, ସୁଶୀଲ ପ୍ରଧାନ, ହୋକେଶ ନାଏକ, ପୁରୁଷୋତ୍ତ ମହାକୁଡ, ଅଶ୍ୱିନ ବାରିକ, ପ୍ରତାପ କୁମାର ସାହୁ , ହେମନ୍ତ ନାୟକ ପ୍ରମୁଖ ଅନୁଷ୍ଠାନର ସମସ୍ତ ସଦସ୍ୟ ଓ କର୍ମକର୍ତ୍ତା ପରିଚାଳନାରେ ସହଯୋଗ କରୁଛନ୍ତି ।
Comments are closed.