ଲଇଡା ସମଲେଶ୍ୱରୀ ପୀଠରେ ନିଶା ପୂଜା
ରେଙ୍ଗାଲି: ସମ୍ବଲପୁର ଜିଲାର ଲଇଡା ଠାରେ ପ୍ରତିଷ୍ଠିତ ଅଞ୍ଚଳର ଅାରାଧ୍ୟ ଏବଂ ଇଷ୍ଟଦେବୀ ସମଲେଶ୍ୱରୀଙ୍କ ପୀଠରେ ଗତ ୨୪ ତାରିଖ ଶନିବାର ରାତିରେ ଦେବୀ ସମଲେଶ୍ୱରୀଙ୍କ ନିଶା ପୂଜା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ଦେବୀ ସମଲେଶ୍ୱରୀଙ୍କୁ ସୁସଜ୍ଜିତ କରାଯାଇଥିଲା। ଶାକ୍ତ ବିଧି ପରମ୍ପରା ଅନୁସାରେ ଦେବୀଙ୍କୁ ପ୍ରାର୍ଥନା,ବନ୍ଦନା ଏବଂ ହୋମ କାର୍ଯ୍ୟ ସମ୍ପନ୍ନ କରାଯାଇଥିଲା। ଲଇଡା ଜମିଦାର ପୃଥ୍ୱୀରାଜ ସିଂହ କର୍ତ୍ତା ଦାୟିତ୍ୱ ନିର୍ବାହ କରିଥିବା ବେଳେ କ୍ଷିରୋଦ ପୂଜାରୀ ମୁଖ୍ୟ ପୂଜକ ଦାୟିତ୍ୱ ତୁଲାଇ ଥିଲେ। ରାଧେଶ୍ୟାମ ପଣ୍ଡା,କିଶୋର ପୁଜାରୀ, ଯୁଗଳ କିଶୋର ମିଶ୍ର ଏବଂ ମହେନ୍ଦ୍ର ତିଓାରୀ ପୁଜା ଏବଂ ହୋମ କାର୍ଯ୍ୟ ରେ ମୁଖ୍ୟ ପୂଜକ ଙ୍କୁ ସହଯୋଗ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ମନ୍ଦିର ପରିଚାଳନା ର ସ୍ଥାୟୀ କମିଟୀ ଏବଂ ବଳିଯାତ୍ରା ପୂଜା କମିଟିର କର୍ମକର୍ତ୍ତା ତଥା ସଭ୍ୟମାନେ ଉପସ୍ଥିତ ଥିଲେ।
ସୂଚିତ ଯେ ୧୭୭୦ ମସିହାରୁ ଆରାଧ୍ୟ ଦେବୀ ସମଲେଶ୍ୱରୀଙ୍କ ପ୍ରସିଦ୍ଧ ବଳିଯାତ୍ରା ଉପଲକ୍ଷେ ପ୍ରତିବର୍ଷ ଆଶ୍ୱିନ ମାସ କୃଷ୍ଣ ପକ୍ଷ ପ୍ରତିପଦା ତିଥିରୁ ୯ଦିନ ପର୍ଯ୍ୟନ୍ତ ଅଖଣ୍ଡ ଦୀପ ପ୍ରଜ୍ୱଳନ କରାଯାଇଥାଏ। ସପ୍ତମୀ ପୁଅ ଜିଉଁନ୍ତିଆ ଦିନ ପାଟଖଣ୍ଡା ସ୍ଥାପନ ହୁଏ। ଅଷ୍ଟମୀ ତିଥିରେ ଖଣ୍ଡା ଧୁଆ ଏବଂ ଷୋହଳ ଖଣ୍ଡା ସ୍ଥାପନ କରାଯାଇଥାଏ। ଅମାବାସ୍ୟା ଦିନ ସମଲେଶ୍ୱରୀ ଦେବୀଙ୍କ ମହାଳୟା ପୂଜା ଏବଂ ଦେବୀ ଙ୍କ ଆଦ୍ୟ ଆବିର୍ଭାବ ପୀଠ ଗୁଚ୍ଛାପାଲି ନିକଟ ଦେଇ ପ୍ରବାହିତ ଭେଡନ ନଦୀ ର ସମଲେଇ ଦରହରୁ ବରୁଆ ଉଠାଇଯାଇ ଗ୍ରାମ୍ୟ ପରିକ୍ରମା କରାଯାଇଥାଏ। ଏହାକୁ ଉଆାଁସ ବଳିଯାତ୍ରା ବୋଲି ଅଭିହିତ କରାଯାଇଛି। ବିଜୟା ଦଶମୀ ଦିନ ଅଖଣ୍ଡ ଦୀପ ବିସର୍ଜନ ଏବଂ ଜମିଦାର ଏବଂ ତାଙ୍କ ଅନୁଗତମାେନ ଖଣ୍ଡା ଆଦି ଅସ୍ତ୍ରଶସ୍ତ୍ର ଧରି ରଣଜିତାରେ ବାହାରି ଯୁଦ୍ଧ କୌଶଳ ଯୁକ୍ତ ଆଖଡା ପ୍ରଦର୍ଶନ କରିଥାନ୍ତି। ଶୁକ୍ଳ ଚତୁର୍ଦ୍ଦଶୀ ରାତିରେ ଲଇଡା ରେ ସମଲେଶ୍ୱରୀ ଦେବୀଙ୍କ ପ୍ରସିଦ୍ଧ ବଳିଯାତ୍ରା ପାରମ୍ପରିକ ରୀତିନୀତିରେ ଅନୁଷ୍ଠିତ ହୋଇ ପୂର୍ଣ୍ଣମୀ ଦିନ ସମାପ୍ତି ହୋଇଥାଏ।
ଆଜି ପବିତ୍ର ମହାଳୟା ଅବସରରେ ରେଙ୍ଗାଲି ସ୍ଥିତ ଦୁର୍ଗା ମନ୍ଦିରର ଆରାଧ୍ୟ ଦେବୀ ଦୁର୍ଗା ଏବଂ ରମ୍ପେଲା କେମ୍ପ ଠାରେ ଥିବା ସମଲେଶ୍ୱରୀ ମନ୍ଦିରର ଇଷ୍ଟଦେବୀ ସମଲେଶ୍ୱରୀ ଧବଳମୁଖୀ ବେଶରେ ଶ୍ରଦ୍ଧାଳୁଙ୍କୁ ଦର୍ଶନ ଦେଇଥିଲେ।
Comments are closed.