ଚିନ୍ତା ବଢ଼ାଇଲାଣି କର୍କଟ ଚିକିତ୍ସା
ଆଚାର୍ଯ୍ୟ ହରିହରଠୁ ଜିଲା ମୁଖ୍ୟାଳୟ ସବୁଠି ସମସ୍ୟା
ଭିଡ଼ ଅସମ୍ଭାଳ, ରୋଗୀ ତୁଳନାରେ ନାହାନ୍ତି ଡାକ୍ତର, ମନ୍ତ୍ରୀଙ୍କ ଉଦ୍ବେଗ, ରୋଡ଼ମ୍ୟାପ୍ ପ୍ରସ୍ତୁତି ନିର୍ଦେଶ
ଭୁବନେଶ୍ୱର : କଟକସ୍ଥିତ ଆଚାର୍ଯ୍ୟ ହରିହର ସ୍ନାତକୋତ୍ତର କର୍କଟ ପ୍ରତିଷ୍ଠାନ(ଏଏଚପିଜିଆଇସି)ର ଅଙ୍କୋ ସର୍ଜରୀ ଏବଂ ରେଡିଏସନ ବିଭାଗରେ ଥିବା ଆନ୍ତଃ ଓ ବହିର୍ବିଭାଗରେ ଚିକିତ୍ସା ପାଇଁ ଦିନକୁ ଦିନ କର୍କଟ ଆକ୍ରାନ୍ତଙ୍କ ଭିଡ଼ ବଢ଼ିବାରେ ଲାଗିଛି। ଅଧିକାଂଶ ସମୟରେ ରୋଗ ଚିହ୍ନଟ କ୍ଷେତ୍ରରେ ଅହେତୁକ ବିଳମ୍ବ ଘଟୁଛି। ରୋଗ ବ୍ୟାପିବା ଆଶଙ୍କାରେ ତୁରନ୍ତ ଚିକିତ୍ସା ନିମନ୍ତେ ରୋଗୀଙ୍କୁ ଘରୋଇ ଚିକିତ୍ସାଳୟ ମୁହାଁଇବାକୁ ପଡୁଛି। ରୋଗୀ ସଂଖ୍ୟା ତୁଳନାରେ ଅଙ୍କୋ ସର୍ଜରୀ ଓ ରେଡିଓଥେରାପି ବିଭାଗରେ ମଞ୍ଜୁରିପ୍ରାପ୍ତ ପ୍ରଫେସର, ଆସୋସିଏଟ ପ୍ରଫେସର ଏବଂ ସହକାରୀ ପ୍ରଫେସର ସମେତ ଅନ୍ୟାନ୍ୟ ବୈଷୟିକ କର୍ମଚାରୀ ଯଥେଷ୍ଟ ସଂଖ୍ୟାରେ ନଥିବାରୁ ଗୁରୁତର ସମସ୍ୟା ଦେଖାଦେଉଛି। ଏହାକୁ ନେଇ ଖୋଦ୍ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଉଦ୍ବେଗ ପ୍ରକାଶ ସହିତ ଏହାର ପ୍ରତିକାର ଦିଗରେ ପଦକ୍ଷେପ ନେବାକୁ ନିକଟରେ ବିଭାଗୀୟ ପ୍ରମୁଖ ସଚିବଙ୍କୁ ନିର୍ଦେଶ ଦେଇଛନ୍ତି। ମନ୍ତ୍ରୀ ଏ ସଂକ୍ରାନ୍ତରେ ଲେଖିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ଯେ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ରୋଗୀ ଚିକିତ୍ସା କ୍ଷେତ୍ରରେ ଦେଖାଦେଇଥିବା ସମସ୍ୟା ସମ୍ପର୍କରେ ସୋସିଆଲ ମିଡ଼ିଆ ଏବଂ ଗଣମାଧ୍ୟମରେ ବାହାରୁଥିବା ଅନେକ ଅଭିଯୋଗ ତାଙ୍କ ନିକଟରେ ପହଞ୍ଚିଛି। ରୋଗୀଙ୍କ ହିତକୁ ଦୃଷ୍ଟିରେ ରଖି ଜିଲାସ୍ତରରେ ଡେ କେୟାର ଖୋଲିଥିଲେ ବି ଏହା କେବଳ କେମୋଥେରାପି ଯୋଗାଉଛି। ଜିଲା ମୁଖ୍ୟାଳୟ ହସ୍ପିଟାଲରେ ଔଷଧର ଅଭାବ ନେଇ ଅଭିଯୋଗ ଆସୁଛି। ଏଥିପାଇଁ ଦୂରଦୂରାନ୍ତରୁ ଆସୁଥିବା ରୋଗୀ ହଟହଟା ହେଉଛନ୍ତି। ରାଜ୍ୟସ୍ତରୀୟ ଟିମ୍ ଏହାର ଠିକ୍ ଭାବେ ତଦାରଖ କରୁନାହାନ୍ତି। ଏବେ ଏସ୍ସିବି ମେଡ଼ିକାଲ କଲେଜ ଓ ହସ୍ପିଟାଲ ସମେତ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରର ଆଧୁନିକୀକରଣ କାର୍ଯ୍ୟ ଚାଲିଛି। ଏଥିପାଇଁ ଭିତ୍ତିଭୂମି ବିକାଶ ସହିତ ଡାକ୍ତରୀ ଉପକରଣ କିଣାଯିବା ଉପରେ ଗୁରୁତ୍ୱ ଦିଆଯାଉଛି। ତେଣୁ ବିଭାଗ ପକ୍ଷରୁ ଯେଉଁସବୁ ସ୍ଥାନରେ ରୋଗୀ ଭିଡ଼ ରହୁଛି ସେଠିକାର ଭିତ୍ତିଭୂମି, ଯନ୍ତ୍ରପାତି, ଆସବାବପତ୍ର ଏବଂ ମାନବ ସମ୍ବଳ ଠିକଣା ଭାବେ ରହିଛି କି ନା ସେ ସଂକ୍ରାନ୍ତରେ ରୋଡ଼ମ୍ୟାପ ପ୍ରସ୍ତୁତ କରିବାକୁ ମନ୍ତ୍ରୀ ନିର୍ଦେଶ ଦେଇଛନ୍ତି।
ବିଶେଷକରି ସବୁପ୍ରକାର କର୍କଟ ରୋଗର ଚିକିତ୍ସା ପାଇଁ ଏଠାରେ ଆବଶ୍ୟକସଂଖ୍ୟକ ଅପରେସନ ଥିଏଟର(ଓଟି) ନାହିଁ। ଫଳରେ ରୋଗୀଙ୍କୁ ଘରୋଇ ନର୍ସିଂ ହୋମ୍କୁ ରେଫର କରିବାକୁ ପଡ଼ୁଛି। ରେଡ଼ିଏସନ ପାଇଁ ଏଠାରେ ଏବେ ୪ଟି ଲିନାକ ଏବଂ ୨ଟି କୋବାଲ୍ଟ ମେସିନ ରହିଛି। କିନ୍ତୁ ଏଠିକାର ରୋଗୀ ସଂଖ୍ୟା ତୁଳନାରେ ଶଲ୍ୟ ଓ ରେଡ଼ିଏସନ ବିଭାଗରେ ପ୍ରଫେସର, ଆସୋସିଏଟ ପ୍ରଫେସର କିମ୍ବା ଅନ୍ୟାନ୍ୟ କର୍ମଚାରୀ ନାହାନ୍ତି।
ବିଭାଗୀୟ ସୂଚନା ଅନୁସାରେ କର୍କଟ ଆକ୍ରାନ୍ତଙ୍କୁ ତୁରନ୍ତ ଶଲ୍ୟ, କେମୋ ଓ ରେଡ଼ିଏସନ ଚିକିତ୍ସା ଯୋଗାଇବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ଏକ ସ୍ୱତନ୍ତ୍ର ରୋଡ଼ମ୍ୟାପ୍ ପ୍ରସ୍ତୁତ କରାଯାଉଛି। ଅଗ୍ରାଧିକାର ଭିତ୍ତିରେ କିପରି ସ୍ୱାସ୍ଥ୍ୟସେବା ଯୋଗାଇହେବ ସେ ଦିଗରେ ବିଭାଗୀୟ ଅଧିକାରୀଙ୍କୁ ନିର୍ଦେଶ ଦିଆଯାଇଛି। ଜିଲାସ୍ତରରେ କର୍କଟ ରୋଗୀଙ୍କ ପାଇଁ ଖୋଲାଯାଇଥିବା ଥିବା ଡେ କେୟାର କେନ୍ଦ୍ରର ଠିକଣା ପରିଚାଳନା ସହ ରାଜ୍ୟସ୍ତରୀୟ କ୍ୟାନ୍ସର ସେଲ୍କୁ ମଜଭୁତ କରାଯିବାକୁ ଲକ୍ଷ୍ୟ ରହିଛି। ଏ କ୍ଷେତ୍ରରେ କାର୍ଯ୍ୟରତ ଅଧିକାରୀ, ଡାକ୍ତରଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ କରାଯିବାକୁ ପ୍ରସ୍ତାବ ରହିଛି।
ପ୍ରସ୍ତାବିତ ଯୋଜନାରେ ଆଚାର୍ଯ୍ୟ ହରିହର କର୍କଟ ପ୍ରତିଷ୍ଠାନର ସମ୍ପ୍ରସାରଣ ଓ ରୋଗୀ ଭିଡ଼ ପରିପ୍ରେକ୍ଷୀରେ ଡିଏମ୍ଇଟିଙ୍କ ଅଧ୍ୟକ୍ଷତାରେ ଏଠିକାର ନିର୍ଦେଶକ ଓ ଅନ୍ୟ ଅଧିକାରୀଙ୍କୁ ନେଇ ଏକ କମିଟି ଗଠନ କରାଯିବାକୁ ଯୋଜନା ରହିଛି। ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ରରେ ଏବେ କେତେ ପ୍ରଫେସର ଓ ଆସୋସିଏଟ ପ୍ରଫେସର ଅଛନ୍ତି, ସେମାନେ କେବେ ଅବସର ନେବେ ଏବଂ ଭବିଷ୍ୟତ ପାଇଁ କେତେ ସଂଖ୍ୟାରେ ଅତିରିକ୍ତ ଡାକ୍ତର ପଦ ସୃଷ୍ଟି କରାଯିବ ସେ ବିଷୟରେ ତର୍ଜମା କରିବାକୁ କହିଛନ୍ତି। ଏହି କମିଟି କର୍କଟ ଚିକିତ୍ସା କେନ୍ଦ୍ରରେ ଥିବା ଓଟିରେ ଅପରେସନ ପାଇଁ ଆବଶ୍ୟକ ଯନ୍ତ୍ରପାତି, ଉପକରଣ ସୁବିଧା ବିଷୟ ଅନୁଧ୍ୟାନ ସହିତ ଅତିରିକ୍ତ ଆଧୁନିକ ଓଟିର ଆବଶ୍ୟକତା ଅଛି କି ନା ସେ ବିଷୟରେ ବିଭାଗକୁ ପ୍ରସ୍ତାବ ଦେବ। ପ୍ରବଳ ରୋଗୀ ଭିଡ଼କୁ ଦୃଷ୍ଟିରେ ରଖି କମିଟି ଏବେ ବିଭିନ୍ନ ଜିଲାରେ ଥିବା ଡେ କେୟାର ସୁବିଧା ବିଷୟରେ ତନଖି କରିବା ସହିତ ଡେ କେୟାରରେ ଅତିରିକ୍ତ ଶଯ୍ୟାର ଆବଶ୍ୟକତା ବିଷୟରେ ପ୍ରସ୍ତାବ ଦେବ। ଏବେ ମାନୁଆଲ ଭିତ୍ତିରେ ଓପିଡି ଟିକଟ କରାଯାଉଥିବାରୁ ଏହା ପରିବର୍ତ୍ତେ ଅନଲାଇନ ବ୍ୟବସ୍ଥା କାର୍ଯ୍ୟକାରୀ କରାଯିବ। ପରୀକ୍ଷା ରିପୋର୍ଟ ମଧ୍ୟ ଅନଲାଇନରେ ପ୍ରଦାନ କରାଯିବ, ଯଦ୍ୱାରା ଡାକ୍ତରମାନେ ଅନଲାଇନରେ ରୋଗୀଙ୍କ ସମ୍ପର୍କରେ ସମ୍ପୂର୍ଣ୍ଣ ବିବରଣୀ ଦେଖିପାରିବେ ଏବଂ ରୋଗୀଙ୍କୁ ରିପୋର୍ଟ ସଂଗ୍ରହ କରି ଡାକ୍ତରଙ୍କୁ ଦେଖାଇବା ପାଇଁ ଏଣେତେଣେ ଦୌଡ଼ିବାକୁ ପଡ଼ିବ ନାହିଁ। ଏସବୁ ପ୍ରସ୍ତାବ କାର୍ଯ୍ୟକାରୀ ପୂର୍ବରୁ ଏକ ବରିଷ୍ଠ ଡାକ୍ତର ଟିମ୍କୁ ଟାଟା ମେମୋରିଆଲ ଓ ଅନ୍ୟାନ୍ୟ ପ୍ରତିଷ୍ଠିତ ଘରୋଇ କ୍ୟାନ୍ସର ହସ୍ପିଟାଲକୁ ପଠାଯିବ। କମିଟି ଅନୁଧ୍ୟାନ ରିପୋର୍ଟ ତନଖି ପରେ ପରବର୍ତ୍ତୀ କାର୍ଯ୍ୟପନ୍ଥା ପାଇଁ ସରକାରଙ୍କ ନିକଟରେ ପ୍ରସ୍ତାବ ଦାଖଲ କରିବ।
Comments are closed.